Advertisment

Mahabharat Story: ଦୁର୍ଯ୍ୟୋଧନଙ୍କ କୂଟନୀତିରେ ମାମୁ ଭଣଜା ଅଲଗା ହେଲେ

କ'ଣ ପାଇଁ ଅର୍ଜୁନ ନାରାୟଣୀ ସେନା ଛାଡ଼ି କୃଷ୍ଣଙ୍କୁ ମାଗିଲେ? କାହିଁକି ପାଣ୍ଡବଙ୍କ ମାମୁ ମଦ୍ରନରେଶ ଶଲ୍ୟ ଦୁର୍ଯ୍ୟୋଧନଙ୍କ ସପକ୍ଷରେ ଯୁଦ୍ଧ ଲଢ଼ିବାକୁ ବାହାରିଲେ? ତଥାପି ଯୁଧିଷ୍ଠିର ତାଙ୍କୁ କ'ଣ ସାହାଯ୍ୟ ମାଗିଲେ? ମହାଭାରତ ଯୁଦ୍ଧ ପ୍ରସ୍ତୁତି ସମୟର ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।

author-image
Ramakanta Samantaray
ଅଦ୍ୟତନ ହୋଇଛି
Mahabharat

Mahabharat

କୃଷ୍ଣ କହିଲେ ସେ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ହେବାକୁ ଥିବା ଯୁଦ୍ଧରେ ଅସ୍ତ୍ର ଧରିବେନି । ତଥାପି ଅର୍ଜୁନ କହିଲେ ତାଙ୍କର କୃଷ୍ଣ ଦରକାର । ଦୁର୍ଯ୍ୟୋଧନ କୃଷ୍ଣଙ୍କ ନାରାୟଣୀ ସେନାପାଇ ବଡ଼ ଖୁସି ହୋଇଗଲା। ବଳରାମ କହିଲେ ସେ କେଉଁ ପକ୍ଷରେ ବି ରହିବେନି । କିନ୍ତୁ ବଳରାମଙ୍କ କଥା ଶୁଣି ଦୁର୍ଯ୍ୟୋଧନ ମାନିନେଲେ ଯୁଦ୍ଧରେ ତାଙ୍କର ବିଜୟ ହେଉ ବୋଲି ବଳରାମଙ୍କର ମନଭିତରେ ଇଚ୍ଛା ଅଛି । ସେଉଠୁ ଖୁସିମନରେ ଦୁର୍ଯ୍ୟୋଧନ କୃତବର୍ମାଙ୍କ ପାଖରେ ପହଞ୍ଚିଲେ ଓ ତାଙ୍କ ସହଯୋଗ ମାଗିଲେ । କୃତବର୍ମା କହିଲେ ସେ ତାଙ୍କର ଏକ ଅକ୍ଷୌହିଣୀ ସୈନ୍ୟ ଧରି ଦୁର୍ଯ୍ୟୋଧନଙ୍କ ସପକ୍ଷରେ ଯୁଦ୍ଧ ଲଢିବେ। ଦୁର୍ଯ୍ୟୋଧନ ସ୍ଥିର ନିଶ୍ଚିନ୍ତ ଥିଲେ ତାଙ୍କର ଦ୍ୱାରକା ଯାତ୍ରା ସଫଳ ହୋଇଛି ।

Advertisment

ଦୁର୍ଯ୍ୟୋଧନ ଚାଲିଗଲା ପରେ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ହସି ହସି ପଚାରିଲେ, “ହେ ପାର୍ଥ ! ତୁମକୁ ମୁଁ କିଛି ମାଗିବାକୁ ପ୍ରଥମ ସୁଯୋଗ ଦେଲି, କିନ୍ତୁ ତୁମେ ସଶସ୍ତ୍ର ନାରାୟଣୀ ସେନାଙ୍କୁ ଛାଡି ମୋତେ ମାଗିଲ । ମୁଁ ଏକଥା ବି କହିସାରିଥିଲି ଯେ, ମୁଁ ପ୍ରତ୍ୟକ୍ଷ ଯୁଦ୍ଧରେ ଯୋଗ ଦେବିନି କି ଅସ୍ତ୍ର ଉଠେଇବିନି । ମୋ ପରି ନିରସ୍ତ୍ର ଲୋକକୁ ତୁମେ କାହିଁକି ମାଗିଲ?”

ଅର୍ଜୁନ କହିଲେ, “ହେ ସଖା ! ମୁଁ ଜାଣିଛି ଆପଣ ଏକା ମୋ ପାଖରେ ଠିଆ ହେଲେ ମୁଁ ପୂରା କୌରବସେନାଙ୍କୁ ମୂଳପୋଛ କରିଦେବି । ଆପଣ ଯାହା ପକ୍ଷରେ ଠିଆ ହେବେ ଧର୍ମ ତା'ରି ପାଖରେ ରହିବ । ଆପଣଙ୍କ ବିନା କ'ଣ ଧର୍ମଯୁଦ୍ଧରେ ବିଜୟ ଲାଭ ସମ୍ଭବ? ମୁଁ ତ ମୋ ମନରେ ଇଚ୍ଛା ଧରି ଆସିଥିଲି ଯୁଦ୍ଧରେ ଆପଣ ମୋର ସାରଥି ହେବେ ଓ ମୁଁ ସେ ଗର୍ବୀ କୌରବବଂଶକୁ ସମୂଳେ ଧ୍ୱଂସ କରିବି ।”

Advertisment

ଅର୍ଜୁନଙ୍କ କଥା ଶୁଣି କୃଷ୍ଣ କହିଲେ, “ହେ ଫାଲଗୁନୀ ! ତୁମରି ଇଚ୍ଛା ଅବଶ୍ୟ ପୁରଣ ହେବ । ଧର୍ମଯୁଦ୍ଧରେ ଧର୍ମର ନିଶ୍ଚୟ ଜୟ ହେବ ।” ତାପରେ କୃଷ୍ଣ ଅର୍ଜୁନଙ୍କୁ ଆଲିଙ୍ଗନ କଲେ ଓ ଅର୍ଜୁନ ବିଦାୟ ନେଇ ଯୁଧିଷ୍ଠିରଙ୍କ ପାଖକୁ ଫେରିଆସିଲେ ।

ନକୁଳ ଓ ସହଦେବଙ୍କର ମାମୁ ହେଲେ ମଦ୍ର ନରେଶ ଶଲ୍ୟ । ଶଲ୍ୟଙ୍କର ଭଉଣୀ ମାଦ୍ରୀ । ପାଣ୍ଡବମାନେ ଜାଣିଥିଲେ ଯୁଦ୍ଧ ହେଲେ ଶଲ୍ୟ ନିଶ୍ଚୟ ସେମାନଙ୍କ ପକ୍ଷରେ ରହି ଯୁଦ୍ଧ କରିବେ । ଶଲ୍ୟ ମଧ୍ୟ ଯୁଦ୍ଧ ଖବର ପାଇ ତାଙ୍କ ସୈନ୍ୟସାମନ୍ତ ଧରି ପାଣ୍ଡବମାନଙ୍କ ପାଖକୁ ଆସୁଥା'ନ୍ତି । ସେ ଖବର ପାଇସାରିଥା'ନ୍ତି ପାଣ୍ଡବମାନେ ଉପପ୍ଳବ୍ୟ ନଗରୀରେ ରହୁଛନ୍ତି । ଶଲ୍ୟଙ୍କ ପାଖରେ ଏକ ଅକ୍ଷୌହିଣୀ ସୈନ୍ୟ ଥାଆନ୍ତି । ବହୁତ ଗୁଡେ ସୈନ୍ୟ ଥିବାରୁ ସେ ଧିରେ ଧିରେ ଆସୁଥା'ନ୍ତି । ଶଲ୍ୟ ପାଣ୍ଡବମାନଙ୍କ ପାଖକୁ ଆସୁଥିବାର ଖବର ଦୁର୍ଯ୍ୟୋଧନ ପାଇଗଲେ । ସେ ଶଲ୍ୟଙ୍କୁ ତାଙ୍କ ପକ୍ଷକୁ କେମିତି ଆଣିବେ ଚିନ୍ତା କରିବାକୁ ଲାଗିଲେ । ତାପରେ ଦୁର୍ଯ୍ୟୋଧନ ତାଙ୍କ ଲୋକମାନଙ୍କୁ ଶଲ୍ୟଙ୍କ ଆସିବା ରାସ୍ତାରେ ତାଙ୍କୁ ସ୍ୱାଗତ ଓ ସତ୍କାର କରିବାର ସମସ୍ତପ୍ରକାର ସୁବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦେଲେ ।

ଦୁର୍ଯ୍ୟୋଧନଙ୍କ ଆଦେଶକ୍ରମେ ଶଲ୍ୟଙ୍କ ଆସିବା ରାସ୍ତାରେ ସୁନ୍ଦର ସୁବ୍ୟବସ୍ଥିତ ବିଶ୍ରାମାଗାର ସବୁ ନିର୍ମାଣ କରାଗଲା । ସେଠାରେ ପର୍ଯ୍ୟାପ୍ତ ପରିମାଣର ସୁସ୍ୱାଦୁ ଖାଦ୍ୟପେୟର ବ୍ୟବସ୍ଥା କରାଗଲା । ପାଣି ପାଇଁ କୂଅ ଓ ପୋଖରୀ ଖୋଳାଗଲା । ଦୁର୍ଯ୍ୟୋଧନଙ୍କ ବିଶ୍ୱସ୍ତ ରାଜକର୍ମଚାରୀମାନେ ଶଲ୍ୟ ଓ ତାଙ୍କ ସୈନ୍ୟ ସାମନ୍ତଙ୍କର ଉପଯୁକ୍ତ ଯତ୍ନ ନେଉଥା"ନ୍ତି । ଶଲ୍ୟ କିନ୍ତୁ ଭାବୁଥା'ନ୍ତି ଏତେ ପ୍ରକାର ବ୍ୟବସ୍ଥା ତାଙ୍କ ପାଇଁ ତାଙ୍କ ଭଣଜାମାନେ କରିଛନ୍ତି । ତେଣୁ ଦିନେ ଶଲ୍ୟ ତାଙ୍କ ସେବା କରୁଥିବା ରାଜ କର୍ମଚାରୀଙ୍କୁ ପାଖକୁ ଡାକି କହିଲେ “ଏଇ ଯେଉଁସବୁ ରମଣୀୟ ଆଶ୍ରୟସ୍ଥଳୀସବୁ ନିର୍ମାଣ କରି ମୋର ଓ ମୋର ସୈନ୍ୟସାମନ୍ତଙ୍କର ଉପଯୁକ୍ତ ଯତ୍ନର ସମସ୍ତ ବ୍ୟବସ୍ଥା କରିଥିବା କୁନ୍ତିପୁତ୍ର ଯୁଧିଷ୍ଠିରକୁ ଖବର ଦିଅ । ମୁଁ ତାଙ୍କର ଆତିଥେୟତାରେ ମୁଗ୍ଧ । ମୁଁ ଏବେ ତାଙ୍କୁ ପୁରସ୍କୃତ କରିବାକୁ ଚାହେଁ ।”

ପରିଚାରକମାନେ ଏ ଖବର ତୁରନ୍ତ ଅଳ୍ପ ଦୂରରେ ଛଦ୍ମବେଶରେ ଥିବା ଦୁର୍ଯ୍ୟୋଧନଙ୍କୁ ଜଣାଇଲେ । ଦୁର୍ଯ୍ୟୋଧନ ତୁରନ୍ତ ଶଲ୍ୟଙ୍କ ପାଖରେ ପହଞ୍ଚିଲେ ଓ କହିଲେ “ମାମୁ ଆପଣ ମୋର ଆତିଥେୟତା ସ୍ୱୀକାର କରିଥିବାରୁ ମୁଁ କୃତଜ୍ଞ ।” ଶଲ୍ୟ ଦୁର୍ଯ୍ୟୋଧନଙ୍କୁ ତାଙ୍କ ଆଗରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କର ଏଯାଏଁ ଧାରଣାଥିଲା ପାଣ୍ଡବମାନେ ତାଙ୍କ ପାଇଁ ଏତେ ସବୁ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଯିଏ ବନ୍ଦୋବସ୍ତ କରିଥାଉନା କାହିଁକି ସେ ପୁରସ୍କାର ପାଇବାକୁ ଯୋଗ୍ୟ ।

ଶଲ୍ୟ ତାପରେ ଶ୍ରଦ୍ଧା ପୂର୍ବକ ଦୁର୍ଯ୍ୟୋଧନଙ୍କୁ ଆଲିଙ୍ଗନ କରି କହିଲେ, “ହେ ଦୁର୍ଯ୍ୟୋଧନ ତୁମ ଶ୍ରଦ୍ଧା ଓ ସମ୍ମାନରେ ମୁଁ ପ୍ରୀତ । ଏବେ କୁହ ତୁମ ପାଇଁ ମୁଁ କ’ଣ କରିପାରିବି? ବିନା ଦ୍ୱିଧାରେ ମାଗ ମୁଁ ତାହା ପୂରଣ କରିବାକୁ ଚେଷ୍ଟା କରିବି ।”

ଦୁର୍ଯ୍ୟୋଧନ ଏମିତି ଏକ ସୁଯୋଗକୁ ଅପେକ୍ଷା କରି ରହିଥିଲେ । ସଙ୍ଗେ ସଙ୍ଗେ କହିଲେ, ହେ ମାମୁ ଆପଣ ଜାଣନ୍ତି କୌରବ ଓ ପାଣ୍ଡବମାନେ ଯୁଦ୍ଧର ପ୍ରସ୍ତୁତି କରୁଛନ୍ତି । ମୋର ଇଚ୍ଛା ଆପଣ କୌରବସେନାଙ୍କ ସହ ସେମାନଙ୍କର ଅନ୍ୟତମ ସେନାପତି ଭାବରେ ଯୋଗ ଦିଅନ୍ତୁ ।

ହଠାତ୍ ଦୁର୍ଯ୍ୟୋଧନ ଏପରି କିଛି ଅନୁରୋଧ କରିବେ ବୋଲି ଶଲ୍ୟ ଭାବିପାରିନଥିଲେ । କିନ୍ତୁ ସେ ତ କଥା ଦେଇ ସାରିଛନ୍ତି । ଏବେ ଆଉ ମନା କରିହେବନି । ମୁହୂର୍ତ୍ତେ ମାତ୍ର ନୀରବ ରହି ଶଲ୍ୟ କହିଲେ, “ଠିକ ଅଛି, ତାହା ହିଁ ହେବ । କିନ୍ତୁ ଅନେକ ବର୍ଷ ଧରି ବନବାସ କଷ୍ଟ ଭୋଗିଥିବା ମୋ ଭଣଜାମାନଙ୍କୁ ମୁଁ ପ୍ରଥମେ ସାକ୍ଷାତ କରିବି । ତାପରେ ଯାଇଁ ତୁମ ପାଖକୁ ଫେରିବି । ମୁଁ ତୁମକୁ ଯେଉଁ କଥା ଦେଇଛି ତାହା ନିଶ୍ଚୟ ପାଳନ କରିବି । ତୁମେ ବିନା ଶଙ୍କାରେ ଏବେ ଏଠାରୁ ପ୍ରସ୍ଥାନ କରିପାର ।”

ଶାସ୍ତ୍ରରେ ଲେଖାଅଛି ଅଯାଚିତ ଭାବରେ ମିଳୁଥିବା ଆତିଥେୟତା ଗ୍ରହଣ କରିବା ଉଚିତ ନୁହେଁ । ଶଲ୍ୟ ଧର୍ମ ସଙ୍କଟରେ ପଡିଯାଇଥିଲେ । କଥା ଦେଲାପରେ ସେଥିରୁ ଖସିବା ପାଇଁ ତାଙ୍କ ପାଖରେ ଆଉ କିଛି ବାଟ ନଥିଲା । କୂଟବୁଦ୍ଧି ପ୍ରୟୋଗ କରି ଦୁର୍ଯ୍ୟୋଧନ ପାଣ୍ଡବଙ୍କ ମାମୁଙ୍କୁ ନିଜ ପକ୍ଷକୁ ନେଇଗଲେ । ପାଣ୍ଡବମାନେ ଜଣେ ବୀରଯୋଦ୍ଧା ଓ ଏକ ଅକ୍ଷୌହିଣୀ ସୈନ୍ୟ ହରେଇଲେ ।

ଦୁର୍ଯ୍ୟୋଧନଙ୍କୁ ବିଦାୟ ଦେଇ ଶଲ୍ୟ ପାଣ୍ଡବମାନଙ୍କ ପାଖରେ ପହଞ୍ଚିଲେ । ଉପପ୍ଲବରେ ପାଣ୍ଡବମାନେ ବହୁ ବର୍ଷପରେ ମାମୁ ଶଲ୍ୟଙ୍କୁ ଦେଖି ବଡ ଖୁସି ହେଇଗଲେ । ଶଲ୍ୟଙ୍କ ପରି ବୀର କେହି ନଥିଲେ । ପ୍ରଚୁର ସୈନ୍ୟ ସାମନ୍ତଙ୍କ ଗହଣରେ ଶଲ୍ୟଙ୍କୁ ଦେଖି ଯୁଧିଷ୍ଠିରଙ୍କ ଭିତରେ ଆତ୍ମ ବିଶ୍ୱାସ ପୂରି ଯାଇଥାଏ । ଶଲ୍ୟଙ୍କୁ ଯଥାମାନ୍ୟ ସମ୍ମାନ ଦେଲାପରେ ସେ ପାଞ୍ଚ ପାଣ୍ଡବଭାଇଙ୍କୁ ଗୋଟି ଗୋଟି କରି ସ୍ନେହ ଶ୍ରଦ୍ଧାର ସହ ଆଲିଙ୍ଗନ କଲେ । ତାପରେ ଯୁଧିଷ୍ଠିର ହସ୍ତିନାପୁରର ରାଜ ଦରବାରର କପଟ ପଶା, ପାଞ୍ଚାଳୀଙ୍କ ଅପମାନ, ସେମାନଙ୍କ ଦୁଃଖ କଷ୍ଟ ଭରା ବନବାସ କଥା ଗପିଲେ । ସବୁ ଶୁଣିଲା ପରେ ଶଲ୍ୟ କହିଲେ, “ହେ ଯୁଧିଷ୍ଠିର ! ମୁଁ ଜାଣେ ତୁମେ ସଦାସର୍ବଦା ଧର୍ମର ରାସ୍ତାରେ ବାଟ ଚାଲିଛ । ଧର୍ମର ରାସ୍ତାରେ ଚାଲୁଥିବା ଲୋକର ବିଜୟ ସୁନିଶ୍ଚିତ ବୋଲି ଜାଣ । ତୁମେ ଖୁବ ଶୀଘ୍ର ଶତ୍ରୁଙ୍କୁ ପରାଜିତ କରିବ ଓ ରାଜଐଶ୍ୱର୍ଯ୍ୟ ଲାଭ କରିବ ।”

ତାପରେ ଶଲ୍ୟ ମନ ଦୁଃଖ କରି ରାସ୍ତାରେ ଯାହା ଘଟିଲା ତାହା କହିଲେ । ଦୁର୍ଯ୍ୟୋଧନ କେମିତି କୂଟକପଟ କରି ତାଙ୍କର ସମର୍ଥନ ହାସଲ କଲା ସେ କଥା ଭାରି ଦୁଃଖ ଓ ଅନୁତାପର ସ୍ୱରରେ କହିଲେ । ଶଲ୍ୟଙ୍କ କଥା ଶୁଣି ଯୁଧିଷ୍ଠିର କହିଲେ, “ଏଥିରେ ଦୁଃଖ କି ଅନୁତାପ କିଛି କରିବାର ନାହିଁ ମାମୁ । ଆପଣ ସାଧୁତା ସହକାରେ ଦୁର୍ଯ୍ୟୋଧନକୁ ବର ଦେଇଛନ୍ତି । କପଟ ତ ଦୁର୍ଯ୍ୟୋଧନ କରିଛି । ମୁଁ ସେଥିପାଇଁ ଆଗରୁ ସତର୍କ ହୋଇ ଆପଣଙ୍କୁ ସତର୍କ କରିବାର ଥିଲା । ମୋର ଭୁଲ ହୋଇଛି । ଥରେ କଥା ଦେଇସାରିଛନ୍ତି ଯେତବେଳେ, ଆପଣ ଜଣେ ଶ୍ରେଷ୍ଠ କ୍ଷତ୍ରୀୟ ଭାବରେ ପ୍ରତିଶ୍ରୁତି ପାଳନ କରିବା ଉଚିତ । କିନ୍ତୁ ଭଣଜା ହିସାବରେ ଆପଣଙ୍କ ପାଖରୁ ଗୋଟିଏ ଉପକାର ଆଶା କରୁଛି । ମୁଁ ଜାଣିଛି ଆଗକୁ ହେବାକୁ ଥିବା ମହାସମରରେ ଦିନେନା ଦିନେ କର୍ଣ୍ଣ ଓ ଅର୍ଜୁନଙ୍କ ମଧ୍ୟରେ ଜୀବନ ମରଣ ସଂଗ୍ରାମ ହେବ । କର୍ଣ୍ଣ ଯେକୌଣସି ପ୍ରକାରେ ଅର୍ଜୁନର ପ୍ରାଣ ନାଶ କରିବାକୁ ପ୍ରାଣମୂର୍ଚ୍ଛା ଲଢେଇ କରିବ । ଶ୍ରୀକୃଷ୍ଣ ଆମ ପକ୍ଷରେ ରହିବେ କଥା ଦେଇଛନ୍ତି କିନ୍ତୁ ବିନା ଅସ୍ତ୍ରରେ ରହିବାର ସର୍ତ୍ତ ରଖିଛନ୍ତି । ସେ ଅର୍ଜୁନଙ୍କ ରଥର ସାରଥି ହେବେ । ମୁଁ ଜାଣିଛି ସେତେବେଳେ କର୍ଣ୍ଣ ନିଶ୍ଚୟ ଆପଣଙ୍କୁ ତା' ରଥର ସାରଥି ହେବାକୁ ଅନୁରୋଧ କରିବ । ସେତେବେଳେ ଆପଣ କର୍ଣ୍ଣ ରଥର ସାରଥି ହେବେ ଓ ଅର୍ଜୁନକୁ ରକ୍ଷା କରିବାରେ ସାହାଯ୍ୟ କରିବେ ।”

ଶଲ୍ୟଙ୍କ ମୁହଁ ସାମନ୍ୟ ଉଜ୍ଜ୍ବଳ ହୋଇ ଆସିଲା । ସେ କହିଲେ, “ହେ ଯୁଧିଷ୍ଠିର ମୁଁ ତମମାନଙ୍କ ପକ୍ଷରେ ଯୁଦ୍ଧ ଲଢିବି ବୋଲି ଘରୁ ବାହାରିଥିଲି । କିନ୍ତୁ ବାଟରେ ପରିସ୍ଥିତି ବଦଳିଗଲା । ତୁମକୁ କିଛିବି ସାହାଯ୍ୟ କରିବାର ସୁଯୋଗ ତଥାପି ଅଛି ଜାଣି ଖୁସି ହେଲି । କର୍ଣ୍ଣ ଓ ଅର୍ଜୁନଙ୍କ ମହାସମର ସମୟରେ ମୁଁ କର୍ଣ୍ଣର ରଥରେ ବସି ତାକୁ ନିରୁତ୍ସାହିତ କରିବି । ତା'ର ଗର୍ବ ଅହଙ୍କାର ଭାଙ୍ଗିବାକୁ ଅନେକ କଟୁ କଥା ବି କହିବି । ପଶା ଖେଳ ବେଳେ ତା'ର ବ୍ୟବହାର ଓ ପାଞ୍ଚାଳୀ ପ୍ରତି କରିଥିବା ଅପମାନର ପ୍ରତିଶୋଧ ନେବାକୁ ହେବ । ତୁମେ ନିଶ୍ଚିନ୍ତ ରୁହ । ମୁଁ ଠିକଣା ସମୟରେ ଠିକଣା କାମ କରିବି । ତୁମେ ଏବେ ବରଂ ଯୁଦ୍ଧ ପ୍ରସ୍ତୁତିରେ ଧ୍ୟାନ ଦିଅ।

ଅଧିକ ପଢ଼ନ୍ତୁ: କୃଷ୍ଣଙ୍କ ପ୍ରଶ୍ନ “ମୁଁ ଦରକାର ନା ମୋ ସେନା ଦରକାର ?”

Mahabharat Mahabharat Story
Advertisment
Advertisment