Advertisment

Award: ମହାରାଷ୍ଟ୍ରରେ ଓଡ଼ିଆ ଝିଅ ସମ୍ମାନୀତ; ପାରମିତା ଷଡ଼ଙ୍ଗୀଙ୍କୁ ହିନ୍ଦୀ ସାହିତ୍ୟ ଏକାଡେମୀ ପୁରସ୍କାର

ହିନ୍ଦୀ ଗଳ୍ପ ସଂକଳନ ପାଇଁ ମହାରାଷ୍ଟ୍ରରେ ସମ୍ମାନୀତ ହୋଇଛନ୍ତି ଓଡ଼ିଆ ଝିଅ ପାରମିତା ଷଡ଼ଙ୍ଗୀ। ତାଙ୍କୁ ମହାରାଷ୍ଟ୍ର ରାଜ୍ୟ ହିନ୍ଦୀ ସାହିତ୍ୟ ଏକାଡେମୀ ତରଫରୁ “ମୁନ୍‌ସୀ ପ୍ରେମଚନ୍ଦ କାହାଣୀ ପୁରସ୍କାର” ପ୍ରଦାନ କରାଯାଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Paramita Sarangi wins Hindi Sahitya Akademi Award

Paramita Sarangi wins Hindi Sahitya Akademi Award

ମୁମ୍ବାଇରେ ରହୁଥିବା ବିଶିଷ୍ଟ ଓଡ଼ିଆ ଓ ହିନ୍ଦୀ ସାହିତ୍ୟିକା ପାରମିତା ଷଡ଼ଙ୍ଗୀଙ୍କୁ ତାଙ୍କର ହିନ୍ଦୀ ଗଳ୍ପ ସଂକଳନ “ସମ୍ୱିତ କେ ପାସ୍ ଜବ୍ ମେ ନହିଁ ଥି”କୁ ୨୦୨୫ ମସିହାରେ ମହାରାଷ୍ଟ୍ର ରାଜ୍ୟ ହିନ୍ଦୀ ସାହିତ୍ୟ ଏକାଡେମି ତରଫରୁ “ମୁନ୍‌ସୀ ପ୍ରେମଚନ୍ଦ କାହାଣୀ ପୁରସ୍କାର” ପ୍ରଦାନ କରାଯାଇଛି ।

Advertisment

ମଙ୍ଗଳବାର ମହାରାଷ୍ଟ୍ର ରାଜ୍ୟ ହିନ୍ଦୀ ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ମୁମ୍ବାଇର‌ ବାନ୍ଦ୍ରାରେ ରଙ୍ଗଶାରଦା ଅଡିଟୋରିୟମରେ ପୁରସ୍କାର ବିଚରଣ ଉତ୍ସବ ଅନୁଷ୍ଠିତ ହେଇଥିଲା। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ମହାରାଷ୍ଟ୍ରର ସାଂସ୍କୃତିକ ମନ୍ତ୍ରୀ ଆଶିଷ ଶେଲାର ଯୋଗ ଦେଇଥିବା ବେଳେ ମୁଖ୍ୟ ଶାସନ ସଚିବ ବିକାଶ ଖାରଗେ, ପୂର୍ବତନ ମନ୍ତ୍ରୀ ଅମରଜିତ୍ ମିଶ୍ର, ସାହିତ୍ୟ ଏକାଡେମି ଅଧକ୍ଷ ଡଃ ଶୀତଳା ପ୍ରସାଦ ଦୁବେ, ଉପାଧ୍ୟକ୍ଷ ଶ୍ରୀମତୀ ମଞ୍ଜୁ ଲୋଡା, ବରିଷ୍ଠ ଲେଖକ ସୁଧାକର ମିଶ୍ର ଓ ବିମଳ ମିଶ୍ର ଅତିଥି ଭାବେ ଉପସ୍ଥିତ ଥିଲେ।

Paramita Sarangi wins Hindi Sahitya Akademi Awardପାରମିତା ଷଡ଼ଙ୍ଗୀଙ୍କୁ ହିନ୍ଦୀ ସାହିତ୍ୟ ଏକାଡେମୀ ପୁରସ୍କାର

ଏହି ଉତ୍ସବରେ ପାରମିତାଙ୍କର ହିନ୍ଦୀ ଗଳ୍ପ ସଂକଳନ “ସମ୍ୱିତ କେ ପାସ୍ ଜବ୍ ମେ ନହିଁ ଥି” କୁ ୨୦୨୫ ମସିହାରେ ମହାରାଷ୍ଟ୍ର ରାଜ୍ୟ ହିନ୍ଦୀ ସାହିତ୍ୟ ଏକାଡେମୀ ତରଫରୁ “ମୁନସୀ ପ୍ରେମଚନ୍ଦ କାହାଣୀ ପୁରସ୍କାର” ପ୍ରଦାନ କରାଯାଇଥିଲା। ଲକ୍ଷ୍ନୌର ଶତରଙ୍ଗ ପ୍ରକାଶନ ଦ୍ଵାରା ପ୍ରକାଶିତ ଏହି ଗଳ୍ପ ସଙ୍କଳନରେ ୧୩ଟି କାହାଣୀ ରହିଛି।

Advertisment

ଶ୍ରୀମତୀ ଷଡ଼ଙ୍ଗୀ ଉଭୟ ଓଡ଼ିଆ ଓ ହିନ୍ଦୀରେ ଲେଖନ୍ତି। ସେ ହେଉଛନ୍ତି ପ୍ରଥମ ଓଡ଼ିଆ, ଯିଏ ଅନ୍ୟ ରାଜ୍ୟର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି।

ପାରମିତା ଷଡ଼ଙ୍ଗୀ ଓଡ଼ିଶାର ସୁପ୍ରସିଦ୍ଧ କବି ଡଃ ବଂଶୀଧର ଷଡ଼ଙ୍ଗୀଙ୍କର କନ୍ୟା। ତାଙ୍କର ହିନ୍ଦୀ ଓ ଓଡ଼ିଆ ଭାଷାରେ ଏପର୍ଯ୍ୟନ୍ତ ୧୬ଟି ବହି ପ୍ରକାଶିତ। ତାଙ୍କର ହିନ୍ଦୀରେ ରଚିତ “ଇଜ୍ୟା” ପାଠକଙ୍କ ଦ୍ଵାରା ବହୁଳ ଆଦୃତ ଓ ଅନେକ ପୁରସ୍କାରରେ ପୁରସ୍କୃତ କବିତା ସଂଗ୍ରହ। “ଇଜ୍ୟା” ଗୁଜୁରାଟି ଭାଷାରେ ଅନୁବାଦ ହୋଇ ‘ଗୁଜୁରାଟି ସାହିତ୍ୟ ଏକାଡେମୀ’ ଓ ମରାଠୀ ଭାଷାରେ ଅନୁବାଦ ହେଇ ‘ଗ୍ରନ୍ଥରତ୍ନ,’ ‘ଅଗ୍ରୱାନ’, ‘ୟଶୋବନ୍ତ ରାଓ ଦାତେ’ ଓ ‘ଯୁଗ ପ୍ରବର୍ତ୍ତକ’ ରାଜ୍ୟସ୍ତରୀୟ ପୁରସ୍କାର ପ୍ରାପ୍ତ ହେଇଛି।

ପାରମିତାଙ୍କ କବିତା ଓ କାହାଣୀ ମରାଠୀ, ଗୁଜୁରାଟି, ରାଜସ୍ଥାନୀ, ବଙ୍ଗଳା, ତେଲଗୁ, ତାମିଲ, ପଞ୍ଜାବୀ, ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ଭାଷାରେ ଅନୁବାଦ ହୋଇ ଦେଶ ବିଦେଶରେ ପ୍ରକାଶିତ ହୋଇଛି।

ଓଡ଼ିଆ ଭାଷା ସାହିତ୍ୟରେ ଜଣେ ନିଆରା ଶବ୍ଦଶିଳ୍ପୀ ପାରମିତା ଷଡ଼ଙ୍ଗୀ। ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ ସେ ସୃଷ୍ଟି କରି ଚାଲିଛନ୍ତି ଗଳ୍ପ, କବିତା, ଅନୁବାଦ ସାହିତ୍ୟ। କେବଳ ଏତିକି ନୁହେଁ ଜଣେ ସମୀକ୍ଷିକା ଭାବରେ ମଧ୍ୟ ସେ ବେଶ ସୁପରିଚିତ।

ପାରମିତା ଜଣେ ଜୀବନବାଦୀ ଗାଳ୍ପିକା। ସଂପର୍କ ଓ ଜୀବନ ବଞ୍ଚିବାର ବିଭିନ୍ନ ଦିଗ ଉପରେ ତାଙ୍କର ଗପଗୁଡିକ ପର୍ଯ୍ୟବେସିତ। ବଳିଷ୍ଠ ବିଷୟବସ୍ତୁ ସହ କଥନଶୈଳୀରେ ସାବଲୀଳତା, ମାନବ ଅସହାୟତାର କାୟା ବିସ୍ତାରକୁ ଚରିତ୍ର ମାଧ୍ୟମରେ ଉପସ୍ଥାପନ କଲାବେଳେ ପାରମିତା କୁହନ୍ତି ଯେ, ଏ ଚରିତ୍ରସବୁ କେବଳ ଚରିତ୍ର ନୁହନ୍ତି, ସମାଜର ସତ୍ୟ, ଯାହା ସେ ‘ଦରଦୀ ମନର ସମର୍ପଣ ଭାବନା ଓ ଶବ୍ଦମାନଙ୍କ ଉଷ୍ମତାକୁ ନେଇ’ ପରିବେଷଣ କରନ୍ତି।

ନାରୀ ମାନସିକତାର ବିଶ୍ଳେଷଣ, ସୂକ୍ଷ୍ମ ଅବବୋଧର ଅନ୍ଵେଷଣ ଏବଂ ଏକ ବଳିଷ୍ଠ କାହାଣୀର ଆଧାର ତାଙ୍କ କାହାଣୀକୁ ଏକ ଭିନ୍ନ ପରିଚୟ ଦେଇଥାଏ। ଜୀବନବାଦୀ କାହାଣୀକାର ସତ୍ତ୍ୱେ ପାରମିତାଙ୍କ କବିତା, ଚେତନା ଏବଂ ମାନସିକତାକୁ ବହୁତ ପ୍ରଭାବିତ କରିଥାଏ।

ସ୍ଵତନ୍ତ୍ର କଳାତ୍ମକ ଢଙ୍ଗରେ ଗପ କବିତା ଲେଖିବା ସହ ସେ ଅନୁବାଦ କ୍ଷେତ୍ରରେ ମଧ୍ୟ ସାମାଜିକ ଓ ସାଂସ୍କୃତିକ ଦାୟିତ୍ଵ ତୁଲାଇଥାନ୍ତି। ଉଭୟ ହିନ୍ଦୀ ଓ ଓଡ଼ିଆ ଭାଷାରେ ଲେଖି ସାହିତ୍ୟର ପ୍ରସାର ଓ ପ୍ରଚାର କରିଛନ୍ତି।

Sahitya Akademi Award Odia Literature
Advertisment
Advertisment