/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661011086.jpg)
Online SI Exam
ଅସନ୍ତୋଷରୁ ନାରାବାଜି, ଅବ୍ୟବସ୍ଥାରୁ ବିକ୍ଷୋଭ । ନିିଯୁକ୍ତି ବିଜ୍ଞାପନର ଦୀର୍ଘ ୪ ବର୍ଷ ପରେ ତ୍ରୁଟି ସୁଧାର ପରୀକ୍ଷାରେ ବି ପୁଣି ଚରମ ଅବହେଳାକୁ ନେଇ ଚାକିରି ଆଶାୟୀଙ୍କ ଭିତ୍ତରେ ପ୍ରବଳ ଉତ୍ତେଜନା । ରାଜଧାନୀ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଏକ ପରୀକ୍ଷା ସେଣ୍ଟରରେ ଆଜି ସକାଳୁ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଦ୍ୱାରା ଆୟୋଜିତ ପୋଲିସ SI ପରୀକ୍ଷା ହେବାର ଥିଲା । ପୂର୍ବ ସୂଚନା ଅନୁସାରେ ଦୂରଦୂରାନ୍ତରୁ ଆସିଥିଲେ ପରୀକ୍ଷାର୍ଥୀ । କିନ୍ତୁ ସେମାନେ ହଲରେ ବସିବା ପରେ ପୁଣି ସାମ୍ନାକୁ ଆସିଥିଲା ତ୍ରୁଟି ।
ଅନଲାଇନ୍ ପରୀକ୍ଷା ବେଳେ କାହା ପ୍ରଶ୍ନପତ୍ର ଖୋଲିନଥିଲା ତ କାହାର ଆନସର୍ ଅପସନ୍ ପୂର୍ବରୁ ସିଲେକ୍ଟ ହୋଇ ରହିଥିଲା । ୩ଟି ସିଟିଂରେ ହେବାକୁ ଥିବା ପରୀକ୍ଷାର ପ୍ରଥମ ସିଟିଂରେ ଏଭଳି ଅବ୍ୟବସ୍ଥା ପରେ ଅସନ୍ତୋଷ ଜାହିର କରିଥିଲେ ପରୀକ୍ଷାର୍ଥୀ । ସେଣ୍ଟର କର୍ତ୍ତୃପକ୍ଷ ଏଥିପାଇଁ କିଛି ସମୟ ନେଇଥିଲେ ବି ତ୍ରୁଟିକୁ ସୁଧାରି ପାରିନଥିଲେ । ଏପଟେ ପରବର୍ତ୍ତୀ ସିଟିଂର ପିଲା ସେଣ୍ଟରରେ ପହଞ୍ଚିଥିଲେ । ପରୀକ୍ଷାରେ ପୁଣି ତ୍ରୁଟି କଥା ଜଣାପଡ଼ିବା ପରେ ତାତିଥିଲେ ପରୀକ୍ଷାର୍ଥୀ ।
ଓଡ଼ିଶା ପୋଲିସରେ ୨୮୩ ସବ୍ ଇନସ୍ପେକ୍ଟର ପଦବୀ ପୂରଣ ଲାଗି ଗତ ୨୦୧୮ରେ ପ୍ରକାଶ ପାଇଥିଲା ବିଜ୍ଞାପନ । ବିଭିନ୍ନ କାରଣ ପାଇଁ OPRB ୨୦୧୮ରେ ପ୍ରକାଶିତ ନିଯୁକ୍ତି ବିଜ୍ଞପ୍ତି ଲାଗି ୪ ବର୍ଷ ବିଳମ୍ବ କରି ଗତ ଜୁଲାଇ ୨ରୁ ୧୧ ତାରିଖ ଭିତରେ ପରୀକ୍ଷା ଆୟୋଜନ କରିଥିଲା । OPRB ଏହି ପରୀକ୍ଷା ନିଜେ ଆୟୋଜନ ନକରି କେନ୍ଦ୍ର ସରକାରଙ୍କ ଅଧିନସ୍ଥ ବେସିଲ ସଂସ୍ଥାକୁ ଦାୟିତ୍ୱ ଦେଇଥିଲା । ତେବେ ସେହି ପରୀକ୍ଷାରେ ବି ବ୍ୟାପକ ତ୍ରୁଟି ସାମ୍ନାକୁ ଆସିଥିଲା । ପରେ OPRB ପେପର ଓ୍ୱାନ୍ ପରୀକ୍ଷାକୁ ଆଉ ଥରେ କରିବା ଲାଗି ଆଜି ଦିନ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଦ୍ୱିତୀୟ ଥର ପାଇଁ ଏ ଅବ୍ୟବସ୍ଥା ପରେ OPRB ଦାୟିତ୍ୱହୀନତା ଓ ପରୀକ୍ଷା ଆୟୋଜନ କରୁଥିବା ସଂସ୍ଥାର ବେପରୁଆ ମନୋଭାବକୁ ଦାୟୀ କରିଛନ୍ତି ଚାକିରି ଆଶାୟୀ ।
ସେପଟେ OPRB ଚେୟାରମ୍ୟାନ ସୁଧାଂଶୁ ଷଡ଼ଙ୍ଗୀ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ରେ ଲେଖିଛନ୍ତି ଯେ, ଆଜିର ପରୀକ୍ଷା ସ୍ଥଗିତ ରଖାଗଲା । ଏହାକୁ ଆଗାମୀ ୧୫ ଦିନ ମଧ୍ୟରେ ପୁଣି ଥରେ କରିବାକୁ ଉଦ୍ୟମ କରାଯାଉଛି ।
ପୂର୍ବରୁ SI ପରୀକ୍ଷା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ୍-OSSC ଆୟୋଜନ କରୁଥିଲା । କିନ୍ତୁ ପରୀକ୍ଷାକୁ ଅଧିକ ସ୍ୱଚ୍ଛ କରିବାକୁ ଗଠନ ହୋଇଥିଲା ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ବା OPRB । ତେବେ ପ୍ରଶ୍ନ ଉଠୁଛି ପରୀକ୍ଷା ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ସଂସ୍ଥା ଗଠନ ସତ୍ତ୍ୱେ ପରୀକ୍ଷା ଆୟୋଜନ ଥାର୍ଡ ପାର୍ଟିକୁ କାହିଁକି ଦିଆଯାଇଥିଲା ? ପରୀକ୍ଷା ଆୟୋଜନରେ ୪ ବର୍ଷ ବିଳମ୍ବ ଓ ପ୍ରଥମ ଥର ତ୍ରୁଟି ପରେ ବି ପୁଣି ସେହି ନିର୍ଦ୍ଦିଷ୍ଟ ଥାର୍ଡ ପାର୍ଟିକୁ କାହିଁକି ଦାୟିତ୍ୱ ଦିଆଗଲା ? OPRB କେବଳ ଟେକନିକାଲ ଏରର କହି ଖସିଯିବା କେତେ ଦୂର ଯଥାର୍ଥ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)