• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କେନ୍ଦ୍ରାପଡ଼ା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ । ବେଆଇନ ମାଛ ମାରୁଥିବା ଲୋକେ ଏହି ଆକ୍ରମଣ କରିଛନ୍ତି । ବନବିଭାଗର ୧୧ ଜଣିଆ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ସେମାନଙ୍କ ଉପରେ ଏହି ଆକ୍ରମଣ ହୋଇଛି । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ହୁକିଟୋଲା ଫ୍ରଣ୍ଟ ମହାନଦୀ ପାଖରେ ଅଲଭି ରିଡ଼ଲେ କଇଁଛ ସୁରକ୍ଷା ପାଇଁ ପାଟ୍ରୋଲିଂ କରୁଥିଲେ ।

ସେମାନେ ଦେଖିଥିଲେ ଯେ, ନିଷିଦ୍ଧାଞ୍ଚଳରେ ୧୫ ରୁ ୨୦ ଟି ଟ୍ରଲର ବେଆଇନ୍ ଭାବେ ମାଛ ମାରୁଥିଲେ । ପାଟ୍ରୋଲିଂ ଟିମ୍ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଟ୍ରଲରଗୁଡ଼ିକ ସଂଘବଦ୍ଧ ହୋଇ ପାଟ୍ରୋଲିଂ ଟିମକୁ ଘେରି ଆକ୍ରମଣ କରିଥିଲେ । ବନବିଭାଗ କର୍ମଚାରୀ ଧାମରା ସାମୁଦ୍ରିକ ଥାନାକୁ ଖବର ଦେବା ସହ ନିଜେ ଧରିଥିବା ବନ୍ଧୁକ ଦେଖାଇ ସେଠାରୁ ଖସି ଆସିବାରେ ସକ୍ଷମ ହୋଇଛନ୍ତି ।

ଏହି ଘଟଣା ପରେ ବନବିଭାଗ ତରଫରୁ ଟ୍ରଲର ମାଲିକଙ୍କ ନାମରେ ଧାମରା ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଛି ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ବନ କର୍ମଚାରୀଙ୍କୁ ଶିକାରୀର ଗୁଳିମାଡ଼ । ବାଲେଶ୍ୱର ଜିଲ୍ଲା ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଞ୍ଚଳରେ ବନ କର୍ମଚାରୀ-ଶିକାରୀ ମୁହାଁମୁହିଁ ହୋଇଛନ୍ତି ।

ଶିକାରୀ ଗୁଳିରେ ୩ ଜଣ ବନ କର୍ମଚାରୀ ଆହତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଅଛନ୍ତି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ବିଳମ୍ବିତ ରାତିରେ ପାଟ୍ରୋଲିଂ ବେଳେ ସେମାନଙ୍କ ଉପରକୁ ଶିକାରୀ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି । ଗୁରୁତର ୨ ବନ କର୍ମଚାରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ୨ ଶିକାରୀଙ୍କୁ ଗିରଫ କରିଛି କୁଳଡିହା ବନ ବିଭାଗ ।