Advertisment

ରାଜେନ୍ଦ୍ର ରାଉଳ ଓ ସୃଷ୍ଟିଶ୍ରୀ ନାଏକଙ୍କୁ ଟାଇମ୍‌ପାସ୍‍ ବୁକର୍‌ ପୁରସ୍କାର

୨୦୨୦ ମସିହା ପାଇଁ ଘୋଷଣା ହୋଇଛି ‘ଟାଇମପାସ୍ ବୁକର୍‌ ପୁରସ୍କାର’। ଏନେଇ ଦୁଇ ସ୍ରଷ୍ଟାଙ୍କୁ ମନୋନୀତ କରାଯାଇଛି। ଏହା ସହିତ ‘ଟାଇମ୍‌ପାସ୍ ବେଷ୍ଟ୍‌ସେଲର୍‌ ପୁରସ୍କାର’ ଓ ‘ଟାଇମ୍‌ପାସ୍ ବହିବନ୍ଧୁ ସମ୍ମାନ’ ମଧ୍ୟ ଘୋଷଣା ହୋଇଛି। ଅଧିକ ଜାଣିବା ପାଇଁ ପଢନ୍ତୁ…

author-image
Pramod Behera
ଅଦ୍ୟତନ ହୋଇଛି
Time Pass Booker prize to Rajendra Raul and Shristishree Nayak

Time Pass Booker prize to Rajendra Raul and Shristishree Nayak

ଭୁବନେଶ୍ୱର : ଯୁବଲେଖକମାନଙ୍କୁ ଉତ୍ସାହିତ କରିବା ସକାଶେ ‘ଟାଇମପାସ୍‍ ପ୍ରକାଶନ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଉତ୍ସାହଜନକ ‘ଟାଇମ୍‌ପାସ୍‍ ବୁକର୍‌ ପୁରସ୍କାର’ ପାଇଁ ଦୁଇବର୍ଷର ବିଜେତାଙ୍କ ନାମ ଘୋଷିତ ହୋଇଛି । ୨୦୨୦ ମସିହା ପାଇଁ ରାଜେନ୍ଦ୍ର କୁମାର ରାଉଳଙ୍କ ଗଳ୍ପ ପାଣ୍ଡୁଲିପି ‘ଟେଲିଗ୍ରାମ୍‍’ ଓ ୨୦୨୧ ମସିହା ପାଇଁ ସୃଷ୍ଟିଶ୍ରୀ ନାଏକଙ୍କ ଗଳ୍ପ ପାଣ୍ଡୁଲିପି ‘ମତେ ଭୁଲିଯିବ ନାହିଁ’ ମନୋନୀତ ହୋଇଛି । ପାଣ୍ଡୁଲିପିଗୁଡ଼ିକୁ ପୁସ୍ତକ ଆକାରରେ ପ୍ରକାଶିତ କରାଯିବା ସହ ଲେଖକ ଦ୍ୱୟଙ୍କୁ ପୁରସ୍କାର ପ୍ରଦାନ କରାଯିବ ।

Advertisment

ଏଥିସହିତ ସର୍ବାଧିକ ବିକ୍ରିତ ପୁସ୍ତକକୁ ପ୍ରଦାନ କରାଯାଉଥିବା ‘ଟାଇମପାସ୍‍ ବେଷ୍ଟ୍‌ସେଲର୍‌ ପୁରସ୍କାର’ ପାଇଁ ଚଳିତ ବର୍ଷ ପଞ୍ଚାନନ ନାୟକଙ୍କ ‘ହୃଦୟ କିଛି କହିଲା’, ଚିତ୍ତରଞ୍ଜନ ନାୟକଙ୍କ ‘ଡାକୁଛ ବୋଲି ଜାଣେ’, ଶୁଭନାରାୟଣ ସ୍ୱାଇଁଙ୍କ ‘ବିଚିତ୍ର ବର୍ଣ୍ଣର ଆକାଶ’, ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ‘ଖଙ୍ଗାର’, ଲୋପାମୁଦ୍ରା ମିଶ୍ରଙ୍କ ‘ଗୋଲାପୀ ଜ୍ୟାକେଟ୍‍’ ଏବଂ ନିରୁପମା ବେହେରାଙ୍କ ‘ପାପୁଲିଏ ଜହ୍ନରାତି’ ପୁସ୍ତକ ଯୋଗ୍ୟ ବିବେଚିତ ହୋଇଛି ।

ବହି ସହ ଗଭୀର ସଂପୃକ୍ତି ପାଇଁ ପ୍ରଦାନ କରାଯାଉଥିବା ‘ଟାଇମପାସ୍‍ ବହିବନ୍ଧୁ ସମ୍ମାନ’ ଚଳିତ ବର୍ଷ ସାହିତ୍ୟ ସଂଗଠିକା, କବି ତଥା ପୁସ୍ତକପ୍ରେମୀ ମାନି ଦାଶଙ୍କୁ ପ୍ରଦାନ କରାଯାଉଛି ।

Advertisment

ପ୍ରତିଯୋଗିତା ଭିତ୍ତିରେ ନୂଆପିଢ଼ିର ୩୦ଜଣ ଲେଖକଙ୍କୁ ‘ଉଦୟରାଗ’ ସମ୍ମାନ ଓ ୬ଜଣ ଲେଖକଙ୍କୁ ‘ପ୍ରଥମା’ ପୁରସ୍କାର ମଧ୍ୟ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି ।

ଆଗାମୀ ଡିସେମ୍ବର ୧୯ ତାରିଖରେ ଟାଇମ୍‌ପାସ୍‌ ପକ୍ଷରୁ ଆୟୋଜିତ ‘ଉତ୍‍ସାହିତ୍ୟ’ ସାହିତ୍ୟ ଉତ୍ସବରେ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯିବ । ଦିବସବ୍ୟାପି ଏହି କାର୍ଯ୍ୟକ୍ରମକୁ ପ୍ରଖ୍ୟାତ ଔପନ୍ୟାସିକ ବିଭୂତି ପଟ୍ଟନାୟକ ଏକକ ଅତିଥି ଭାବେ ଉଦ୍‍ଘାଟନ କରିବାକୁ ଥିବାବେଳେ ଉଦ୍‍ଯାପନୀ ସଂଧ୍ୟାରେ ପ୍ରସିଦ୍ଧ ହିନ୍ଦୀ ଲେଖକ ଧ୍ରୂବ ଶୁକ୍ଳା, ସୁଖ୍ୟାତ କଥାକାର ଗୌରହରି ଦାସ, କବି ତଥା ଭାଷା-ସାହିତ୍ୟ-ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଂଜନ କୁମାର ଦାସ ଏବଂ ବିଖ୍ୟାତ ବ୍ୟଙ୍ଗକବି ଜ୍ଞାନ ହୋତା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ ସାହିତ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ମତଯୁଦ୍ଧ, କବିତା କ୍ୟାଟ୍‍ୱାକ୍‍, ଗୀତ-ସଙ୍ଗୀତର କକ୍‍ଟେଲ୍‍, ଚୁଇଁ ଚଳଚ୍ଚିତ୍ର ପର୍ଦ୍ଦାୟନ, ଲେଖକଙ୍କ ସହ ଗପସପ, ଛବି ଓ କବିତାର ଯୁଗଳବନ୍ଦୀ, ପୁସ୍ତକ ପ୍ରଦର୍ଶନୀ ଆଦି ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବଳ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି ।

Odisha News
Advertisment
Advertisment