Advertisment

Mahabharat Story: ମନ୍ତ୍ର ବଳରେ ଦେବତାଙ୍କୁ ପୃଥିବୀକୁ ଡାକି ପୁତ୍ର ଜନ୍ମ କରିଥିବା ଜଣେ ମାଆର କାହାଣୀ

ନିଜ ମା ଓ ବାପାଙ୍କୁ ଦେଖି ସମଗ୍ର ସଂସାର ପାଇଁ କୋଉ ନିୟମ ପ୍ରଣୟନ କଲା ଜଣେ ପୁଅ ଓ କେମିତି ଆରମ୍ଭ ହେଲା ପରିବାର ? ମନ୍ତ୍ର ବଳରେ କେମିତି ଦେବତାମାନଙ୍କୁ ପୃଥିବୀକୁ ଡାକିଆଣିଲେ ଜଣେ ନାରୀ ଓ ଆହୁରି ଅନେକ ଚମତ୍କାର କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

author-image
Ramakanta Samantaray
ଅଦ୍ୟତନ ହୋଇଛି
Mahabharat Story In Odia: a mother who gave birth to son by mantra

The story of a mother who gave birth to son by mantra

ଋଷିଙ୍କ ଠାରୁ ଅଭିଶାପ ପାଇଲା ପରେ ପଣ୍ଡୁଙ୍କୁ ରାଜ ପଦ, ସିଂହାସନ, ସଂସାର ଓ ପରିବାର ସବୁକିଛି ଅସାର ମନେ ହେଲା। ସେ ଭାବିଲେ ଆଉ ହସ୍ତିନାପୁରକୁ ଫେରିବେନି । ଅଭିଶପ୍ତ ଜୀବନରେ ଆଉ ରାଜା ହେବାରେ କି ଅର୍ଥ ଅଛି । ବରଂ ସେଇ ଜଙ୍ଗଲରେ ରହୁଥିବା ଅନ୍ୟ ତପସ୍ୱୀମାନଙ୍କ ସହ ରହିଯିବା ହିଁ ତାଙ୍କ ପାଇଁ ଠିକ୍ ହେବ। ଏଣିକି ଯେତିକି ଦିନ ବଞ୍ଚିରହିବେ, ସେତିକି ଦିନ ଜପ ତପ କରି ସମୟ ଅତିବାହିତ କରିବେ । ଧର୍ମର ପଥ ଅନୁସରଣ କରି ପଥ ଚାଲିବେ । ତାପରେ ପଣ୍ଡୁ ତାଙ୍କର ସମସ୍ତ ରାଜକୀୟ ବେଶ ପୋଷାକ ଓ ଅସ୍ତ୍ର ଶସ୍ତ୍ର ପରିତ୍ୟାଗ କରି ଜଣେ ସନ୍ୟାସୀ ପରି ଗଛ ତଳେ ରହିବାକୁ ଆରମ୍ଭ କଲେ ।

Advertisment

ଅଧିକ ପଢ଼ନ୍ତୁ: ଦୁଇ ବିଧବା ବୋହୂଙ୍କ ପୁତ୍ର ପ୍ରାପ୍ତି ଓ ଜଣେ ଅନ୍ଧ ରାଜପୁତ୍ରଙ୍କ ଜନ୍ମ ବୃତ୍ତାନ୍ତ

ପଣ୍ଡୁଙ୍କର ରାଜଗାଦି ଛାଡି ଜଙ୍ଗଲରେ ବାସ କରିବାର ଖବର ହସ୍ତିନାପୁରର ରାଜନଅରରେ ପହଞ୍ଚିବାକୁ ବିଳମ୍ବ ହେଲାନି । ଅନ୍ୟମାନେ କିଛି କହିବା ଆଗରୁ ପଣ୍ଡୁଙ୍କର ଦୁଇ ରାଣୀ କୁନ୍ତୀ ଓ ମାଦ୍ରୀ ନିଷ୍ପତ୍ତି ନେଲେ ସ୍ୱାମୀ ଯଦି ତାଙ୍କର ସନ୍ୟାସୀ ହୋଇ ଜଙ୍ଗଲରେ ରହିବେ ସେମାନେ କାହିଁକି ରାଜନଅରରେ ରହିବେ । ସେମାନେ କାଳ ବିଳମ୍ବ ନକରି ସିଧା ପଣ୍ଡୁଙ୍କ ପାଖରେ ପହଞ୍ଚିଲେ। ଋଷିଙ୍କ ଅଭିଶାପ ପରେ ପଣ୍ଡୁ ଆଦୌ ଚାହୁଁ ନଥିଲେ ତାଙ୍କ ପାଖରେ ତାଙ୍କର ଦୁଇ ରାଣୀ ରୁହନ୍ତୁ । ସେ ଅନେକ ବୁଝାଶୁଝା କଲାପରେ ବି କୁନ୍ତୀ ଓ ମାଦ୍ରୀଙ୍କର ଜିଦ୍ ଯେ, ସେମାନଙ୍କ ସ୍ୱାମୀ ଯେମିତି ଅବସ୍ଥାରେ ଯୋଉଠି ବି ରହିବେ, ସେମାନେ ସେଇ ଅବସ୍ଥାରେ ସେମିତି ସେଇଠି ରହିବେ । ପତ୍ନୀର ଧର୍ମ ପାଳନ କରିବେ। ସ୍ୱାମୀର ଭାଗ୍ୟ ସହ ପତ୍ନୀର ଭାଗ୍ୟ ଯୋଡି ହୋଇ ରହିଛି । ତାହା ହିଁ ଧର୍ମ । ତାପରେ ସେମାନେ ମଧ୍ୟ ସେମାନଙ୍କର ସମସ୍ତ ରାଜକୀୟ ଆଭୂଷଣ ଦାନରେ ବାଣ୍ଟି ଦେଇ ପଣ୍ଡୁଙ୍କ ପରି ଅତ୍ୟନ୍ତ ସାଧାରଣ ଜୀବନ ବଞ୍ଚିବାକୁ ଆରମ୍ଭ କଲେ ।

Advertisment

ପଣ୍ଡୁ ରାଜପଦ ଛାଡି ଜଙ୍ଗଲକୁ ଚାଲିଗଲା ପରେ ହସ୍ତିନାପୁରର ରାଜଗାଦୀ ଶୂନ୍ୟ ପଡିଲା । ଏବେ କାହାକୁ ତ ଜଣକୁ ରାଜଗାଦିରେ ବସିବାକୁ ହେବ । ଭୀଷ୍ମ ତ ଅନେକ ଆଗରୁ ମନା କରିସାରିଥିଲେ । ରାଜା ହେବାର ସମସ୍ତ ଗୁଣ ଥାଇ ବି ବିଦୁର ଦାସୀ ପୁତ୍ର ବୋଲି ରାଜା ହେଇ ପାରିବେନି । ତେଣୁ ଅନ୍ଧ ଧୃତରାଷ୍ଟ୍ର ରାଜଗାଦିରେ ବସିଲେ। ଆଖିରେ ଅନ୍ଧପୁଟୁଳୀ ବାନ୍ଧିଥିବା ଗାନ୍ଧାରୀ ମହାରାଣୀ ହେଲେ । ସେତେବେଳକୁ ଗାନ୍ଧାରୀ ଗର୍ଭବତୀ ଥାଆନ୍ତି । କିନ୍ତୁ ଅନେକ ମାସ ପର୍ଯ୍ୟନ୍ତ ଗର୍ଭଧାରଣ କଲା ପରେ ବି ତାଙ୍କର କୌଣସି ସନ୍ତାନ ଜନ୍ମ ହେଉନଥାଏ ।

The story of a mother who gave birth to son by mantra ମନ୍ତ୍ର ବଳରେ ପୁତ୍ର ଜନ୍ମ କରିଥିବା ଜଣେ ମାଆର କାହାଣୀ

ସେପଟେ ଦୁଇ ପତ୍ନୀଙ୍କୁ ଧରି ପଣ୍ଡୁ ଜଙ୍ଗଲରେ ରହୁଥା'ନ୍ତି । ତିନିହେଁ ଅନେକ ଅରଣ୍ୟ ଓ ପର୍ବତମାଳା ଅତିକ୍ରମ କରି ଉତ୍ତର ଦିଗରେ ଥିବା ହିମାଳୟ ଦିଗରେ ଅଗ୍ରସର ହେଉଥା'ନ୍ତି । ପଣ୍ଡୁଙ୍କର ଶତଶୃଙ୍ଗ ଅତିକ୍ରମ କରି ସ୍ୱର୍ଗ ରାଜ୍ୟକୁ ଯିବାର ଇଚ୍ଛା ଥାଏ । ସେତିକିବେଳେ ବାଟରେ କିଛି ଋଷିଙ୍କ ସହ ପଣ୍ଡୁଙ୍କର ଭେଟ ହେଲା । ସେପଟେ କଣ" ସବୁ ଅଛି ବୋଲି ପଣ୍ଡୁ ପଚାରିଲାରୁ ଋଷିମାନେ କହିଲେ ଯେ, ସେମାନେ ପର୍ବତ ଆରୋହଣ କଲାପରେ ଅନେକ ଦୁର୍ଗମ ସ୍ଥାନ ସହ ଦେବତା, ଗନ୍ଧର୍ବ ଓ ଅପ୍ସରାମାନଙ୍କ କ୍ରୀଡା ଭୂମି ସହ କୁବେରଙ୍କ ଉଦ୍ୟାନ ଦେଖିଛନ୍ତି । ସେଠାରେ ଅନେକ ବଡ ବଡ ପୂଣ୍ଣ୍ୟତୋୟା ନଦୀମାନଙ୍କ ଉତ୍ପତ୍ତି ସ୍ଥଳ, ଗୁମ୍ଫା ଓ ବରଫରେ ଆଚ୍ଛାଦିତ ଅଞ୍ଚଳ ରହିଛି । ଜନ ମାନବ କଥା ଛାଡ, ସେଠି ଗଛ-ବୃକ୍ଷ, ପଶୁ-ପକ୍ଷୀ କେହି ବି ନାହାଁନ୍ତି । ସେଠାକୁ କେବଳ ପବନ ଓ ସିଦ୍ଧି ପାଇଥିବା ଋଷିମାନେ ହିଁ ଯାଇପାରିବେ । ତେଣୁ ଆପଣ ଏ ସୁକୁମାରୀ ରାଜକୁମାରୀମାନଙ୍କୁ ନେଇ ସେପଟେ ନଯାଇ ବରଂ ଫେରିଯାଆନ୍ତୁ ।

ଅଧିକ ପଢ଼ନ୍ତୁ: ଆଖି ଥାଇ ଜାଣି ଜାଣି ଅନ୍ଧ ହୋଇଥିବା ଜଣେ ରାଣୀ ଓ ମୃଗ ମାରି ଅଭିଶାପ ପାଇଥିବା ଜଣେ ରାଜାଙ୍କ କାହାଣୀ

ଋଷିମାନଙ୍କ କଥା ଶୁଣି ପଣ୍ଡୁ କହିଲେ, ହେ ମହାତ୍ମା ତପସ୍ୱୀଗଣ ମୋର କୌଣସି ପୁତ୍ର ନାହିଁ । ମୁଁ ଜାଣିଛି ବିନା ପୁତ୍ରରେ ଜଣେ ସ୍ୱର୍ଗକୁ ଯାଇପାରିବନି । ସେତକ ମୋର ଦୁଃଖ । ମଣିଷକୁ ତା'ର ପିତୃପୁରୁଷ, ଦେବତା, ଋଷି ଓ ମନୁଷ୍ୟମାନଙ୍କ ପ୍ରତି ଋଣ ପରିଶୋଧ କରିବାକୁ ହୁଏ । ଯଜ୍ଞ ଦ୍ୱାରା ଦେବତାମାନଙ୍କୁ, ଅଧ୍ୟୟନ ଓ ତପସ୍ୟା ଦ୍ୱାରା ଋଷି-ମୁନି ମାନଙ୍କୁ, ଶ୍ରାଦ୍ଧ ଓ ସନ୍ତାନ ଦ୍ୱାରା ପୂର୍ବପୁରୁଷଙ୍କୁ ଏବଂ ଦୟା ଦ୍ୱାରା ମନୁଷ୍ୟକୁ ସନ୍ତୁଷ୍ଟ କରାଯାଇପାରିବ । ମୁଁ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରି ମୋର ଋଣ ପରିଶୋଧ କରିସାରିଛି, କିନ୍ତୁ ସନ୍ତାନ ନଥିବାରୁ ପିତୃପୁରୁଷଙ୍କ ଋଣ ପରିଶୋଧ କରିପାରିନି । ମୁଁ ନିଜେ ବଂଶର ଆବଶ୍ୟକତା ଥିଲା ବୋଲି, ଦିନେ ଯେମିତି ନିୟୋଗ ପ୍ରଥାରେ ଜନ୍ମ ହେଇଥିଲି ସେଇ ରାସ୍ତାରେ ଏବେ ନିଜ ପାଇଁ ପୁତ୍ର ଜନ୍ମ କରିପାରିବି? ହେ ଧର୍ମାତ୍ମାମାନେ, ଆପଣମାନେ ଆମକୁ ଏଥିରେ ସହଯୋଗ କରିବେ କି?

ତପସ୍ୱୀମାନେ ପଣ୍ଡୁଙ୍କ କଥାରେ ରାଜି ହେଲେ । ପଣ୍ଡୁ ତାପରେ କୁନ୍ତୀଙ୍କୁ କହିଲେ, ସେ ଯେହେତୁ ଅଭିଶାପ ପାଇଁ ବାପା ହିସାବରେ ସନ୍ତାନ ଜନ୍ମ ପାଇଁ ଅସମର୍ଥ, ତେଣୁ ତାଙ୍କ ଠାରୁ ଜଣେ ଶ୍ରେଷ୍ଠ ପୁରୁଷଙ୍କ ସହ କୁନ୍ତୀ ମିଳିତ ହୋଇ ସନ୍ତାନ ଜନ୍ମ କରିପାରିବେ । ପଣ୍ଡୁଙ୍କର ଏମିତି ପ୍ରସ୍ଥାବରେ କୁନ୍ତୀ ରାଜି ହେଲେନି । କୁନ୍ତୀ କହିଲେ ସେ ପର ପୁରୁଷଙ୍କ ସହ କେମିତି ସମ୍ପର୍କ ରଖିବେ ? ତାହା କ"ଣ ଧର୍ମ ସମ୍ମତ ହେବ କି?

କୁନ୍ତୀଙ୍କୁ ବୁଝାଇବାକୁ ପଣ୍ଡୁ ଅତୀତରୁ ଆଣି କାହାଣୀଟେ କହିଲେ;
ପୁରୁଣା କାଳରେ  ଉଦ୍ଦାଳକ ନାମରେ ଜଣେ ଋଷି ଥିଲେ । ତାଙ୍କ ପୁଅଙ୍କର ନାମ ଶ୍ୱେତକେତୁ । ଶ୍ୱେତକେତ ଗୁରୁକୂଳରେ ଅନେକ ବିଦ୍ୟା ଅଧ୍ୟୟନ କରିସାରି ଘରକୁ ଫେରିଥାନ୍ତି । ଶ୍ୱେତକେତୁ ଆସି ଦେଖିଲେ ତାଙ୍କ ମାଆ ଅନ୍ୟ ତପସ୍ୱୀଙ୍କ ସହ ସମ୍ପର୍କରେ ଅଛନ୍ତି । ଦିନେ ତାଙ୍କ ବାପାଙ୍କ ଉପସ୍ଥିତିରେ ଅନ୍ୟ ଜଣେ ତପସ୍ୱୀ ତାଙ୍କ ମାଆଙ୍କୁ ଡାକିନେଲେ । ମାଆ ଓ ଅନ୍ୟ ତପସ୍ୱୀଙ୍କ ବ୍ୟବହାରରେ କ୍ଷୁବ୍ଧ ଶ୍ୱେତକେତୁ ଅତ୍ୟନ୍ତ କ୍ରୋଧ ପ୍ରକାଶ କରିବାରୁ ଋଷି ଉଦ୍ଦାଳକ କହିଲେ, ପୁଅ ଏଥିରେ କ୍ରୋଧିତ ହେବାର କିଛି ନାହିଁ । ନାରୀମାନେ ସେମାନଙ୍କ ଇଚ୍ଛାରେ ଯେ କୌଣସି ପୁରୁଷଙ୍କ ସହ ସମ୍ପର୍କ ରଖିପାରିବେ । ତାହା ହିଁ ନୀୟମ । ତାହାହିଁ ଧର୍ମ । ତେଣୁ ତୋ ମାଆ ଆଉ କାହା ସହ ଯିବା ନେଇ ମୁଁ  କିଛି ବି କହିପାରିବିନି ।

ଶ୍ୱେତକେତୁଙ୍କୁ କିନ୍ତୁ ଏପରି ନିୟମ ପସନ୍ଦ ଆସିଲାନି । ତେଣୁ ସେଦିନ ସେ ଅନ୍ୟ ଏକ ନିୟମ ପ୍ରଣୟନ କଲେ । ନୂଆ ନିୟମ ଅନୁସାରେ ଜଣେ ନାରୀ ତା'ର ସ୍ୱାମୀକୁ ଛାଡି ଅନ୍ୟ ପୁରୁଷ ସହ ସମ୍ପର୍କ ରଖିବାକୁ ଆଜି ଠାରୁ ପାପ ଭାବରେ ଗଣାଯିବ । ସେମିତି କୌଣସି କୁମାରୀ କନ୍ୟା ଅବା କୌଣସି ପତିବ୍ରତା ନାରୀକୁ ପ୍ରଣୟ ଭିକ୍ଷା କରିବା ବି ପୁରୁଷଙ୍କ ପାଇଁ ପାପ ଭାବରେ ଗଣା ଯିବ । ତା' ପରଠାରୁ ପଶୁମାନଙ୍କୁ ଛାଡିଦେଲେ ମଣିଷ ସମାଜରେ ବିବାହ ଏକ ପବିତ୍ର ଅନୁଷ୍ଠାନ ଭାବରେ ଗଣା ଗଲା । ନୀୟମ ହେଲା ବିବାହ ପରେ ନାରୀ ତା' ସ୍ୱାମୀ ପ୍ରତି ବିଶ୍ୱସ୍ଥ ରହିବ ଓ କେବଳ ସ୍ୱାମୀ ପାଖରୁ ସନ୍ତାନ ଉତ୍ପନ୍ନ କରିବ । ଫଳରେ ସମସ୍ତେ ଜନ୍ମ ପରେ ସେମାନଙ୍କର ପ୍ରକୃତ ବାପା କିଏ ଜାଣିପାରିବେ । ଯଦି କୌଣସି କାରଣରୁ ସ୍ୱାମୀଙ୍କ ଦ୍ୱାରା ସନ୍ତାନ ଜନ୍ମ ସମ୍ଭବ ହେଇପାରୁନି, ତେବେ ସ୍ୱାମୀଙ୍କ ଦ୍ୱାରା ନିର୍ବାଚିତ ପୁରୁଷ ସହ ସ୍ତ୍ରୀ ସମ୍ପର୍କ ରଖି ସନ୍ତାନ ସମ୍ଭବା ହେବ । ସେଇଦିନରୁ ଶ୍ୱେତକେତୁଙ୍କ ସେଇ ନିୟମ ପରେ ଆଜିର ପରିବାର ବୋଲି ଅନୁଷ୍ଠାନର ଆରମ୍ଭ ହେଲା ।

The story of a mother who gave birth to son by mantra ମନ୍ତ୍ର ବଳରେ ପୁତ୍ର ଜନ୍ମ କରିଥିବା ଜଣେ ମାଆର କାହାଣୀ

ତାପରେ ପଣ୍ଡୁ କୁନ୍ତୀଙ୍କୁ ଆହୁରି ଅଧିକ ପ୍ରାଞ୍ଜଳ ଭାବରେ ବୁଝାଇବାକୁ ନିଜ ଜନ୍ମ କଥା ବି କହିଲେ । କେମିତି ତାଙ୍କ ବାପାଙ୍କ ମୃତ୍ୟୁ ପରେ ବ୍ୟାସ ଦେବଙ୍କ ଦ୍ୱାରା ମାଆ ତାଙ୍କର ଗର୍ଭବତୀ ହୋଇଥିଲେ ଓ ସେ ନିଜେ ଜନ୍ମ ହେଇଥିଲେ । ବ୍ୟାସ ତାଙ୍କର ଅସଲ ବାପା ହେଲେ ମଧ୍ୟ ସଂସାରରେ ସେ ବିଚିତ୍ରବୀର୍ଯ୍ୟଙ୍କ ପୁଅ ଭାବରେ ପରିଚିତ । ଯେମିତି ବୁଧଙ୍କର ଅସଲ ବାପା ଚନ୍ଦ୍ର କିନ୍ତୁ ତାଙ୍କୁ ଦେବଗୁରୁ ବୃହଷ୍ପତ୍ତିଙ୍କ ପୁଅ ଭାବରେ ସମସ୍ତେ ଜାଣନ୍ତି ।

ତାପରେ କୁନ୍ତିଙ୍କୁ ଅନୁରୋଧ କରି ପଣ୍ଡୁ କହିଲେ ସେ ଯେହେତୁ  ଅଭିଶାପ ପାଇଁ ପୁତ୍ର ଜନ୍ମ କରିବାକୁ ଆଜି ଅସମର୍ଥ, ତେଣୁ କୁନ୍ତୀ ଅନ୍ୟ ପୁରୁଷ ସହାୟତରେ ପୁତ୍ର ଜନ୍ମ କରି କୁରୁ ବଂଶକୁ ଆଗକୁ ନେବା ଉଚିତ । ଯେଉଁ ତପସ୍ୱୀଙ୍କ ପାଖରୁ ପୁତ୍ର ଜନ୍ମ କରାଇଲେ ବି ସେମାନେ ପଣ୍ଡୁ ପୁତ୍ର ଭାବରେ ସଂସାରରେ ପରିଚିତ ହେବେ ।

ପଣ୍ଡୁଙ୍କର କଥା ଶୁଣି କୁନ୍ତି କହିଲେ, ସେ ଯେବେ କୁମାରୀ ଥିଲେ ସେତେବେଳେ ତାଙ୍କ ସେବାରେ ସନ୍ତୁଷ୍ଟ ହେଇ ବ୍ରହ୍ମର୍ଷି ଦୁର୍ବାସା ତାଙ୍କୁ ଏକ ମନ୍ତ୍ର ବର ଭାବରେ ଦେଇଥିଲେ । ସେତେବେଳେ ସେ ଜାଣି ନଥିଲେ ସେ ବର ଦିନେ ତାଙ୍କର କାମରେ ଆସିବ । ବରଟି ହେଲା ସେ ଯେବେ ବି ଚାହିଁବେ ସେବେ ଯେକୌଣସି ଦେବତାଙ୍କୁ ମନ୍ତ୍ର ବଳରେ ଡାକି ତାଙ୍କ ଦ୍ୱାରା ଗର୍ଭବତୀ ହୋଇପାରିବେ । ତାପରେ କୁନ୍ତୀ କହିଲେ, ଯଦି ଦେବତାଙ୍କୁ ସେ ସହଜରେ ଡାକି ପାରିବେ ତେବେ କୌଣସି ତପସ୍ୱୀକୁ କାହିଁକି ଡାକିବା? ସେଇ ମନ୍ତ୍ର ବଳରେ ଆମେ ଏବେ ପୁତ୍ର ସନ୍ତାନ ପ୍ରାପ୍ତ କରିପାରିବା । ଆପଣ କେବଳ କେଉଁ ଦେବତାଙ୍କୁ ସ୍ମରଣ କରିବାକୁ ହେବ କୁହନ୍ତୁ। ସମାନ୍ୟ ଚିନ୍ତା କରି ପଣ୍ଡୁ କହିଲେ ଧର୍ମରାଜ ଯମଙ୍କୁ ତେବେ ଡାକ । ସେ ରାଜାମାନଙ୍କ ଭିତରେ ଶ୍ରେଷ୍ଠ । ବିଚାରବନ୍ତ ଓ ଧର୍ମରକ୍ଷକ । ତାପରେ କୁନ୍ତୀ ମନ୍ତ୍ର ଉଚ୍ଚାରଣ କରି ଯମରାଜଙ୍କୁ ସ୍ମରଣ କରିବାରୁ ଯମରାଜ କୁନ୍ତୀଙ୍କ ପାଖରେ ଆର୍ବିଭାବ ହେଲେ । ଦୁହିଁଙ୍କ ମିଳନ ପରେ କୁନ୍ତୀ ଗର୍ଭବତୀ ହେଲେ ଓ ପୂର୍ଣ୍ଣମୀ ତିଥିରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ । ପଣ୍ଡୁ ଓ କୁନ୍ତିଙ୍କ ପ୍ରଥମ ପୁଅର ନାମ ଯୁଧିଷ୍ଠିର ରଖାଗଲା ।

ପଣ୍ଡୁ କହିଲେ କ୍ଷତ୍ରୀୟମାନଙ୍କର ସବୁଠାରୁ ବଡ କଥା ହେଲା ସେମାନଙ୍କର ଶକ୍ତି । ଆମର ଏବେ ଏକ ଅମିତ ବଳଶାଳୀ ଶକ୍ତିଶାଳୀ ପୁଅଟିଏ ବି ଦରକାର ।  ତେଣୁ ହେ କୁନ୍ତୀ, ତୁମେ ଶକ୍ତିଶାଳୀ ପବନ ଦେବଙ୍କୁ ସ୍ମରଣ କର । କୁନ୍ତୀ ତାପରେ ପବନ ଦେବଙ୍କୁ ସ୍ମରଣ କଲେ ଓ ପରାକ୍ରମୀ ଭୀମଙ୍କର ଜନ୍ମ ହେଲା । ଯେଉଁ ଦିନ ଭୀମଙ୍କର ଜନ୍ମ ହେଲା ଠିକା ସେଇଦିନ ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ବଡ଼ପୁଅ ଦୁର୍ଯ୍ୟୋଧନଙ୍କର ବି ଜନ୍ମ ହୋଇଥିଲା ।

ଭୀମଙ୍କର ଜନ୍ମ ପରେ ପଣ୍ଡୁ ଭାବିଲେ ଏବେ ତାଙ୍କର ତିନି ଲୋକର ଶେଷ୍ଠ ପୁଅଟିଏ ଦରକାର । ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ହେଲେ ଇନ୍ଦ୍ର । ଦେବତାମାନଙ୍କର ରାଜା  । ଅପାର ବଳ, ତେଜ, ପୁରୁଷାର୍ଥ ଓ ପରାକ୍ରମ ତାଙ୍କର । ତାଙ୍କୁ ଡାକି ତାଙ୍କ ପରି ପୁଅଟିଏ ପ୍ରାପ୍ତ କରାଯାଇପାରେ  । କୁନ୍ତୀ ତାପରେ ଦେବରାଜ ଇନ୍ଦ୍ରଙ୍କୁ ସ୍ମରଣ କରି ଏକ ପାଦରେ ଛିଡା ହେଇ ପ୍ରଗାଢ ତପସ୍ୟା କରିବାକୁ ଆରମ୍ଭ କଲେ । ନିଷ୍ଠା ପୂର୍ବକ ଧ୍ୟାନ ଧାରଣା ଜପ ତପ କରିବାକୁ ଆରମ୍ଭ କଲେ । କୁନ୍ତୀଙ୍କର ପୁରା ଗୋଟେ ବର୍ଷର ତପସ୍ୟା ପରେ ଇନ୍ଦ୍ରଦେବ ସନ୍ତୁଷ୍ଠ ହୋଇ ଉଭା ହେଲେ ଓ ବୀର ଅର୍ଜୁନଙ୍କର ଜନ୍ମ ହେଲା । କୁନ୍ତୀଙ୍କର ଅନ୍ୟ ନାମ ପୃଥା ଅନୁସାରେ ତାଙ୍କୁ ପାର୍ଥ ନାମରେ ବି ଜଣାଯାଏ ।

ଏକେ ଆରକ ବଳିଆର ପୁତ୍ର ପ୍ରାପ୍ତି ପରେ ପଣ୍ଡୁଙ୍କର ଲୋଭ ବଢିଯାଇଥାଏ । ସେ କୁନ୍ତିଙ୍କୁ ଆଉ ଏକ ପୁତ୍ର କାମନା କରିବାକୁ ଅନୁରୋଧ କଲେ । କିନ୍ତୁ କୁନ୍ତି କହିଲେ ନା ଆଉ ନୁହେଁ । ଚାରିଜଣ ପୁରୁଷ ପରେ ପଞ୍ଚମ ପୁରୁଷ ସହ ସମ୍ପର୍କ ରଖିଲେ ଧର୍ମ ଆଖିରେ ସେ ଚରିତ୍ରହୀନା ହେବେ । କୁନ୍ତୀ ଧର୍ମଦେବ, ପବନ ଦେବ, ଇନ୍ଦ୍ରଦେବଙ୍କ ସହ ବିବାହ ପୂର୍ବରୁ ସମ୍ପର୍କ ରଖିଥିବା ସୂର୍ଯ୍ୟ ଦେବଙ୍କୁ ମିଶାଇ ଚାରିଜଣ ପୁରଷଙ୍କ କଥା କହିଥିଲେ । କିନ୍ତୁ ପଣ୍ଡୁ ନିଜକୁ ମିଶାଇ ଚାରି ଜଣ ବୋଲି ହିସାବ କଲେ । କାରଣ ସୂର୍ଯ୍ୟଦେବଙ୍କ କଥା ସେ ଜାଣିନଥିଲେ ।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଅଧିକ ପଢ଼ନ୍ତୁ: ବଂଶରକ୍ଷା ପାଇଁ ଦୁଇ ବିଧବା ବୋହୂଙ୍କ ପାଖକୁ ପର ପୁରୁଷଙ୍କୁ ଡାକି ଆଣିଥିବା ଜଣେ ଶାଶୁର କାହାଣୀ

Mahabharata Special Story Mahabharat Story
Advertisment
Advertisment