• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନରେ ବିଶ୍ୱର ଦ୍ଵିତୀୟ କୁତ୍ରିମ ଭାଷାର ପୁସ୍ତକ "ନାଇଲ" ପ୍ରଦାନ କରାଯାଇଛି । ଲେଖକ ଡ଼ଃ ରଙ୍ଗାଧର ମହାପାତ୍ର ଅନୁସାରେ "ନ୍ୟୁ ଇଣ୍ଡିଆନ ଇଜି ଲାଙ୍ଗୁଏଜ" ନାଇଲ ହେଉଛି ୨୧ ଅକ୍ଷର ବିଶିଷ୍ଟ ବିଶ୍ୱର ଦ୍ୱିତୀୟ କୁତ୍ରିମ ଓ ସହଜ ଭାଷା । ଏହାକୁ ୨୦୦୩ ମସିହାରେ ଦୀର୍ଘ ୭ ବର୍ଷର ପରିଶ୍ରମ ଏବଂ ଅନୁସନ୍ଧାନ ପରେ ପ୍ରସ୍ତୁତ ଓ ପ୍ରକାଶନ କରାଯାଇଛି । ଓଡିଶା ଜନସେବା ସଂଗଠନର ସଭାପତି ଶ୍ରୀଯୁକ୍ତ ଶୋଭନ ଆଚାର୍ଯ୍ୟଙ୍କ ମାଧ୍ୟମରେ ଲେଖକ ଏହାକୁ ଲୋକଲୋଚନକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି । ପୁସ୍ତକ "ନାଇଲ"ର ଲିପି "ଲିଙ୍କ ଇଣ୍ଡିଆ ମିଶନ ଲିପି" ହୋଇପାରିବ ବୋଲି ଆଲୋଚନା କରାଯାଇଛି ।

ନାଇଲ୍‌ ପୁସ୍ତକ ଭାଷାଗତ ଯୋଗାଯୋଗରେ ସହାୟକ ହୋଇପାରିବ ବୋଲି କହିଛନ୍ତି ଲେଖକ । ତେବେ ଏହି ନୂତନ ଭାଷା ଓ ଲିପିକୁ ସରକାରୀ ସ୍ତରରେ ସ୍ୱୀକୃତି ଓ ମାନ୍ୟତା ମିଳିଲେ ଏହା ବ୍ୟବହାର ଯୋଗ୍ୟ ହୋଇପାରିବ । ଆମ ଦେଶରେ ଏପରି ଅନେକ କିଛି ଭାଷା ଅଛି ଯାହାକୁ ପରିପ୍ରକାଶ କରିବା ପାଇଁ ସ୍ୱତନ୍ତ୍ର ଲିପି ନାହିଁ, ତେଣୁ ସେହି କ୍ଷେତ୍ରରେ ମଧ୍ୟ ଏହା ସହାୟକ ହୋଇପାରିବ ।

ସୂଚନାଯୋଗ୍ୟ ଲେଖକ ଡଃ ରଙ୍ଗାଧର ମହାପାତ୍ର ନାଇଲ ଭାଷାର ଉଦ୍ଭାବନ ପାଇଁ ଦେଶ ବିଦେଶର ଅନେକ ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ସୁଦୂର ୟୁଏସର ଆନ୍ତର୍ଜାତୀୟ ସଂସ୍ଥା ଆମେରିକାନ ବାୟୋଗ୍ରାଫିକାଲ ଇନଷ୍ଟିଚ୍ୟୁଟ ତରଫରୁ ତାଙ୍କୁ "ହଲ ଅଫ ଫେମ" ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଇଣ୍ଡିଆ ଟୁଡ଼େ ଜାତୀୟ ପତ୍ରିକା ତରଫରୁ ତାଙ୍କୁ "ଅଥର ଅଫ ଦ ଇଅର" ଟାଇଟେଲରେ ମଧ୍ୟ ସମ୍ମାନିତ କରାଯାଇଛି ।

ନାଇଲ ପୁସ୍ତକର କପି ଗୁଡିକୁ ୟୁଏନଓ , ୟୁନେସ୍କୋ, ବିବିସି, ନୋବେଲ ଆଦି ଆନ୍ତର୍ଜାତୀୟ ସଂସ୍ଥାକୁ ପଠାଯାଇଛି ଏବଂ କେନ୍ଦ୍ର ସରକାରଙ୍କ ଜାତୀୟସ୍ତରୀୟ ପଦ୍ମଶ୍ରୀ କମିଟିକୁ ମଧ୍ୟ ପଠାଯାଇଛି । ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଦେଶ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକୁ ମଧ୍ୟ ପଠାଯାଇଛି ।

ଲେଖକ ଡଃ ରଙ୍ଗାଧର ମହାପାତ୍ର ଏଥିପାଇଁ ମହାମହିମ ରାଜ୍ୟପାଳଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାର ଏବଂ ସମସ୍ତ ଗଣମାଧ୍ୟମର ସାହାଯ୍ୟ ଓ ସହଯୋଗର ଆଶା ରଖିଛନ୍ତି । ଏହି ସାକ୍ଷାତକାର କାର୍ଯ୍ୟକ୍ରମରେ ଓଡିଶା ଜନସେବା ସଂଗଠନର ସଭାପତି ଶ୍ରୀଯୁକ୍ତ ଶୋଭନ ଆଚାର୍ଯ୍ୟଙ୍କ ସମେତ ଯୁବ ସାମ୍ବାଦିକ ଦୁର୍ଗେଶ ନନ୍ଦନ ମହାପାତ୍ର, ଲେଖକ ଓ ସମାଜସେବୀ ସାଗର ପ୍ରଧାନ ଓ ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ରକ୍ଷକ ନାୟକ ଉପସ୍ଥିତ ରହିଥିଲେ ।