• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ramakanta Samantaray

କୃଷ୍ଣ କାମ୍ୟକ ବଣରେ ବନବାସରେ ଥିବା ପାଣ୍ଡବମାନଙ୍କ ସହ କିଛି ସମୟ କଟାଇଲେ । ଦୁଃଖ ଓ ଅସହାୟତାରେ ଭାଙ୍ଗିପଡିଥିବା ସଖୀ ଦ୍ରୌପଦୀଙ୍କୁ ସାନ୍ତ୍ୱନା ଦେଲେ । ପାଞ୍ଚାଳୀଙ୍କୁ ଚାହିଁ ଅର୍ଜୁନ କହିଲେ, ସଖା ମଧୁସୂଦନ ଯାହା କହିଲେ ତାହା କେବେବି ଅନ୍ୟଥା ହେବନି । କୌରବମାନେ ସେମାନଙ୍କ କୃତକର୍ମର ପରାଭବ ଅବଶ୍ୟ ଭୋଗିବେ । 

କୃଷ୍ଣଙ୍କ ପଛେ ପଛେ ଚେଦିରାଜ ଧୃଷ୍ଟକେତୁ, ବୃଷ୍ଣି, ଭୋଜ ବଂଶର ବୀରଗଣ, କେକୟଗଣ ଓ ପାଞ୍ଚାଳଙ୍କ ଭାଇ ଧୃଷ୍ଟଦ୍ୟୁମ୍ନ ଆସି ପହଞ୍ଚି ଅଧର୍ମୀ କୌରବମାନଙ୍କ ବିନାଶ ଯୋଜନା ଆରମ୍ଭ କରିଥାନ୍ତି । କୌରବମାନଙ୍କ ଆଚରଣରେ ଅତିଷ୍ଠ ହେଇ ଆହୁରି କିଛି ବ୍ରାହ୍ମଣ ପାଣ୍ଡବ ଭାଇମାନଙ୍କ ସନ୍ଧାନରେ ଆସି କାମ୍ୟକ ବଣରେ ପହଞ୍ଚିଥାନ୍ତି । ବ୍ରାହ୍ମଣଙ୍କ ସହ ପାଣ୍ଡବମାନଙ୍କ ପୁରୋହିତ ଧୌମ୍ୟ ବି ଆସିଥାନ୍ତି । ସେମାନେ ସମସ୍ତେ ମିଶି ଯୁଧିଷ୍ଠିରଙ୍କୁ କହିଲେ, ଏବେବି ଆପଣ ଆମମାନଙ୍କର ରାଜା । ଚାଲନ୍ତୁ ଏଇଠି ଆପଣଙ୍କ ଦୁର୍ଦ୍ଦିନର ପ୍ରତିକାର ପାଇଁ ଏକ ଯଜ୍ଞର ଆୟୋଜନ କରିବା ।

ବ୍ରାହ୍ମଣମାନଙ୍କୁ ଯୁଧିଷ୍ଠିରଙ୍କ ଚାରିପାଖରେ ବସି କଥା ହେଉଥିବାର ଦେଖି ଦ୍ରୌପଦୀ କୃଷ୍ଣଙ୍କୁ କହିଲେ, ସଖା ଇନ୍ଦ୍ରପ୍ରସ୍ଥରେ ମୋ ଦୁଆର ମୁହଁରୁ କୌଣସି ବ୍ରାହ୍ମଣ କେବେବି ଖାଲି ପେଟରେ ବିଦା ହେଉନଥିଲେ । ପେଟପୁରା ଭୋଜନ ସହ ସେମାନଙ୍କୁ ଦାନ ଦକ୍ଷୀଣା ବି ଦିଆଯାଉଥିଲା । ହେଲେ ଦୁର୍ଯୋଗ ଦେଖ,ଆଜି ସେମାନଙ୍କୁ ଖୁଦ କଣାଟେ ବି ଦେବାକୁ ମୋ ପାଖରେ ସମ୍ବଳ ନାହିଁ। 

କୃଷ୍ଣ ଅନେଇ ଦେଖିଲେ ଯୁଧିଷ୍ଠିରଙ୍କୁ ବେଢୀ ତାଙ୍କ ଚାରିପାଖରେ ଶହେ ବ୍ରାହ୍ମଣ ବସିଛନ୍ତି । ସେଥିରୁ କିଛି କୌରବଙ୍କ ଉପରେ ବିରକ୍ତ ହୋଇ ଆସିଛନ୍ତି ତ କେତେଜଣ ଦୁର୍ଯ୍ୟୋଧନଙ୍କ କଥାରେ ଆସିଛନ୍ତି। ଦୁର୍ଯ୍ୟୋଧନଙ୍କ ଉଦ୍ଦେଶ୍ୟ ବଣରେ ଫଳ ମୁଳ ଖାଇ ବଞ୍ଚୁଥିବା ପାଣ୍ଡବମାନେ ବ୍ରାହ୍ମଣମାନଙ୍କ ଉପଯୁକ୍ତ ସତ୍କାର କରିନପାରି ଅପଦସ୍ଥ ହୁଅନ୍ତୁ ଓ ଧର୍ମ ଧର୍ମ ହେଉଥିବା ପାଣ୍ଡବ ଅଧର୍ମ କିଛି ରୋଜଗାର କରନ୍ତୁ। ସବୁ କିଛି ବୁଝିପାରିଲା ପରେ କୃଷ୍ଣ ଦ୍ରୌପଦୀଙ୍କୁ କହିଲେ, କଣ ସଖୀ ମୁଁ ଏତେ ଦୂରରୁ ତୁମକୁ ସାକ୍ଷାତ କରିବାକୁ ଆସିଲି ଅଥଚ ତୁମେ ଏଯାଇଁ ମୋ ଖାଇବା ପିଇବା କଥା କିଛିବି ବୁଝିଲନି । ଶୀଘ୍ର କିଛି ଖାଦ୍ୟର ବ୍ୟବସ୍ଥା କର। ମୋତେ ପ୍ରବଳ ଭୋକ ଲାଗିଲାଣି । 

ଦ୍ରୌପଦୀଙ୍କୁ ଲାଗିଲା ଯାହାକୁ ସେ ଡରୁଥିଲେ ଶେଷରେ ତାହାହିଁ ହେଲା । ଯାହା କିଛି ସାମନ୍ୟ ଫଳମୂଳ ଭାଇମାନେ ଜଙ୍ଗଲରୁ ଆଣିଥିଲେ ସେତକ ସରିସାରିଥିଲା । ଏବେ କୃଷ୍ଣଙ୍କୁ ଦେବାକୁ ତାଙ୍କ ପାଖରେ ନା କିଛି ଥିଲା ନା ହସ୍ତିନାରୁ ଆସି ପହଞ୍ଚିଥିବା ବ୍ରାହ୍ମଣଙ୍କୁ ଦେବାକୁ କିଛି ଥିଲା । କ'ଣ କରିବେ ସେ ଏବେ? ବଡ ଚିନ୍ତାରେ ପଡିଗଲେ ପାଞ୍ଚାଳୀ । କୃଷ୍ଣ ସବୁ ଜାଣି ନଜାଣିଲା ପରି କହିଲେ ବ୍ୟସ୍ତ ହବାର ନାହିଁ, ଯାହା ଅଛି ଯେତିକି ଅଛି ଶୀଘ୍ର ଦିଅ। ଆଉ ରହିହେବନି । କୃଷ୍ଣ ଆସି ପହଞ୍ଚିଲା ବେଳକୁ ଦ୍ରୌପଦୀ କୋଳି ଡାଲାର ଶେଷ କୋଳିଟି ଖାଉଥିଲେ। ସେଇଥିରୁ ଅଧା ବଞ୍ଚିଥିଲା । କୃଷ୍ଣଙ୍କ ଆସିବା ଦେଖି ସେଇଟିକୁ ସେ ତାଙ୍କ ପିନ୍ଧା ଲୁଗାର ପଣତରେ ଗଣ୍ଠିକରି ବାନ୍ଧିଦେଇଥିଲେ । ଶେଷରେ ବଡ କୁଣ୍ଠାର ସହ ଦ୍ରୌପଦୀ ତାଙ୍କ ପଣତର ଗଣ୍ଠି ଖୋଲି ସେଇ ଅଧା କୋଳିଟିକୁ କୃଷ୍ଣଙ୍କ ହାତରେ ଦେଲେ । 

କୃଷ୍ଣ ସେ ଅଧା କୋଳିକୁ ଖାଇ ପୁରା ଭୁରି ଭୋଜନ କଲାପରି ସନ୍ତୋଷ ମନରେ ପେଟ ଉପରେ ହାତ ବୁଲେଇ ଦେଲେ । କ୍ଷଣିକ ଭିତରେ ସେଠାରେ ଉପସ୍ଥିତ ଥିବା ସମସ୍ତ ବ୍ରାହ୍ମଣ ଓ ତପସ୍ୱୀମାନଙ୍କର ଭୋକ ଉଭାନ ହେଇଗଲା । ସେଥିରୁ କିଛି ବ୍ରାହ୍ମଣ ଯେଉଁମାନେ ଦୁର୍ଯ୍ୟୋଧନର କଥାରେ ଆସିଥିଲେ ପାଣ୍ଡବଙ୍କୁ ଅପଦସ୍ତ କରିବାକୁ ତାହା ଆଉ ସମ୍ଭବ ହେଲାନି । ସେମାନେ ସେମାନଙ୍କ ପଟରୁ କହିଲେ ଥାଉ ଆଜି ଆଉ କିଛି ଖାଇବାର ନାହିଁ। ପେଟ ଭରି ଖାଇସାରିଲା ପରର ଅନୁଭବ ସହ ହେକୁଟି ମାରି ସେମାନେ ଯୁଧିଷ୍ଠିରଙ୍କୁ ଆଶୀର୍ବାଦ କରି ଯେଝା ବାଟରେ ଫେରିଗଲେ । ସେମାନେ ବୁଝିସାରିଥିଲେ ପାଣ୍ଡବମାନଙ୍କ ସପକ୍ଷରେ ଧର୍ମ ଅଛନ୍ତି । 

ତାପରେ କୃଷ୍ଣ ଧୃତରାଷ୍ଟ୍ରଙ୍କୁ କହିଲେ ଏମିତି ପରିସ୍ଥିତି ପୁଣି ଆସିପାରେ । ତୁମେ ଏ ଜଙ୍ଗଲ ଭିତରେ ନିଜ ପାଇଁ ଅନ୍ୟ ଅତିଥି ଅଭ୍ୟାଗତଙ୍କ ପାଇଁ ଖାଇବା ସବୁବେଳେ ଯୋଗାଡ କରିପାରିବନି। ସେଥିପାଇଁ ସୂର୍ଯ୍ୟ ଦେବଙ୍କୁ ପ୍ରାର୍ଥନା କର । କୃଷ୍ଣଙ୍କ କଥା ଅନୁସାରେ ଯୁଧିଷ୍ଠିର ସୂର୍ଯ୍ୟ ଉପାସନା କଲେ । ପାଣ୍ଡବମାନଙ୍କ ପୁରୋହିତ ଧୌମ୍ୟ ଉପାସନାର ସମସ୍ତ ବିଧି ବିଧାନ ସମ୍ପନ୍ନ କଲେ। ଶେଷରେ ସୂର୍ଯ୍ୟ ଦେବ ସନ୍ତୁଷ୍ଟ ହେଇ ଯୁଧିଷ୍ଠିରଙ୍କୁ କେବେବି ଖାଦ୍ୟ ଶେଷ ହେଉନଥିବା ଏକ ଅକ୍ଷୟ ପାତ୍ର ପ୍ରଦାନ କଲେ । ଯୁଧିଷ୍ଠିର ପାତ୍ରଟିକୁ ଦ୍ରୌପଦୀଙ୍କ ହାତରେ ଧରେଇ ଦେଲେ । ଦ୍ରୌପଦୀ ତାଙ୍କ ସାନ ସାନ ପାଞ୍ଚ ପିଲାଙ୍କ ପାଇଁ ଚିନ୍ତାରେ ଥିଲେ । କୃଷ୍ଣ ତାଙ୍କ ଭଉଣୀ ସୁଭଦ୍ରା, ଭଣଜା ଅଭିମନ୍ୟୁ ଓ ପାଞ୍ଚାଳୀଙ୍କ ପାଞ୍ଚ ପୁଅଙ୍କୁ ଦ୍ୱାରକା ନେଇଯିବେ ବୋଲି ପ୍ରସ୍ତାବ ଦେଲେ । କୃଷ୍ଣ ସେମାନଙ୍କ ଦାୟିତ୍ୱ ନେବାରୁ ଦ୍ରୌପଦୀ ଆଶ୍ବସ୍ତ ହେଲେ ଓ କୃଷ୍ଣଙ୍କୁ ଧନ୍ୟବାଦ ଦେଲେ । ସମସ୍ତଙ୍କ ଠାରୁ ବିଦାୟ ନେଇ କୃଷ୍ଣ ଦ୍ୱାରକା ବାହୁଡି ଗଲେ । 

ସେପଟେ ହସ୍ତିନାପୁରରେ ଦୁର୍ଯ୍ୟୋଧନ, ଶକୁନି, ଦୁଃଶାସନ ଓ କର୍ଣ୍ଣ ମନ୍ତ୍ରଣା କରି ସିଦ୍ଧାନ୍ତ ନେଲେ କାହାକୁ କିଛି ନକହି ସିଧା କାମ୍ୟକ ବଣରେ ପହଞ୍ଚି ପାଣ୍ଡବମାନଙ୍କୁ ଆକ୍ରମଣ କରି ନିଧନ କରିବେ। ଏ ଖବର କାନରୁ ଦୁଇ କାନ ହେଇ ବ୍ୟାସ ଦେବଙ୍କ ପାଖରେ ପହଞ୍ଚିଲା । ବ୍ୟାସଦେବ ତୁରନ୍ତ ହସ୍ତିନାପୁରରେ ପହଞ୍ଚିଲେ ଓ ଧୃତରାଷ୍ଟ୍ରଙ୍କୁ ଦେଖାକଲେ । କହିଲେ ଏ ସବୁ ମୁଁ କ'ଣ ଶୁଣୁଛି ? ପାଣ୍ଡବ ଭାଇମାନେ ବାର ବର୍ଷ ବନବାସ ଓ ବର୍ଷେ ଅଜ୍ଞାତବାସ ସାରି ଫେରିଲା ପରେ କୌରବ ଭାଇମାନଙ୍କୁ କେବେବି କ୍ଷମା ଦେବେନି । ତୁମେ ଦୁର୍ଯ୍ୟୋଧନ ଓ ଶକୁନି କଥାରେ ପଡି ପଶା ଖେଳ ପାଇଁ ଅନୁମତି ଦେଇ ବହୁତ ବଡ ଭୁଲ କରିସାରିଛ । ଏବେବି ସମୟ ଅଛି ପାଣ୍ଡବମାନଙ୍କୁ ତୁରନ୍ତ ବଣରୁ ଫେରାଇ ଆଣ ଓ ସେମାନଙ୍କୁ ସେମାନଙ୍କ ରାଜ୍ୟ ଓ ରାଜ ସିଂହାସନ ଫେରାଇଦିଅ । ଏଥିରେ ଉଭୟଙ୍କର ମଙ୍ଗଳ ହେବ । ତୁମ ପରି ପଣ୍ଡୁ ଓ ବିଦୁର ମଧ୍ୟ ମୋର ପୁତ୍ର । ମୁଁ କାହା ସପକ୍ଷରେ ଅବା କାହା ବିପକ୍ଷରେ କିଛି କହୁନାହିଁ । ପଣ୍ଡୁଙ୍କର ମୃତ୍ୟୁ ପରେ ତୁମେ ତାଙ୍କ ପାଞ୍ଚ ପିଲାଙ୍କର ଦାୟିତ୍ୱ ନେବା କଥା । ଦାୟିତ୍ୱ କ'ଣ ନେବ ତୁମେ ତ ସେମାନଙ୍କୁ ଦେଶାନ୍ତରୀ କରି ପୁରା ତେର ବର୍ଷ ପାଇଁ ବନବାସରେ ପଠେଇ ସାରିଛ । 

ମହାଭାରତ କଥାମହାଭାରତ କଥା

ଧୃତରାଷ୍ଟ୍ର ସବୁ ଜାଣି ତଥାପି ଅଜଣାଙ୍କ ପରି ବ୍ୟବହାର କରୁଥାନ୍ତି। ବ୍ୟାସ ଦେବଙ୍କ କଥା ଶୁଣି ସାରି ସେ ବ୍ୟାସ ଦେବଙ୍କୁ ଓଲଟି ଅନୁରୋଧ କଲେ ଦୁର୍ଯ୍ୟୋଧନଙ୍କୁ ଯାଇ ବୁଝାଇବାକୁ ।

ବ୍ୟାସ ଦେବ ବୁଝିପାରୁଥିଲେ ତାଙ୍କ ପରାମର୍ଶର କୌଣସି ପ୍ରଭାବ ଧୃତରାଷ୍ଟ୍ରଙ୍କ ଉପରେ ପଡିନି । ସେ ବଡ ଦୁଃଖିତ ହୋଇ କହିଲେ ଶକୁନି ଓ କର୍ଣ୍ଣଙ୍କ ଛଡା ତୁମ ପୁତ୍ର ଆଉ ତୁମେ କାହା କଥା ଶୁଣିବନି । ମୋର ଯାହା କହିବା କଥା ମୁଁ କହିଲି । ତେଣିକି ତୁମ ଇଚ୍ଛା । ଏତିକି କହି ବ୍ୟାସ ଦେବ ପାଣ୍ଡବମାନଙ୍କୁ ଦେଖା କରିବାକୁ କାମ୍ୟକ ବନ ଉଦ୍ଦେଶ୍ୟରେ ବାହାରିଗଲେ । 

ବ୍ୟାସଦେବ ବିଦାୟ ନେଲାପରେ ଧୃତରାଷ୍ଟ୍ରଙ୍କ ପାଖରେ ମୈତ୍ରେୟ ମୁନି ଆସି ପହଞ୍ଚିଲେ । ସେ ହସ୍ତିନା ଆସିଲା ବେଳକୁ କାମ୍ୟକ ବନରେ ପାଣ୍ଡବ ପାଞ୍ଚ ଭାଇ ଓ ଦ୍ରୌପଦୀଙ୍କୁ ଭେଟି ଆସିଥାନ୍ତି । ମୈତ୍ରେୟ ମୁନିଙ୍କୁ ପାଖରେ ପାଇ ଧୃତରାଷ୍ଟ୍ର ତାଙ୍କର ଯଥାରୀତି ସତ୍କାର କଲେ ଓ ପାଣ୍ଡବ ମାନଙ୍କ ଭଲ ମନ୍ଦ ବିଷୟରେ ପଚାରିଲେ । ମୈତ୍ରେୟ ମୁନି କହିଲେ ତୀର୍ଥଯାତ୍ରା ସମୟରେ ସେ ପାଣ୍ଡବ ମାନଙ୍କୁ ମୃଗଚର୍ମ ପରିହିତ ହୋଇ କାମ୍ୟକ ବନରେ ଦେଖିଲେ । କିନ୍ତୁ କୁରୁସଭାରେ ଏତେ ଗୁଣୀ ଜ୍ଞାନୀ ବିଜ୍ଞ ବ୍ୟକ୍ତିମାନେ ଥିବା ସମୟରେ ଏମିତି ଅଘଟଣା ଘଟିଲା କେମିତି? ତାପରେ ସେ ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନଙ୍କୁ ପାଣ୍ଡବମାନଙ୍କ ସହ ଶତୃତା ନୁହେଁ ମିତ୍ରତା କରିବାକୁ ଉପଦେଶ ଦେଲେ । ମୈତ୍ରେୟ ମୁନିଙ୍କ ଉପଦେଶ ଶୁଣି ଦୁର୍ଯ୍ୟୋଧନ ଉପହାସ କରିବାରୁ ମୁନି ଅତ୍ୟନ୍ତ କ୍ରୋଧିତ ହୋଇ କହିଲେ ତୁମ କ୍ଷମତାର ଗର୍ବ ବେଶୀ ଦିନ ରହିବନି । 

ତାପରେ ମୈତ୍ରେୟ ମୁନି କହିଲେ, ତୁମେମାନେ ପାଣ୍ଡବମାନଙ୍କୁ ବଣକୁ ପଠେଇ ଦେଲ ସତ, କିନ୍ତୁ ସେଠାରେ ସେମାନେ ଆପଣା ବୀରତ୍ୱ ଓ ଧାର୍ମିକ ଆଚରଣ ପାଇଁ ଯଶ ଓ କୀର୍ତ୍ତି ପ୍ରାପ୍ତ ହେଇଛନ୍ତି । ତୁମେମାନେ ବୋଧହୁଏ ଜାଣିନ ପାଣ୍ଡବମାନେ ବଣରେ ବାସ କରିବାକୁ ଆରମ୍ଭ କଲା ବେଳକୁ ଭୀମଙ୍କ ହାତରେ ଏକଦା ମରିଥିବା ରାକ୍ଷସ ବକାସୁରର ଭାଇ କିର୍ମିରା ସେମାନଙ୍କୁ ଆକ୍ରମଣ କଲା । ମହା ବଳଶାଳୀ ଭୀମ ତା' ଭାଇକୁ ମାରିଲା ପରି କିର୍ମିରା ରାକ୍ଷସକୁ ବି ହତ୍ୟା କଲେ । ଆଗରୁ ସେ ଜଙ୍ଗଲରେ ଅନ୍ୟମାନଙ୍କୁ ହଇରାଣ କରୁଥିବା କିର୍ମିରା ରାକ୍ଷସର ନିଧନ ପରେ ସେଠାରେ ରହୁଥିବା ବନବାସୀ ଓ ତପସ୍ୱୀମାନେ ପାଣ୍ଡବମାନଙ୍କ ଜୟ ଜୟକାର କରୁଛନ୍ତି । ସେମାନଙ୍କ ଭଲ ମନ୍ଦ ବୁଝୁଛନ୍ତି । ସୂର୍ଯ୍ୟଙ୍କର କିରଣକୁ ଅନ୍ଧାର ନଲୁଚାଇପାରିବା ପରି ପାଣ୍ଡବମାନଙ୍କ ଶୌର୍ଯ୍ୟ ଓ ସୁଗୁଣକୁ କେହି ଲୁଚେଇ ପାରିବେନି ।  ସେମାନଙ୍କର ଭଲ ଯଦି କିଛି କରୁନ ତେବେ ମନ୍ଦ କରିବାକୁ ଆଉ ଚେଷ୍ଟା କରନି । ସେମାନଙ୍କୁ ଶାନ୍ତିରେ ବନବାସ କରିବାକୁ ଦିଅ । ମୁଁ ଜାଣିପାରୁଛି ତୁମ ଆଚରଣ ଓ ବୃଥା ଅଭିମାନ ତମକୁ ଶେଷରେ ରସାତଳରେ ନେଇ ଛାଡିବ । କେହି ତୁମକୁ ରକ୍ଷା କରିପାରିବେନି । ସେଥିପାଇଁ ପ୍ରସ୍ତୁତ ରୁହ କହି ମୈତ୍ରେୟ ମୁନି ହସ୍ତିନାପୁର ତ୍ୟାଗ କରି ଚାଲିଗଲେ । 

ମୁନିଙ୍କ କଥା ଶୁଣି କିଛି ସମୟ ଆଗରୁ ଶକୁନି ଓ କର୍ଣ୍ଣଙ୍କ ସହ ବଣରେ ଯାଇ ପାଣ୍ଡବମାନଙ୍କୁ ମାରିବେ ବୋଲି ଯେଉଁ ଯୋଜନାଟି ଦୁର୍ଯ୍ୟୋଧନ କରିଥିଲେ ତାକୁ ସ୍ଥଗିତ ରଖାଗଲା । ସେମାନଙ୍କୁ ଲାଗିଲା ତାଙ୍କ ଯୋଜନା ବିଷୟରେ ଖବର ପାଣ୍ଡବମାନେ ବୋଧେ ପାଇ ସାରିଛନ୍ତି । ହୁଏତ ବିଦୁର ସେମାନଙ୍କୁ ସତର୍କ ରହିବାକୁ କିଛି କହିଥାଇପାରନ୍ତି । ପାଣ୍ଡବମାନେ ବଣରେ ଯେ ଏକା ନୁହଁନ୍ତି ଜାଣିଲା ପରେ ଯୋଜନା ବଦଳାଇ ଦିଆଗଲା । କର୍ଣ୍ଣ କହିଲେ ଆମେ ଆକ୍ରମଣ ପାଇଁ ସିନା ଯିବାନି କିନ୍ତୁ ପାଣ୍ଡବମାନେ କେମିତି ଜଙ୍ଗଲରେ ଦୀନ ଦରିଦ୍ରଙ୍କ ପରି ଭୀକ୍ଷା ବୃତ୍ତି କରି ଚଳୁଛନ୍ତି ସେତକ ତ ଦେଖିବାକୁ ଯାଇପାରିବା । ଆମେ ଥାଟ ବାଟରେ ଯିବା ଓ ଆମକୁ ଦେଖି ସେମାନଙ୍କର ଗାତ୍ର ଦାହ ହେବ । ଶକୁନି କହିଲେ ନା ଏଇଟା ଠିକ ସମୟ ନୁହେଁ । ଆଉ କିଛି ଦିନ ଆମକୁ ଅପେକ୍ଷା କରିବାକୁ ହେବ । ପ୍ରଥମେ ଆମକୁ ଖବର ନେବାକୁ ହେବ ପାଣ୍ଡବମାନେ କେବେ ଏକୁଟିଆ ହେଉଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now