• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରହସ୍ୟ ଘେରରେ ବଡ଼ମ୍ବା ମାଣିଆବନ୍ଧ ବୀରବରପୁର ଗାଁର ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟଣା । ପ୍ରଥମେ ୨ଟି ଶିଶୁ ପରେ ସେମାନଙ୍କ ମାଆ ଆଖି ବୁଜିଥିବା ବେଳେ ବାପା ଏବେବି ଗୁରୁତର ଅଛନ୍ତି । ଗୁରୁବାର ରାତିରେ ଘର ତିଆରି ଚାଟ୍, ଘୁଗୁନି ଓ ଭାତ ଖାଇବା ପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ଖାଦ୍ୟ ବିଷକ୍ରିୟା ବା ଫୁଡ୍ ପଏଜନିଂରୁ ଏତେ ଶୀଘ୍ର ମୃତ୍ୟୁ ହୋଇପାରେ ବୋଲି ଖୋଦ୍ ଖାଦ୍ୟ ନିରାପତ୍ତା ଅଧିକାରୀ ବି ସହଜରେ ଗ୍ରହଣ କରିପାରୁନାହାନ୍ତି । ତେଣେ ବିନା ପୋଷ୍ଟମର୍ଟମରେ ୨ଶିଶୁଙ୍କ ମୃତଦେହକୁ ପୋଡ଼ି ଦିଆଯିବା ବି ରହସ୍ୟକୁ ଆହୁରି ଘନୀଭୂତ କରିଛି । ଖାଦ୍ୟ ଓ ପାଣି ନମୁନାକୁ ପରୀକ୍ଷା ପାଇଁ ଲାବ୍ରୋଟୋରିକୁ ପଠାଯାଇଥିବା ବେଳେ ନିଜ ଆଡ଼ୁ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ରହସ୍ୟ ଘେରରେ କଟକ ଜିଲ୍ଲା ବଡ଼ମ୍ବା ମାଣିଆବନ୍ଧ ବୀରବରପୁର ଗାଁର ଏଭଳି ମର୍ମନ୍ତୁଦ ଅଘଟଣ । ଗୁରୁବାର ରାତିରେ ଭାତ, ଘୁଗୁନି ଓ ଚାଟ୍ଏକାଠି ଖାଇଥିଲେ ଗୋବିନ୍ଦ ପାତ୍ର, ପତ୍ନୀ ରୁନୁ, ୧୦ ବର୍ଷର ପୁଅ ରୁଦ୍ର ଓ ୭ବର୍ଷର କୁନି ଝିଅ ରୁଚିକା । ହେଲେ ଖାଇବାର ମାତ୍ର କେଇ ମିନିଟ୍ ପରେ ଜଣେ ପରେ ଜଣେ ବାନ୍ତି କରି ଅଚେତ ହୋଇଯାଇଥିଲେ । ଆଉ ଶନିବାର ସକାଳୁ କଟକର ଏକ ଘରୋଇ ହସ୍ପିଟାଲରେ ପୁଅ-ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ମାଆ ରୁନୁଙ୍କ ଜୀବନ ଯାଇଛି । ତେଣୁ ପ୍ରାଥମିକ ଭାବେ ଏଇ ଖାଦ୍ୟରୁ ହିଁ ବିଷକ୍ରିୟା ହୋଇଥିବା ଆଶଙ୍କା କରାଯାଉଛି ।

ଏହାର ତଦନ୍ତ ପାଇଁ ଜନସ୍ୱାସ୍ଥ୍ୟ ଓ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଟିମ୍ ଗୋବିନ୍ଦଙ୍କ ଘରକୁ ଯାଇ ଖାଦ୍ୟ ଓ ପାଣିର ନମୁନା ସଂଗ୍ରହ କରି, ତାକୁ ପରୀକ୍ଷା ପାଇଁ ଲାବ୍ରୋଟୋରିକୁ ପଠାଇଛନ୍ତି । ଗୋବିନ୍ଦଙ୍କ ପଡ଼ୋଶୀ କହିଛନ୍ତି, ଘୁଗୁନିରେ ପଡ଼ିଥିବା ରଙ୍ଗ ଓ ଚାଟ୍ ମସଲାର ଏକ୍ସପାରୀ ଡେଟ୍ ପଳାଇଥିବା ଦେଖିବାକୁ ମିଳିଛି । ତେବେ ଖାଦ୍ୟ ବିଷକ୍ରିୟାରୁ ଯେ ଏତେ ଶୀଘ୍ର ମୃତ୍ୟୁ ହୋଇପାରେ ତାକୁ ନେଇ ସେମାନେ ବି ସନ୍ଦେହ ପ୍ରକାଶ କରିଛନ୍ତି ।

ଏହି ତିନି ତିନିଟି ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହେବା ପଛରେ ଆହୁରି ଏକ କାରଣ ରହିଛି । ସୂଚନା ମିଳିଛି, ଗତକାଲି ସକାଳୁ ୨ ଶିଶୁଙ୍କ ମୃତଦେହ ଗାଁକୁ ଆସିବା ପରେ ତାକୁ ବିନା ପୋଷ୍ଟମର୍ଟମରେ ପୋଲିସକୁ ନଜଣାଇ ପୋଡ଼ି ଦିଆଯାଇଛି । ଅନ୍ୟପକ୍ଷରେ ଗୋବିନ୍ଦଙ୍କର ସ୍ୱଚ୍ଛଳ ପରିବାର ଥିଲା ଏବଂ କାହା ସହିତ ସେମାନଙ୍କର ବିବାଦ ନଥିଲା ବୋଲି ରୁନୁଙ୍କ ଭାଇ କହିଛନ୍ତି । ତେବେ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରି ସମସ୍ତ ଦିଗରୁ ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ଆଠଗଡ଼ ଏସଡିପିଓ କହିଛନ୍ତି । ଆଜି ରୁନୁଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ ।

ନରସିଂହପୁରରୁ ସର୍ବେଶ୍ୱର ସ୍ୱାଇଁ, ଆଠଗଡ଼ରୁ ନୀଳକଣ୍ଠ ଦୋରା ଓ କଟକରୁ ଦେବାଶିଷ ମହାନ୍ତିଙ୍କ ରିପୋର୍ଟ