• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଅନ୍ଧାର ରାତି...ମୁହଁକୁ ମୁହଁ ଦିଶୁନି । ରାସ୍ତାରେ ଗାଡି ଟିଏ ଗଲେ ଯ।ହା କିଛି ଦେଖାଯାଉଛି ନହେଲେ ନାହିଁ । ଏମିତି ଦୃଶ୍ୟ ଦେଖିବା ପରେ ଆପଣ କହିପାରନ୍ତି ଆଜିକା ସମୟରେ ଏମିତି କେଉଁ ଅଂଚଳ ଅଛି ଯେ ଯେଉଁଠିକୁ ଆଜିଯାଏଁ ପହଞ୍ଚି ନାହିଁ ବିଜୁଳି । ସେ ଅଂଚଳରେ ବିଜୁଳି ପହଞ୍ଚିଛି ସତ ହେଲେ ହାତୀ ପାଇଁ ଏବେ କଟିଛି ଲାଇନ୍‌ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ତେଜିଲାଣି ଅସନ୍ତୋଷ ।

ନୂଆପଡ଼ା ଖଡିଆଳରେ ଏବେ ହାତୀ ଆତଙ୍କ । ଆଉ ସେଇଥି ପାଇଁ ୪ ଦିନ ହେଲାଣି ଅନ୍ଧାରରେ ରହୁଛନ୍ତି ଲୋକେ । କିଛିଦିନ ତଳେ ଛତିଶଗଡ଼ ସୀମାରୁ ଏକ ବଣୁଆ ହାତୀ ଏକୁଟିଆ ବୁଲୁଥିବା ଜଣାପଡିଥିଲା । ହାତୀଟି ସିନାପାଲି ଦେଇ ଖଡିଆଳ ବ୍ଲକ କିରକିଟା,ରାଣିମୁଣ୍ଡା ସହ ବହଲପଦର ଗାଁରେ ୪ ଦିନ ହେଲାଣି ରହିଛି । ଏମିତିକି ବିଲରେ ହାତୀର ପାଦ ଚିହ୍ନ ଥିବା ସହ ଡାଳପତ୍ର ଭାଙ୍ଗି ଖାଉଥିବାର ଶବ୍ଦ ବି ଲୋକମାନେ ଶୁଣୁଛନ୍ତି । ଏନେଇ ପ୍ରଶାସନ ବି ଅବଗତ ଅଛି । ହେଲେ ହାତୀ ପାଇଁ ବିଜୁଳି କାଟକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି ।

 

ହାତୀକୁ ସୁରକ୍ଷା ଦେବା ଲାଗି ବିଦ୍ୟୁତ ବିଭାଗ ପକ୍ଷରୁ ଲାଇନ୍‌ ସିନା କାଟିଦିଆଗଲା ହେଲେ ବର୍ଷା ଦିନ ହୋଇଥିବାରୁ ମଶା ଓ ସାପ ବେଙ୍ଗଙ୍କ ଭୟରେ ରାତିରେ ଶୋଇପାରୁନାହାନ୍ତି ଲୋକେ । ଏମିତିକି ଗତ କିଛି ଦିନରେ ରାଜ୍ୟରେ ସାପ କାମୁଡ଼ାରେ ଅନେକଙ୍କ ଜୀବନ ବି ଯାଇଛି । ତେଣୁ ଡରିଡରି ଏବେ ବଞ୍ଚୁଛନ୍ତି ସ୍ଥାନୀୟ ଲୋକେ । ବିଶେଷ କରି ବଙ୍କାପୁର ହାଇସ୍କୁଲର ଛାତ୍ରାବାସରେ ୭୦ ଅନ୍ତେବାସୀ ରହୁଥିବାରୁ ରାତିରେ ଶୋଇବାକୁ ନାନା ସମସ୍ୟାର ସାମ୍ନା କରୁଛନ୍ତି ।

ସେପଟେ ଲାଇନ୍‌ କାଟିବାକୁ ନେଇ ପ୍ରବଳ ଅସନ୍ତୋଷ ହେବା ପରେ ଫରେଷ୍ଟର ଓ ବନବିଭାଗ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ଗାଁ ଲୋକେ । ଆଉ ଯଦି ବିଜୁଳି ସ୍ୱାଭାବିକ ନହୁଏ ଆନ୍ଦୋଳନ ହେବାର ଚେତାବନୀ ବି ସେମାନେ ଦେଇଛନ୍ତି । ସେପଟେ ହାତୀ ପାଇଁ ବିଜୁଳି କାଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏଫ୍‌ଓ । କହିଛନ୍ତି, ବର୍ତ୍ତମାନ ହାତୀଙ୍କ ପ୍ରଜନନ ସମୟ ଥିବାରୁ ଗୋଠରୁ ଅଲଗା ହୋଇ ସେ ବୁଲୁଛି । ବନ ବିଭାଗ ପକ୍ଷରୁ ତା’ ଉପରେ ନଜର ରହିଛି । ବିଜୁଳି କେମିତି ସ୍ୱାଭାବିକ ହେବ ସେନେଇ ବିଜୁଳି ବିଭାଗ ସହ ଆଲୋଚନା କରାଯିବ ।

(ଖଡିଆଳରୁ କୁନାଲ ବେହେରାଙ୍କ ରିପୋର୍ଟ)