ପାଣ୍ଡବମାନେ କାମ୍ୟକ ବନରେ ଥାଆନ୍ତି । ଦିନେ ପାଞ୍ଚଭାଇ ଖାଦ୍ୟ ଅନ୍ୱେଷଣରେ ବାହାରି ଯାଇଥାନ୍ତି । ଦ୍ରୌପଦୀ ଗୋଟେ ଗଛ ତଳେ ଏକା ଏକା ବସିଥାନ୍ତି । ଚାରି ପାଖର ବଣ ଜଙ୍ଗଲକୁ ଦେଖୁଥାନ୍ତି । ପୁରୁଣା ଦିନ କଥା ଭାବୁଥାନ୍ତି । କୁରୁ ସଭାତଳେ ତାଙ୍କ ଅପମାନକୁ ଯେତେ ଭୁଲିବାକୁ ଚାହୁଁଥାନ୍ତି ତାହା ସେତେ ସେତେ ମନେପଡୁଥାଏ । ଆଖିରୁ ବହି ଯାଉଥାଏ ଲୁହ ଧାର ।
ହଠାତ୍ ପାଞ୍ଚାଳୀଙ୍କ ଅନ୍ୟମନସ୍କତା ଭାଙ୍ଗିଗଲା। ଅଳ୍ପ ଦୂରରେ ରଥ ଗୋଟେ ଆସି ରହିଲା । ତାଙ୍କୁ ଆଶ୍ଚର୍ଯ୍ୟ କରି ରଥରୁ ଓହ୍ଲାଇଲେ ସିନ୍ଧୁ ନରେଶ ଜୟଦ୍ରଥ । ସାନ ନଣନ୍ଦ ଦୁଃଶୀଳାଙ୍କ ସ୍ୱାମୀ । କୌରବ ଶହେ ଭାଇଙ୍କ ଏକମାତ୍ର ସାନ ଭଉଣୀ । ବନବାସ କାଳରେ ହଠାତ ଜୟଦ୍ରଥଙ୍କୁ ଦେଖି କେତେ କ'ଣ ଭାବିଗଲେ ଦ୍ରୌପଦୀ । ଭାବିଲେ ଜୟଦ୍ରଥ ହୁଏତ କୌରବ ଭାଇମାନଙ୍କ କୃତ କର୍ମ ପାଇଁ କ୍ଷମାପ୍ରାର୍ଥୀ ହୋଇ ଆସିଛନ୍ତି । ଦୁଃଖରେ ସମଭାଗୀ ହେବାକୁ ଆସିଛନ୍ତି କି? ହୁଏତ ଆମେ କେତେ ଦୁଃଖରେ ଅଛୁ ବୋଲି ମଜା ଦେଖିବାକୁ ଆସିଥାଇ ପାରନ୍ତି। କାହା ମନରେ କ'ଣ ଅଛି କିଏ ଜାଣେ?
ପାଖରେ କେହି ନଥିଲେ । ଜ୍ୱାଇଁ ଚର୍ଚ୍ଚା କରିବାକୁ ପାଖରେ କିଛି ନଥିଲା । ତଥାପି ଦ୍ରୌପଦୀ କୁଶ ଆସନ ପକାଇ ଜୟଦ୍ରଥଙ୍କୁ ବସିବାକୁ କହିଲେ । ପିଇବାକୁ ପାଣି ଦେଲେ । ପତ୍ର ଚଉପଦିରେ କିଛି ପାଚିଲା ଫଳ ଦେଲେ । ତା’ପରେ ଜୟଦ୍ରଥଙ୍କୁ କହିଲେ ଆପଣ କିଛି ସମୟ ଅପେକ୍ଷା କରନ୍ତୁ । ଆଉ ଅଳ୍ପ ସମୟ ପରେ ମୋ ସ୍ୱାମୀମାନେ ଫେରିବେ ।
ଦ୍ରୌପଦୀଙ୍କ କଥା ଶୁଣି ଜୟଦ୍ରଥ କହିଲେ ମୋର ଅନ୍ୟମାନଙ୍କ ପାଖରେ କି କାମ? ମୁଁ ତ ତୁମକୁ ଦେଖା କରିବାକୁ ଆସିଛି । ଜୟଦ୍ରଥଙ୍କ ଆଖିରେ କାମନାର ନିଆଁ । ତାପରେ ଦ୍ରୌପଦୀଙ୍କ ଆଗରେ ଜୟଦ୍ରଥ ସାଙ୍ଗରେ ଆଣିଥିବା ଏକ ପେଡି ଖୋଲି ଦେଖାଇଲେ । ପେଡିରେ ଅନେକ ପ୍ରକାରର ମୂଲ୍ୟବାନ ଅଳଙ୍କାର ଓ ଉପହାର ରହିଥିଲା । ଜୟଦ୍ରଥ କହିଲେ, ମୁଁ ଏଠାକୁ ଅଳ୍ପ ମାତ୍ର ଆଣିକି ଆସିଛି । ଆହୁରି ଅନେକ ସୁନ୍ଦର ସୁନ୍ଦର ଚିଜ ପାଖରେ ରଖିଛି । ତୁମେ ମୋ ସାଙ୍ଗରେ ସିନ୍ଧୁ ଦେଶ ଆସିଲେ ଦେବି ।
ଦ୍ରୌପଦୀ ଭାବିନଥିଲେ ନଣନ୍ଦ ଦୁଃଶୀଳାର ବର ଏତେ ନିଚ୍ଚ ଧରଣର ମଣିଷ ହୋଇଥିବ । ବିରକ୍ତିରେ କହିଲେ ତୁମେ କାହାକୁ କ'ଣ କହୁଛ ଜୟଦ୍ରଥ? ମୁଁ କିଏ ଜାଣିଛ ନା ନାହିଁ? ତୁମେ ଭୁଲିଯାଇଛ ଯେ ମୁଁ ପାଣ୍ଡବମାନଙ୍କ ପତ୍ନୀ ପାଞ୍ଚାଳୀ । ଇନ୍ଦ୍ରପ୍ରସ୍ଥର ମହାରାଣୀ ମୁଁ । ଏମିତିକା ଅଭଦ୍ର ପ୍ରସ୍ତାବ ଦେବାକୁ ତୁମକୁ ଖରାପ ଲାଗୁନି କେମିତି ? ନୀଚ କୌରବ ଭାଇମାନଙ୍କ ପରି ତୁମର ବି ବୁଦ୍ଧି ଭ୍ରଷ୍ଟ ହୋଇସାରିଛି । ଧର୍ମ ଅଧର୍ମର ଫରକ ତୁମେ ବୁଝିପାରୁନ ।
ଜୟଦ୍ରଥ ଅଟ୍ଟହାସ୍ୟ କରି କହିଲେ ମୁଁ କିଛି ବି ଭୁଲିନି ସୁନ୍ଦରୀ। ତୁମ ମନଲୋଭା ସୌନ୍ଦର୍ଯ୍ୟ ଭୁଲିନି ବୋଲି ତ ଖୋଜି ଖୋଜି ଏଇଠି ଆସି ପହଞ୍ଚିଛି । ତୁମେ ନିଜେ ବୋଧହୁଏ ଭୁଲିସାରିଛ ଇନ୍ଦ୍ରପ୍ରସ୍ଥ ଆଉ ତୁମର ହେଇ ରହିନି । ଏବେ ତୁମମାନଙ୍କ ପାଖରେ କିଛି ବି ନାହିଁ । ତୁମ ସ୍ୱାମୀ ଯେତେବେଳେ ରାଜା ନୁହଁନ୍ତି, ତୁମେ ରାଣୀ କେମିତି ହେବ? ମୁଁ ତ ତୁମକୁ ସେଇ ରାଣୀ କରିବାର ପ୍ରସ୍ତାବ ଦେଉଛି । କେତେଦିନ ଏଇ ବଣ ଜଙ୍ଗଲରେ ଭିକାରୀ ସ୍ୱାମୀମାନଙ୍କ ସାଙ୍ଗରେ ଛିଣ୍ଡା ଫଟା ଲୁଗା ପିନ୍ଧି ଅଖିଆ ଅପିଆ ବୁଲିବ? ମୋ ରାଜପ୍ରାସାଦରେ ଆହୁରି ଅନେକ ରାଣୀ ଅଛନ୍ତି । ସେମାନଙ୍କ ସାଙ୍ଗରେ ତୁମେ ବି ମହାଆନନ୍ଦରେ ରହିବ। ସବୁ କିଛିର ବ୍ୟବସ୍ଥା ବି କରିଦେବି । ବିଳମ୍ବ କରନି ଆସ ଯିବା ।
ପରମ ଘୃଣାରେ ସେଠୁ ଉଠି ଚାଲି ଯିବାକୁ ବାହାରିଲା ବେଳକୁ ଜୟଦ୍ରଥ ପାଞ୍ଚାଳୀଙ୍କ ହାତକୁ ଧରି ପକାଇଲେ ଓ କହିଲେ, ପାଞ୍ଚ ସ୍ୱାମୀଙ୍କୁ ନେଇ ଘର କରିଛ । ତୁମ ଚରିତ୍ର ବିଷୟରେ ମୁଁ ଜାଣେ । ମୋତେ ଧର୍ମ ଅଧର୍ମର ଜ୍ଞାନ ଦିଅନି । ମୋ କଥା ମାନ, ପାଣ୍ଡବ ଭାଇମାନେ ଆସି ଏଠି ପହଞ୍ଚିବା ଆଗରୁ ଭଲରେ ଭଲରେ ମୋ ସାଙ୍ଗରେ ବାହାରି ଆସ । ମୁଁ ତୁମକୁ ସାଙ୍ଗରେ ନେବା ପାଇଁ ରଥ ଆଣି ଆସିଛି।

ଜୟଦ୍ରଥଙ୍କ କବଳରୁ ଦ୍ରୌପଦୀ ମୁକୁଳିବାକୁ ଅନେକ ଚେଷ୍ଟା କରିବି ଖସି ପାରିଲେନି । କଥାମାନି ଦ୍ରୌପଦୀ ରଥରେ ଆସି ବସିଲେନି ବୋଲି ଜୟଦ୍ରଥ ଆଉ ବେଶି ସମୟ ଟଣା ଓଟରା ନକରି ଶେଷରେ ଦ୍ରୌପଦୀଙ୍କୁ ଜବରଦସ୍ତ ଉଠେଇ ନେଇ ରଥରେ ରଖିଦେଲେ ଓ ତୀବ୍ର ବେଗରେ ତାଙ୍କ ରଥ ଚଲାଇ ସେଠୁ ବାହାରିଗଲେ ।
ଦ୍ରୌପଦୀ ଚିତ୍କାର କରୁଥା'ନ୍ତି ଓ ଅସହାୟ ଭାବରେ କାନ୍ଦୁଥା'ନ୍ତି । ଚାରି ପାଖକୁ ଚାହିଁ ସାହାଯ୍ୟ ମାଗୁଥା'ନ୍ତି । ଘନ ଜଙ୍ଗଲ ଭିତରେ ତାଙ୍କ ଆଖପାଖରେ କେହି ନଥିଲେ ଯିଏ ତାଙ୍କୁ ସାହାଯ୍ୟ କରି ପାରିଥାନ୍ତା । କିନ୍ତୁ କିଛି ବାଟ ଗଲା ପରେ କେତେଜଣ ତପସ୍ୱୀ ଦେଖିଲେ ଜୟଦ୍ରଥ ଜୋର ଜବରଦସ୍ତ ଦ୍ରୌପଦୀଙ୍କୁ ରଥରେ ବସେଇ ନେଇଯାଉଛି । ସେମାନେ ବିଳମ୍ବ ନକରି ପାଣ୍ଡବମାନଙ୍କୁ ଯାଇ ଖବର ଦେଲେ ଯେ, ଦୁଷ୍ଟ ସିନ୍ଧୁ ନରେଶ ଦ୍ରୌପଦୀଙ୍କୁ ଜବରଦସ୍ତ ନେଇଯାଉଛି ।
ଭୀମ ଓ ଅର୍ଜୁନ ତୁରନ୍ତ ଜୟଦ୍ରଥଙ୍କ ରଥକୁ ଧରିବାକୁ ଧାଇଁଲେ । କିଛି ବାଟ ଗଲାପରେ ରଥ ଦିଶିଲା । ଡେରି ନକରି ଅର୍ଜୁନ ଗାଣ୍ଡିବରେ ତୀର ସନ୍ଧାନ କଲେ । ପ୍ରଥମେ ରଥର ଚକ ଅଖଞ୍ଜ କଲେ ଓ ପରେ ପରେ ଆଉ ତୀର ମାରି ପୂରା ରଥକୁ ଭାଙ୍ଗିଦେଲେ ଅର୍ଜୁନ । ଭୀମ ତାଙ୍କ ବଳଶାଳୀ ବାହୁରେ ଜୟଦ୍ରଥକୁ ଉପରକୁ ଉଠେଇ ତଳେ ଥରେ କଚାଡି ଦେଲେ । ସେଦିନ ଜୟଦ୍ରଥଙ୍କ ଜୀବନ ଭୀମଙ୍କ ହାତରେ ନିଶ୍ଚୟ ଯାଇଥାନ୍ତା। ଚରମ କ୍ରୋଧରେ ଭୀମ ତାଙ୍କ ଗଦା ଉଠେଇ ଜୟଦ୍ରଥଙ୍କ ମୁଣ୍ଡକୁ ପ୍ରହାର କରିବା ପୂର୍ବରୁ ଯୁଧିଷ୍ଠିର ଆସି ପହଞ୍ଚିଲେ । ଯୁଧିଷ୍ଠିର କହିଲେ, ନା ଭୀମ ଏ ହେଉଛି ଆମର ଏକ ମାତ୍ର ଭଉଣୀର ସ୍ୱାମୀ । ଜୟଦ୍ରଥକୁ ମାରି ଆମେ ଆମ ଭଉଣୀକୁ ବୈଧବ ଯନ୍ତ୍ରଣା ଦେଇ ପାରିବାନି । ତାକୁ ଛାଡିଦିଅ । ସେ ଯାଉ।

ଅଧିକ ପଢ଼ନ୍ତୁ: କୃଷ୍ଣଙ୍କ ଅଧା କୋଳି ଭୋଜନ ଓ ଶହେ ବ୍ରାହ୍ମଣଙ୍କ ପେଟ ପୂରିବା କଥା
ଜୟଦ୍ରଥଙ୍କୁ କ୍ଷମା କରିବାକୁ କିନ୍ତୁ କେହି ପ୍ରସ୍ତୁତ ନଥିଲେ । ଦ୍ରୌପଦୀ କାନ୍ଦି କାନ୍ଦି ଭୀମଙ୍କୁ କହୁଥିଲେ, ଏ ପରି ପାପୀକୁ କ୍ଷମା ଦେଲେ ଧର୍ମ ତୁମକୁ କ୍ଷମା କରିବନି । ଜଣେ ତା'ର କୁକର୍ମର ଫଳ ଅବଶ୍ୟ ଭୋଗ କରିବା ଉଚିତ । ଅର୍ଜୁନ ତାଙ୍କ ଗାଣ୍ଡିବରେ ତୀର ଖଞ୍ଜି ରଖିଥା'ନ୍ତି । ଭୀମ ଗଦା ଉଞ୍ଚେଇ ଠିଆ ହେଇଥା'ନ୍ତି । ଯୁଧିଷ୍ଠିର ବୁଝାଇ କହିଲା ପରେ ସମସ୍ତେ ବୁଝିଲେ ଓ ଜୟଦ୍ରଥଙ୍କୁ ଯିବାକୁ ଦେଲେ । ଭୀମ କହିଲେ, ଏମିତି ଖାଲିରେ ଖାଲିରେ ସହଜରେ କ୍ଷମା କଲେ ଚଳିବନି । ତାପରେ ଭୀମ ଜୟଦ୍ରଥଙ୍କୁ ଧରି ତାଙ୍କ ଚୁଟିକୁ ପାଞ୍ଚ ପାଣ୍ଡବଙ୍କ ନାଁରେ ପାଞ୍ଚ ବେଣ୍ଟିଆ କରି ପକାଇଲେ । ନିଜ କଲା କର୍ମର ଫଳ ଧରି ଅପମାନିତ ହୋଇ ଜୟଦ୍ରଥ ସିଧା ସିନ୍ଧୁ ଦେଶକୁ ଲେଉଟି ଗଲେ ।

ପାଣ୍ଡବ ଭାଇମାନେ ଜାଣିଲେ ଦୁର୍ଯ୍ୟୋଧନ ଓ ଶକୁନି ଆଦି ସେମାନଙ୍କୁ ଶାନ୍ତିରେ ରଖେଇ ଦେବେନି । ସେମାନେ ଠିକ କଲେ ଏବେ କାମ୍ୟକ ବନରୁ ବାହାରି ସେମାନଙ୍କୁ ଅନ୍ୟ କେଉଁଠିକି ଯିବାକୁ ହେବ। ତାପରେ ନିଷ୍ପତ୍ତି ନେଇ ସମସ୍ତେ କାମ୍ୟକ ବନରୁ ଦ୍ୱୈତବନକୁ ବାହାରିଲେ । ସାଙ୍ଗରେ ଥିବା ବ୍ରାହ୍ଣଣମାନେ ବି ପଛେ ପଛେ ଚାଲିଲେ । ଦ୍ୱୈତବନରେ ପହଞ୍ଚି ଅବସ୍ଥାନ କଲାବେଳକୁ ଆଖପାଖରେ ଥିବା ଋଷିମାନେ ଆସି ପାଣ୍ଡବ ଭାଇମାନଙ୍କୁ ଦେଖା କଲେ ଓ ଆଶୀର୍ବାଦ ଦେଲେ । ଋଷି ଦାଲଭ୍ୟ ଆସି ଅନେକ ଉପଦେଶ ଓ ଆଶୀର୍ବାଦ କରି କହିଲେ, ତୁମେମାନେ ନିଶ୍ଚୟ ଯଶ୍ୱସ୍ୱୀ ହେବ ।
ବନବାସ ଚାଲିଥାଏ । ଯୁଧିଷ୍ଠିର ଅଧିକ ସମୟ ବ୍ରାହ୍ମଣମାନଙ୍କ ସହ ବିତାଉଥାନ୍ତି । ବନବାସର ତେରମାସ ଶେଷ ହେଇଥାଏ । ଦ୍ରୌପଦୀ କିନ୍ତୁ ଏପରି ଅବସ୍ଥାକୁ ଗ୍ରହଣ କରୁନଥାନ୍ତି । ଅର୍ଜୁନ, ନକୁଳ ଓ ସହଦେବ ଚୁପ ରହିଥାନ୍ତି । ଭୀମ ଚାହୁଁଥାନ୍ତି ସିଧା ହସ୍ତିନାପୁରରେ ପହଞ୍ଚି ଅପମାନର ପ୍ରତିଶୋଧ ନିଅନ୍ତେ । ଦିନେ ଦ୍ରୌପଦୀ ଯୁଧିଷ୍ଠିରଙ୍କୁ କହିଲେ, ଆମେ ସମସ୍ତେ ଅକାରଣରେ ଏତେ ଦୁଃଖ କଷ୍ଟ ଭୋଗୁଛନ୍ତି । ସେପଟେ କୌରବ ଭାଇମାନେ ରାଜସୁଖ ଭୋଗ କରୁଛନ୍ତି । ଆପଣଙ୍କୁ କ'ଣ ସେମାନଙ୍କ ପ୍ରତି କିଛି ବି ରାଗ ହେଉନି କି ଆମମାନଙ୍କୁ ଦେଖି ମନରେ ଦୁଃଖ ଆସୁନି?
ଯୁଧିଷ୍ଠିର କହିଲେ କ୍ରୋଧରେ ମଣିଷର ବିବେକ ନଷ୍ଟ ହୁଏ । ସବୁ କଳହ ଓ ବିବାଦର ମୂଳ କଥା ହେଲା କ୍ରୋଧ । ଆମ ଆଚରଣରେ କ୍ଷମା ଓ ସହନଶୀଳତା ରହିବା କଥା । ଧର୍ମ ପଥରୁ ଆମେମାନେ କୌଣସି ପରିସ୍ଥିତରେ ବିଚ୍ୟୁତ ହେବା କଥା ନୁହେଁ । ଯୁଧିଷ୍ଠିରଙ୍କ ଉପଦେଶ ଶୁଣି ଭୀମ କହିଲେ, ଅଧିକ ଧର୍ମ ଆଚରଣ କରି ଆପଣଙ୍କ ବୁଦ୍ଧି ନାଶ ହୋଇ ସାରିଲାଣି । ଆପଣ ଭୁଲି ସାରିଲେଣି ଆମେ କ୍ଷତ୍ରୀୟ କୁଳରେ ଜନ୍ମ ହୋଇଛନ୍ତି । ଆପଣଙ୍କୁ ବ୍ରାହ୍ମଣଙ୍କ ପରି ଭିକ୍ଷା ବୃତ୍ତିକରି ବଞ୍ଚିବାକୁ ହୁଏତ ଭଲ ଲାଗୁଛି । ଆମ ଶତ୍ରୁମାନେ କପଟ ଓ ଛଳନାରେ ଆମକୁ ପରାଜିତ କରିଛନ୍ତି। ଏପରି ପରାଜୟକୁ ସ୍ୱୀକାର କରି ବଣ ଜଙ୍ଗଲରେ ଘୂରି ବୁଲିବାରେ ମୁଁ କୌଣସି କ୍ଷତ୍ରୀୟ ଜନୋଚିତ ବୀରତ୍ୱ ଦେଖିପାରୁନି। ଆପଣଙ୍କୁ ସମ୍ମାନ ଦେଖାଇ ଅନ୍ୟମାନେ ଚୁପ ଅଛନ୍ତି ।
କିନ୍ତୁ ଜାଣିରଖନ୍ତୁ, କେହି ବି ଆପଣଙ୍କ ନିଷ୍ପତ୍ତିରେ ଖୁସି ନୁହଁନ୍ତି । ଏବେ ପୂରା ବାର ବର୍ଷ ଆମେ ବଣ ଜଙ୍ଗଲରେ ଘୂରି ବୁଲିବା । ବାର ବର୍ଷ କିଛି କମ୍ ସମୟ ନୁହେଁ । ତାପରେ ପୁଣି ଗୋଟେ ବର୍ଷ ଅଜ୍ଞାତ ବାସ । ସେତେବେଳେ କୋଉଠି ଲୁଚିବା ଆମେ? କିଏ ନ ଜାଣିଛନ୍ତି ଆମକୁ? ଦେଖିବେ କୌରବମାନେ ଅତି ସହଜରେ ଆମକୁ ଖୋଜି ପାଇଯିବେ । ତାପରେ ପୁଣି ବାର ବର୍ଷ ବନବାସ ଓ ପୁଣି ବର୍ଷେ ଅଜ୍ଞାତ ବାସ । ଲାଗୁଛି ଆମେ ଆଉ କେବେ ବି ଇନ୍ଦ୍ରପ୍ରସ୍ଥ ଫେରିପାରିବାନି । ଆଜି ତେରମାସ ସରିଲା । ତେର ମାସକୁ ତେର ବର୍ଷ ବୋଲି ଭାବନ୍ତୁ । ବ୍ରାହ୍ମଣଙ୍କୁ ଭୋଜନ ଦେଇ ପାପ ମୁକ୍ତ ହୁଅନ୍ତୁ ଓ ମୋ କଥା ମାନି ଇନ୍ଦ୍ରପ୍ରସ୍ଥ ଫେରିଚାଲନ୍ତୁ ।
ଯୁଧିଷ୍ଠିର କହିଲେ, ମୁଁ ଜାଣେ ତୁମେ ସବୁ କ'ଣ ଭାବୁଛ । କିନ୍ତୁ ମୁଁ ପଶା ଖେଳ ପରି ନିନ୍ଦନୀୟ ଖେଳ ପାଖରେ ବସି ସର୍ବସ୍ୱ ହରେଇ ସାରିଛି । ଏବେ ଦେଇଥିବା କଥାକୁ ଭାଙ୍ଗି ଧର୍ମଦ୍ରୋହୀ ହେଇପାରିବିନି। ଯୁଧିଷ୍ଠିରଙ୍କ ଦୃଢତା ଦେଖି ଭୀମ ଓ ଦୌପଦୀ ଚୁପ ରହିଲେ ।
ଦିନେ ସେମାନଙ୍କ ପାଖରେ ମାର୍କଣ୍ଡେୟ ଋଷି ଆସି ପହଞ୍ଚିଲେ । ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଯେତେବେଳେ ଋଷ୍ୟମୁକ ପର୍ବତରେ ବାସ କରୁଥିଲେ ସେ ତାଙ୍କୁ ସାକ୍ଷାତ କରିଥିଲେ । ମାର୍କଣ୍ଡେୟ ଋଷି କହିଲେ, ତୁମେମାନେ ତେର ବର୍ଷ ପାଇଁ ବନବାସରେ ଆସିଛ । କିନ୍ତୁ ପ୍ରଭୁ ଶ୍ରୀରାମ ତ ଚଉଦ ବର୍ଷ ପାଇଁ ବନବାସରେ ଆସିଥିଲେ । ତାଙ୍କୁ ତାଙ୍କ ସାନଭାଇ ଲକ୍ଷ୍ମଣ ସ୍ୱେଚ୍ଛାରେ ବାର ବର୍ଷ କଷ୍ଟ ସହି ଅନୁସରଣ କରିଥିଲେ । ଶେଷରେ ଦୁଷ୍ଟ ରାବଣର ନିଧନ ହେଇଥିଲା । ତେଣୁ ଧୈର୍ଯ୍ୟର ସହ ତୁମମାନଙ୍କୁ ଏ ସମୟକୁ କାଟିବାକୁ ହେବ । ତାପରେ ମାର୍କଣ୍ଡେୟ ଋଷି ପାଣ୍ଡବମାନଙ୍କୁ ପୂରା ରାମାୟଣର କାହାଣୀ ଶୁଣାଇଲେ । ଅନେକ ଉପଦେଶ ଓ ଆଶୀର୍ବାଦ ଦେଇ ପାଣ୍ଡବମାନଙ୍କ ପାଖରୁ ବିଦାୟ ନେଲେ ।