• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପୁଣି ଏକ ଅଭାବନୀୟ ଘଟଣା । ବୋର୍‌ୱେଲ ଭିତରେ ପଡ଼ିଲା ଶିଶୁ । ସମ୍ବଲପୁର ରେଙ୍ଗାଲି ନିକଟ ଲାରିପାଲିରେ ବୋର୍‌ୱେଲରେ ଶିଶୁଟି ପଡିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୩ଟି ଜେସିବି ସହାୟତାରେ ବୋରୱେଲକୁ ଲାଗି ସମାନ୍ତରାଳ ଭାବେ ଖୋଳା ଚାଲିଛି । ବୋରୱେଲରେ ପଡ଼ିଥିବା ଶିଶୁଟି ନବଜାତ ବୋଲି ସନ୍ଦେହ କରାଯାଉଛି। ଶିଶୁଟିକୁ କେହି ଆଣି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିବା ବେଳେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି । ସୂଚନା ଅନୁଯାୟୀ, ଆଜି ଅପରାହ୍ଣରେ ବୋରୱେଲ ଭିତୁର ଏକ କଅଁଳା ଶିଶୁର କୁଆଁ କୁଆଁ କାନ୍ଦ ଶୁଣି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ତା’ପରେ ଆରମ୍ଭ ହେଲା ରେସକ୍ୟୁ ଅପରେସନ । ପିଲାଟିକୁ ପାଇପ ସହାୟତାରେ ଅକ୍ସିଜେନ ଯୋଗାଇ ଦିଆଯାଉଛି ।

ଘଟଣାସ୍ଥଳରେ ପୋଲିସ, ଓଡ୍ରାଫ, ଅଗ୍ନିଶମ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି । ପିଲାଟି ପ୍ରାୟ ୧୫ ଫୁଟ ତଳେ ଥିବା ସୂଚନା ମିଳିଛି । ଏମତିକି ପିଲାଟିର ମୁଣ୍ଡ ତଳକୁ ରହିଛି । ଅନ୍ଧାର ହୋଇଯାଇଥିବାରୁ ଲାଇଟ୍ ବ୍ୟବସ୍ଥା କରାଯାଇଛି। ପିଲାଟି କିଭଳି ସୁରକ୍ଷିତ ଉଦ୍ଧାର ହେବ ସେଥିପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି ।

ନିକଟରେ ସୁବର୍ଣ୍ଣପୁର-ବୁର୍ଡା ରାସ୍ତାର କଇଁଫୁଲ ନିକଟ ଏକ ବୋରୱେଲରେ ଜଣେ ବୃଦ୍ଧା ପଡିଯାଇଥିଲେ । ପ୍ରାୟ ୨୦ ଫୁଟରେ ଗାତରେ ପଡ଼ିଥିଲେ ବୃଦ୍ଧା ଜଣକ । ଦୀର୍ଘ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ବି ବୃଦ୍ଧା ଜଣକ ପ୍ରାଣ ହରାଇଥିଲେ । ଅଗ୍ନିଶମ ବାହିନୀ ଦ୍ୱାରା ତାଙ୍କୁ ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳି ଉଦ୍ଧାର କରାଯାଇଥିଲା ।

  • Reported by:
  • SANJAY JENA