Advertisment

Mahabharat Story: ଦୁଇ ବିଧବା ବୋହୂଙ୍କ ପୁତ୍ର ପ୍ରାପ୍ତି ଓ ଜଣେ ଅନ୍ଧ ରାଜପୁତ୍ରଙ୍କ ଜନ୍ମ ବୃତ୍ତାନ୍ତ

ସ୍ୱାମୀଙ୍କ ଅକାଳ ମୃତ୍ୟୁ ପରେ ବି କେମିତି ପୁଣି ମାଆ ହେଲେ ଦୁଇ ରାଣୀ? କାହିଁକି ରାତିରେ ଅନ୍ୟ ପୁରୁଷକୁ ବୋହୂଙ୍କ ପାଖକୁ ପଠେଇଲେ ଶାଶୂ? କ'ଣ ପାଇଁ ଅନ୍ଧ ହୋଇ ଜନ୍ମ ନେଲେ ଜଣେ ରାଜପୁତ୍ର? ଏଇ ସବୁ ପ୍ରଶ୍ନର ଉତ୍ତର ସହ ମହାଭାରତର ଆହୁରି ଅନେକ ରୋଚକ ଘଟଣା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

author-image
Ramakanta Samantaray
ଅଦ୍ୟତନ ହୋଇଛି
The story of two widowed daughters-in-law gave birth

The story of two widowed daughters-in-law gave birth

ସତ୍ୟବତୀଙ୍କ ସ୍ମରଣ ପରେ ହସ୍ତିନାପୁରରେ ପହଞ୍ଚିଲେ ବ୍ୟାସଦେବ କୃଷ୍ଣ ଦୈପାୟନ । ସତ୍ୟବତୀ ଅନେକ ବର୍ଷ ପରେ ପୁଅ କୃଷ୍ଣ ଦୈପାୟନଙ୍କୁ ଦେଖୁଥିଲେ । ସେଇ ସାନ ଥିବାବେଳେ ଯାହା ଦେଖିଥିଲେ । ଏହା ଭିତରେ କାହିଁରେ କେତେ ବର୍ଷ ବିତିଗଲାଣି । କାହିଁରେ କେତେ ଘଟଣା ଘଟିଗଲାଣି । ଏହା ଭିତରେ ତାଙ୍କର ବିବାହ ହେଇଛି, ସ୍ୱାମୀ ଶାନ୍ତନୁ ଦୁଇଟି ସାନ ସାନ ପିଲାଙ୍କୁ ତାଙ୍କ ହାତରେ ଟେକିଦେଇ ସ୍ୱର୍ଗାରୋହଣ କରିଛନ୍ତି। ପିଲା ଦୁଇଟି ବି ହୋଇ ଅଧା ବୟସରୁ ତାଙ୍କୁ ଏକା ଛାଡି ଚାଲିଗଲେଣି । ଘରେ ଯୁବା ବୟସରେ ବୈଧବ୍ୟ ଭୋଗୁଥିବା ଦୁଇ ବୋହୂ । ଏବେ ବଂଶ ରକ୍ଷା କଥା । କୁରୁ ବଂଶର ଭବିଷ୍ୟତ ନେଇ ସତ୍ୟବତୀଙ୍କ ମନରେ କାହିଁରେ କେତେ ଶଙ୍କା ଓ ଆଶଙ୍କା।

Advertisment

ବ୍ୟାସଦେବ ପହଞ୍ଚିଲା ପରେ ସତ୍ୟବତୀ ସବୁକିଛି ଖୋଲି କହିଲେ ତାଙ୍କ ଆଗରେ । ବ୍ୟାସ ସବୁ ଶୁଣି ସତ୍ୟବତୀଙ୍କୁ କହିଲେ ସେ ସବୁକଥା ବୁଝୁଛନ୍ତି, କିନ୍ତୁ ତାଙ୍କ ପାଖରୁ ମାଆ କଣ ଚାହାଁନ୍ତି? କେମିତି ସେ ତାଙ୍କୁ ସାହାଯ୍ୟ କରିପାରିବେ?

ସତ୍ୟବତୀ କହିଲେ ବାପ, ତୁ ହେଲୁ ମୋର ବଡ ପୁଅ । ଚିତ୍ରାଙ୍ଗଦ ଆଉ ବିଚିତ୍ରବୀର୍ଯ୍ୟ ତୋର ସାନ ଭାଇ । ତମମାନଙ୍କ ବାପା ସିନା ଅଲଗା ଅଲଗା କିନ୍ତୁ ମାଆ ତ ଜଣେ । ମୁଁ ହିଁ ତମ ତିନିଜଣଙ୍କୁ ଜନ୍ମ ଦେଇଛି । ଏବେ ତୋ ସାନ ଭାଇ ବିଚିତ୍ରବୀର୍ଯ୍ୟ ଦୁଇଜଣ ସୁନ୍ଦରୀ ରାଣୀଙ୍କୁ ବିଧବା କରି ସ୍ୱର୍ଗବାସ କଲା । କୁରୁ ବଂଶ ପାଇଁ ବି କୌଣସି ଉତ୍ତରାଧିକାରୀ ଛାଡି ଗଲାନି । ଭୀଷ୍ମ ତ ବିବାହ କରିବନି ବୋଲି ଶପଥ କରିଛି । ଏବେ କୁରୁ ବଂଶକୁ ବଞ୍ଚେଇ ରଖିବାର ଦାୟିତ୍ୱ କେବଳ ତୋ ଉପରେ । ତେଣୁ ମୁଁ ଚାହେଁ ବିଚିତ୍ରବୀର୍ଯ୍ୟର ଦୁଇ ବିଧବା ପତ୍ନୀ ତୋ ଔରସରୁ ପୁତ୍ର ସନ୍ତାନ ଜନ୍ମ କରନ୍ତୁ ଓ କୁରୁ ବଂଶ ଧରାପୃଷ୍ଠରେ ବଞ୍ଚି ରହୁ, ଆଗକୁ ବଢୁ।

Advertisment

ସତ୍ୟବତୀଙ୍କ କଥା ଶୁଣି ବ୍ୟାସ କହିଲେ ଠିକ୍ ଅଛି । ଆପଣଙ୍କ ଆଦେଶ ମୁଁ ନିଶ୍ଚୟ ପାଳନ କରିବି ।

ତାପରେ ସତ୍ୟବତୀ କାଶୀ ନନ୍ଦିନୀ ଅମ୍ବିକାଙ୍କ ପାଖକୁ ଗଲେ ଓ କହିଲେ ଆଜି ରାତିରେ ଶୀଘ୍ର ଶୋଇ ପଡିବୁନି । ତୋ ଦେଢଶୁର ତୋ ପାଖକୁ ଏକା ଆସିବ ତୁ ଅପେକ୍ଷା କରିଥିବୁ । ତାକୁ ସହଯୋଗ କରିବୁ । ଆମକୁ ଆମ ବଂଶ ଓ ଦେଶକୁ ରକ୍ଷା କରିବାକୁ ହେବ ।

The story of two widowed daughters-in-law gave birthଦୁଇ ବିଧବା ବୋହୂଙ୍କ ପୁତ୍ର ପ୍ରାପ୍ତି

ସଞ୍ଜ ଗଡି ରାତି ହେଲା । ଅମ୍ବିକା ଗାଧେଇ ପାଧେଇ ବେଶ ପ୍ରସାଧାନ ହେଇ ତାଙ୍କ କୋଠରୀରେ ପ୍ରତୀକ୍ଷା କରି ରହିଲେ । କିଏ ଆସିବେ? ଏଣେ ଶାଶୂ କହିଯାଇଛନ୍ତି ଦେଢଶୂର ଆସିବେ । କୋଉ ଦେଢଶୂର? ଭୀଷ୍ମ ଆସିବେ କି? ନା ଆଉ କେହି ସମ୍ପର୍କୀୟ? କିଏ ଜାଣେ ?

ବେଶ୍ ରାତିରେ ଅମ୍ବିକାଙ୍କ କୋଠରୀରେ ଆସି ପହଞ୍ଚିଲେ କୃଷ୍ଣ ଦୈପାୟନ । ରୁଖା ଉପରେ ରଖା ଯାଇଥିବା କ୍ଷୀଣ ଦୀପ ଆଲୋକରେ ଅମ୍ବିକା ଦେଖିଲେ ତାଙ୍କ ଆଗେ ଯିଏ ଛିଡା ହେଇଛନ୍ତି, ସେ କୌଣସି ସୁଦର୍ଶନ ପୁରୁଷ ନୁହଁନ୍ତି । ରୁକ୍ଷ ଜଟାଜୁଟଧାରୀ କଳାରଙ୍ଗର ଅସୁନ୍ଦର ଲୋକଟେ । ଏବେ ଏଇ ମଣିଷ ସାଙ୍ଗରେ ମିଶିବାକୁ ହେବ? ଏଇ ମଣିଷ ସାଙ୍ଗରେ ଗୋଟେ ବିଛଣାରେ ଶୋଇବାକୁ ହେବ? କିନ୍ତୁ ବଂଶ ରକ୍ଷା ପାଇଁ ଶାଶୂଙ୍କର ଆଦେଶ ପାଳନ କରିବାକୁ ତ ହେବ । ବ୍ୟାସ ପଲଙ୍କ ପାଖକୁ ଆସି ଅମ୍ବିକାଙ୍କୁ ସ୍ପର୍ଶ କଲା ବେଳକୁ ସେ ଭୟରେ ନିଜ ଭିତରେ ସଙ୍କୁଚିତ ହୋଇ ଆଖି ବନ୍ଦ କରିଦେଲେ ।

ଅମ୍ବିକାଙ୍କ କୋଠରୀ ବାହାରକୁ ବ୍ୟାସ ଆସିଲା ପରେ ସତ୍ୟବତୀ ବ୍ୟାସଙ୍କୁ ପଚାରିଲେ ବାପା କେମିତିକା ପିଲାଟେ ହେବ ବୋଲି ତୋର ଧାରଣା ହେଉଛି? ଠିକ୍ ଠାକ୍ ହେବ ନା? ହସ୍ତିନାପୁରର ଭାର ଦିନେ ସେଇ ପୁଅ ସମ୍ଭାଳିବ ଯେ । ବ୍ୟାସ କହିଲେ ହଁ ସେ ବଳଶାଳୀ ହେବ । ଶହେ ହାତୀଙ୍କ ବଳ ତା'ର ହେବ । ରାଜର୍ଷିଙ୍କ ପରି ଜ୍ଞାନୀ ମଧ୍ୟ ହେବ । କିନ୍ତୁ ମୋ ସହ ମିଶିଲା ବେଳେ କାଶୀ ରାଜନନ୍ଦିନୀ ଆଦୌ ସହଯୋଗ କଲେନି । ଭୟରେ ଆଖି ବନ୍ଦ କରି ପଡିରହିଲେ । ତେଣୁ ମା ଆପଣଙ୍କର ଏ ନାତିଟି ଅନ୍ଧ ହେଇ ଜନ୍ମ ହେବ ।

ବ୍ୟାସଙ୍କ କଥା ଶୁଣି ସତ୍ୟବତୀ ବ୍ୟସ୍ତ ହେଇପଡିଲେ । ଅନ୍ଧ ପିଲା ପୁଣି ଏତେ ବଡ ଦେଶକୁ କେମିତି ସମ୍ଭାଳିବ? ସେ ପୁଣି ରାଜା ହେଇ ରାଜ୍ୟ ଶାସନ କେମିତି କରିବ? ନିର୍ଦ୍ଦିଷ୍ଟ ସମୟରେ ଅମ୍ବିକା ଅନ୍ଧ ପୁଅଟିଏ ଜନ୍ମ କଲେ । ପୁଅର ନାମ ରଖାଗଲା ଧୃତରାଷ୍ଟ୍ର ।

ସତ୍ୟବତୀ ପୁଣି ଥରେ ବ୍ୟାସଙ୍କୁ ଅନୁରୋଧ କଲେ ବିଚିତ୍ରବୀର୍ଯ୍ୟର ଅନ୍ୟ ଏକ ରାଣୀ ପାଖକୁ ଯିବାକୁ । ବ୍ୟାସ ରାଜି ହେଲାପରେ ସତ୍ୟବତୀ ପୁଣି ଥରେ ତା'ର ବ୍ୟବସ୍ଥା କଲେ ଓ ଅମ୍ବାଳିକାକୁ ଯାଇ ସବୁ କଛି ବୁଝାଇଲେ । ଅମ୍ବିକାଙ୍କ ପରି ଅମ୍ବାଳିକା ମଧ୍ୟ ବ୍ୟାସଙ୍କ ରୂପ-ଭେକ ଦେଖି ଭୟରେ ଶେଥା ପଡିଗଲେ । ମିଳନ ପରେ ଅମ୍ବାଳିକାଙ୍କୁ ବ୍ୟାସ କହିଲେ ତୁମେ ପୁତ୍ର ସନ୍ତାନର ଜନନୀ ନିଶ୍ଚୟ ହେବ । କିନ୍ତୁ ମୋତେ ଦେଖିଲା ପରେ ତୁମର ରୂପ ଓ ମନରେ ଯେଉଁ ପରିବର୍ତ୍ତନ ହେଲା ଏବଂ ତୁମେ ଯେଉଁ ପାଣ୍ଡୁର ହୋଇଗଲ, ସେଇଥିପାଇଁ ତୁମ ପୁଅ ବି ପାଣ୍ଡୁର ବର୍ଣ୍ଣର ହେଇ ଜନ୍ମ ନେବ । ବ୍ୟାସଙ୍କ ପାଖରୁ ଅମ୍ବାଳିକା ଓ ପାଣ୍ଡୁର ବର୍ଣ୍ଣର ପିଲା ଜନ୍ମକଥା ଶୁଣିଲା ପରେ ସତ୍ୟବତୀଙ୍କ ଚିନ୍ତା ବଢିଲା ସିନା କମିଲାନି । ସମୟ ହେବାରୁ ଅମ୍ବାଳିକା ପାଣ୍ଡୁର ବର୍ଣ୍ଣର ପୁଅଟିଏ ଜନ୍ମ ଦେଲେ। ପୁଅର ନାମ ରଖାଗଲା ପଣ୍ଡୁ ।

ଦୁଇ ପୁଅ ଜନ୍ମ ନେଲେ କିନ୍ତୁ ଜଣେ ଅନ୍ଧ ଜଣେ ପଣ୍ଡୁ । ସତ୍ୟବତୀ ଏଥର ଆଉଥରେ ବ୍ୟାସଙ୍କୁ ଅନୁରୋଧ କଲେ । କହିଲେ ଅମ୍ବିକାକୁ ମୁଁ ଏଥର ଭଲକରି ବୁଝେଇଦେବି, ସେ ଆଉ ଭୟ କରିବନି । ଶେଷଥର ପାଇଁ ଚେଷ୍ଟା କରିବା । ମୋର ବଂଶ ରକ୍ଷା ପାଇଁ ଗୁଣବାନ ସର୍ବାଙ୍ଗ ସୁନ୍ଦର ପୁଅଟିଏ ଦରକାର । ବ୍ୟାସ ହଁ କହିଲେ । କିନ୍ତୁ ଅମ୍ବିକା ବ୍ୟାସଙ୍କ ସହ ବିତାଇଥିବା ପୁରୁଣା ରାତି କଥା ଭାବି ପୁଣି ଭୟଭୀତ ହେଇଗଲେ । ସବୁକିଛି ତାଙ୍କର ମନେପଡିଗଲା । ସେ ଆଉ ଥରେ ବ୍ୟାସଙ୍କ ସହ ବିଛଣାକୁ ଯିବାକୁ ଚାହିଁଲେନି । ଘଟଣାକୁ ଏଡାଇବା ପାଇଁ ଉପାୟ ଗୋଟେ ଚିନ୍ତା କଲେ ଅମ୍ବିକା । ଉପାୟ ହେଲା ନିଜର ଜଣେ ବିଶ୍ୱସ୍ତ ଦାସୀକୁ ସୁନ୍ଦର କରି ନିଜର ବେଶ ପୋଷାକ ଓ ଅଳଙ୍କାର ଦେଇ ସଜେଇଲେ ଏବଂ ରାତିରେ ବ୍ୟାସଙ୍କ ପାଖକୁ ପଠେଇ ଦେଲେ ।

ଦୁଇ ରାଣୀ ସିନା ବ୍ୟାସଙ୍କ ରୂପ ଭେକ ଓ ଗନ୍ଧରେ ଭୟ ପାଇଥିଲେ କିନ୍ତୁ ଦାସୀର ସେ ଭାବ କି ଭାବନା କିଛି ନଥିଲା । ସେ ସାରା ରାତି ବ୍ୟାସଙ୍କ ସହ ସମୟ କାଟିଲା ଓ ପୂର୍ଣ୍ଣ ସହଯୋଗ ଦେଲା । ଶେଷରେ ବ୍ୟାସ ମୁନି ଖୁସି ହେଇ କହିଲେ ତୁ ଆଉ ଦାସୀ ହେଇ ରହିବୁନି । ତୋ ଗର୍ଭରେ ଆଜି ଯିଏ ଆସି ଆଶ୍ରୟ ନେଲା ସେ ପୁଅ ଜନ୍ମ ହେଲାପରେ ପରମ ଧାର୍ମିକ ଓ ଜ୍ଞାନୀ ଭାବରେ ପରିଚିତ ହେବ । ତାର ନାମ ହେବ ବିଦୁର ।

ପ୍ରକୃତରେ ସେଦିନ ଅମ୍ବିକାଙ୍କ ଦାସୀର ଗର୍ଭରେ ଯିଏ ଆଶ୍ରୟ ନେଲେ ସେ ହେଲେ ଧର୍ମରାଜ ଯମ । ଯମ ହେଲେ ମୃତ୍ୟୁର ଦେବତା । ଧର୍ମର ଦେବତା । ଯମଦେବଙ୍କୁ ଏକଦା ମାଣ୍ଡବ୍ୟ ନାମକ ଜଣେ ପ୍ରସିଦ୍ଧ ଋଷି ଅଭିଶାପ ଦେଇଥିଲେ ମଣିଷ ଭାବରେ ପୃଥିବୀରେ ଜନ୍ମ ନେବାକୁ ।

The story of two widowed daughters-in-law gave birth
ଦୁଇ ବିଧବା ବୋହୂଙ୍କ ପୁତ୍ର ପ୍ରାପ୍ତି

ମାଣ୍ଡବ୍ୟଙ୍କ ଅଭିଶାପ କଥା :

ମାଣ୍ଡବ୍ୟ ନାମରେ ଜଣେ ତପସ୍ୱୀ ଜଙ୍ଗଲ ଭିତରେ କୁଟୀର ନିର୍ମାଣ କରି ଜପ, ତପ ଓ ଯଜ୍ଞ କରି ରହିଥାନ୍ତି । ଥରେ କିଛି ଚୋର ରଜାଙ୍କ ଘରୁ ଚୋରି କରି ଜଙ୍ଗଲ ଭିତରକୁ ପଳେଇ ଆସିଲେ । ତାଙ୍କ ପଛେ ପଛେ କିଛି ସୈନ୍ୟ ସେମାନଙ୍କୁ ଧରିବାକୁ ଧାଇଁଥାନ୍ତି । ଜଙ୍ଗଲ ଭିତରେ ଚୋରମାନେ ସେମାନେ ଚୋରେଇଥିବା ଧନକୁ ଲୁଚେଇବେ କୋଉଠି? ସେତବେଳକୁ ନିଜ କୁଟୀର ଆଗରେ ମାଣ୍ଡବ୍ୟ ଋଷି ଧ୍ୟାନରେ ସାମାଧିସ୍ଥ ହେଇ ବସିଥାନ୍ତି । ସେଉଠୁ ଚୋରମାନେ ଚୋରି ଜିନିଷ ତକ ଋଷିଙ୍କ କୁଟୀର ଭିତରେ ଲୁଚେଇଦେଇ ସେଉଠୁ ବାହାରିଗଲେ । ପଛେ ପଛେ ଆସି ପହଞ୍ଚିଲେ ରାଜାଙ୍କ ସୈନ୍ୟମାନେ । ସେମାନେ ଧ୍ୟାନରେ ବସିଥିବା ମାଣ୍ଡବ୍ୟଙ୍କୁ ଚୋରମାନେ କେଉଁ ଦିଗରେ ଗଲେ ବୋଲି ପଚାରିଲେ । ମାଣ୍ଡବ୍ୟ ତ ଧ୍ୟାନରେ ଥାଆନ୍ତି । ସେ କିଛି ବି ଉତ୍ତର ଦେଲେନି । ସୈନ୍ୟମାନେ ଋଷିଙ୍କ କୁଟୀର ଭିତରକୁ ଚୋରଙ୍କୁ ଖୋଜିବାକୁ ଯାଇ ଚୋରା ଧନ ରତ୍ନ ପାଇଲେ । ସେମାନେ ଧରିନେଲେ ଏତେ ପଚାରିଲା ପରେ ବି ଚୁପ ରହୁଥିବା ଋଷି ହିଁ ଅସଲ ଚୋର । ଆଗ ପଛ ବିଚାର ନକରି ସେମାନେ ମାଣ୍ଡବ୍ୟଙ୍କୁ ରାଜାଙ୍କ ଦରବାରକୁ ନେଇଗଲେ । ରାଜା ବି କିଛି ନବୁଝି ମାଣ୍ଡବ୍ୟଙ୍କୁ ଶୂଳୀରେ ବସେଇ ମୃତ୍ୟୁ ଦଣ୍ଡର ବିଧାନ କଲେ ।

ମାଣ୍ଡବ୍ୟଙ୍କୁ ବିନା ଦୋଷରେ ଶୂଳୀ ଦଣ୍ଡ ଉପରେ ବସିବାକୁ ପଡିଲା।

ମାଣ୍ଡବ୍ୟଙ୍କ ମୃତ୍ୟୁ ପରେ ସେ ସିଧା ଯମଲୋକ ଗଲେ ଓ ଧର୍ମରାଜ ଯମଙ୍କୁ ପ୍ରଶ୍ନ କଲେ ହେ ଧର୍ମ ଦଣ୍ଡଧାରୀ, ମୋତେ କୁହନ୍ତୁ ମୁଁ କୋଉ ଦୋଷ କରିଥିଲି ? ଯେଉଁଥିପାଇଁ ମୋତେ ଏ ଶୂଳୀ ଦଣ୍ଡ ଉପରେ ବସି ଅତ୍ୟନ୍ତ କଷ୍ଠସାଧ୍ୟ ମୃତ୍ୟୁ ଲଭିବାକୁ ପଡିଲା?

ମାଣ୍ଡବ୍ୟଙ୍କ କଥା ଶୁଣି ଯମରାଜ କହିଲେ ବିନା ଦୋଷରେ କେହି କେବେବି ଦଣ୍ଡ ପାଏନି । ହେ ଋଷିବର ଧର୍ମ ଆଗରେ ସବୁ କିଛି ସମାନ । ଯିଏ ଯେପରି କର୍ମ କରିଥିବ ସେହିପରି ଫଳ ଅବଶ୍ୟ ଭୋଗ କରିବ । ଆପଣଙ୍କର ମନେ ନାହିଁ, ଆପଣ ପିଲା ଥିବା ବେଳେ ଏକଦା ଏକ ପତଙ୍ଗର ଲାଞ୍ଜ ପଟେ ଆପଣ ଗୋଟେ ଘାସ ପ୍ରବେଶ କରାଇ ତାକୁ କଷ୍ଟ ଦେଇଥିଲେ । ସେଇ ପାପରେ ଭାଗୀଦାର ହେଇ, ଆପଣ ଶେଷରେ ଶୂଳୀ ଦଣ୍ଡ ଉପରେ ବସିଲେ। ଯମ ରାଜଙ୍କ କଥା ଶୁଣି ମାଣ୍ଡବ୍ୟ ଅସନ୍ତୁଷ୍ଟ ହେଇ କହିଲେ, ମୋର ଜ୍ଞାନ ଉଦୟ ହେବା ଆଗରୁ କରିଥିବା କର୍ମ ପାଇଁ ଏତେ ବଡ ଦଣ୍ଡ ମୋତେ ଆପଣ ଦେବାର ନଥିଲା । ଆଜିଠାରୁ ଅଜ୍ଞାନୀ ଶିଶୁ କରିଥିବା କର୍ମକୁ ନେଇ ପାପ ପୂଣ୍ୟର ବିଚାର ହେବ ନାହିଁ । ଜଣେ ଅଜ୍ଞାନୀ ଶିଶୁର କର୍ମକୁ ନେଇ ବିଚାର କରି ଦଣ୍ଡ ବିଧାନ କରିଥିବାରୁ ଆପଣଙ୍କୁ ବି ମୁଁ ଅଭିଶାପ ଦେଉଛି । ଆପଣଙ୍କୁ ଜଣେ ଶୂଦ୍ର ମା କୋଳରେ ମନୁଷ୍ୟ ଭାବରେ ପୃଥିବୀରେ ଜନ୍ମ ନେବାକୁ ହେବ । ରାଜା ହେବାର ସମସ୍ତ ଶକ୍ତି ଓ ଗୁଣର ଅଧିକାରୀ ହୋଇ ବି ଆପଣ କେବେବି ରାଜା ହୋଇପାରିବେନି ।

ମାଣ୍ଡବ୍ୟ ଋଷିଙ୍କ ଅଭିଶାପ ପାଇ, ବ୍ୟାସଙ୍କ ଔରସରୁ ଅମ୍ବିକାଙ୍କ ଦାସୀ ଗର୍ଭରୁ ସ୍ୱୟଂ ଧର୍ମରାଜ ଯମ ସେଦିନ ବିଦୂର ଭାବରେ ଜନ୍ମ ନେଲେ ।

ସତ୍ୟବତୀଙ୍କ ପାଖରେ ଏବେ ତିନି ନାତି । ଧୃତରାଷ୍ଟ୍ର, ପଣ୍ଡୁ ଓ ବିଦୂର । ସେମାନଙ୍କ ସମସ୍ତ ପ୍ରକାରର ଶିକ୍ଷା ଦୀକ୍ଷାର ଦାୟିତ୍ୱ ଭୀଷ୍ମ ନେଲେ । ଧିରେ ଧିରେ ତିନିହେଁ ବଡ ହେଲେ ଓ ଯୁବା ଅବସ୍ଥାରେ ପହଞ୍ଚିଲେ । ବଡ ପୁଅ ହେଇବି ଅନ୍ଧ ହୋଇଥିବା କାରଣରୁ ଧୃତରାଷ୍ଟ୍ର ହସ୍ତିନାପୁରର ରାଜା ହେଇପାରିଲେନି । ରାଜା ହେବାର ସମସ୍ତ ଗୁଣର ଅଧିକାରୀ ହୋଇ ବି ଦାସୀ ପୁତ୍ର ବୋଲି ବିଦୁର ବି ରାଜ ସିଂହାସନରେ ବସି ପାରିଲେନି । ହସ୍ତିନାର ରାଜଗାଦୀ ପାଇଲେ ପଣ୍ଡୁ । ହସ୍ତିନା ରାଜସିଂହାସନରେ ଅତୀତର ପୁନରାବୃତ୍ତି ହେଲା । ଏକଦା ରାଜା ପ୍ରତୀପଙ୍କ ବଡ ପୁଅ ଦେବାପି ଚର୍ମ ରୋଗରେ ପୀଡିତ ଥିବା କାରଣରୁ ସିଂହାସନରେ ବସିପାରିନଥିଲେ । ସେଦିନ ଦେବାପୀଙ୍କ ବଦଳରେ ହସ୍ତିନାର ରାଜା ହୋଇଥିଲେ ଶାନ୍ତନୁ ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Mahabharata Special Story Mahabharat Story
Advertisment
Advertisment