Advertisment

Mahabharat Story: କୃଷ୍ଣଙ୍କ ପ୍ରଶ୍ନ “ମୁଁ ଦରକାର ନା ମୋ ସେନା ଦରକାର ?”

କାହିଁକି ହସ୍ତିନାପୁରକୁ ଦୂତ ପ୍ରେରଣ କଲେ ରାଜା ଦ୍ରୁପଦ ? ଅର୍ଜୁନ ପହଞ୍ଚିବା ଆଗରୁ ତରତରରେ କାହିଁକି ଦୁର୍ଯ୍ୟୋଧନ ଦ୍ୱାରକାରେ ପହଞ୍ଚିଥିଲେ ? କ'ଣ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଲେ କୃଷ୍ଣ ଦୁହିଁଙ୍କୁ ? ମହାଭାରତ ମହାସମର ପାଇଁ କେମିତି ହେଉଥିଲା ପ୍ରସ୍ତୁତି ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

author-image
Ramakanta Samantaray
ଅଦ୍ୟତନ ହୋଇଛି
ମହାଭାରତ କଥା

ମହାଭାରତ କଥା

ବିରାଟଙ୍କ ଦରବାର ସଭାରେ ପାଣ୍ଡବମାନଙ୍କ ବନବାସ ପରର କାର୍ଯ୍ୟପନ୍ଥା ଭାବରେ କ'ଣ କରାଯିବ ଓ କ'ଣ କରାଯିବ ନାହିଁ ସେ ନେଇ ଘମାଘୋଟ ଆଲୋଚନା ଚାଲିଥାଏ । କୃଷ୍ଣ ଯାହା କହିଲେ ବଳରାମ ଅଲଗାକଥା କହିଲେ । ବଳରାମଙ୍କ ପ୍ରସ୍ତାବକୁ ବିରୋଧ କଲେ ସାତ୍ୟକି ଓ ରାଜା ଦ୍ରୁପଦ । ଦ୍ରୁପଦଙ୍କ କଥା ପରେ ପରେ ଶ୍ରୀକୃଷ୍ଣ ଆଉ ଥରେ ଠିଆ ହେଲେ ଓ କହିଲେ, “ଆମର ପୁଅ ଶାମ୍ବ ଯେହେତୁ ଦୁର୍ଯ୍ୟୋଧନଙ୍କ ଝିଅକୁ ବିବାହ କରିଛି ସେଥିପାଇଁ କୌରବମାନେ ମଧ୍ୟ ଆମର ସମ୍ପର୍କୀୟ। ଆମେ ସମସ୍ତେ ଦ୍ୱାରକାରୁ ଅଭିମନ୍ୟୁ ଓ ଉତ୍ତରାଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ଏଠାକୁ ଆସିଥିଲୁ । ବିବାହ କାର୍ଯ୍ୟ ସରିଛି । ଏବେ ଆମେ ଦ୍ୱାରକାକୁ ଫେରିଯିବୁ । ଏଠାରେ ଉପସ୍ଥିତ ଥିବା ସମସ୍ତ ସଜ୍ଜନଙ୍କ ଭିତରୁ ରାଜା ଦ୍ରୁପଦ ବୟୋଜ୍ୟୋଷ୍ଠ। ଜ୍ଞାନ ଓ ଅଭିଜ୍ଞତାରେ ବି ପୁରୁଖା । ଧୃତରାଷ୍ଟ୍ର ତାଙ୍କୁ ଯଥେଷ୍ଟ ସମ୍ମାନ ଦିଅନ୍ତି । କୁରୁସଭାର ଦ୍ରୋଣ ତାଙ୍କର ବାଲ୍ୟବନ୍ଧୁ ଓ କୃପ ମଧ୍ୟ ତାଙ୍କର ସଖା । ତେଣୁ ସେ ହିଁ ଭାବିଚିନ୍ତି କିଛି ଗୋଟେ ନିର୍ଣ୍ଣୟ ନିଅନ୍ତୁ।” 

Advertisment

ତାପରେ କୃଷ୍ଣ ରାଜା ଦ୍ରୁପଦଙ୍କୁ ଚାହିଁ କହିଲେ, “ ଆପଣଙ୍କୁ ଯାହା ଠିକ୍ ଲାଗୁଛି ତାହାହିଁ କରନ୍ତୁ । ପାଣ୍ଡବମାନଙ୍କର ଯେଉଁଥିରେ ମଙ୍ଗଳ ହେବ ଆପଣ ସେଇପରି ବାର୍ତ୍ତା ଆପଣଙ୍କର ଜଣେ ବିଶ୍ୱସ୍ତ ଦୂତ ହାତରେ ହସ୍ତିନାପୁରକୁ ପଠାନ୍ତୁ । ଯଦି ଦୁର୍ଯ୍ୟୋଧନ ସେ ପ୍ରସ୍ଥାବରେ ରାଜି ତେବେ ସେଥିରେ ସମସ୍ତଙ୍କର ମଙ୍ଗଳ ହେବ । ରାଜି ନହେଲେ ଯୁଦ୍ଧକୁ ଆଉ କେହି ଅଟକାଇ ପାରିବେନି । ଯୁଦ୍ଧ ଯଦି ହୁଏ ତେବେ ଆପଣ ଆମ ପାଖକୁ ନିଶ୍ଚୟ ଖବର ପଠାଇବେ ।” 

ସଭା ଶେଷ ହେଲା । କୃଷ୍ଣ ଓ ବଳରାମ ସମସ୍ତଙ୍କ ପାଖରୁ ବିଦାୟ ନେଇ ସପରିବାର ଦ୍ୱାରକା ଫେରିଗଲେ । ଆଉ ଡେରି ନକରି ପାଣ୍ଡବ ପାଞ୍ଚ ଭାଇ ଓ ରାଜା ଦ୍ରୁପଦ ସେମାନଙ୍କ ବନ୍ଧୁ ଦେଶମାନଙ୍କ ପାଖକୁ ସହଯୋଗ ପାଇଁ ଦୂତ ପଠାଇବା ଆରମ୍ଭ କଲେ । ପାଣ୍ଡବମାନଙ୍କର ପ୍ରସ୍ତୁତି ପର୍ବର ଖବର ଯଥାଶୀଘ୍ର ଦୁର୍ଯ୍ୟୋଧନଙ୍କ ପାଖରେ ପହଞ୍ଚିଲା । ସେ ମଧ୍ୟ ସହଯୋଗ ଆଶାରେ ବିଭିନ୍ନ ଦିଗକୁ ଦୂତ ପଠାଇବା ଆରମ୍ଭ କଲେ । ଭିନ୍ନ ଭିନ୍ନ ଦେଶ ସେମାନଙ୍କ ସମ୍ମତି ଯଥାଶୀଘ୍ର ଜଣାଇଲେ । କୋଉ ରାଜା ପାଣ୍ଡବମାନଙ୍କୁ କଥା ଦେଲା ତ କୋଉ ରାଜା କୌରବଙ୍କ ପକ୍ଷରେ ରହିବାକୁ ପସନ୍ଦ କଲେ । 

Advertisment

ଯୁଦ୍ଧର ପ୍ରସ୍ତୁତି ଓ ଭିନ୍ନ ଭିନ୍ନ ରାଜା ମହାରାଜାଙ୍କ ସହଯୋଗ ଲୋଡିବା ଭିତରେ ରାଜା ଦ୍ରୁପଦ ତାଙ୍କ ରାଜ ପୁରୋହିତଙ୍କୁ ହସ୍ତିନାପୁରକୁ ଦୂତ ଭାବରେ ପଠାଇବାକୁ ମନସ୍ଥ କଲେ । ରାଜା ତାଙ୍କ ପୁରୋହିତଙ୍କୁ ପାଖକୁ ଡାକି କହିଲେ, “ଆପଣ ବେଦଜ୍ଞ ବ୍ରାହ୍ମଣ । ଆପଣ କୌରବ ଭାଇମାନଙ୍କ ଦୁରାଚାର ଓ ଶକୁନି ଆଦିଙ୍କ କପଟ କଥା ଜାଣିଛନ୍ତି । ପାଣ୍ଡବ ଭାଇମାନଙ୍କ ଦୁଃଖ କଷ୍ଟ ଦେଖିଛନ୍ତି । ତେଣୁ ଆପଣ ରାଜା ଧୃତରାଷ୍ଟ୍ରଙ୍କୁ ଠିକରେ ବୁଝାଇ କହିପାରିବେ । ଅବଶ୍ୟ ସେ ଅନ୍ଧ ରାଜା ତାଙ୍କ ପୁଅର କଥାରୁ କେବେବି ବାହାରି ଯିବେନି । ସେ ଆଜିକାଲି ଜ୍ଞାନୀ ବିଦୁରଙ୍କ କଥା ନଶୁଣି ତାଙ୍କ ପୁଅ ଓ ପୁଅର କପଟି ପରାମର୍ଶଦାତାଙ୍କ କଥାରେ ପରିଚାଳିତ । ତଥାପି ଆପଣ ସମସ୍ତଙ୍କୁ ବୁଝାଇ କହିବେ । ସେଠାରେ ଭୀଷ୍ମ, ଦ୍ରୋଣ, କୃପ ଓ ବିଦୁର ଉପସ୍ଥିତ ଥିବେ । ପ୍ରକୃତ ସତ କଥା କହିଲେ ସେମାନେ ନିଶ୍ଚୟ ଆପଣଙ୍କୁ ସମର୍ଥନ କରିବେ । ଫଳରେ କୌରବ ସଭାରେ ଭିନ୍ନ ଭିନ୍ନ ମତ ଉଠିବ ଓ ବିବାଦ ହେବ । ଧୃତରାଷ୍ଟ୍ର ସମସ୍ତଙ୍କ ସହ କଥା ହୋଇ ପରାମର୍ଶ ଲୋଡିବେ । ଭୀଷ୍ମ, ଦ୍ରୋଣ, କୃପ ଓ ବିଦୁର ଯୁଦ୍ଧ ବିରୋଧି । ସେମାନେ ଭିତରେ ଭିତରେ ପାଣ୍ଡବମାନଙ୍କୁ ଭଲ ମଧ୍ୟ ପାଆନ୍ତି । ସଭାରେ ଭିନ୍ନ ଭିନ୍ନ ମତ ପାଇଁ କୌରବମାନଙ୍କ ଯୁଦ୍ଧ ଆୟୋଜନରେ ଶିଥିଳତା ଆସିଯିବ । ଯେ କୌଣସି ଉପାୟରେ ଯୁଦ୍ଧ ଚାହୁଁଥିବା ଦୁର୍ଯ୍ୟୋଧନ, କର୍ଣ୍ଣ ଓ ଶକୁନି ସମସ୍ତଙ୍କୁ ପୁଣି ଥରେ ଏକାଠି କରିବାକୁ ଚେଷ୍ଟା କରିବେ । ସେଥିପାଇଁ ସମୟ ଦରକାର ହେବ । ସେଇ ସମୟରେ ଆମମାନଙ୍କୁ ଯୁଦ୍ଧ ପ୍ରସ୍ତୁତି ପାଇଁ ସମୟ ମିଳିଯିବ । ତେଣୁ ମୋର ଅନୁରୋଧ ଆପଣ ହସ୍ତିନାପୁରରେ ଅଧିକ ସମୟ ରହି ଧୃତରାଷ୍ଟ୍ରଙ୍କୁ ଶାନ୍ତି ପ୍ରସ୍ତାବ ଉପରେ ବୁଝାନ୍ତୁ । ତାହା ଆମମାନଙ୍କ ପାଇଁ ଏପଟେ ମଙ୍ଗଳକର ହେବ ।” 

ରାଜା ଦ୍ରୁପଦଙ୍କ ପାଖରୁ ସମସ୍ତ କଥା ଓ ଯୋଜନା ଶୁଣି ତାଙ୍କ ବୁଢା ପୁରୋହିତ ଦୂତ ଭାବରେ ହସ୍ତିନାପୁରକୁ ବାହାରିଗଲେ । ହସ୍ତିନାପୁରକୁ ଦୂତ ପଠାଇଲା ପରେ ପରେ ପାଣ୍ଡବ ପାଞ୍ଚ ଭାଇ ଓ ରାଜା ଦ୍ରୁପଦ ଯୁଦ୍ଧର ଆୟୋଜନରେ ଲାଗିପଡିଲେ । ବିଶ୍ୱସ୍ଥ ଦୂତମାନଙ୍କୁ ଭିନ୍ନ ଭିନ୍ନ ଦେଶକୁ ପଠାଇଲା ପରେ ଅର୍ଜୁନ ସାହାଯ୍ୟ ମାଗିବାକୁ ଦ୍ୱାରକା ବାହାରିଲେ । ଦୁର୍ଯ୍ୟୋଧନ ଚର ପଠାଇ ପାଣ୍ଡବମାନଙ୍କ ସମସ୍ତ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥାନ୍ତି । ଅର୍ଜୁନ ଦ୍ୱାରକା ଯିବା ଖବରପାଇ ସେ ବେଗବାନ ଘୋଡା ଯୋଚା ଯାଇଥିବା ରଥ ଧରି ଦ୍ୱାରକା ବାହାରିଲେ । ଅର୍ଜୁନ ପୂର୍ବରୁ ବାହାରିଥିଲେ ବି ତୀବ୍ର ବେଗରେ ରଥ ଧରି ଦୁର୍ଯ୍ୟୋଧନ ଦ୍ୱାରକାରେ ଆଗତୁରା ପହଞ୍ଚିଗଲେ। 

ଅର୍ଜୁନ ଓ ଦୁର୍ଯ୍ୟୋଧନ ଦ୍ୱାରକା ନଗରୀରେ ପହଞ୍ଚିଲା ବେଳକୁ ଶ୍ରୀକୃଷ୍ଣ ତାଙ୍କ ଶୟନ କକ୍ଷରେ ପଲଙ୍କ ଉପରେ ଗାଢ ନିଦରେ ଶୋଇଥାନ୍ତି । ଦୁହେଁ ତ ଯାଦବ ବଂଶର ବନ୍ଧୁ । ତେଣୁ ଦୁହେଁ ସିଧାସଳଖ କୃଷ୍ଣଙ୍କ ଶୟନକକ୍ଷରେ ଯାଇ ପହଞ୍ଚିଲେ ଓ କୃଷ୍ଣ ଶୋଇଥିବାର ଦେଖି ଅପେକ୍ଷା କଲେ । ଦୁର୍ଯ୍ୟୋଧନ ଯାଇ କୃଷ୍ଣଙ୍କ ମୁଣ୍ଡ ପାଖରେ ଥିବା ଏକ ଚଉକିରେ ବସି ଅପେକ୍ଷା କଲେ ଓ ଅର୍ଜୁନ କୃଷ୍ଣଙ୍କ ପାଦ ପାଖରେ ହାତ ଯୋଡି ବସିରହିଲେ । 

ମହାଭାରତ କଥାମହାଭାରତ କଥା

ଅର୍ଜୁନ ଓ ଦୁର୍ଯ୍ୟୋଧନ ଦୁହେଁ କିଛି ସମୟ ଅପେକ୍ଷା କଲାପରେ କୃଷ୍ଣଙ୍କ ନିଦ ଭାଙ୍ଗିଲା । ଆଖି ଖୋଲିବାରୁ ପାଦ ପାଖରେ ବସିଥିବା ଅର୍ଜୁନଙ୍କ ଉପରେ ତାଙ୍କର ପ୍ରଥମେ ଆଖି ପଡିଲା । ତାପରେ କୃଷ୍ଣ ତାଙ୍କ ମୁଣ୍ଡ ପାଖ ଚଉକିରେ ବସିଥିବା ଦୁର୍ଯ୍ୟୋଧନଙ୍କୁ ବୁଲି ଚାହିଁଲେ । ପାଖରେ ଦୁହିଁଙ୍କୁ ଦେଖି କୃଷ୍ଣ ଆନନ୍ଦରେ ଭଲ ମନ୍ଦ ସବୁ ପଚାରି ବୁଝିଲେ ଓ ତାଙ୍କ ପାଖକୁ ଆସିବାର କାରଣ ପଚାରିଲେ । 

ଦୁର୍ଯ୍ୟୋଧନ କହିଲେ, “ହେ ଗୋବିନ୍ଦ କୌରବ ଓ ପାଣ୍ଡବମାନଙ୍କ ଭିତରେ ଖୁବ ଶୀଘ୍ର ଭୟଙ୍କର ଯୁଦ୍ଧ ହେବାକୁ ଯାଉଛି । ମୁଁ ଆସିଛି ଅନୁରୋଧ କରିବାକୁ ଯେ ଆପଣ ସେ ଯୁଦ୍ଧରେ କୌରବମାନଙ୍କୁ ସହଯୋଗ କରିବେ । ଅର୍ଜୁନ ଓ ମୁଁ ଉଭୟେ ଆପଣଙ୍କର ସଖା । ଦୁଇ ପରିବାର ସହ ଆପଣଙ୍କର ନିବିଡ ସମ୍ପର୍କ ରହିଛି । ଅର୍ଜୁନ ଦ୍ୱାରକାରେ ପହଞ୍ଚିବା ଆଗରୁ ମୁଁ ଆସି ଆଗରୁ ପହଞ୍ଚି ସାରିଥିଲି । ସେ ଆପଣଙ୍କ ଶୟନକକ୍ଷରେ ମୋ ପରେ ଆସି ପହଞ୍ଚିଛନ୍ତି । ଆପଣଙ୍କ ଧର୍ମ ଧାରଣା ଉପରେ ମୋର ସାମନ୍ୟ ସନ୍ଦେହ ନାହିଁ । କ୍ଷତ୍ରୀୟ ଧର୍ମ ଆପଣ ଭଲରେ ଜାଣନ୍ତି। ଯିଏ ପ୍ରଥମେ ଆସି ସାହାଯ୍ୟ ମାଗେ ତାକୁ ସାହାଯ୍ୟ କରିବା କ୍ଷତ୍ରୀୟର ଧର୍ମ ଓ ପରମ୍ପରା । ମୋର ବିଶ୍ୱାସ ଆପଣ ଧର୍ମ ପାଳନ କରି ମୋତେ ନିଶ୍ଚୟ ସାହାଯ୍ୟ କରିବେ ।” 

ବାସୁଦେବ କୃଷ୍ଣ ଓଠରେ ସ୍ମିତହାସ ଖେଳେଇ କହିଲେ, “ହେ ଦୁର୍ଯ୍ୟୋଧନ ସତ କଥା ତୁମେ ଏଠାକୁ ଅର୍ଜୁନଙ୍କ ପୂର୍ବରୁ ଆସି ପହଞ୍ଚିଛ । କିନ୍ତୁ ଏ କଥାବି ସତ ଯେ ମୋର ଆଖି ପ୍ରଥମକରି ଅର୍ଜୁନ ଉପରେ ପଡିଛି । ତେଣୁ ଏବେ କେହି ଆଗ ନୁହେଁ କି କେହି ପଛ ନୁହେଁ । ମୁଁ ତୁମ ଦୁହିଁଙ୍କୁ ନିଶ୍ଚୟ ସାହାଯ୍ୟ କରିବି । ତୁମେ ଦୁହେଁ ମୋର ପରମ ଆତ୍ମୀୟ । କିନ୍ତୁ ସାହାଯ୍ୟ ଓ ଅନୁଗ୍ରହ ପ୍ରଥମେ ସାନକୁ ଦିଆଯାଏ । ଅର୍ଜୁନ ତୁମଠାରୁ ବୟସରେ ସାନ । ତେଣୁ ସେ ପ୍ରଥମେ ତାଙ୍କ କଥା କୁହନ୍ତୁ ।”

ଏତିକି କହି ମାୟାଧର ଅର୍ଜୁନଙ୍କୁ ଚାହିଁ କହିଲେ, “ହେ ଧନଞ୍ଜୟ ତୁମେ ଜାଣିଛ ମୋର ବିଶାଳ ସୈନ୍ୟବାହିନୀ ନାରାୟଣୀ ସେନା ନାମରେ ବିଖ୍ୟାତ। ସେମାନେ ଏକ ଆରକୁ ବଳୀ ବୀର ଓ ଯୋଦ୍ଧା । ସେମାନେ ପୃଥିବୀର ଯେ କୌଣସି ସେନାଙ୍କୁ ସହଜରେ ପରାସ୍ତ କରିପାରିବେ । ସେମାନେ ତୁମ ଦୁଇ ଜଣଙ୍କ ଭିତରୁ ଯେ କୌଣସି ପକ୍ଷରେ ରହି ଯୁଦ୍ଧ କରିବେ । ଅନ୍ୟ ପକ୍ଷରେ ମୁଁ ଏକା ରହିବି । କିନ୍ତୁ ଅସ୍ତ୍ର ଧାରଣ କରିବି ନାହିଁ କି ଯୁଦ୍ଧ ଲଢିବି ନାହିଁ । ଏବେ ତୁମେ କୁହ ତୁମର କିଏ ଦରକାର? ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ନାରାୟଣ ସେନା ନା ବିନା ଅସ୍ତ୍ରର କୃଷ୍ଣ?”

ଅର୍ଜୁନ କାଳ ବିଳମ୍ବ ନକରି କହିଲେ, “ହେ ସଖା, ହେ କେଶବ ଆପଣ ପ୍ରତ୍ୟକ୍ଷ ଯୁଦ୍ଧରେ ଯୋଗ ଦିଅନ୍ତୁ ଅବା ନଦିଅନ୍ତୁ, ଅସ୍ତ୍ର ଉଠାନ୍ତୁ କି ନଉଠାନ୍ତୁ ମୁଁ କିନ୍ତୁ ଚାହେଁ ଆପଣ ପାଣ୍ଡବଙ୍କ ପକ୍ଷରେ ରୁହନ୍ତୁ । ମୋର ନାରାୟଣୀ ସେନାର କୌଣସି ଆବଶ୍ୟକତା ନାହିଁ ।” 

ଅର୍ଜୁନ ଯାହା ଚାହୁଁଥିଲେ ପାଇଗଲେ । ଦୁର୍ଯ୍ୟୋଧନ ମଧ୍ୟ ଯାହା ଚାହୁଁଥିଲେ ପାଇଗଲେ । ଦୁର୍ଯ୍ୟୋଧନ ମନେ ମନେ ଅତ୍ୟନ୍ତ ଆନନ୍ଦିତ ହୋଇ ଭାବିଲେ ଅସ୍ତ୍ର ଧରୁନଥିବା ଓ ସିଧାସଳଖ ଯୁଦ୍ଧ ନକରିବାକୁ ମନସ୍ଥ କରିଥିବା କୃଷ୍ଣଙ୍କ ପାଖରେ ତାଙ୍କର କିବା ପ୍ରୟୋଜନ। ଦୁର୍ଦ୍ଦଶ ନାରାୟଣୀ ସେନା କୌରବଙ୍କ ପକ୍ଷରୁ ଯୁଦ୍ଧ କରିବେ । ତାହାଁହି ବଡ କଥା । ହୁଏତ ପାଣ୍ଡବଙ୍କର ଖରାପ ଦଶାର ସମୟ ଏଯାଏଁ ଶେଷ ହୋଇନି । ନହେଇଥିଲେ ମୁର୍ଖ ଅର୍ଜୁନ ବିଶାଳ ନାରାୟଣୀ ସେନାଙ୍କୁ ଏତେ ସହଜରେ ହାତଛଡା କରିନଥାନ୍ତା । 

କୃଷ୍ଣଙ୍କ ପାଖରେ କାମ ସରିଲା ପରେ ଦୁର୍ଯ୍ୟୋଧନ ତାଙ୍କର ପ୍ରିୟ ବଳରାମଙ୍କ ପଖରେ ପହଞ୍ଚି ସାହାଯ୍ୟ ଭିକ୍ଷା କଲେ । ବଳରାମ କହିଲେ, “ଉତ୍ତରାଙ୍କ ବିବାହ ପରଦିନ ବିରାଟଙ୍କ ସଭାରେ ମୁଁ ଯାହା ଯାହା କହିଥିଲି ଏହା ଭିତରେ ତୁମପାଖରେ ତା'ର ଖବର ନିଶ୍ଚୟ ପହଞ୍ଚିଥିବ । ତୁମ ସହ ଓ ପାଣ୍ଡବଙ୍କ ସହ ମୋର ସମାନ ସମ୍ପର୍କ । ମୁଁ ଚାହୁଁଥିଲି ପାଣ୍ଡବ ଓ କୌରବଙ୍କ ଭିତରେ ଯେମିତି ଯୁଦ୍ଧ ନହେଉ । କିନ୍ତୁ ମୋ କଥାରେ କେହି ଏକମତ ହେଲେନି । ସମସ୍ତଙ୍କର ଯୁଦ୍ଧ ଦରକାର । କୃଷ୍ଣ ତ ପାଣ୍ଡବଙ୍କ ସପକ୍ଷରେ ରହିବ। ତେଣୁ ମୁଁ ପାଣ୍ଡବଙ୍କ ପକ୍ଷରେ ରହିବିନି କି ସେମାନଙ୍କୁ ସାହାଯ୍ୟ ସହଯୋଗ କରିବିନି । କିନ୍ତୁ କୃଷ୍ଣର ବିରୋଧରେ ଯାଇ ତୁମକୁ ମଧ୍ୟ ସାହାଯ୍ୟ କରିପାରିବିନି । ତୁମେ ଉଚ୍ଚକୁଳରେ ଜନ୍ମ ନେଇଛ । ହସ୍ତିନାପୁରକୁ ସାହାଯ୍ୟ କରିବାକୁ ବୀରମାନଙ୍କର ଅଭାବ ରହିବନି । ଦେଖିବ ଅଯାଚିତ ସାହାଯ୍ୟ ସହଯୋଗ ଆସି ପହଞ୍ଚିବ । କ୍ଷତ୍ରୀୟ ଧର୍ମକୁ ମାନି ନିଜକୁ ଦୃଢ ରଖି ଯୁଦ୍ଧ କର । ମନେରଖ ବୀରଭୋଗ୍ୟା ବସୁନ୍ଧରା।”

Army Mahabharat Mahabharat Story
Advertisment
Advertisment