Advertisment

Mahabharat Story: ଯକ୍ଷରୂପୀ ଧର୍ମରାଜ ଓ ପାଣ୍ଡବଙ୍କ ବରଲାଭ କଥା

କାହିଁକି ସରୋବର କୂଳରେ ପହଞ୍ଚି ଯୁଧିଷ୍ଠିର ବିଳାପ କରି କାନ୍ଦିଲେ? ଯୁଧିଷ୍ଠିରଙ୍କୁ କ'ଣ ପଚାରିଲେ ଯକ୍ଷ? କାହିଁକି ଚାରି ଭାଇ ଭିତରୁ କେବଳ ନକୁଳଙ୍କ ଜୀବନ ଭିକ୍ଷା କଲେ ଯୁଧିଷ୍ଠିର? ଯକ୍ଷ ରୂପରେ କେଉଁ ଦେବତା ଆସିଥିଲେ ପାଣ୍ଡବଙ୍କ ପାଖକୁ? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

author-image
Ramakanta Samantaray
mahabharat

mahabharat

ପାଣି ଆଣିବାକୁ ଯାଇ କେହିବି ନଫେରିବାରୁ ଯୁଧିଷ୍ଠିର ତାଙ୍କ ଭାଇମାନଙ୍କୁ ଖୋଜିବାକୁ ବାହାରିଲେ । ପଦ୍ମ ସରୋବର ପାଖରେ ପହଞ୍ଚି ଦେଖିଲେ ଭୀମ, ଅର୍ଜୁନ, ନକୁଳ ଓ ସହଦେବ ମରି ଶୋଇଛନ୍ତି । ଯୁଧିଷ୍ଠିର ବିଳାପ କରି କାନ୍ଦିବାକୁ ଲାଗିଲେ ।

Advertisment

ମାଟିରେ ଗଡୁଥିବା ଭୀମଙ୍କୁ ଦେଖି ଯୁଧିଷ୍ଠିର କହିଲେ, “ହେ ବୃକୋଦର! ଏ କ'ଣ ହେଲା? ତୁମେ ପରା ଶପଥ କରିଥିଲ ପାଞ୍ଚାଳୀର ଅପମାନର ପ୍ରତିଶୋଧ ନେବାକୁ ଦୁର୍ଯ୍ୟୋଧନର ଊରୁଭଙ୍ଗ କରିଥା'ନ୍ତ । ମଣିଷମାନଙ୍କ କଥା ସିନା ଅନ୍ୟଥା ହେବ କିନ୍ତୁ ତୁମମାନଙ୍କ ପାଇଁ ତ ଦୈବବାଣୀ ହୋଇଥିଲା । ଦୈବବାଣୀ କିପରି ମଛ ହେବ?” ତାପରେ ଯୁଧିଷ୍ଠିର ଅର୍ଜୁନଙ୍କୁ ଚାହିଁ କହିଲେ, “ଦେବତାମନେ ତୁମକୁ ଅପରାଜେୟ କହିଥିଲେ । ଦିବ୍ୟାସ୍ତ୍ର ଦାନ କରିଥିଲେ । ସେ ସବୁ ମିଛ କେମିତି ହେବ? ତୁମରି ବୀରତ୍ୱକୁ ଆଶ୍ରୟକରି ଆମେ ରାଜ୍ୟ ଜୟ କରିବାର ଆଶା କରିଥିଲୁ । ଆଜି ସେ ଆଶା ଧୂଳିରେ ମିଶିଗଲା ଜାଣ । ସବୁ ସ୍ୱପ୍ନ ଭାଙ୍ଗିଗଲା ।”

ଯୁଧିଷ୍ଠିର ବୁଝିପାରୁନଥା'ନ୍ତି ଏବେ କ'ଣ କରିବେ ସେ? ବୁଝିପାରୁନଥା'ନ୍ତି ଭୀମ, ଅର୍ଜୁନ, ନକୁଳ ଓ ସହଦେବଙ୍କ ପରି ଅପରାଜେୟ ବୀରଙ୍କୁ କିଏ ଏମିତି ପରାଜିତ କରିପାରିଲା? ଯମରାଜଙ୍କ ବିନା ଏହି ବଳଶାଳୀ ବୀରମାନଙ୍କୁ କିଏ ଅବା ମାରିପାରେ? ଶତ୍ରୁବିନାଶୀ ଭାଇମାନେ ତାଙ୍କର ଶତ୍ରୁ କବଳିତ ହେଲେ କେମିତି? ବାର ବର୍ଷର କଷ୍ଟକର ବନବାସ ସରିଲା ଏଇଆ କ'ଣ ଘଟିବାକୁ ଥିଲା? ହାୟ, ବଡ଼ ଭାଇ ଥାଉ ଥାଉ ସାନମାନଙ୍କୁ ପୁଣି ବିଦାୟ ନେବାକୁ ପଡ଼ିଲା?

Advertisment
mahabharatମହାଭାରତ

ଯୁଧିଷ୍ଠିର ନିରୀକ୍ଷଣ କରି ଆଶ୍ଚର୍ଯ୍ୟ ହେଲେ ଯେ ଭାଇମାନଙ୍କ ଜଡ଼ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ । ଆଖପାଖରେ କୌଣସି ଶତ୍ରୁର ପାଦ ଚିହ୍ନ ମଧ୍ୟ ନାହିଁ । ଗାଢ଼ ନିଦରେ ଶୋଇଲାପରି ଭାଇମାନେ ତାଙ୍କର ଶୋଇଛନ୍ତି । ଯୁଧିଷ୍ଠିର ମନେ ମନେ ଭାବିଲେ ତେବେ କିଏ କ'ଣ ଏ ସରୋବର ପାଣିରେ ବିଷ ମିଶେଇଛି କି? ଶକୁନିର ଖଳ ବୁଦ୍ଧିରେ ଦୁର୍ଯ୍ୟୋଧନ ହିଁ ଏପରି କାମ କରିଥାଇପାରେ । ସେଇ ବିଷର ପ୍ରଭାବରେ ତାଙ୍କ ଭାଇମାନଙ୍କର ଏପରି ଅବସ୍ଥା ହୋଇଛି କି? କିନ୍ତୁ ଶରୀରରେ ବିଷର ଲକ୍ଷଣ ତ କିଛି ଦିଶୁନି। ମୁହଁରେ ସମସ୍ତଙ୍କର ପ୍ରଶାନ୍ତିର ଭାବ ରହିଛି । ଲାଗୁଛି ସମସ୍ତେ ଯେମିତି ସୁଖ ନିଦ୍ରାରେ ଶୋଇଛନ୍ତି ।

ଅଧିକ ପଢ଼ନ୍ତୁ: ଦାନବୀର କର୍ଣ୍ଣ ଓ ଛଦ୍ମବେଶୀ ଦେବରାଜ

ଯୁଧିଷ୍ଠିର ଭାଇମାନଙ୍କ ବିୟୋଗ ଜନିତ ଶୋକରେ ପ୍ରଳାପ କରୁଥିବା ବେଳେ ଶୋଷରେ ତଣ୍ଟି ଅଠା ହୋଇ ସାରିଥିଲା । ଶୋଷରେ ଆତୁର ହୋଇ ସେ ପାଣି ପିଇବାକୁ ସରୋବରରେ ପଶିଲେ । ସାଙ୍ଗେ ସାଙ୍ଗେ ଏକ ଅଶରୀରୀ ସ୍ୱର କହିଲା, “ହେ ଧର୍ମରାଜ! ତୁମ ଭାଇମାନେ ଯେଉଁ ଭୁଲ୍ କରି ତା'ର ପରିଣାମ ଭୋଗିଛନ୍ତି ତୁମେ ତା'ର ପୁନରାବୃତ୍ତି କରନି । ଏ ସରୋବର ମୋର । ତା'ର ପାଣି ପିଇବାକୁ ହେଲେ ପ୍ରଥମେ ମୋ ପ୍ରଶ୍ନର ଉତ୍ତର ଦେବାକୁ ହେବ । ମନେରଖ, ତୁମ ଉତ୍ତରରେ ମୁଁ ସନ୍ତୁଷ୍ଟ ହେଲେ ତୁମକୁ ପାଣି ପିଇବାର ଅନୁମତି ଦେବି । ତୁମ ଭାଇମାନେ ମୋ ପ୍ରଶ୍ନର ଉତ୍ତର ନଦେଇ ମୋତେ ଅବଜ୍ଞା କରି ଏପରି ଦଶା ଲାଭ କରିଛନ୍ତି।”

ଯୁଧିଷ୍ଠିର ଚାରିଦିଗକୁ ନିଘା କଲେ । କେହି କେଉଁଠି ନଥିଲେ । କାହାକୁ ନପାଇ ଯୁଧିଷ୍ଠିର କହିଲେ “ଆପଣ କିଏ? ଆପଣ କ'ଣ ରୁଦ୍ର, ମରୁତ ଅବା ବସୁମାନଙ୍କର ପ୍ରଧାନ କି? ଯୁଦ୍ଧରେ ଗନ୍ଧର୍ବ, ଅସୁର ଓ ରାକ୍ଷସମାନେ ଯେଉଁମାନଙ୍କୁ ପରାଜିତ କରିପାରିନଥିଲେ ଆପଣଙ୍କ ହାତରେ ସେମାନେ ପରାଜିତ ଓ ନିହତ । ଆପଣଙ୍କ ଅଭିପ୍ରାୟ ମୁଁ ଜାଣିପାରୁନି । ମନରେ ମୋର ଭୟ ସହ କୌତୁହଳ ଜାତ ହେଉଛି । ଦୟାକରି ମୋ ଆଗରେ ଉଭା ହୋଇ ମୋତେ ପ୍ରଥମେ ନିଜର ପରିଚୟ ପ୍ରଦାନ କରନ୍ତୁ ।”

ଅଶରୀରୀ ସ୍ୱର କହିଲା, “ହେ ରାଜନ! ମୁଁ ଗୋଟେ ବଗ ପକ୍ଷୀ । ଏହି ସରୋବରରେ ବାସ କରେ ଓ ଏଠାର ମାଛ ଏବଂ ଶିଉଳି ଖାଇ ବଞ୍ଚେ ।”

ଯୁଧିଷ୍ଠିରଙ୍କର ବିଶ୍ୱାସ ହେଲାନି ମାଛ ଶିଉଳି ଖାଇ ଜୀବନ ଧାରଣ କରୁଥିବା ସାମାନ୍ୟ ଗୋଟେ ବଗ ପକ୍ଷୀ ଏମିତି କାମ କରିପାରେ । ଯୁଧିଷ୍ଠିର ଆଉଥରେ ଅଶରୀରୀ ସ୍ୱରର ପ୍ରକୃତ ପରିଚୟ ଜାଣିବାକୁ ଇଚ୍ଛା କରିବାରୁ ଅଶରୀରୀ ସ୍ୱର ଘୋର ଗର୍ଜନ କରି କହିଲା ମୁଁ ହେଉଛି ଯକ୍ଷ । ତାପରେ ତାଳ ଗଛ ଉଚ୍ଚାର, ସୂର୍ଯ୍ୟଙ୍କ ତେଜ ପରି ତେଜିୟାନ, ମହାକାୟ ଯକ୍ଷ ଯୁଧିଷ୍ଠିରଙ୍କ ଆଗରେ ଉଭା ହେଲେ ।

ଯକ୍ଷ କହିଲେ, “ମୋ ବାରଣ ନମାନି ମୋ ପ୍ରଶ୍ନର ଉତ୍ତର ନଦେଇ ତୁମ ଭାଇମାନେ ପାଣି ପିଇବାକୁ ଚେଷ୍ଟାକରି ଏଇ ଦଶା ଭୋଗ କରିଛନ୍ତି । ଯୁଧିଷ୍ଠିର କହିଲେ, “ମହାଶୟ ଆପଣଙ୍କ ପ୍ରଶ୍ନର ଉତ୍ତର ମୁଁ ମୋ ଜ୍ଞାନ ଓ ଅନୁଭବ ଅନୁସାରେ ଦେବାକୁ ନିଶ୍ଚୟ ଚେଷ୍ଟା କରିବି । ପ୍ରଥମେ ପ୍ରଶ୍ନ କ'ଣ କୁହନ୍ତୁ ।”

ଯକ୍ଷ ପଚାରିଲେ, “ସୂର୍ଯ୍ୟ ଦେବତା କାହା ଯୋଗୁଁ କିରଣ ଦାନ କରନ୍ତି? ତାଙ୍କ ଚାରି ପାଖରେ କେଉଁମାନେ ବିଚରଣ କରନ୍ତି ଓ କେମିତି ସେ ଆତଯାତ ହୁଅନ୍ତି?”

ଯୁଧିଷ୍ଠିର ଉତ୍ତରରେ କହିଲେ, “ବ୍ରହ୍ମଶକ୍ତିରେ ସେ କିରଣ ପ୍ରଦାନ କରନ୍ତି । ଦେବତାମାନେ ତାଙ୍କ ଚାରି ପାଖରେ ବିଚରଣ କରନ୍ତି । ସତ୍ୟ ଓ ଧର୍ମ ପଥରେ ସେ ଆତଯାତ ହୁଅନ୍ତି ।”

ଯକ୍ଷ ପଚାରିଲେ, “ଶ୍ରେତୀୟ କିପରି ହୁଅନ୍ତି? କାହା ଦ୍ୱାରା ମହତ ପଦାର୍ଥ ଲାଭ ହୁଏ? କେମିତି ଜଣେ ବୁଦ୍ଧିମାନ ହେବ?

ଯୁଧିଷ୍ଠିର କହିଲେ, “ଶ୍ରୁତ ଦ୍ୱାରା ଶ୍ରେତୀୟ ହୁଅନ୍ତି, ତପସ୍ୟା ଦ୍ୱାରା ମହତ ପଦାର୍ଥ ଲାଭ ହୁଏ । ବୃଦ୍ଧଙ୍କ ସେବା କଲେ ବୁଦ୍ଧିମାନ ହୁଅନ୍ତି ।”

ଯକ୍ଷ ପଚାରିଲେ, “ପୃଥିବୀ ଅପେକ୍ଷା କିଏ ଗୁରୁତର? ଆକାଶ ଠାରୁ କିଏ ଉଚ୍ଚତର? ବାୟୁ ଠାରୁ କିଏ ବେଗଗାମୀ? ଯୁଧିଷ୍ଠିର କହିଲେ, “ପୃଥିବୀ ଅପେକ୍ଷା ମାତା ଗୁରୁତର । ଆକାଶ ଠାରୁ ପିତା ଉଚ୍ଚତର । ବାୟୁ ଠାରୁ ମନ ବେଗଗାମୀ ।

ଯକ୍ଷ ପଚାରିଲେ “ଶୋଇଥିବା ବେଳେ ବି କିଏ ଆଖି ବନ୍ଦ କରେନି? ଜନ୍ମ ପରେ ବି କାହାର ସ୍ପନ୍ଦନ ନଥାଏ । କାହାର ହୃଦୟ ନାହିଁ? କିଏ ବେଗ ଦ୍ୱାରା ବର୍ଦ୍ଧିତ ହୁଏ?”

ଯୁଧିଷ୍ଠିର କହିଲେ, “ମାଛ ଆଖି ବନ୍ଦ କରେନି । ଅଣ୍ଡାର ସ୍ପନ୍ଦନ ନଥାଏ । ପାଷାଣର ହୃଦୟ ନାହିଁ । ବେଗ ଦ୍ୱାରା ନଦୀ ବର୍ଦ୍ଧିତ ହୁଏ ।”

ଯକ୍ଷ ପଚାରିଲେ, “ପ୍ରବାସୀଙ୍କର ମିତ୍ର କିଏ? ଗୃହସ୍ଥର ମିତ୍ର କିଏ? ଆତୁର ଜନର ମିତ୍ର କିଏ? ମୁମୂର୍ଷୂ ଜନର ମିତ୍ର କିଏ? କାହା ସହ ମିତ୍ରତା କଲେ ତାହା କ୍ଷୟ ହୁଏ ନାହିଁ ।”

ଯୁଧିଷ୍ଠିର ଉତ୍ତର ଦେଲେ, “ପ୍ରବାସୀର ମିତ୍ର ସଙ୍ଗୀ, ଗୃହସ୍ଥର ମିତ୍ର ପତ୍ନୀ, ଆତୁର ଜନର ମିତ୍ର ଚିକିତ୍ସକ, ମୁମୂର୍ଷୂ ଜନର ମିତ୍ର ଦାନ । ହେ ଯକ୍ଷ, ସାଧୁ ଜନଙ୍କ ସହ ମିତ୍ରତା କଲେ ତାହା କ୍ଷୟ ହୁଏ ନାହିଁ।”

ଯକ୍ଷ ପଚାରିଲେ “ହେ ରାଜନ! କୁହ ମଣିଷର ଶତ୍ରୁ କିଏ? ତା'ର ବ୍ୟାଧି କ'ଣ?”

“ମଣିଷର ଶତ୍ରୁ ହେଉଛି ତା'ର କ୍ରୋଧ, ତା'ର ବ୍ୟାଧି ହେଉଛି ଲୋଭ ।” ଯୁଧିଷ୍ଠିର ଉତ୍ତର ଦେଲେ ।

ଯକ୍ଷ ପଚାରିଲେ, “ରାଜା ! ମୋତେ କୁହନ୍ତୁ କୁଳ, ଆଚାର ଓ ସ୍ୱାଧ୍ୟାୟ ଶାସ୍ତ୍ର ଶ୍ରବଣ ଭିତରୁ କାହାକୁ ନେଇ ଜଣେ ବ୍ରାହ୍ମଣର ପରିଚୟ ଜଣାଯିବ?”

ଯୁଧିଷ୍ଠିର କହିଲେ, “କେବଳ ଜଣେ ବ୍ରାହ୍ମଣ କୁଳରେ ଜନ୍ମ ନେଲେ ବ୍ରାହ୍ମଣ ହେବନାହିଁ । ଶାସ୍ତ୍ରଜ୍ଞ ହେଲେ ଜଣେ ବ୍ରାହ୍ମଣ ହେବ ନାହିଁ । ସଦାଚାରୀ ଚରିତ୍ରବାନ ମଣିଷକୁ ହିଁ ପ୍ରକୃତ ବ୍ରାହ୍ମଣ କୁହାଯାଏ ।”

ଶେଷରେ ଯକ୍ଷ ପଚାରିଲେ, “ଏ ସଂସାରରେ ସବୁଠାରୁ ଆଶ୍ଚର୍ଯ୍ୟ କ'ଣ?”

ଯୁଧିଷ୍ଠିର ଉତ୍ତର ଦେଲେ, “ଏ ସଂସାରରେ ପ୍ରତିଦିନ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି । କିନ୍ତୁ ବଞ୍ଚିଥିବା ମଣିଷ ଭାବୁଛି ସେ ଚିରଞ୍ଜିବୀ । ତା'ର ମୃତ୍ୟୁ ନାହିଁ । ଏହାଠାରୁ ବଳି ଆଶ୍ଚର୍ଯ୍ୟର କଥା କ'ଣ ହେଇପାରେ?”

ଯୁଧିଷ୍ଠିରଙ୍କର ସମସ୍ତ ଉତ୍ତରରେ ଯକ୍ଷ ସନ୍ତୁଷ୍ଟ ଥିଲେ । ତେଣୁ କହିଲେ, “ହେ କୁନ୍ତୀ ପୁତ୍ର ! ତୁମ ଉତ୍ତରରେ ମୁଁ ଖୁସି ହେଲି । ଏବେ ତୁମର ମୃତ ଚାରି ଭାଇଙ୍କ ଭିତରୁ ଜଣଙ୍କୁ ମୁଁ ଜୀବନ ଦାନ ଦେଇପାରିବି? କାହାକୁ ବଞ୍ଚାଇବାକୁ ଇଚ୍ଛା କରୁଛ କୁହ ।”

ଯୁଧିଷ୍ଠିର ଟିକେ ଚିନ୍ତା କଲେ । ତାପରେ କହିଲେ “ଆପଣ ମୋ ସବା ସାନ ଭାଇ ନକୁଳକୁ ଜୀବନ୍ୟାସ ଦିଅନ୍ତୁ ।”

ଯକ୍ଷ କହିଲେ, “ହେ ଯୁଧିଷ୍ଠିର! ଭାଇମାନଙ୍କ ଭିତରେ ଭୀମ ତୁମର ପ୍ରିୟ । ଅର୍ଜୁନଙ୍କ ଜୀବନ ଭିକ୍ଷା କରିଥିଲେ ସେ ତୁମକୁ ଯୁଦ୍ଧରେ ସାହାଯ୍ୟ କରିଥା'ନ୍ତେ । ତୁମେ କିନ୍ତୁ ନିଜର ମା' ପେଟର ଭାଇମାନଙ୍କୁ ଛାଡି ବିମାତାଙ୍କ ପୁଅ ନକୁଳଙ୍କ ଜୀବନ କାହିଁକି ମାଗିଲ?”

ଯୁଧିଷ୍ଠିର କହିଲେ “ମଣିଷର ରକ୍ଷାକବଚ ହେଉଛି ଧର୍ମ । ଧର୍ମ ଛଡ଼ା ମଣିଷକୁ କେହି ରକ୍ଷା କରିପାରିବେନି । ମୋ ମା' କୁନ୍ତୀ ବଞ୍ଚିଛନ୍ତି । ମୁଁ କୁନ୍ତୀଙ୍କ ପୁଅ ଭାବରେ ବଞ୍ଚିଛି । ମାଦ୍ରୀଙ୍କର ଜଣେ ପୁଅ ବି ବଞ୍ଚିରହିବା ଦରକାର । ସେଥିପାଇଁ ମୁଁ ନକୁଳଙ୍କ ଜୀବନ ମାଗିଲି ।”

ଯୁଧିଷ୍ଠିରଙ୍କ ବିଚାର ଶୁଣି ଯକ୍ଷ ଖୁସିହେଲେ ଓ ଭୀମ, ଅର୍ଜୁନ, ନକୁଳ ଓ ସହଦେବଙ୍କୁ ଜୀବନ୍ୟାସ ଦେଲେ । ତାପରେ ଯକ୍ଷ ରୂପ ବଦଳାଇ ଧର୍ମ ଦେବତା ଭାବରେ ପ୍ରକଟ ହେଲେ । କହିଲେ, “ହେ ଧର୍ମରାଜ! ମୁଁ ଧର୍ମଦେବତା । ତୁମକୁ ପରୀକ୍ଷା କରିବାକୁ ଏତେ ସବୁ ନାଟକ ରଚନା କରିଥିଲି । ମୁଁ ତୁମକୁ ବର ପ୍ରଦାନ କରିବାକୁ ଚାହୁଁଛି । କ'ଣ ଚାହୁଁଛ କୁହ ।”

ଯୁଧିଷ୍ଠିର କହିଲେ, “ହେ ପ୍ରଭୁ! ଆମେ ଜଣେ ବ୍ରାହ୍ମଣଙ୍କ ଅନୁରୋଧରେ ତାଙ୍କ ଅରଣି ଓ ମନ୍ଥନଦଣ୍ଡ ଉଦ୍ଧାର କରିବାକୁ ଗୋଟେ ମୃଗକୁ ପିଛା କରିଥିଲୁ । ମୁଁ ବର ଭାବରେ ସେ ଅରଣି ଓ ମନ୍ଥନଦଣ୍ଡକୁ ମାଗୁଛି ।” ଧର୍ମଦେବତା କହିଲେ, “ମୁଁ ହିଁ ସେ ମୃଗ ରୂପ ଧରି ତାହା ଅପହରଣ କରିଥିଲି । ତାହା ତୁମକୁ ମିଳିବ । ଏବେ ଅନ୍ୟ ଏକ ବର କାମନା କର ।” ଯୁଧିଷ୍ଠିର କହିଲେ, “ଗଲା ବାର ବର୍ଷ ହେଲାଣି ଆମେ ବନବାସରେ ଦୁଃଖ କଷ୍ଟ ସହୁଛୁ । ସର୍ତ୍ତ ଅନୁସାରେ ଏବେ ଶେଷ ଗୋଟେ ବର୍ଷ ଆମକୁ ଅଜ୍ଞାତ ବାସରେ ରହିବାକୁ ହେବ । ମୁଁ ପ୍ରାର୍ଥନା କରୁଛି ଆମକୁ ଏଇ ଅଜ୍ଞାତବାସ ସମୟରେ କେହି ଯେପରି ଚିହ୍ନି ପାରିବେନି ।”

ଧର୍ମଦେବତା କହିଲେ, “ତୁମର ମନକାମନା ନିଶ୍ଚୟ ପୂରଣ ହେବ। ତୁମେ ଅଜ୍ଞାତବାସ ପାଇଁ ବିରାଟ ରାଜାଙ୍କ ପାଖକୁ ଯାଅ ଓ ସେଠାରେ ନିଜ ନିଜ ଇଚ୍ଛାରେ ରୂପ ଧରି ବର୍ଷକ ସମୟ ଅତିବାହିତ କର । ମୋ ଆଶୀର୍ବାଦରେ ତୁମମାନଙ୍କୁ ସେସମୟରେ କେହିବି ଚିହ୍ନି ପାରିବେନି ।

ପଞ୍ଚୁ ପାଣ୍ଡବ ଧର୍ମରାଜଙ୍କୁ ପ୍ରଣାମ କଲେ ।

ଅଧିକ ପଢ଼ନ୍ତୁ: ଜ୍ଞାନ ଓ ତପ ବଳରେ ମୃତ ସ୍ୱାମୀକୁ ଜୀବନ୍ୟାସ ଦେଇଥିବା ସତୀ ସାବିତ୍ରୀଙ୍କ କଥା

Mahabharat Mahabharat Story
Advertisment
Advertisment