Advertisment

Mahabharat Story: ଇନ୍ଦ୍ରଙ୍କର ହୀନସ୍ତା ଓ ଗର୍ଭବାନ ହୋଇଥିବା ଜଣେ ରାଜାଙ୍କ କଥା

ଇନ୍ଦ୍ରଙ୍କର ହାତକୁ ଅକାମି କରିଦେଲେ ଚ୍ୟବନ ଋଷି। ଯଜ୍ଞ କୁଣ୍ଡରୁ ସୃଷ୍ଟି କଲେ ମଦ ନାମକ ଏକ ବିଶାଳ ରାକ୍ଷସ। ହେଲେ କାହିଁକି ରାଗିଲେ ଋଷି? ରାଜା କେମିତି ହେଲେ ଗର୍ଭବାନ? ରାଜା ଯୁବନାଶ୍ୱଙ୍କ ଗର୍ଭରୁ ପୁଣି କେମିତି ଜନ୍ମ ହେଲା ପୁଅଟିଏ? ପୁଅର ନାମ ମାନ୍ଧାତା କାହିଁକି ରଖାଗଲା? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ।

author-image
Ramakanta Samantaray
ଅଦ୍ୟତନ ହୋଇଛି
Mahabharat Story

Mahabharat Story

ଚ୍ୟବନ ଋଷି ଯୌବନ ଫେରି ପାଇବା ଖବର ଚାରିଦିଗରେ ବ୍ୟାପି ଗଲା। ରାଜା ଶର୍ଯ୍ୟାତିଙ୍କ ପାଖରେ ବି ଖବର ପହଞ୍ଚିଲା। ଝିଅ ଓ ଜ୍ୱାଇଁଙ୍କୁ ଦେଖା କରିବାକୁ ରାଜା ଆସି ଚ୍ୟବନଙ୍କ ଆଶ୍ରମରେ ପହଞ୍ଚିଲେ ଏବଂ ଝିଅର ବୁଦ୍ଧି ପାଇଁ ଏପରି ଅସମ୍ଭବ କଥା ସମ୍ଭବ ହେଲା ଜାଣି ବହୁତ ଖୁସି ହେଲେ। ଚ୍ୟବନ ମହର୍ଷି ରାଜା ଓ ତାଙ୍କ ପାରିଷଦଙ୍କର ଉପଯୁକ୍ତ ସତ୍କାର କଲେ। କଥା ହେଲା ବେଳକୁ ଋଷି ରାଜାଙ୍କୁ ଏକ ବିଶାଳ ଯଜ୍ଞ ଆୟୋଜନ କରିବାକୁ କହିଲେ। ଯଜ୍ଞରେ ସେ ନିଜେ ଯାଜକ ହେବେ ବୋଲି ପ୍ରତିଶୃତି ବି ଦେଲେ। ରାଜା ଋଷିଙ୍କ କଥାରେ ରାଜି ହୋଇ ଯଜ୍ଞର ଆୟୋଜନ ପାଇଁ ରାଜଧାନୀକୁ ଫେରିଗଲେ। 

Advertisment

ଯଜ୍ଞର ସମସ୍ତ ଆୟୋଜନ କରାଗଲା। ଚ୍ୟବନଙ୍କର ଉଦ୍ଦେଶ୍ୟ ହେଲା ସେ ଅଶ୍ୱିନୀକୁମାରଙ୍କୁ ସୋମରସ ପାନ କରାଇବେ। ଇନ୍ଦ୍ର କିନ୍ତୁ ଚାହୁଁନଥିଲେ ଅଶ୍ୱିନୀକୁମାର ଦୁଇ ଭାଇ କୌଣସି ଉପାୟରେ ସୋମ ପାନ କରନ୍ତୁ। ଯଜ୍ଞ ଆରମ୍ଭ ହେଲା। ଯଜ୍ଞ ଖବର ଦେବରାଜ ଇନ୍ଦ୍ର ଜାଣିଲା ପରେ ଚ୍ୟବନ ଋଷିଙ୍କ ପାଖରେ ପହଞ୍ଚି ଏପରି କିଛି କରିବାକୁ ବାରଣ କଲେ। କହିଲେ ଅଶ୍ୱିନୀକୁମାର ସୋମରସ ପାନ କରିବାକୁ ଯୋଗ୍ୟ ନୁହଁନ୍ତି। କାରଣ ସେମାନେ ଦେବତା ହୋଇ ବି ତାଙ୍କ ଇଚ୍ଛା ଅନୁସାରେ ବିଭିନ୍ନ ରୂପ ଧାରଣ କରି ସାଧାରଣ ମଣିଷଙ୍କ ଭିତରେ ବିଚରଣ କରୁଛନ୍ତି । ପୁଣି ଦେବତା ହୋଇ ମଧ୍ଯ ଚିକିତ୍ସାକୁ ବୃତ୍ତି ଭାବରେ ଗ୍ରହଣ କରିଛନ୍ତି।

ଚ୍ୟବନ କହିଲେ, ହେ ଦେବରାଜ ! ମୁଁ ବୁଝିପାରୁନି ଅଶ୍ୱିନୀକୁମାର ଦେବତା ହୋଇବି ସୋମରସରୁ କାହିଁକି ବଞ୍ଚିତ ହେବେ? ସେ ଦୁଇଭାଇ ମୋତେ ଅଶେଷ ସାହାଯ୍ୟ କରିଛନ୍ତି। ମୁଁ ସେଥିପାଇଁ ସେମାନଙ୍କୁ କଥା ଦେଇଛି, ସୋମରସ ପାନ କରାଇବି। ମୁଁ ମୋ ପ୍ରତିଶୃତି ନିଶ୍ଚୟ ପାଳନ କରିବି।

Advertisment

ତାଙ୍କ କଥା ଶୁଣୁନଥିବାରୁ ଇନ୍ଦ୍ର ଏବେ ଚ୍ୟବନଙ୍କ କଥାରେ ଅପମାନିତ ମନେକରି ରାଗିଗଲେ। କହିଲେ, ହେ ମହର୍ଷି ଆପଣ ମୋ କଥା ନମାନିଲେ ମୁଁ ବଜ୍ର ଦ୍ୱାରା ଆପଣଙ୍କୁ ପ୍ରହାର କରିବାକୁ କଦାପି ପଛେଇବିନି। ଇନ୍ଦ୍ରଦେବଙ୍କ ଧମକ ଚ୍ୟବନ ଋଷିଙ୍କ ଉପରେ କୌଣସି ପ୍ରଭାବ ପକାଇଲାନି। ସେ ଇନ୍ଦ୍ରଙ୍କୁ ଅନେଇ କେବଳ ନୀରବରେ ହସିଲେ ଓ ଯଜ୍ଞ କାମରେ ମନ ଦେଲେ। ଇନ୍ଦ୍ରଙ୍କ କଥାକୁ ଅବଜ୍ଞା କରିବାରୁ ଆଉ ବିଳମ୍ବ ନକରି ସେ ତାଙ୍କ ବଜ୍ରରେ ଋଷିଙ୍କୁ ଆଘାତ କରିବାକୁ ଉଦ୍ୟତ ହେଲେ।

ବହୁ ବର୍ଷ ତପସ୍ୟା କରି ଚ୍ୟବନ ମହର୍ଷି ଅନେକ ପ୍ରକାରର ସିଦ୍ଧିଲାଭ କରିଥିଲେ। ସେ ତାଙ୍କ ଶକ୍ତି ଦ୍ୱାରା ତତକ୍ଷଣାତ୍ ଇନ୍ଦ୍ରଙ୍କ ହାତକୁ ଅକାମୀ କରିଦେଲେ। ଇନ୍ଦ୍ରଦେବ ବଜ୍ର ଆଘାତ କରିବେ କ'ଣ ଓଲଟି ଉଦ୍ୟତ ହେବା ଅବସ୍ଥାରେ ସ୍ଥିର ହୋଇ ରହିଗଲେ। ତାଙ୍କ ଦୁଇ ହାତର ସମସ୍ତ ଚଳତ୍ ଶକ୍ତି ହରଣ ହୋଇଗଲା। ଚ୍ୟବନ ଋଷି ଏତିକିରେ ସନ୍ତୁଷ୍ଟ ହେଲେନି। ଜଳୁଥିବା ଯଜ୍ଞ କୁଣ୍ଡରୁ ତାଙ୍କ ମନ୍ତ୍ର ଶକ୍ତିରେ ମଦ ନାମରେ ଗୋଟେ ବିଶାଳ ଭୟଙ୍କର ରାକ୍ଷସ ତିଆରି କଲେ। ମଦ ରାକ୍ଷସର ତଳ ମାଢ଼ି ମାଟିରେ ତ ଉପର ମାଢ଼ି ଆକାଶରେ ଲାଗିଥାଏ। ଆଖି ଦିଓଟି ସୂର୍ଯ୍ୟଙ୍କ ପରି ଜଳୁଥାଏ। ବାହୁ ଦୁଇଟି ପାହାଡ ଆକାରର। ଋଷିଙ୍କ ଆଦେଶରେ ରାକ୍ଷସ ତା'ର ବିଶାଳ ବିଶାଳ ମୁନିଆ ଦାନ୍ତ ଦେଖାଇ, ଜିଭ ଲହ ଲହ କରି, ବିଶାଳ ଆଁ କରି ଇନ୍ଦ୍ରଙ୍କୁ ଖାଇବାକୁ ଧାଇଁଲା। 

ଇନ୍ଦ୍ରଙ୍କର ହାତ କାମ କରୁନଥାଏ। ଏପଟେ ବିଶାଳ ଭୟଙ୍କର ମଦ ରାକ୍ଷସ ତାଙ୍କ ପଛରେ। ଇନ୍ଦ୍ର କିଛି ସମୟ ରାକ୍ଷସ ଆଗରେ ଧାଇଁବା ପରେ ହାଲିଆ ହୋଇଗଲେ। ଶେଷରେ ଆଉ କିଛି ଉପାୟ ନପାଇ ଚ୍ୟବନ ଋଷିଙ୍କ ଶରଣ ପଶିଲେ। କହିଲେ, ହେ ମହର୍ଷି! ଆପଣଙ୍କ କଥା ରହିଲା। ଅଶ୍ୱିନୀକୁମାର ଦୁଇ ଭାଇଙ୍କୁ ମୁଁ ଦେବତା ଭାବରେ ଗ୍ରହଣ କରୁଛି। ସେମାନେ ଆଜିଠାରୁ ଅନ୍ୟଦେବତାଙ୍କ ପରି ସମାନ ଆସନ ଲାଭ କରିବେ। କଥା ଦେଉଛି ଏଣିକି ସେମାନେ ତାଙ୍କ ଭାଗର ସୋମରସ ନିଶ୍ଚୟ ପାଇବେ । ମୋତେ ଦୟାକରି କ୍ଷମା କରନ୍ତୁ ଓ ଏ ରାକ୍ଷସ କବଳରୁ ରକ୍ଷା କରନ୍ତୁ। 

ଇନ୍ଦ୍ରଙ୍କ କଥା ଶୁଣି ଚ୍ୟବନ ଋଷିଙ୍କ କ୍ରୋଧ ପ୍ରଶମିତ ହେଲା। ଋଷି ଶାନ୍ତ ହେଲେ ଓ ମଦ ରାକ୍ଷସକୁ ମଦ୍ୟପାନ, ଗଣିକା ଗମନ, ପଶା ଖେଳ ଓ ମୃଗୟା ଭିତରେ ବାଣ୍ଟି ଦେଲେ। ସେଇଦିନରୁ ଏଇ ଚାରି କର୍ମ ବ୍ୟଭିଚାର ଭାବରେ ଗଣା ହେଲା। ଇନ୍ଦ୍ର ଦେବଙ୍କ ଆଗରେ ଅଶ୍ୱିନୀକୁମାର ଦୁଇ ଭାଇ ସୋମପାନ କଲେ। ଯଜ୍ଞର ସମାପ୍ତି ହେଲା। ଚ୍ୟବନ ଋଷି ତାଙ୍କ ପତ୍ନୀ ସୁକନ୍ୟାଙ୍କୁ ଧରି ତାଙ୍କ ଆଶ୍ରମକୁ ଫେରିଗଲେ। 

ଯୁଧିଷ୍ଠିରଙ୍କୁ ଚ୍ୟବନଙ୍କ କାହାଣୀ କହିସାରିଲା ପରେ ଲୋମଶ ଋଷି ସେଇ ଚ୍ୟବନ ମହର୍ଷିଙ୍କ ଆଶ୍ରମ ପାଖ ପୂଣ୍ୟ ସରୋବରରେ ସମସ୍ତଙ୍କୁ ସ୍ନାନ କରିବାକୁ କହିଲେ। ସ୍ନାନପରେ ସମସ୍ତେ ଅନ୍ୟ ତୀର୍ଥ ଉଦ୍ଦେଶ୍ୟରେ ସେଠାରୁ ବାହାରିଗଲେ। 

ବାଟରେ ଆହୁରି ଅନେକ ତୀର୍ଥ ଦର୍ଶନ ଓ ତୀର୍ଥ ସ୍ନାନ କଲାପରେ ଯୁଧିଷ୍ଠିର, ଭୀମ, ନକୁଳ, ସହଦେବ ଓ ଦ୍ରୌପଦୀ ପୂଣ୍ୟତୋୟା ଯମୁନା ନଦୀ ପାଖରେ ପହଞ୍ଚିଲେ । ସେମାନେ ସମସ୍ତେ ଯେଉଁଠି ପହଞ୍ଚିଲେ ସେଠାରେ ଅନେକ ବର୍ଷ ତଳେ ବୈଦିକ ଋଷିମାନେ ଅନେକ ଯାଗଯଜ୍ଞ କରିଥିଲେ। ପ୍ରସିଦ୍ଧ ଧର୍ନୁଧର ରାଜା ମାନ୍ଧାତା ମଧ୍ୟ ସେଠାରେ ବହୁତ ଯଜ୍ଞ କରିଥିଲେ। 

ଇକ୍ଷ୍ୟାକୁ ବଂଶୀୟ ମହାନ ରାଜା ମାନ୍ଧାତାଙ୍କ କଥା ପଡିବାରୁ ଲୋମଶ ଋଷିଙ୍କ ପାଖରୁ ଯୁଧିଷ୍ଠିର ରାଜା ମାନ୍ଧାତାଙ୍କ ବିଷୟରେ ଜାଣିବାକୁ ଚାହିଁବାରୁ ଲୋମଶ ମହର୍ଷି ଗପିଲେ;

ଅନେକ ବର୍ଷ ତଳେ ପ୍ରସିଦ୍ଧ ଇକ୍ଷ୍ୟାକୁ ବଂଶରେ ଯୁବନାଶ୍ୱ ନାମରେ ଜଣେ ରାଜା ଥିଲେ। ରାଜା ବଡ ଧର୍ମିକ ଥିଲେ ଓ ଅନେକ ପ୍ରକାରର ଯଜ୍ଞ ଆୟୋଜନ କରିଥିଲେ । ଶହେ ଅଶ୍ୱମେଧ ଯଜ୍ଞ ବି କରିଥିଲେ। କିନ୍ତୁ ରାଜାଙ୍କର ଦୁଃଖ ଯେ ତାଙ୍କ ବଂଶ ରକ୍ଷା ପାଇଁ ତାଙ୍କର କୌଣସି ସନ୍ତନ ସନ୍ତତି ନଥିଲେ। ରାଜା ଦେଶର ଶାସନ ଭାର ତାଙ୍କ ମନ୍ତ୍ରୀମାନଙ୍କ ହାତରେ ଧରେଇ ଦେଇ ଜପ ତପ କରିବାକୁ ଜଙ୍ଗଲରେ ଯାଇଁ ବାସ କରିବାକୁ ଲାଗିଲେ।

ଦିନେ ଘନ ଜଙ୍ଗଲ ଭିତରେ ବୁଲୁଥିବା ବେଳେ ରାଜା ଯୁବନାଶ୍ୱଙ୍କୁ ପ୍ରବଳ ଶୋଷ ହେଲା। ରାତି ହୋଇସାରିଥିଲା। କିନ୍ତୁ ସେ ଖୋଜି ଖୋଜି କେଉଁଠି ବି ପାଣି ଟୋପେର ସନ୍ଧାନ ପାଇଲେନି। ପାଣି ସନ୍ଧାନରେ ବୁଲୁ ବୁଲୁ ରାଜା ରାତିର ଅନ୍ଧାରରେ ଭାର୍ଗବ ମହର୍ଷିଙ୍କ ଆଶ୍ରମରେ ପହଞ୍ଚିଲେ। ଆଶ୍ରମରେ ରାଜାଙ୍କର ତେଜସ୍ୱୀ ପୁତ୍ର ସନ୍ତାନଟିଏ ଜନ୍ମ ଉଦ୍ଦେଶ୍ୟରେ ଯଜ୍ଞ କରି ଋଷିମାନେ ଏକ କଳସରେ ମନ୍ତ୍ରପୂତ ପାଣି ରଖିଥାନ୍ତି । କଳସକୁ ଏକ ବେଦୀ ଉପରେ ରଖି ଋଷିମାନେ ଶାନ୍ତିରେ ଶୋଇପଡିଥାନ୍ତି। ପରଦିନ ସେ ପାଣିକୁ ରାଣୀ ପିଇଲାପରେ ଗର୍ଭବତୀ ହୋଇଥାନ୍ତେ। ରାଜା ଯୁବନାଶ୍ୱ ସେ ବିଷୟରେ କିଛି ଜାଣିନଥାନ୍ତି। ଶୋଷରେ ଆଉଟୁ ପାଉଟୁ ହୋଇ ରାଜା ଆଶ୍ରମରେ ପହଁଚି ପାଣି ମାଗିଲେ। କିନ୍ତୁ ଶୋଷରେ ରାଜାଙ୍କ ସ୍ୱର ଅତି କ୍ଷୀଣ ହୋଇଯାଇଥିବାରୁ ଓ ତପସ୍ୱୀମାନେ କ୍ଲାନ୍ତ ହୋଇ ଗଭୀର ନିଦରେ ଶୋଇଯାଇଥିବାରୁ କେହିବି ରାଜାଙ୍କ ଉପସ୍ଥିତି ଜାଣି ପାରିଲେନି। ହଠାତ୍ ରାଜାଙ୍କ ଆଖିରେ ପଡିଲା ଏକ ବେଦୀ ଉପରେ କଳସ ଗୋଟେ ଥୁଆ ହୋଇଛି। ପାଖକୁ ଯାଇଁ ଦେଖିଲେ ସେ କଳସୀରେ ପାଣି ଭର୍ତ୍ତି ଅଛି। ଆଉ ବିଳମ୍ବ ନକରି ରାଜା ବେଦୀ ଉପରୁ କଳସ ଉଠେଇଲେ ଓ ମୁହଁ ଲଗେଇ ପାଣିତକ ପିଇଗଲେ। ଅବଶିଷ୍ଟ ଅଇଁଠା ପାଣିକୁ ତଳେ ଢାଳିଦେଲେ। 

ପାଣି ପିଇସାରିଲା ପରେ ରାଜା ସାଷ୍ଟାଙ୍ଗ ହୋଇ କିଛି ସମୟ ବିଶ୍ରାମ ନେବା ଭିତରେ ତପସ୍ୱୀମାନେ ନିଦରୁ ଉଠିପଡିଲେ। ଉଠି ଦେଖିଲେ ବେଦୀ ଉପରେ ଥୁଆ କଳସୀରେ ପାଣି ନାହିଁ। ସେମାନେ ବ୍ୟସ୍ତ ହୋଇ ପରସ୍ପର ଭିତରେ କଥା ହେଲେ ଯେ ଏମିତି ଆଶ୍ଚର୍ଯ୍ୟ କଥା କେମିତି ଘଟିଲା? କଳସରୁ ମନ୍ତୁରା ପାଣି କୁଆଡେ ଗଲା? ରାଜା ଯୁବନାଶ୍ୱ ତାଙ୍କ ବିଶ୍ରାମରୁ ଉଠି ଆସି କହିଲେ, ଶୋଷରେ ଆକୁଳ ହୋଇ ମୁଁ ହିଁ ସେ ବେଦି ଉପରେ ଥୁଆ କଳସୀରୁ ପାଣିତକ ପିଇ ଦେଇଛି। 

ଭାର୍ଗବ ଋଷି କହିଲେ, ହେ ରାଜା ତୁମରି ପୁତ୍ର କାମନା କରି ଆମେ ଯଜ୍ଞ କରୁଥିଲୁ ଓ ଯଜ୍ଞରୁ ସଂଗୃହିତ ଶକ୍ତିରେ ସେ ମାଠିଆ ଭିତରେ ମନ୍ତ୍ରପୁତ ଜଳ ରଖାଯାଇଥିଲା। ସେ ଜଳ ପାନ କରିଥିଲେ ମହାରଣୀ ଇନ୍ଦ୍ରଙ୍କୁ ପରାସ୍ତ କଲାପରି ବଳବାନ ପୁଅଟିଏ ଜନ୍ମ କରିଥାନ୍ତେ। କିନ୍ତୁ ସେ ଜଳକୁ ତୁମେ ପାନ କରିସାରିଛ। ଆଉ ଏବେ କିଛି କରିବାର ଉପାୟ ନାହିଁ। ମନ୍ତ୍ର ଶକ୍ତିକୁ ଫେରାଇ ଆଣିବାର ଶକ୍ତି ଆଉ ଆମର ନାହିଁ। ଏବେ ଯାହା ହେବାର କଥା ହେବ। ହେ ରାଜା, ରାଣୀଙ୍କ ବଦଳରେ ତୁମକୁ ହିଁ ତୁମ ପୁଅକୁ ଜନ୍ମ ଦେବାକୁ ହେବ। ତୁମକୁ ହିଁ ଏବେ ଗର୍ଭଧାରଣର ସମସ୍ତ କଷ୍ଟ ସହ୍ୟ କରିବାକୁ ପଡିବ। 

ରାଜା ଗର୍ଭଧାରଣ କଲେ। ଶହେ ବର୍ଷ ବିତି ଗଲାପରେ ଦିନେ ରାଜା ଯୁବନାଶ୍ୱଙ୍କ ବାମ ପଟ ପେଟ ଚିରି ପୁତ୍ର ସନ୍ତାନ ଜନ୍ମ ହେଲା। ଅଶ୍ଚର୍ଯ୍ୟ କଥା ହେଲା ପେଟ ବିଦାରଣ ପରେ ବି ରାଜାଙ୍କର ମୃତ୍ୟୁ ହେଲାନି। ତେଜଦୀପ୍ତ ନବଜାତକ ଶିଶୁକୁ ଦେଖିବାକୁ ସ୍ୱର୍ଗର ଦେବତାମାନେ ଆସି ପହଁଞ୍ଚିଲେ। ଏବେ କଥା ହେଲା ବାପର ଗର୍ଭରୁ ଜନ୍ମ ନେଇଥିବା ଶିଶୁଟି ସ୍ତନ୍ୟ ପାନ କୋଉଠୁ କରିବ? ବିନା ସ୍ତନ୍ୟ ପାନରେ କେମିତି ବଞ୍ଚି ରହିବ? ସେଠାରେ ଅନ୍ୟ ଦେବତାମାନଙ୍କ ସହ ଉପସ୍ଥିତ ଥିବା ଇନ୍ଦ୍ରଦେବ ନିଜର ତର୍ଜନୀ ଆଙ୍ଗୁଳିକୁ ପିଲାଟିର ପାଟିରେ ଦେଇ କହିଲେ ମାମ୍ ଧାତା। ମାନେ ମୁଁ ପିଲାଟିର ରକ୍ଷାକର୍ତ୍ତା। ସେଇଥିପାଇଁ ପିଲାଟିର ନାମ ମାନ୍ଧାତା ରଖାଗଲା। ଦେବରାଜ ଇନ୍ଦ୍ରଙ୍କ ଅଙ୍ଗୁଳି ଚୋଷିବାରୁ ସଙ୍ଗେ ସଙ୍ଗେ ଶିଶୁ ମାନ୍ଧାତାଙ୍କର ଉଚ୍ଚତା ତେର ଚାଖଣ୍ଡ ଲମ୍ବା ହେଇଗଲା। ମାନ୍ଧାତା ଚାରିବେଦ ଓ ବିଭିନ୍ନ ଅସ୍ତ୍ର ବିଦ୍ୟାରେ ପାରଙ୍ଗମ ହେଲେ। ଆଜଗବ ନାମକ ଧନୁ, ଶୃଙ୍ଗୋଦ୍ଭବ ଶର ଓ ଅଭେଦ୍ୟ କବଚ ପ୍ରାପ୍ତ କଲେ । ଖୁବ ଶୀଘ୍ର ମାନ୍ଧାତାଙ୍କର ଖ୍ୟାତି ଚାରିଦିଗରେ ବ୍ୟାପିଗଲା ଓ ସେ ତିନି ଲୋକ ଜୟ କଲେ। ଅନେକ ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କରି ଦେବତାମାନଙ୍କୁ ସନ୍ତୁଷ୍ଟ କରିବା ସହ ନିଜ ପ୍ରଜାମାନଙ୍କୁ ସୁଖ ଶାନ୍ତିରେ ଅନେକ ବର୍ଷ ନିଜ ସନ୍ତାନ ପରି ପାଳନ କଲେ।

Mahabharata Mahabharat Mahabharat Story
Advertisment
Advertisment