• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ମାନ୍ଦା ହୋଇଛି ଜରିମେଢ କାରିଗରଙ୍କ ବେପାର

  • କରୋନା କଟକଣା କାରଣରୁ ମାତ୍ର ଗୋଟିଏ, ଦୁଇଟି କାମ ମିଳିଛି

କଟକ (ବିଶ୍ୱଜିତ୍ ଆଚାର୍ଯ୍ୟ): ଚଳିତ ବର୍ଷ ମାନ୍ଦା ହୋଇଛି ଜରିମେଢ କାରିଗରଙ୍କ ବେପାର । କଟକ ସହରର କେତେକ ମୁସଲମାନ ଏବଂ ଓଡ଼ିଆ କାରିଗର ଜରିମେଢକୁ ତିଆରି କରିଥାନ୍ତି । ଯାହା କଟକର ଭାଇଚାରାକୁ ସୂଚାଇ ଦିଏ ହେଲେ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କମ୍ କାମ ମିଳିଥିବାରୁ ସେମାନଙ୍କ ଚିନ୍ତା ବଢିଯାଇଛି । କଟକର ଆଲାମଚାନ୍ଦ ବଜାର ଅଞ୍ଚଳରେ ଥିବା କିଛି ମୁସଲମାନ କାରିଗର ଏବେ ଦଶହରା ମେଢ ତିଆରି କାମରେ ବ୍ୟସ୍ତ ରହିଛନ୍ତି । 

ପୂର୍ବରୁ ଏହି କାରିଗରଙ୍କୁ ପ୍ରାୟ ୧୦ରୁ ୧୫ଟି ମେଢ ତିଆରି ପାଇଁ ଅର୍ଡ଼ର ମିଳୁଥିବା ବେଳେ ଚଳିତ ବର୍ଷ ମଧ୍ୟ କରୋନା କଟକଣା କାରଣରୁ ମାତ୍ର ଗୋଟିଏ ଦୁଇଟି କାମ ମିଳିଛି । ଦଶହରାରେ ଜରି, କାଗଜ ମେଢ ତିଆରି କରି ପ୍ରାୟ ୧୫ ରୁ ୨୦ କାରିଗର ଭଲ ରୋଜଗାର କରିଥାନ୍ତି । ଯେଉଁଥିରେ ସେମାନଙ୍କ ପରିବାର ବର୍ଷ ତମାମ ଚଳିଥାନ୍ତି । ମାଙ୍କ ଏହି ପୂଜା କାମରେ ସାମିଲ୍ ହୋଇ ସେମାନେ ଢେର ଖୁସି ମଧ୍ୟ ଅନୁଭବ କରିଥାନ୍ତି । ହେଲେ ଏଥର କରୋନା କଟକଣା ଯୋଗୁଁ ମୁର୍ତ୍ତି ଛୋଟ ହେବା ପରେ ସେମାନଙ୍କ ବେପାର ଖୁବ୍ ମାନ୍ଦା ହୋଇଛି । ଏନେଇ ଜଣେ କାରିଗର କହିଛନ୍ତି, ‘ଆମେ ୩ ପିଢୀ ହେବ ଏହି କାମ କରିଆସୁଛୁ । ଏହା ଦ୍ୱାରା ଆମକୁ ଖୁସି ମିଳିଥାଏ । ପବର୍ବରୁ ଏତେ କାମ ଅର୍ଡର ମିଳିଥାଏ ଯେ, ଆମେ କିଛି ଅର୍ଡରକୁ ଫେରାଇ ଦେଇଥାଉ । ହେଲେ ବର୍ତ୍ତମାନ ପୂଜା ପାଇଁ ବଜାରର ରେଡିମେଟ୍‌ କାମ ଛଡା ଅନ୍ୟ କୌଣସି ଅର୍ଡର ଆସୁନାହିଁ । ଏହି ବର୍ଷ କେବଳ ଛୋଟ ମୂର୍ତ୍ତି ଆଦିର କାମର ଅର୍ଡର ଆସିଛି । ପୂର୍ବ ପରି ସେତେ ବଡ଼ ଧରଣର କାମ ଆଉ ମିଳୁନାହିଁ ।’ ।

ସଂସ୍କୃତି ଓ ଭାଇଚାରାର ସହର କଟକର ଦଶହରାରେ ମୁସଲମାନ ଭାଇଙ୍କ ହାତ, ମେଢରେ ନଲାଗିଲେ ସତେ ଯେପରି କାମ ଅଧା ଅଧା ଲାଗେ । କଟକରେ ଥିବା କାରିଗରମାନେ ପୀଢି ପୀଢି ଧରି ଏହି କାମ ଏଠାରେ କରି ଆସୁଛନ୍ତି । ବାଉଁଶ, କାଗଜ, ଜିଙ୍କ ଠାରୁ ଆରମ୍ଭ କରି ଅଠା ଜରି ଆଦିକୁ ବ୍ୟବହାର କରି ଅତି ସୂକ୍ଷ୍ମ ଓ ନିଖୁଣ କାରୁକାର୍ଯ୍ୟ କରିଥାନ୍ତି ।ଦୁର୍ଗା ପୂଜାର ଜରି ମେଢର ଏହି ନିଖୁଣ କାରିଗରି ହିଁ ଅନେକ ଶ୍ରଦ୍ଧାଳୁଙ୍କୁ ବହୁ ଦୂରରୁ କଟକକୁ ଟାଣି ଆଣିଥାଏ । ଏମାନେ କେବଳ କଟକ ନୁହେଁ, ବରଂ ରାଉରକେଲା ଓ ବ୍ରହ୍ମପୁର ଆଦି ଅନେକ ପୂଜା ମଣ୍ଡପରୁ ଜରି ମେଢ ପାଇଁ ଅର୍ଡର ନେଇ କାମ କରି ପ୍ରତିବର୍ଷ ମେଢ ଯୋଗାଇ ଆସୁଛନ୍ତି । ତେବେ ଆସନ୍ତା ବର୍ଷ କରୋନା ସ୍ଥିତି ସ୍ୱାଭାବିକ ହେଲେ ଏହି ଜରି ମେଢ କାରିଗରଙ୍କ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି ।