/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745135677.jpg)
Mahabharat Story
ଲୋମଶ ଋଷିଙ୍କ ପାଖରୁ ରାଜା ମାନ୍ଧାତାଙ୍କର କଥା ଶୁଣିସାରିଲା ପରେ ଯୁଧିଷ୍ଠିର ସୋମକ ରାଜାଙ୍କ ଶକ୍ତି ସାମର୍ଥ୍ୟ ଓ କୀର୍ତ୍ତି ବିଷୟରେ ଜାଣିବାକୁ ଚାହିଁଲେ ।
ସୋମକ ରାଜାଙ୍କର ଶହେ ରାଣୀ ଥିଲେ । କିନ୍ତୁ ଅନେକ ବର୍ଷ ପର୍ଯ୍ୟନ୍ତ ରାଜାଙ୍କର କୌଣସି ରାଣୀ ସନ୍ତାନ ଜନ୍ମ କରିବାକୁ ସକ୍ଷମ ହେଲେନି । ବହୁତ ଦିନ ବିତି ଗଲା ପରେ ଗୋଟିଏ ମାତ୍ର ପୁଅ ଜନ୍ମ ନେଲା । ପୁଅର ନାମ ରଖାଗଲା ଜନ୍ତୁ । ରାଣୀମାନେ ସେଇ ଗୋଟିଏ ପୁଅ ପଛରେ ସବୁ ବେଳେ ଲାଗିରହିଲେ । ପିଲାଟି ଶହେ ମାଆଙ୍କ ସ୍ନେହ ଶ୍ରଦ୍ଧାରେ ବଢିବାକୁ ଲାଗିଲା । ଦିନେ ଗୋଟେ ଛୋଟ ପିମ୍ପୁଡି ଟିକି ରାଜକୁମାରର ପିଚାକୁ କାମୁଡି ଦେଲା । ଯନ୍ତ୍ରଣାରେ ପିଲାଟି କାନ୍ଦିବାକୁ ଲାଗିଲା । ପିଲାର କାନ୍ଦ ଦେଖି ଶହେ ରାଣୀ ଉଚ୍ଚ ସ୍ୱରରେ କାନ୍ଦିବାକୁ ଲାଗିଲେ ।
ରାଜା ତାଙ୍କ ଦରବାରରେ ପାତ୍ର ମନ୍ତ୍ରୀ ଓ ପୁରୋହିତଙ୍କ ଗହଣରେ ବସିଥାନ୍ତି । ରାଣୀମାନଙ୍କ କାନ୍ଦ ଲହରୀ ରାଜଦରବାର ପର୍ଯ୍ୟନ୍ତ ଶୁଭିଲା । ରାଜା କିଛି ବୁଝିନପାରି ଜଣେ ପରିଚାରକଙ୍କୁ କ'ଣ ହେଲା ଖବର ନେବାକୁ ପଠେଇଲେ । ପରିଚାରକ ଆସି ରାଜାଙ୍କୁ କହିଲା, ରାଜକୁମାରଙ୍କୁ ପିମ୍ପୂଡି କାମୁଡିଛି । ଅଗତ୍ୟା ରାଜା ଅନ୍ତଃପୁରକୁ ଗଲେ ଓ ଟିକି ରାଜକୁମାରଙ୍କୁ ତୁନି କଲେ । ସେଉଠୁ ରାଜା ସୋମକ ତାଙ୍କ ଦରବାରକୁ ଫେରିଆସି କହିଲେ ଯାହାର ଗୋଟେ ମାତ୍ର ପୁଅ ତାକୁ ଧିକ । ଗୋଟେ ମାତ୍ର ପୁଅ ଯାହା ଆଦୌ ପୁଅ ନହେବା ବି ସେଇଆ । ନିଜ ଭାଗ୍ୟକୁ ନିନ୍ଦି ରାଜା ଆହୁରି କହିଲେ ଯେ, ପୁତ୍ର ଆଶାରେ ସେ ଶହେ ରାଣୀ ବିବାହ କରିଥିଲେ ହେଲେ ଶହେ ରାଣୀ ଗୋଟେ ମାତ୍ର ପୁଅ ଜନ୍ମ ଦେଲେ ।
ଅଧିକ ପଢ଼ନ୍ତୁ: ଇନ୍ଦ୍ରଙ୍କର ହୀନସ୍ତା ଓ ଗର୍ଭବାନ ହୋଇଥିବା ଜଣେ ରାଜାଙ୍କ କଥା
ରାଜାଙ୍କ ଦୁଃଖ ଓ ଅବଶୋଷ ଶୁଣି ରାଜ ପୁରୋହିତ କହିଲେ ସେଥିପାଇଁ ଉପାୟ ଅଛି । ରାଜା ପ୍ରସ୍ତୁତ ହେଲେ ସେ ଉପାୟ କହିବେ । ରାଜା ହଁ କରିବାରୁ ରାଜ ପୁରୋହିତ କହିଲେ ସେଥିପାଇଁ ପୁତ୍ରମେଧ ଯଜ୍ଞ ଗୋଟେ କରିବାକୁ ହେବ । ଯଜ୍ଞ କୁଣ୍ଡରେ ରାଜା ତାଙ୍କର ଏକ ମାତ୍ର ପୁଅ ଜନ୍ତୁଙ୍କୁ ନିକ୍ଷେପ କରିବେ। ରାଜକୁମାରଙ୍କ ମେଦ ଅଗ୍ନିରେ ଦଗ୍ଧ ହେଲାବେଳକୁ ସେଥିରୁ ଉତ୍ପନ୍ନ ଧୂଆଁକୁ ଶହେ ରାଣୀ ଆଘ୍ରାଣ କରିବେ । ତାପରେ ଶହେ ରାଣୀ ଶହେ ବଳବାନ ତେଜବାନ ପୁତ୍ର ଜନ୍ମ ଦେବେ । ରାଜକୁମାର ଜନ୍ତୁ ମଧ୍ୟ ମୃତ୍ୟୁ ପରେ ଆଉଥରେ ଜନ୍ମ ନେବେ । ସେତେବେଳେ ତାଙ୍କ ବାମ ଭାଗରେ ସୁନା ରଙ୍ଗର ଚିହ୍ନ ରହିବ ।
ରାଜା ଶହେ ପୁଅର ବାପା ହେବାକୁ ବ୍ୟଗ୍ର ଥିଲେ । ତେଣୁ ପୁରୋହିତଙ୍କ କଥାରେ ହଁ ମାରି ଯଜ୍ଞର ଆୟୋଜନ ପାଇଁ ଆଜ୍ଞା ଦେଲେ ।
ଯଜ୍ଞ ଆରମ୍ଭ ହେଲା । ରାଣୀମାନେ ଯଜ୍ଞର ଯୋଜନା କଥା ଶୁଣି ରାଜକୁମାର ଜନ୍ତୁଙ୍କୁ ପାଖରୁ ଅନ୍ତର କରିବାକୁ ଚାହିଁଲେନି । ସାମାନ୍ୟ ପିମ୍ପୁଡି କାମୁଡିଥିଲା ବୋଲି ଏତେ ଉଚ୍ଚ ସ୍ୱରରେ କାନ୍ଦୁଥିବା ରାଣୀମାନେ ଏଡିକି ଟିକେ ସାନପିଲାଟିକୁ ଯଜ୍ଞ ନିଆଁ ଫିଙ୍ଗିବା କଥାକୁ କେମିତି ବା ଗ୍ରହଣ କରିଥାନ୍ତେ? ପୂର୍ଣ୍ଣାହୁତି ସମୟରେ ରାଜକୁମାର ଜନ୍ତୁଙ୍କର ଗୋଟେ ପଟ ହାତକୁ ରାଣୀ ମାନେ ଟାଣୁଥାନ୍ତି ତ ଅନ୍ୟ ହାତକୁ ରାଜ ପୁରୋହିତ ଓ ରାଜା ଟାଣୁଥାନ୍ତି । ଶେଷରେ ରାଣୀମାନେ ଆଉ ବେଶି ସମୟ ରାଜକୁମାରଙ୍କୁ ରକ୍ଷା କରିପାରିଲେନି । ସେମାନଙ୍କ ପାଖରୁ ଛଡେଇ ନେଇ ଜନ୍ତୁଙ୍କୁ ବିଧି ଅନୁସାରେ ବଧ କରି ଯଜ୍ଞ କୁଣ୍ଡରେ ପକେଇ ଦିଆଗଲା ।
ଜନ୍ତୁଙ୍କ ମେଦ ହୋମ ନିଆଁ ପୋଡି ହେଇ ଧୂଆଁ ବାହାରିଲା । ଶହେ ରାଣୀ ସେ ଧୂଆଁକୁ ଆଘ୍ରାଣ କରିବା ସହ ଗର୍ଭବତୀ ହେଲେ ଓ ତା ସାଙ୍ଗରେ ପୁତ୍ର ଶୋକରେ ଅଧିରା ହୋଇ ମୂର୍ଚ୍ଛାଗଲେ । ଦଶ ମାସ ପରେ ରାଜା ସୋମକଙ୍କ ଶହେ ରାଣୀ ଶହେ ପୁଅଙ୍କୁ ଜନ୍ମ ଦେଲେ। ରାଜ ପୁରୋହିତଙ୍କ କଥା ଅନୁସାରେ ଜନ୍ତୁ ମଧ୍ୟ ସୁନାର ଚିହ୍ନ ସହ ଆଉଥରେ ଜନ୍ମ ନେଲେ ।
ଶହେ ପୁଅ ଓ ଶହେ ରାଣୀଙ୍କ ସହ ରାଜା ସୋମକ ଅନେକ ବର୍ଷ ଦେଶ ଶାସନ କଲେ । ଦିନେ ରାଜ ପୁରୋହିତଙ୍କର ମୃତ୍ୟୁ ହେଲା। ତା'ର କିଛି ଦିନ ପରେ ରାଜା ସୋମକ ମଧ୍ୟ ସ୍ୱର୍ଗାରୋହଣ କଲେ । ପରଲୋକରେ ପହଞ୍ଚି ରାଜା ଦେଖିଲେ ତାଙ୍କ ରାଜ ପୁରୋହିତ ନର୍କରେ ପଡି ଯନ୍ତ୍ରଣା ଭୋଗ କରୁଛନ୍ତି । ରାଜା ଆଶ୍ଚର୍ଯ୍ୟ ହୋଇ ପୁରୋହିତଙ୍କୁ ପଚାରିଲେ, ହେ ଗୁରୁଦେବ! ଆପଣଙ୍କ ପରି ଧର୍ମାତ୍ମା ଶେଷରେ କୋଉ ପାପ ପାଇଁ ନର୍କରେ ଯନ୍ତ୍ରଣା ଭୋଗ କରୁଛନ୍ତି?
ପୁରୋହିତ କହିଲେ, ହେ ରାଜା ତୁମର ଶହେ ପୁଅ ପ୍ରାପ୍ତି ପାଇଁ ଯେଉଁ ଯଜ୍ଞ ଅନୁଷ୍ଠାନ କରିଥିଲି ସେଇ ଯଜ୍ଞ ପାଇଁ ମୋତେ ଆଜି ଏହି ନର୍କ ଯନ୍ତ୍ରଣା ଭୋଗ କରିବାକୁ ହେଉଛି । ରାଜା ସୋମକ ଯମଙ୍କ ପାଖରେ ପହଞ୍ଚି କହିଲେ, ହେ ଧର୍ମରାଜ ରାଜ ପୁରୋହିତ ମୋ ପାଇଁ ଯଜ୍ଞ କରି ଆଜି ନର୍କରେ ସଢୁଛନ୍ତି । ତାଙ୍କ ବଦଳରେ ମୁଁ ନିଜେ ଏହି ନର୍କ କଷ୍ଟ ସହିବାକୁ ପ୍ରସ୍ତୁତ ଅଛି । ତାଙ୍କୁ ଦୟାକରି ମୁକ୍ତ କରନ୍ତୁ । ଯମ କହିଲେ କର୍ତ୍ତାର କର୍ମଫଳ କେବଳ କର୍ତ୍ତାକୁ ହିଁ ଭୋଗ କରିବାକୁ ହେବ। ତୁମେ ତ ସତ୍ କର୍ମ କରିଛ ତା'ର ସତ୍ ଫଳ ତୁମେ ଭୋଗ କରିବ । ଯମଙ୍କ ଉତ୍ତର ଶୁଣି ରାଜା ସୋମକ କହିଲେ, ହେ ଧର୍ମରାଜ ପୁରୋହିତଙ୍କୁ ଛାଡି ସତ୍ କର୍ମର ଫଳ ନେଇ କୌଣସି ପୂଣ୍ୟଲୋକରେ ମୋର ବାସ କରିବାର ନାହିଁ । ଆମ ଦୁହିଁଙ୍କ କର୍ମ ସମାନ ତେଣୁ କର୍ମ ଫଳ ବି ସମାନ ହେବା ଉଚିତ।
ଧର୍ମରାଜ କହିଲେ ହେଉ ସେଇଆ ହିଁ ହେଉ । ତୁମର ଇଚ୍ଛା ପୂରଣ ହେଉ । ତୁମେ ଦୁହେଁ ସମାନ ଭାବରେ କର୍ମ ଫଳ ଏବେ ଭୋଗ କର । ତାପରେ ରାଜା ସୋମକ ଓ ତାଙ୍କ ରାଜ ପୁରୋହିତ କିଛି ଦିନ ନର୍କରେ ରହିଲା ପରେ ପୂଣ୍ୟାଶ୍ରମକୁ ଚାଲିଗଲେ ।
ରାଜା ସୋମକଙ୍କ ଜୀବନ ଗାଥା ପାଣ୍ଡବମାନଙ୍କୁ କହିସାରି ଲୋମଶ ଅନତି ଦୂରରେ ଦିଶୁଥିବା ଏକ ଆଶ୍ରମ ଦେଖାଇ କହିଲେ ସେ ଆଶ୍ରମରେ କେହି ଛଅ ରାତି ନିଷ୍ଠାପର ଭାବରେ ରହିଲେ ସଦଗତି ଲାଭ କରିବ । ଏଇ ସ୍ଥାନରେ ପ୍ରଜାପତି ହଜାରେ ବର୍ଷ ଧରି ଯଜ୍ଞ କରିଥିଲେ । ଅମ୍ବରୀଶ ଓ ଯଯାତି ଆଦି ମହାନ ରାଜା ମଧ୍ୟ ଯଜ୍ଞ ଅନୁଷ୍ଠାନର ଆୟୋଜନ କରିଥିଲେ । ସେ ସ୍ଥାନ ସମ୍ପର୍କରେ ଗୋଟେ ଆଖ୍ୟାନ ରହିଛି ଶୁଣନ୍ତୁ । ସେଇଠି ଗୋଟେ ପିଶାଚିନୀ ରହୁଥିଲା । ଥରେ ଜଣେ ବ୍ରାହ୍ମଣୀ ତା'ର ପିଲାକୁ ଧରି ତୀର୍ଥରେ ସ୍ନାନ କରିବାକୁ ଆସିଥାଏ । ସ୍ନାନ ପୂର୍ବରୁ ପିଶାଚୀ ବ୍ରାହ୍ମଣୀକୁ କହିଲା, ଯିଏ ଓଟ ଅବା ଗଧ କ୍ଷୀରରୁ ତିଆରି ଦହି ଖାଇଥିବ, ଶଙ୍କର ଜାତୀୟ ଲୋକେ ବାସ କରୁଥିବା ଗାଁରେ ରହିଥିବ, ଦସ୍ୟୁମାନେ ହତ୍ୟା କରି, ନ ପୋଡି, ଶବକୁ ସିଧା ପାଣିକୁ ଫିଙ୍ଗିଦେଇଥିବା ନଦୀରେ ଗାଧୋଇଥିବ, କେବଳ ସେଇ ପାପୀ ହିଁ ଏଠାରେ ତା'ର ପାପ କ୍ଷୟ ଉଦ୍ଦେଶ୍ୟରେ ଅଧିକ ଦିନ ରହିବ । ତୁମେ ଯଦି ଏଇ ସବୁ ପାପ ନକରି ଏଠାରେ ଅଧିକ ଗୋଟେ ରାତି ରହିବ ତେବେ ତୁମର ନିଶ୍ଚୟ ଅନିଷ୍ଟ ହେବ । କଥା ନଶୁଣିବାରୁ ପିଶାଚୀ ରାଗି ବ୍ରାହ୍ମଣୀର ଘଟକଳସ ଭାଙ୍ଗିଲା ଓ କହିଲା ସର୍ତ୍ତ ପୂରଣ ନକରି ତୁ ଯଦି ଅଧିକ ଦିନ ଏଠାରେ ରହିବୁ ମୁଁ ତୋତେ ଓ ତୋ ପୁଅକୁ ଖାଇଦେବି ।
ଲୋମଶ ଋଷି ପାଣ୍ଡବମାନଙ୍କୁ କହିଲେ ଆମେ ଏଇଠି ମାତ୍ର ଗୋଟେ ହିଁ ରାତି ରହି ଅନ୍ୟ ତୀର୍ଥକୁ ଚାଲିଯିବା । ତାପରେ ସେମାନେ ସରସ୍ୱତୀ, ସିନ୍ଧୁ, ବିପାଶା, କାଶ୍ମୀର ମଣ୍ଡଳ, ମାନସରୋବର ଆଦି ଅନେକ ଅଞ୍ଚଳ ବୁଲିଲେ । ବାଟରେ ପାଣ୍ଡବ ପରିବାରକୁ ଲୋମଶ ଋଷି ଯମୁନା ନଦୀର ଉତ୍ତର ଦିଗରେ ପ୍ରବାହିତ ଜଳା ଓ ଉପଜଳା ନଦୀକୁ ଦେଖାଇ କହିଲେ, ଏଇ ନଦୀ କୂଳରେ ରାଜା ଉଶୀନର ଯଜ୍ଞ କରି ଦେବରାଜ ଇନ୍ଦ୍ରଙ୍କ ସମକକ୍ଷ ହୋଇଥିଲେ । ଉଶୀନରଙ୍କ କଥାଶୁଣି ଯୁଧିଷ୍ଠିର ଲୋମଶଙ୍କ ପାଖରୁ ପୂରା କାହାଣୀ ଶୁଣିବାକୁ ଚାହିଁଲାରୁ ଲୋମଶ ଗପିଲେ-
ଉଶୀନର ନାମରେ ଜଣେ ମହାନ ରାଜା ଏକଦା ଶାସନ କରୁଥାନ୍ତି। ଧର୍ମ, ନ୍ୟାୟ ମାର୍ଗରେ ବାଟ ଚାଲୁଥିବା ଉଶୀନରଙ୍କର ଜଣେ ମହାନ ଦାନୀ ଭାବରେ ପ୍ରସିଦ୍ଧି ଥାଏ । କେହି ଖାଲି ହାତରେ କେବେବି ତାଙ୍କ ଦରବାରରୁ ଫେରୁନଥିଲେ । ଥରେ ଇନ୍ଦ୍ରଦେବ ଓ ଅଗ୍ନିଦେବ ଉଶୀନରଙ୍କୁ ପରୀକ୍ଷା କରିବାକୁ ବାହାରିଲେ । ଅଗ୍ନିଦେବ କପୋତ ପକ୍ଷୀର ରୂପ ଧାରଣ କଲେ ଓ ଇନ୍ଦ୍ରଦେବ ବାଜ ପକ୍ଷୀର ରୂପ ଧାରଣ କଲେ । ଉଶୀନର ରାଜ ଦରବାରରେ ବସିଥା'ନ୍ତି । କପୋତ ପକ୍ଷୀ ରୂପୀ ଅଗ୍ନିଦେବ ସିଧା ଉଡିଆସି ରାଜାଙ୍କ କୋଳରେ ବସି ପଡିଲେ । ଭୟରେ କପୋତ ଥରୁଥାଏ । କପୋତ ପଛେ ପଛେ ରାଜାଙ୍କ ଦରବାରରେ ଆସି ପହଞ୍ଚିଲା ଗୋଟେ ବାଜ ପକ୍ଷୀ । ସମସ୍ତେ ଜାଣିଲେ ବାଜ ଶିକାର କରିବାକୁ କପୋତ ପଛରେ ପଡିଛି ସେଥିପାଇଁ କପୋତ ଭୟରେ ରାଜାଙ୍କ ଆଶ୍ରୟ ନେଇଛି ।
ବାଜ ପକ୍ଷୀ ରାଜାଙ୍କୁ କହିଲା - ହେ ରାଜା ଏ କପୋତ ମୋର ଶୀକାର । ମୁଁ ଏବେ ଭୀଷଣ ଭୋକିଲା ଅଛି । ଦୟାକରି ମୋତେ ମୋ ଖାଦ୍ୟ ଫେରାଇ ଦିଅନ୍ତୁ । ମୁଁ ମୋ ବାଟରେ ଚାଲିଯିବି । ଧର୍ମ ଅର୍ଜନ କରିବାକୁ ଆପଣ ପ୍ରତିବନ୍ଧକ ସାଜିବା ଠିକ ହେବନି । ଭୋକିଲା ପ୍ରାଣୀର ମୁହଁରୁ ତା'ର ଖାଦ୍ୟ ଛଡେଇ ନେବା ଅଧର୍ମ ହେବ ।
ମହାଭାରତରାଜା କହିଲେ - ହେ ପକ୍ଷୀରାଜ ଭୟରେ ଏହି କପୋତ ମୋର ଶରଣ ନେଇଛି । ଶରଣାଗତ ଜୀବକୁ ମରଣ ମୁହଁକୁ ଜାଣି ଜାଣି ଠେଲିଦେବା ଘୋର ଅନ୍ୟାୟ ହେବ । ବ୍ରାହ୍ମଣ ଅବା ଗାଈକୁ ହତ୍ୟା କଲେ ଯେଉଁ ପାପ ହୁଏ ଶରଣାଗତ ଜୀବକୁ ପରିତ୍ୟାଗ କଲେ ସମାନ ସେତିକି ପାପ ହୁଏ । ମୁଁ ଏ ଭୟଙ୍କର ପାପରେ ଭାଗିଦାରୀ ହେବାକୁ ଚାହୁଁନି ।
ବାଜ କହିଲା, ମହାରାଜ ବିନା ଖାଦ୍ୟରେ କୌଣସି ପ୍ରାଣୀ ଏ ସଂସାରରେ ବଞ୍ଚି ରହିପାରିବନି । ମୋର ଆଜିର ଆହାର ଏହି କପୋତକୁ ଆପଣ ମୋ ପାଖରୁ ଛଡେଇ ନେଲେ ଭୋକରେ ମୋର ନିଶ୍ଚୟ ମୃତ୍ୟୁ ହେବ । ମୋ ମୃତ୍ୟୁର ପାତକ ଆପଣଙ୍କୁ ଲାଗିବ । ତେଣୁ ଭାବିଚିନ୍ତି ଓ ଧର୍ମ ଅଧର୍ମକୁ ବିଚାର କରି ନିଜର କର୍ମପନ୍ଥା ନିର୍ଣ୍ଣୟ କରନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)