• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

MKCG ରେ ୨୧ ରୋଗୀ ଇଞ୍ଜେକସନ୍ ନେଇ ଥରିବା ଘଟଣା । ମେଡିକାଲ ଯାଇ ରୋଗୀମାନଙ୍କୁ ଭେଟିଲା ବିଜେପିର ଏକ ଟିମ୍ । ନିମ୍ନମାନର ଇଞ୍ଜେକସନ୍ ଯୋଗୁଁ ଏହା ଘଟିଲା ବୋଲି ଅଭିଯୋଗ କରିଛି ବିଜେପି ପ୍ରତିନିଧି ଦଳ । ପରେ ଦକ୍ଷିଣାଞ୍ଚଳ ଆର୍‌ଡିସିଙ୍କୁ ଭେଟି ଫେରାଦ ହେଲେ ବିଜେପି ପ୍ରତିନିଧି ।

ସୂଚନାଯୋଗ୍ୟ, ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଶୁକ୍ରବାର ସକାଳୁ ୩ଟି ଇଞ୍ଜେକସନ୍ ନେବା ପରେ ମେଡିସିନ୍ ବିଭାଗ ୧ ନମ୍ବର ୟୁନିଟ୍‌ର ୨୧ଜଣ ରୋଗୀ ଥରିବା ସହ ଗୁରୁତର ହୋଇଥିଲେ । ତେବେ ଡାକ୍ତରଙ୍କ ଚିକିତ୍ସାରେ ପୂର୍ବରୁ ସୁସ୍ଥ ହୋଇଥିବା ରୋଗୀଙ୍କ ଠାରେ ଏଭଳି ଅବସ୍ଥା ଦେଖିବା ପରେ ପୁରା ମେଡିକାଲରେ ଭୟର ବାତାବରଣ ଦେଖାଯାଇଥିଲା । ଖବରପାଇ ମେଡିକାଲର ବିଭାଗୀୟ ମୁଖ୍ୟ, ମେଡିକାଲ ଅଧୀକ୍ଷକ ଆସି ତଦନ୍ତ କରିଥିଲେ । ହେଲେ ଇଞ୍ଜେକସନ୍‌ର ତ୍ରୁଟି ନା ଚିକିତ୍ସାରେ ଭୁଲ ଭଟକା ଯୋଗୁଁ ଏଭଳି ଘଟଥିଲା ତାହା ଜଣାପଡ଼ିନଥିଲା ।

ଡାକ୍ତରଙ୍କୁ ଡକାଇ ରୋଗୀଙ୍କ ସମ୍ପର୍କୀୟ ଏନେଇ ପଚାରିଥିବା ବେଳେ ରୁଟିନ୍ ଅନୁସାରେ ଇଞ୍ଜେକସନ୍ ଦିଆଯାଇଥିବା କୁହାଯାଇଥିଲା । ଯଦି ସଠିକ୍‌ ନିୟମ ଅନୁସାରେ ଓ ସଠିକ୍‌ ଇଞ୍ଜେକ୍ସନ ଦିଆଯାଇଥିଲା, ତେବେ କାହିଁକି ସେମାନେ ଅସୁସ୍ଥ ହେଲେ ? ସେନେଇ ଡାକ୍ତର ଚୁପ୍ ରହିଥିଲେ ଏବଂ କଥାକୁ ଏଡ଼ାଇବାକୁ ଚେଷ୍ଟା କରିଥିଲେ । ଅନ୍ୟପଟେ ରୋଗୀଙ୍କ ସ୍ଥ୍ୟାବସ୍ଥା ଗୁରୁତର ହେବାରୁ ୨୧ରୁ ୧୨ ଜଣଙ୍କ ମୁହଁରେ ଲଗାଯାଇଥିଲା ଅକ୍ସିଜେନ୍ । ହଠାତ୍ ଏତେ ଗୁଡିଏ ରୋଗୀ ଏଭଳି ଥରିବା ପରେ ରୋଗୀଙ୍କ ସମ୍ପର୍କୀୟ ଚିନ୍ତା ପ୍ରକଟ କରିବା ସହ ଇଞ୍ଜେକସନ୍‌ରେ ତ୍ରୁଟି ନା ଚିକିତ୍ସାରେ ତ୍ରୁଟି ତଦନ୍ତ କରିବାକୁ ଦାବି କରିଥିଲେ ।

ଅନ୍ୟପକ୍ଷରେ ଏଭଳି ଅଘଟଣ ନେଇ ଖବରପାଇବା ପରେ ମେଡିକାଲର ମେଡିସିନ୍ ବିଭାଗରେ ପଡ଼ିଥିଲା ଚହଳ । ମେଡିସିନ୍ ବିଭାଗୀୟ ମୁଖ୍ୟ ଡା.ରୀନା ମହାନ୍ତି, ମେଡ଼ିକାଲ ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ଓ ଅନ୍ୟ ଡାକ୍ତରମାନେ ବିଭାଗରେ ବୁଲି ବୁଲି ପ୍ରତି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ । ସବୁଦିନ ଭଳି ରୁଟିନ୍ ଆଣ୍ଟିବାୟୋଟିକ୍, ଗ୍ୟାଷ୍ଟ୍ରିକ ଓ ବାନ୍ତି ପାଇଁ ଔଷଧ ଦିଆଯାଇଥିବା ବେଳେ କିଭଳି ପ୍ରତିକ୍ରିୟା ହୋଇଥିଲା ପଚାରି ବୁଝିଥିଲେ । ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଆଣିବା ପାଇଁ ଅନ୍ୟ ମେଡ଼ିସିନ୍ ଦିଆଯାଇଥିଲା । ତେବେ ରୋଗୀଙ୍କୁ ଦିଆଯାଇଥିବା ଇଞ୍ଜେକସନ ୩ଟିକୁ ଜବତ କରାଯାଇଛି । ପ୍ରତି ଇଞ୍ଜେକସନ୍‌ର ୩ ହଜାର ଲେଖାଏଁ ଭାଏଲ୍ ମେଡିକାଲ ଆସିଥିଲା । ସେହି ବ୍ୟାଚ୍ ନମ୍ବରର ଇଞ୍ଜେକସନ୍‌କୁ ଯାଞ୍ଚ ପାଇଁ ପଠାଗଲେ ହିଁ କାରଣ ଜଣାପଡ଼ିବ ବୋଲି ମେଡିକାଲ ଅଧୀକ୍ଷକ କହିଛନ୍ତି ।