/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691423685.jpg)
School Problem
ଟିଣ ଉଠିଗଲାଣି, ଶ୍ରେଣୀ ଗୃହ ଭାଙ୍ଗି ଗଲାଣି । ଯେଉଁଠି ଡାଲି ଚାଉଳ ରଖା ଯାଉଛି ସେଇଠି ବସି ପାଠ ପଢ଼ୁଛନ୍ତି ପିଲା । ଖାଲି ଏତିକି ନୁହେଁ ସ୍କୁଲ କାନ୍ଥକୁ ଦେଖିଲେ ଡର ଲାଗିବ । କାରଣ ବର୍ଷା ପାଣି ଖାଇଖାଇ କାନ୍ଥ ଏମିତି ବତୁରିକି ରହିଛି କେତେବେଳେ ଭୁଷୁଡ଼ି ପଡ଼ିବ ତାହା କେହି କହିପାରିବେ ନାହିଁ । ଗଞ୍ଜାମ ଭଞ୍ଜନଗର ଗୋଲାପଡ଼ା ପଞ୍ଚାୟତ ନାରାୟଣ ପାଟଣା ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ପୂରା ସଙ୍ଗୀନ ।
୧୯୦୨ ମସିହା ବ୍ରିଟିଶ ଶାସନ ସମୟରେ ଏ ସ୍କୁଲର ସ୍ଥାପନା ହୋଇଥିଲା । ଏହାରି ଭିତରେ ଗୋଟିଏ ଯୁଗ ବିତି ସରିଲାଣି କିନ୍ତୁ ବିଦ୍ୟାଳୟର ଚିତ୍ରରେ କୌଣସି ପରିବର୍ତ୍ତନ ହୋଇନାହିଁ । ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦୦ ରୁ ଅଧିକ ପିଲା ପାଠ ପଢୁଛନ୍ତି । ହେଲେ ସ୍କୁଲର କେମିତି ଉନ୍ନତି ହେବ ସତେ ଯେମିତି ପ୍ରଶାସନର ନିଘା ନାହିଁ । ପିଲାଙ୍କ ଅଭିଯୋଗ, ବର୍ଷା ହେଲେ କ୍ଲାସ୍ ରୁମରେ ଟିଣରୁ ପାଣି ଗଳୁଛି, ଖରାଦିନେ ଟିଣ ଏମିତି ତାତି ଯାଉଛି ଯେ ବସିବା ଅସମ୍ଭବ ହୋଇପଡୁଛି । ସମସ୍ୟା ଏତିକି ସରିନି ବରଂ ଗୋଟିଏ ଶ୍ରେଣୀ କକ୍ଷ ମଝିରେ କପଡା ଟଙ୍ଗାଇ ଦୁଇଟି ଶ୍ରେଣୀର ପିଲା ବସି ପାଠ ପଢ଼ୁଛନ୍ତି । ତେଣୁ ଉଭୟ ଶ୍ରେଣୀର ପାଠପଢାରେ ସାଙ୍ଘାତିକ ଭାବରେ ବ୍ୟାଘାତ ସୃଷ୍ଟି ହେଉଛି ।
ଜାଣିଆଶ୍ଚର୍ଯ୍ୟ ହେବେ କି ପାଖଆଖର ୧୦ ଖଣ୍ଡ ଗାଁର ପିଲା ସେହି ସ୍କୁଲରେ ପାଠ ପଢୁଛନ୍ତି । କିନ୍ତୁ ଅବସ୍ଥା ପୂରା ସଙ୍ଗୀନ ହେଲାଣି ସ୍କୁଲର । ରୋଷେଇ ଘର ନାହିଁ କି ଶୌଚାଳୟ ନାହିଁ । ଗ୍ୟାସ୍ ନଥିବାରୁ କାଠ ଚୁଲିରେ ଏବେ ବି ରୋଷେଇ ହେଉଛି । ଆଉ କଳା ଧୂଆଁରେ ଆକ୍ଚାମାକ୍ଚା ହୋଇ ପିଲା ବସୁଛନ୍ତି । ଏମିତିକି କୃଷ୍ଣଶରଣପୁର ପ୍ରାଥମିକ ବିଦ୍ୟାଳୟର ପିଲାମାନେ ୪ ମାସ ହେଲା ବିଦ୍ୟାଳୟକୁ ଆସୁନଥିବା ବେଳେ କେବଳ ଶିକ୍ଷୟିତ୍ରୀ ଓ ପାଚିକା ଆସି ବସି ବସି ଯାଉଛନ୍ତି । ତେଣୁ ନାରାୟଣପାଟଣା ବିଦ୍ୟାଳୟକୁ ଆସି ଶିକ୍ଷୟିତ୍ରୀ ପିଲାଙ୍କୁ ପାଠ ପଢ଼ାଇବାକୁ ଜୋର ଧରିଛି ଦାବି । ସେପଟେ ସ୍କୁଲ ସମସ୍ୟା ସମ୍ପର୍କରେ ଜାଣିବା ପରେ ତୁରନ୍ତ ଏହାର ସମାଧାନ ହେବା ସହିତ ନୂଆ ସ୍କୁଲ ଘର ତିଆରି ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଭଂଜନଗର ଉପଜିଲ୍ଲାପାଳ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)