• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ramakanta Samantaray

ହସ୍ତିନାପୁରରୁ କ୍ରୋଧ, ଦୁଃଖ, ଅଭିମାନ ଓ ଅପମାନ ଧରି ଅମ୍ବା ବାହାରିଗଲେ।

ଅମ୍ବା ଭାବୁଥିଲେ, ଏ ଧରାପୃଷ୍ଠରେ କ'ଣ ତାଙ୍କୁ ସହଯୋଗ କରିବାକୁ କେହି ବି ଜଣେ ବୀର ନଥିବ? ନିଶ୍ଚୟ ଥିବ । ଯିଏ ଗଙ୍ଗା ପୁତ୍ର ଭୀଷ୍ମଙ୍କୁ ପରାଜିତ କରି ତାଙ୍କ ରାଗ ଓ ଅପମାନର ପ୍ରତିଶୋଧ ନେଇ ପାରିବ?

ଅମ୍ବା ଗୋଟି ଗୋଟି କରି ଅନେକ ଵୀର ଯୋଦ୍ଧାଙ୍କୁ ଭେଟି ଅନୁରୋଧ କଲେ । ବୁଝାଇ କହିଲେ କେମତି ତାଙ୍କ ଜୀବନକୁ ନଷ୍ଟ କରିଛନ୍ତି ହସ୍ତିନାପୁରର ରାଜକୁମାର ଭୀଷ୍ମ । କାହିଁକି ସେ ଭୀଷ୍ମଙ୍କ ଉପରେ ପ୍ରତିଶୋଧ ନେବାକୁ ଚାହାଁନ୍ତି । ତାଙ୍କ ଦୁଃଖ ଶୁଣି ସେମାନେ ସମବେଦନା ଅବଶ୍ୟ ଜଣେଇଲେ କିନ୍ତୁ ସବୁ ଶୁଣି କେହି ଜଣେ ବି କ୍ଷତ୍ରୀୟ ବୀର ଅମ୍ବାଙ୍କୁ ସାହାଯ୍ୟ କରିବାକୁ ଆଗକୁ ବାହାରିଲେନି । ସେମାନେ ସମସ୍ତେ ଜାଣିଥିଲେ ଗଙ୍ଗାପୁତ୍ର ଅପାରେଜୟ । ଇଚ୍ଛାମୃତ୍ୟୁର ଅଧିକାରୀ ।

କ୍ଷତ୍ରୀୟମାନଙ୍କୁ ଆଦୌ ଭୟ କରୁନଥିବା ଜଣେ ମାତ୍ର ବୀର ସେତବେଳେ ଥାଆନ୍ତି । ସେ ହେଉଛନ୍ତି ବ୍ରାହ୍ମଣ ପର୍ଶୁରାମ । ତାଙ୍କ ବାପାଙ୍କୁ ହତ୍ୟା କରିଥିବାରୁ ଓ ତାଙ୍କ ଗାଈକୁ ଚୋରାଇଥିବାରୁ ତାଙ୍କର କ୍ଷତ୍ରୀୟମାନଙ୍କ ଉପରେ ବଡ଼ ରାଗ । ସେଇଥିପାଇଁ ସେ ପର୍ଶୁ ଧାରଣ କରି ପାଞ୍ଚ ପାଞ୍ଚଟା କ୍ଷତ୍ରୀୟ କୂଳଙ୍କୁ ସମୁଳେ ନିପାତ କରିଥା'ନ୍ତି । କ୍ଷତ୍ରୀୟମାନଙ୍କୁ ହତ୍ୟା କରି ସେମାନଙ୍କ ରକ୍ତରେ ପାଞ୍ଚଟା ହ୍ରଦକୁ ଭରିଦେଇଥିଲେ ।

ଶେଷରେ ଅମ୍ବା ପର୍ଶୁରାମଙ୍କ ପାଖରେ ପହଞ୍ଚିଲେ । ଅମ୍ବାଙ୍କ କାହାଣୀ ଶୁଣି ପର୍ଶୁରାମ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ । ସେ ଭାବିପାରିଲେନି ତାଙ୍କ ଶିଷ୍ୟ ଏମିତି କାମ କରିପାରେ । ପର୍ଶୁରାମ ସମସ୍ୟାର ସମାଧନ ପାଇଁ ଭୀଷ୍ମଙ୍କ ପାଖକୁ ଖବର ପଠେଇଲେ ଯେ ସେ ଯେହେତୁ ଅମ୍ବାଙ୍କୁ ନିଜେ ହରଣ କରି ଆଣିଛନ୍ତି, ତେଣୁ ସେ ହିଁ ନିୟମତ ବିବାହ କରିବା ଉଚିତ । ଭୀଷ୍ମ କିନ୍ତୁ ତାଙ୍କର ଶପଥ କଥା କହିଲେ ଓ ଅମ୍ବାଙ୍କୁ ବିବାହ କରିବାକୁ ମନା କଲେ ।

ଭୀଷ୍ମଙ୍କ ଅରାଜି ପରେ ପର୍ଶୁ ଧରି ପର୍ଶୁରାମ ନିଜ ଶିଷ୍ୟ ଭୀଷ୍ମଙ୍କ ସହ ଯୁଦ୍ଧ କରିବାକୁ ବାହାରି ଆସିଲେ । ଦୁହିଁଙ୍କ ଭିତରେ ଘମାଘୋଟ ଲଢେଇ ଚାଲିଲା । ଯୁଦ୍ଧବିଦ୍ୟାରେ କେହି କାହା ଠାରୁ କମ ନୁହଁନ୍ତି । କେହି ଜିତୁ ନଥାଏ, କେହି ହାରୁ ବି ନଥାଏ । ଦୁହିଁଙ୍କ ପାଖରେ ପୁଣି ଦିବ୍ୟ ଅସ୍ତ୍ର ଥାଏ । ଶେଷରେ ପର୍ଶୁରାମ ମଧ୍ୟ ବୁଝିଗଲେ ଭୀଷ୍ମଙ୍କୁ ମାରିବା କିମ୍ବା ହରାଇବା ଅସମ୍ଭବ । ଏମିତି ଯଦି ଯୁଦ୍ଧ ଲାଗି ରହେ, ତେବେ ପୃଥିବୀ ସିନା ଧ୍ୱଂସ ହୋଇଯିବ, କେହି କାହାର କିଛି କ୍ଷତି କରିପାରିବେନି । ଏଥର ଦୁହେଁ ଦୁହିଁକି ସମ୍ନାନ ଜଣାଇ ଯୁଦ୍ଧ କ୍ଷେତ୍ରରୁ ପଛେଇ ଗଲେ ।

ଅମ୍ବା କିନ୍ତୁ ଯେଉଁ ଭାବିଥିଲେ ଯେ ଭୀଷ୍ମଙ୍କୁ ଯୁଦ୍ଧରେ ହରେଇ ତାଙ୍କ ଅପମାନର ପ୍ରତିଶୋଧ ସେ ନେଇପାରିବେ, ତାହା ଆଉ ସମ୍ଭବ ହୋଇପାରିଲାନି । ଅମ୍ବାଙ୍କର କ୍ରୋଧ ଆଗରୁ ଯେତିକି ଥିଲା ତା' ଠାରୁ କେଇଗୁଣା ବଢିଗଲା ସିନା, କମିଲାନି । ଅମ୍ବାଙ୍କର ଏକା ଜିଦି ସେ ଇଚ୍ଛାମୃତ୍ୟର ବର ପାଇଥିବା ଭୀଷ୍ମଙ୍କ ମୃତ୍ୟୁ ରହସ୍ୟ ଜାଣିବେ ।

ଅମ୍ବା ଏଥର ତପସ୍ୟା କରିବାକୁ ଜଙ୍ଗଲକୁ ବାହାରିଗଲେ । ପର୍ବତ ଶୀର୍ଷରେ ଏକ ପାଦରେ ଠିଆ ହେଇ ଶିବଶଙ୍କର ମହାଦେବଙ୍କୁ ସ୍ମରଣ କରିବାକୁ ଲାଗିଲେ । ଶେଷରେ ଅମ୍ବାଙ୍କର ଏକାଗ୍ରତା ଓ ନିଷ୍ଠାପୂର୍ଣ୍ଣ ପ୍ରର୍ଥନା ଏବଂ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦିନେ ମହାଦେବ ଶିବ ତାଙ୍କ ଆଗରେ ପ୍ରକଟ ହେଲେ । ଅମ୍ବାଙ୍କର ଇଚ୍ଛା ଶୁଣି କହିଲେ ମା, ତୋ ଇଚ୍ଛା କିନ୍ତୁ ଏଇ ଜନ୍ମରେ ପୁରଣ ହେଇପାରିବନି । ଯାହା କିଛି ହେବ ଆସନ୍ତା ଜନ୍ମରେ । ତାପରେ ମହାଦେବ ଅମ୍ବାଙ୍କୁ ସବୁକଥା ଖୋଲି କହିଲେ ।

ଭୀଷ୍ମଙ୍କ ମୃତ୍ୟୁ ରହସ୍ୟ ଜାଣିସାରିଲା ପରେ ଅମ୍ବା ବୁଝିଲେ ଏ ଜନ୍ମରେ ତାଙ୍କର ଆଉ ବିଶେଷ କିଛି କାମ ନାହିଁ । ତେଣୁ ସେ ଶୀଘ୍ର ପୁର୍ନଜନ୍ମ ପାଇବା ପାଇଁ ଜଳୁଥିବା ଅଗ୍ନିରେ ପ୍ରବେଶ କରି ଜୀବନ ତ୍ୟାଗ କଲେ ।

ସେପଟେ କାଶୀ ରାଜାଙ୍କ ଅନ୍ୟ ଦୁଇ ଝିଅ ଅମ୍ବିକା ଓ ଅମ୍ବାଳିକାଙ୍କର ବିବାହ ହସ୍ତିନାପୁରର ରାଜନଅରରେ ରାଜା ବିଚିତ୍ରବିର୍ଯ୍ୟଙ୍କ ସହ ଅନୁଷ୍ଠିତ ହୋଇଗଲା । ସତ୍ୟବତୀ ଏବେ ଖୁସି ତାଙ୍କ ସାନପୁଅର ବିବାହ ହୋଇଗଲା ବୋଲି। ଭୀଷ୍ମ ମଧ୍ୟ ଖୁସି ସେ ସାନଭାଇର ବିବାହ କରିପାରିଲେ ।

ଦୁଇ ଯୁବା ରାଣୀଙ୍କୁ ପାଇ ବିଚିତ୍ରବୀର୍ଯ୍ୟଙ୍କ ସମୟ ବଡ଼ ଆନନ୍ଦରେ କଟିବାକୁ ଲାଗିଲା । ସେ ରାଜ୍ୟ ଶାସନ ଅଳ୍ପ, ରାଣୀ ଦୁହିଁଙ୍କ ସାହଚର୍ଯ୍ୟରେ ବେଶୀ ସମୟ କାଟିବାକୁ ଲାଗିଲେ । କିନ୍ତୁ ସେ ଖୁସିର ସମୟ ବେଶି ସମୟ ରହିଲାନି । କିଛି ଦିନ ପରେ ବିଚିତ୍ରବୀର୍ଯ୍ୟ ଅସୁସ୍ଥ ହୋଇପଡିଲେ । ରାଜବୈଦମାନଙ୍କର ଅନେକ ପ୍ରକାର ଚେଷ୍ଟା ପରେ ବି ସେମାନେ ରାଜାଙ୍କୁ ବଞ୍ଚେଇ ପାରିଲେନି । ନବ ବିବାହିତ ଦୁଇ ରାଣୀଙ୍କୁ ଏକା ଛାଡି ଓ କୁରୁ ବଂଶକୁ କୌଣସି ଉତ୍ତରାଧିକାରୀ ନଦେଇ ବିଚିତ୍ରବୀର୍ଯ୍ୟ ସ୍ୱର୍ଗାରୋହଣ କଲେ ।

ଦୁଇ ଦୁଇ ପୁଅଙ୍କ ମୃତ୍ୟୁ ଶୋକରେ ମ୍ରିୟମାଣ ସତ୍ୟବତୀ । ଏବେ କେମିତି ଆଗକୁ ବଞ୍ଚିରହିବ ମହାନ କୁରୁ ବଂଶ? ସତ୍ୟବତୀ ଉପାୟ ଖୋଜିବାକୁ ଲାଗିଲେ । ତାଙ୍କୁ ଲାଗିଲା ଅନ୍ୟ ଅନେକ ବିପତ୍ତିରୁ ଉଦ୍ଧାର କରିଥିବା ପରି ଦେବବ୍ରତ ଭୀଷ୍ମ ହିଁ ଏ ବିପଦରୁ କୁରୁ ବଂଶକୁ ଉଦ୍ଧାର କରିପାରିବେ । ତାପରେ ସତ୍ୟବତୀ ପହଞ୍ଚିଲେ ଭୀଷ୍ମଙ୍କ ପାଖରେ ଓ ଅନୁରୋଧ କଲେ ମହାନ କୁରୁ ବଂଶକୁ ବଞ୍ଚାଇ ରଖିବାକୁ ତାଙ୍କୁ ଏବେ ତାଙ୍କ ଦୁଇ ବିଧବା ଭାଇବୋହୂଙ୍କ ପାଖରୁ ସନ୍ତାନ ଉତ୍ପନ୍ନ କରିବାକୁ ହେବ । ଏପରି ପରିସ୍ଥିତିରେ ଏହା କିଛି ଖରାପ କଥା ନୁହେଁ । ଧର୍ମର ଓ ଶାସ୍ତ୍ରର ମଧ୍ୟ ଏଥିପାଇଁ ସମ୍ମତି ରହିଛି ।

ଭୀଷ୍ମ କହିଲେ, ନା ମାଆ ନା । ଏହା ଅସମ୍ଭବ । ମୁଁ ସ୍ୱୀକାର କରୁଛି ଏଥିରେ ଶାସ୍ତ୍ର ଓ ଧର୍ମର ସମ୍ମତି ଥାଇପାରେ, କିନ୍ତୁ ମୁଁ ମୋ ଶପଥରୁ ତିଳେ ହେଲେ ବି ବିଚ୍ୟୁତ ହେବି ନାହିଁ । ନିଜ ଶପଥ ଓ କଥାକୁ ରକ୍ଷା କରିବା ମଧ୍ୟ ଧର୍ମର ପଥ । ପୃଥିବୀ, ଜଳ, ସ୍ଥଳ, ଆକାଶ, ପବନ ହୁଏତ ସେମାନଙ୍କ ମୌଳିକ ଗୁଣକୁ ତ୍ୟାଗ କରିଦେଇପାରନ୍ତି, ମୁଁ କିନ୍ତୁ ମୋ ଶପଥରୁ ଓ ଧର୍ମର ପଥରୁ ସାମନ୍ୟ ବିଚ୍ୟୁତ ହେବିନି । ମୁଁ ଦୁଃଖିତ, ଆପଣଙ୍କ ଅନୁରୋଧ ରକ୍ଷା କରିପାରୁନି । କିନ୍ତୁ ମୁଁ ନହେଲେ ନାହିଁ ସେଥିପାଇଁ ଶାସ୍ତ୍ର ଓ ଧର୍ମ ସମ୍ମତ ନିୟୋଗ ଉପାୟ ବି ଅବଲମ୍ବନ କରାଯାଇପାରେ ।

ସତ୍ୟବତୀଙ୍କୁ ନିୟୋଗ ପ୍ରଥା ବୁଝାଇବାକୁ ଯାଇ ଭୀଷ୍ମ ଗୋଟେ ପୁରୁଣା କାହାଣୀ କହିଲେ;

ଅନେକ ଦିନ ତଳର କଥା । ଉଥୟ ନାମରେ ଜଣେ ତପସ୍ୱୀ ଥିଲେ । ତାଙ୍କ ପତ୍ନୀଙ୍କ ନାମ ହେଲା ମମତା । ଉଥୟ ତାଙ୍କ ପତ୍ନୀ ମାମାତାଙ୍କୁ ବହୁତ ଭଲ ପାଉଥା'ନ୍ତି । ଉଥୟଙ୍କର ସାନଭାଇ ହେଉଛନ୍ତି ଦେବ ଗୁରୁ ବୃହଷ୍ପତ୍ତି । ଥରେ ବୃହଷ୍ପତ୍ତି ଆସି ମମତାଙ୍କ ପାଖରେ ପହଞ୍ଚିଲେ ଓ ମମତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଇଚ୍ଛା ପ୍ରକଟ କଲେ । ସେତେବେଳକୁ ଉଥୟଙ୍କ ସନ୍ତାନ ମମତାଙ୍କ ଗର୍ଭରେ । ମମତା କହିଲେ ଏବେ ଏହା ଅସମ୍ଭବ । ତାପରେ ମୁଁ ଗର୍ଭବତୀ ବି । କିନ୍ତୁ ମମତାଙ୍କ କଥା ଶୁଣିବା କିମ୍ବା ତାଙ୍କ ପରିସ୍ଥିତି ବୁଝିବା ଅବସ୍ଥାରେ ବୃହଷ୍ପତ୍ତି ନଥିଲେ । ସେ ମମତାଙ୍କ ସହ ଜବରଦସ୍ତି ସମ୍ପର୍କ ରଖିଲେ । ବୃହଷ୍ପତ୍ତିଙ୍କ କାମ ବାସନା ଚରିତାର୍ଥ ହେଲାପରେ ମମତାଙ୍କ ଗର୍ଭସ୍ଥ ସନ୍ତାନ କହିଲା, ହେ ଦେବଗୁରୁ ଏବେ ଏ ଗର୍ଭାଶୟରେ ଦୁଇଜଣଙ୍କ ରହିବା ପାଇଁ ସ୍ଥାନର ଅଭାବ ରହିଛି । ମୁଁ ଆଗରୁ ଏଇଠି ରହିଛି ଆପଣ ଅଯଥା ଯାହା ଶକ୍ତି ନଷ୍ଠକଲେ । ଗର୍ଭସ୍ଥ ଶିଶୁର ଏପରି କଥା ଶୁଣି ବୃହଷ୍ପତ୍ତି ବିରକ୍ତ ହୋଇଗଲେ ଓ ସେ ଶିଶୁକୁ ଅଭିଶାପ ଦେଇ କହିଲେ ତୁ ଅନେକ ବର୍ଷ ଅନ୍ଧକାରରେ ରହିବୁ ।

The story of a mother-in-law who brings other men to the house to protect the clanବଂଶ ରକ୍ଷା ପାଇଁ ଅନ୍ୟ ପୁରୁଷଙ୍କୁ ଘରକୁ ଡାକି ଆଣିଥିବା ଜଣେ ଶାଶୁର କାହାଣୀ

ମମତାଙ୍କ ଗର୍ଭରୁ ଶିଶୁଟି ଅଭିଶାପ ଫଳରେ ଅନ୍ଧ ହୋଇ ଜନ୍ମ ନେଲା । ପିତା ଉଥୟଙ୍କ ପରି ଜ୍ଞାନୀ ଗୁଣୀ ପିଲାଟିର ନାମ ରଖାଗଲା ଦୀର୍ଘତମ ।

ଥରେ ଉଥୟଙ୍କ ଅନ୍ୟ ପିଲାମାନେ ଭାବିଲେ, ଅନ୍ଧର ଦାୟିତ୍ୱ କିଏ କାହିଁକି ବା ନେବ? ତେଣୁ ସେମାନେ ଗୋଟେ କାଠଗଣ୍ଡିରେ ଦୀର୍ଘତମଙ୍କୁ ବାନ୍ଧି ନଦୀକୁ ଫିଙ୍ଗିଦେଲେ । ଦୀର୍ଘତମଙ୍କ ପାଖରେ କିଛି ଉପାୟ ନଥିଲା । ସେ କେବଳ କାଠଗଣ୍ଡି ଉପରେ ଶୋଇ ଶୋଇ ନଦୀର ସ୍ରୋତରେ ଭାସିବାକୁ ଲାଗିଲେ । ଦିନେ ସେଇ ଭାସୁଥିବା ଅବସ୍ଥାରେ ତାଙ୍କୁ ରାଜା ବଳି ଦେଖିଲେ । ବଳି ତାପରେ ଦୀର୍ଘତମଙ୍କୁ ଉଦ୍ଧାର କରି ତାଙ୍କ ନଅରକୁ ଆଣିଲେ । ରାଜା ବଳିଙ୍କ ପତ୍ନୀ ହେଲେ ସୁଦେଷ୍ଣା । ଦୀର୍ଘତମଙ୍କ ଜ୍ଞାନ ଓ ସତ୍ୟ ପ୍ରତି ଅନୁରକ୍ତି ଦେଖି ବଳି ଭାବିଲେ ସେ ଋଷିବରଙ୍କ ସହାୟତାରେ ସେହିପରି ଜ୍ଞାନୀ ଓ ସତ୍ୟଶୀଳ ପୁତ୍ର ସନ୍ତାନ ପ୍ରାପ୍ତ କରିପାରିବେ ।

ଦୀର୍ଘତମଙ୍କୁ ରାଜା ଅନୁରୋଧ କରିବାରୁ ସେ ରାଜି ବି ହୋଇଗଲେ। କିନ୍ତୁ ଜଣେ ବୁଢା ଅନ୍ଧ ଲୋକ ପାଖକୁ ଯିବାକୁ ରାଜି ହେଲେନି ରାଣୀ ସୁଦେଷ୍ଣା । ସେ ତାଙ୍କର ଜଣେ ଶୁଦ୍ର ଦାସୀକୁ ବେଶ କରି ଦୀର୍ଘତମଙ୍କ ପାଖକୁ ପଠାଇଦେଲେ । ଦୀର୍ଘତମଙ୍କ ଔରସରୁ ରାଣୀ ସୁଦେଷ୍ଣାଙ୍କ ଦାସୀ ଏଗାରଟି ପୁତ୍ର ସନ୍ତାନ ଜନ୍ମ ଦେଲା ।

The story of a mother-in-law who brings other men to the house to protect the clanବଂଶ ରକ୍ଷା ପାଇଁ ଅନ୍ୟ ପୁରୁଷଙ୍କୁ ଘରକୁ ଡାକି ଆଣିଥିବା ଜଣେ ଶାଶୁର କାହାଣୀ

ପିଲାମାନଙ୍କୁ ଦେଖି ଦିନେ ରାଜା ଖୁସିରେ ନିଜର ଏତେ ଗୁଡେ ପିଲା ବୋଲି କହିଲାରୁ ଦୀର୍ଘତମ କହିଲେ ନା,ଏ ସବୁ ପିଲାଙ୍କୁ ଆପଣଙ୍କ ରାଣୀ ଜନ୍ମ କରିନାହାଁନ୍ତି । ଜନ୍ମ କରିଛି ଆପଣଙ୍କ ରାଣୀଙ୍କର ଦାସୀ । ଆପଣଙ୍କ ପତ୍ନୀ ମୋତେ ବୁଢା ଓ ଅନ୍ଧ ଜାଣିଲା ପରେ ଅନ୍ୟ ଜଣକୁ ମୋ ପାଖକୁ ପଠାଇଥିଲେ । ସତକଥା ଜାଣିଲା ପରେ ରାଜା ବଳି ଦୁଃଖ ପ୍ରକାଶ କଲେ ଓ ପୁଣି ଥରେ ପତ୍ନୀ ସୁଦେଷ୍ଣାଙ୍କୁ ବୁଝାଇ ସୁଝାଇ ଋଷି ଦୀର୍ଘତମଙ୍କ ପାଖକୁ ପଠାଇଲେ । ଏଥର ସୁଦେଷ୍ଣା କିନ୍ତୁ ନିଜେ ଆସିଲେ ଓ ଋଷିଙ୍କ ଦ୍ୱାରା ଗର୍ଭବତୀ ହେଲେ । ସେଇ ପିଲାଟି ଜନ୍ମ ହେଲା ପରେ ପ୍ରସିଦ୍ଧ ରାଜର୍ଷି ଅଙ୍ଗ ଭାବରେ ପରିଚିତ ହେଲେ ।

The story of a mother-in-law who brings other men to the house to protect the clanବଂଶ ରକ୍ଷା ପାଇଁ ଅନ୍ୟ ପୁରୁଷଙ୍କୁ ଘରକୁ ଡାକି ଆଣିଥିବା ଜଣେ ଶାଶୁର କାହାଣୀ

ଏପରି କଥା କହି ଭୀଷ୍ମ ସତ୍ୟବତୀଙ୍କୁ ବଂଶ ରକ୍ଷା କରିବାର ନିୟୋଗ ପଥ ବିଷୟରେ ବୁଝାଇଲା ପରେ ସତ୍ୟବତୀ ତାଙ୍କ କୁମାରୀ ଜୀବନରେ ଘଟିଥିବା ଘଟଣାଟି ବି ଭୀଷ୍ମଙ୍କୁ କହିଲେ । କେମିତି ସେ ଶାନ୍ତନୁଙ୍କୁ ବିବାହ କରିବା ଆଗରୁ ସେ କୁମାରୀ ଥିବା ବେଳେ ତପସ୍ୱୀ ପରାଶରଙ୍କ ଦ୍ୱାରା ଗର୍ଭବତୀ ହୋଇ ଏକ ପୁତ୍ର ସନ୍ତାନର ଜନନୀ ହୋଇଥିଲେ । କେମିତି ସେଇ ତପସ୍ୱୀ ପରାଶରଙ୍କ ବରଦାନରେ ପିଲା ଜନ୍ମ ପରେ ବି ପୂର୍ବପରି କୁମାରୀ ରହିଲେ ଓ କେମିତି ମତ୍ସଗନ୍ଧାରୁ ଯୋଜନଗନ୍ଧା ହେଲେ । ସତ୍ୟବତୀ କହିଲେ, ତାଙ୍କର ସେଇ ପୁଅର ନାମ ହେଉଛି କୃଷ୍ଣ ଦୈପାୟନ । ସେ ମୋ ପାଖରୁ ଯିବା ବେଳେ ମୋତେ କହି ଯାଇଥିଲା, କେବେ ବି କିଛି ଦରକାର ପଡିଲେ ତାକୁ ସ୍ମରଣ କରିବାକୁ । ଏବେ ଏମିତି ଏକ ପରିସ୍ଥିତିରେ ତାକୁ ଡାକିବି ବୋଲି ଭାବୁଛି । ସତ୍ୟବତୀଙ୍କ ପ୍ରସ୍ତାବରେ ଭୀଷ୍ମ ରାଜି ହେଲେ ଓ କହିଲେ ହଁ ତାହାହିଁ କରାଯାଉ ।

ସତ୍ୟବତୀ ସ୍ମରଣ କଲା ବେଳକୁ କୃଷ୍ଣ ଦୈପାୟନ ବେଦ ଲିପିବଦ୍ଧ କରିବା କାମରେ ବ୍ୟସ୍ତ ଥାଆନ୍ତି । ସେଥିପାଇଁ ତାଙ୍କୁ ବ୍ୟାସ ନାମରେ ବି ଡକାଯାଉଥାଏ । ହଠାତ୍ ଅସମୟରେ ମାଆ କାହିଁକି ତାଙ୍କୁ ସ୍ମରଣ କଲେ ଜାଣିବାକୁ ବ୍ୟାସ ତାଙ୍କ କାମ ଛାଡି ତରତରରେ ହସ୍ତିନାପୁରକୁ ବାହାରି ଆସିଲେ ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

OTV is now on Whatsapp

Join and get latest news update delivered to you via whatsapp

Join Now