/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653728985.jpg)
Special Story
ଶିକ୍ଷା ବ୍ୟବସ୍ଥାର କରୁଣ ଚିତ୍ର। ସ୍କୁଲରେ ପିଲା ଭର୍ତ୍ତି, ହେଲେ ପଢାଇବାକୁ ନାହାଁନ୍ତି ଶିକ୍ଷକ । ଦୁଇଶହ ଛାତ୍ରଛାତ୍ରୀଙ୍କ ପାଇଁ ଅଛନ୍ତି ମାତ୍ର ଦୁଇ ଜଣ ଶିକ୍ଷକ । ଭଦ୍ରକ ଜିଲ୍ଲା ରାଜଘରପୋଖରୀ ଗ୍ରାମପଞ୍ଚାୟତ ହାଇସ୍କୁଲ ଏଭଳି ସ୍ଥିତି ଦେଇ ଗତି କରୁଛନ୍ତି । ୧୯୮୩ ମସିହାରୁ ସ୍ଥାପନ ହୋଇଥିବା ଏହି ବିଦ୍ୟାଳୟର ଭାଗ୍ୟ ଏବେ ହିନ୍ଦୀ ଓ କ୍ରୀଡା ଶିକ୍ଷକଙ୍କ ହାତରେ।
ନବମ ଓ ଦଶମ ଶ୍ରେଣୀର ଦୁଇ ଶହ ପିଲାଙ୍କୁ ପଢାଉଛନ୍ତି ହିନ୍ଦୀ ଓ କ୍ରୀଡା ଶିକ୍ଷକ । କଳା, ବିଜ୍ଞାନ, ସଂସ୍କୃତ ଶିକ୍ଷକ ଅବସର ନେଇଥିବା ବେଳେ ତାଙ୍କ ସ୍ଥାନରେ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ମିଳି ନାହିଁ। ଏହା ସହ ଇଂରାଜୀ ଓ ଗଣିତ ଶିକ୍ଷକ ପଦବୀ ଏବେ ବି ଖାଲି ପଡିଛି। ଶିକ୍ଷକ ଅଭାବ ଯୋଗୁ ପିଲାଙ୍କ ପାଠପଢାରେ ଅସୁବିଧାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଅବିଭାବକ।
ଶିକ୍ଷକ ନିଯୁକ୍ତି ନେଇ ସରପଞ୍ଚଙ୍କ ସମେତ ଅନେକ ଅଭିଭାବକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କିଛି ବି ଲାଭ ମିଳି ନାହିଁ। ଶେଷରେ ଜଣେ ପୁରାତନ ଛାତ୍ର ନିୟମିତ ସ୍କୁଲକୁ ଆସି ପାଠ ପଢ଼ାଉଥିବା ଦେଖାଯାଉଛି। ତେବେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ।
ବେଳେ ବେଳେ ରାଜଘରପୋଖରୀ ହାଇସ୍କୁଲରେ ବିକଳ ଚିତ୍ର ଦେଖିବାକୁ ମିଳିଥାଏ। କୌଣସି ସମୟରେ ଯଦି ଦୁଇ ଶିକ୍ଷକଙ୍କ ମଧ୍ୟରୁ ଜଣେ କେହି ଛୁଟିରେ ଯାଆନ୍ତି ଅବା ଅଫିସ କାମରେ ବାହାରକୁ ଯାଆନ୍ତି, ତେବେ ଜଣେ ଶିକ୍ଷକ ଦୁଇଶହ ପିଲାଙ୍କ ଦାଇତ୍ୱ ନେଇଥାନ୍ତି।
ରାଜ୍ୟରେ ଥିବା ସ୍କୁଲର ରୂପରେଖ ଏବେ ବଦଳି ଯାଇଛି। ହେଲେ ଶିକ୍ଷକ ଅଭାବ ସମସ୍ୟା ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଉପହାସ କରୁଛି।
ବାସୁଦେବପୁରରୁ କିରୀଟି ଦାସଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)