/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748930441.jpg)
ମହାଭାରତ କଥା
ଦିନେ ଯୁଧିଷ୍ଠିର ଋଷି ମାର୍କଣ୍ଡେୟଙ୍କୁ ପଚାରିଲେ, “ହେ ମହାତ୍ମା ! ଆପଣ ଦେବତା ଓ ଋଷିମାନଙ୍କ ଭିତରେ ଭୂତ ଓ ଭବିଷ୍ୟତ କଥା ଜାଣନ୍ତି ବୋଲି କୁହାଯାଏ । ଆମେ ବନବାସ କରି ଏତେ ଦୁଃଖ କଷ୍ଟ ଭୋଗ କରୁଛୁ । ବନବାସରେ ଜୀବନ ଧାରଣ କରିବାକୁ ମୃଗମାନଙ୍କୁ ମାରି ହିଂସା ଆଚରଣ କରୁଛୁ । ଆମ ପରି ପୂର୍ବରୁ ଆଉ କେହି କ'ଣ ଘର ଦ୍ୱାର ଛାଡି ଏମିତି ବନବାସ କରି ଦୁଃଖ କଷ୍ଟ ଭୋଗିଛନ୍ତି କି? ଆପଣ ଆମମାନଙ୍କ ପରି ଦୁଃଖି ମଣିଷ କ'ଣ ଆଗରୁ କାହାକୁ ଦେଖିଛନ୍ତି?”
ଯୁଧିଷ୍ଠିରଙ୍କ କଥା ଶୁଣି ଋଷି ମାର୍କଣ୍ଡେୟ କହିଲେ, “ମୋ ଜାଣିବାରେ ତ୍ରେତୟା ଯୁଗରେ ରାମଚନ୍ଦ୍ରଙ୍କ ପରି ଦୁଃଖ କଷ୍ଟ କେହି ପାଇନାହାହାନ୍ତି । ପିତୃ ସତ୍ୟ ପାଳନ କରି ରାମ ବନବାସ ଯାଇଥିଲେ । ସାଙ୍ଗରେ ତାଙ୍କର ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣ ମଧ୍ୟ ବଣକୁ ଯାଇ ବହୁତ ଦୁଃଖ କଷ୍ଟ ଭୋଗ କରିଥିଲେ ।” ଯୁଧିଷ୍ଠିର ଆଗ୍ରହ ଦେଖାଇବାରୁ ମାର୍କଣ୍ଡେୟ ଋଷି ତାଙ୍କୁ ପୁରା ରାମାୟଣର କାହାଣୀ ଶୁଣାଇଲେ । ତାପରେ ମାର୍କଣ୍ଡେୟ ଅତୀତର ଆଉ ଜଣେ ରାଜା ଏବଂ ତାଙ୍କ ପତିବ୍ରତା ପତ୍ନୀଙ୍କର ବନବାସ ଓ ଦୁଃଖ କଷ୍ଟର କାହାଣୀ ମଧ୍ୟ ଗପିଲେ ।
ମଦ୍ର ଦେଶରେ ଅଶ୍ୱପତି ନାମରେ ଜଣେ ଧର୍ମାତ୍ମା ସତ୍ୟନିଷ୍ଠ ରାଜା ଥିଲେ । ଅଶ୍ୱପତିଙ୍କ ପତ୍ନୀଙ୍କ ନାମ ହେଲା ମାଲବୀ । ରାଜା ଓ ରାଣୀଙ୍କର ଦୁଃଖ ତାଙ୍କର କେହି ପିଲାପିଲି ନଥା'ନ୍ତି । ତେଣୁ ସନ୍ତାନ ଆଶାରେ ରାଜା ପ୍ରତିଦିନ ସାବିତ୍ରୀ ମନ୍ତ୍ର ପାଠ କରି ହୋମରେ ଲକ୍ଷେ ଆହୁତି ଦେବା ଆରମ୍ଭ କଲେ । ପୁରା ଅଠର ବର୍ଷ ପରେ ସାବିତ୍ରୀ ଦେବୀ ରାଜାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହେଲେ । ଯଜ୍ଞ କୁଣ୍ଡରେ ପ୍ରକଟ ହେଇ ସାବିତ୍ରୀ ରାଜା ଅଶ୍ୱପତିଙ୍କୁ କହିଲେ, “ହେ ରାଜନ! ତୁମର ଯଜ୍ଞରେ ମୁଁ ସନ୍ତୁଷ୍ଟ । କି ବର ମାଗୁଛ ମାଗ।” ରାଜା ଅଶ୍ୱପତି ସନ୍ତାନ କାମନା କରିବାରୁ ଦେବୀ ସାବିତ୍ରୀ ରାଜାଙ୍କର ଝିଅଟିଏ ହେବ କହି ଅର୍ନ୍ତହିତ ହେଇଗଲେ । ରାଣୀ ମାଲବୀ ଗର୍ଭବତୀ ହେଲେ ଓ ଯଥା ସମୟରେ କନ୍ୟା ସନ୍ତାନ ଜନ୍ମ ଦେଲେ । ସାବିତ୍ରୀ ଦେବୀଙ୍କ କୃପାରୁ ଜନ୍ମ ହୋଇଥିବାରୁ ଝିଅର ନାମ ରଖାଗଲା ସାବିତ୍ରୀ ।
ସାବିତ୍ରୀଙ୍କ ସୌନ୍ଦର୍ଯ୍ୟ ଓ ତେଜ ଲକ୍ଷ୍ମୀଙ୍କ ପରି ଥିଲା । ତାଙ୍କୁ ଦେଖି ସମସ୍ତେ ଦେବକନ୍ୟା ବୋଲି କହୁଥା'ନ୍ତି । ବଡ ଆଦର ଯତ୍ନରେ ରାଜାରାଣୀ ସାବିତ୍ରୀଙ୍କୁ ଲାଳନ ପାଳନ କଲେ । ଯୌବନ ପ୍ରାପ୍ତ ହେଲାପରେ ତାଙ୍କ ବିବାହ ପାଇଁ ଉପଯୁକ୍ତ ବର ପାତ୍ରର ସନ୍ଧାନ କରାଗଲା । କିନ୍ତୁ ସାବିତ୍ରୀଙ୍କ ଶରୀରର ତେଜରେ କୌଣସି ରାଜକୁମାର ତାଙ୍କୁ ବିବାହ କରିବାକୁ ରାଜି ହେଲେନି । ଚାରିଆଡୁ ନିରାଶ ହେଲା ପରେ ଅଶ୍ୱପତୀ ଦିନେ ଝିଅ ସାବିତ୍ରୀଙ୍କୁ ପାଖକୁ ଡାକି କହିଲେ, “ମାଆ ମୋର, ମୁଁ ତୋ ପାଇଁ ଉପଯୁକ୍ତ ବର ସନ୍ଧାନ କରିପାରୁନି। ତୁ ତୋ ପାଇଁ ନିଜେ ଉପଯୁକ୍ତ ବରପାତ୍ର ସନ୍ଧାନ କରେ ।” ପିତାଙ୍କ ଏପରି କଥା ଶୁଣି ସାବିତ୍ରୀ ଲାଜରେ ମୁଣ୍ଡ ତଳକୁ କରି ଛିଡାହେଲେ । ତାପରେ କିଛି ବୃଦ୍ଧ ଅମାତ୍ୟଙ୍କୁ ସାଙ୍ଗରେ ଧରି ରଥ ଚଢି ବରପାତ୍ର ସନ୍ଧାନରେ ବାହାରିଲେ ।
ସାବିତ୍ରୀ ଅନେକ ଦେଶ ଓ ଅନେକ ଆଶ୍ରମ ଭ୍ରମଣ କରି ଦିନେ ଆପଣା ଦେଶକୁ ଫେରି ଆସିଲେ । ଫେରିଆସି ଦେଖନ୍ତି ଅଶ୍ୱପତିଙ୍କ ପାଖରେ ଦେବର୍ଷି ନାରଦ ବସିଛନ୍ତି । ସାବିତ୍ରୀ ତାଙ୍କ ବାପା ଓ ଦେବର୍ଷିଙ୍କୁ ପ୍ରଣାମ କଲେ । ନାରଦ ଅଶ୍ୱପତିଙ୍କୁ ପଚାରିଲେ, “ଝିଅ କୁଆଡେ ଯାଇଥିଲେ କି? ହେ ରାଜା ! ଆପଣଙ୍କ କନ୍ୟାତ ବିବାହ ଯୋଗ୍ୟା ହେଲାଣି । ଯଥାଶୀଘ୍ର ଉପଯୁକ୍ତ ବରପାତ୍ର ସନ୍ଧାନ କରି ତାର ବିବାହ କାହିଁକି କରୁନାହାଁନ୍ତି?”
ଅଶ୍ୱପତି କହିଲେ, “ମୁଁ ସେଇ କାମରେ ହିଁ ତାକୁ ପଠେଇଥିଲି । ସେ ଏବେ ଫେରିଆସିଛି । ସେ କାହାକୁ ତା'ର ପତି ଭାବରେ ବରଣ କରିବାକୁ ମନସ୍ଥ କରିଛି ସେ ହିଁ କହିପାରିବ ।”
ସାବିତ୍ରୀ କହିଲେ, ସେ ଅନେକ ଦେଶ ଓ ଆଶ୍ରମ ଭ୍ରମଣ କଲାପରେ ଶାଲ୍ୱ ଦେଶରେ ପହଞ୍ଚିଲେ । ଶାଲ୍ୱଦେଶର ଦ୍ୟୁମତ୍ସେନ ନାମରେ ଜଣେ ରାଜା ଥିଲେ । ରାଜା ଶେଷକୁ ଅନ୍ଧ ହୋଇଗଲେ । ରାଜାଙ୍କର ସତ୍ୟବାନ ନାମରେ ଅଳ୍ପ ବୟସର ପୁଅଟିଏ ଥିଲେ । ବୁଢା ରାଜା ଅନ୍ଧ ହୋଇଯିବାରୁ ଓ ପୁଅ ସାନ ଥିବାରୁ ଏହାକୁ ସୁଯୋଗ ଭାବି ଶତ୍ରୁମାନେ ସେମାନଙ୍କ ରାଜ୍ୟ ଛଡେଇ ନେଲେ ଓ ରାଜ୍ୟରୁ ସେମାନଙ୍କୁ ବାହାର କରିଦେଲେ । ଅନ୍ୟ ଉପାୟ ନପାଇ ରାଜାରାଣୀ ସେମାନଙ୍କ ଛୋଟ ପୁଅ ସତ୍ୟବାନଙ୍କୁ ଧରି ବଣକୁ ଚାଲିଗଲେ । ମୁଁ ସେଇ ଦ୍ୟୁମତ୍ସେନଙ୍କ ଆଶ୍ରମରେ ଯୁବକ ସତ୍ୟବାନଙ୍କ ସନ୍ଧାନ ପାଇଲି ଓ ତାଙ୍କୁ ହିଁ ବିବାହ କରିବାକୁ ମନସ୍ଥ କରିଛି ।
ସାବିତ୍ରୀଙ୍କ କଥା ଶୁଣି ଦେବର୍ଷି ନାରଦ କହିଲେ, “ରାଜା ରାଣୀ ସର୍ବଦା ସତ କହୁଥିବାରୁ ସେମାନଙ୍କ ପୁଅର ନାମ ସତ୍ୟବାନ ଦିଆଯାଇଛି । ସତ୍ୟବାନ ଅତ୍ୟନ୍ତ ଧାର୍ମିକ, ବୁଦ୍ଧିମାନ, ଜିତେନ୍ଦ୍ରୀୟ, ଶୌର୍ଯ୍ୟବାନ ଓ ରୂପବାନ ଅଟନ୍ତି । ମୁଁ ତାଙ୍କୁ ପିଲାଦିନରୁ ଜାଣିଛି । ସାନବେଳେ ସେ ସର୍ବଦା ମାଟିରେ ଘୋଡା ଗଢୁଥିଲେ ଓ ଘୋଡାର ଚିତ୍ର ଆଙ୍କୁଥିଲେ । ସେଥିପାଇଁ ତାଙ୍କୁ ଚିତ୍ରାଶ୍ୱ ବି କୁହାଯାଏ । ତାଙ୍କ ପରି ରାଜକୁମାର ସମଗ୍ର ଭାରତବର୍ଷରେ ନାହାଁନ୍ତି । ତାଙ୍କୁ ପତି ଭାବରେ ନିର୍ବାଚନ କରିବା ଆଗରୁ ସାବିତ୍ରୀ ଗୋଟେ ନିଷ୍ଠୁର ସତ୍ୟ ବିଷୟରେ ଅବଗତ ହୋଇନାହାଁନ୍ତି । ଆଜିଠାରୁ ଠିକ ବର୍ଷେ ପରେ ରାଜକୁମାର ସତ୍ୟବାନଙ୍କର ମରଣ ଦେବ ।”
ମହାଭାରତ କଥାଏମିତି କଥା ଶୁଣି ଅଶ୍ୱପତି କହିଲେ, “ମା ସାବିତ୍ରୀ ବିଧିର ବିଧାନ କେହି ଅନ୍ୟଥା କରିପାରିବେନି । ତେଣୁ ତୁମେ ଅଳ୍ପାୟୁ ସତ୍ୟବାନକୁ ଛାଡି ଆଉ ଜଣେ ପତି ନିର୍ବାଚନ କର । ମୋ କଥା ମାନ, ଜାଣି ଜାଣି ବୌଧବ୍ୟ କଷ୍ଟକୁ ବରଣ କର ନାହିଁ ।”
କିନ୍ତୁ ସାବିତ୍ରୀ କହିଲେ, “ହେ ପିତା! ଜଣେ ନାରୀ ସତୀ ଓ ପତିବ୍ରତା ହେବାପାଇଁ ଥରେ ମାତ୍ର ପତି ନିର୍ବାଚନ କରେ । ମୁଁ ସତ୍ୟବାନଙ୍କୁ ପତି ଭାବରେ ନିର୍ବାଚନ କରିସାରିଛି । ଏବେ ଦେବର୍ଷି ନାରଦଙ୍କ ପାଖରୁ ସେ ଅଳ୍ପାୟୁ ଜାଣିଲା ପରେ ଆଉ ଅନ୍ୟ କାହା କଥା ଭାବିପାରିବିନି । ସତ୍ୟବାନଙ୍କର ଆୟୁଷ ଅଳ୍ପ ହେଉ କି ଦୀର୍ଘ ହେଉ, ସେ ଗୁଣବାନ ହୁଅନ୍ତୁ ଅବା ଗୁଣହୀନ ହୁଅନ୍ତୁ ଏବେ ତାଙ୍କୁ ତ୍ୟାଗ କରି ଭିନ୍ନ ପୁରୁଷଙ୍କୁ ମୁଁ ଗ୍ରହଣ କରିପାରିବିନି ।”
ନାରଦ କହିଲେ, “ହେ ଅଶ୍ୱପତି! ତୁମ ଝିଅ ଯେପରି କହୁଛି ସେପରି କର । ସତ୍ୟବାନଙ୍କ ପରି ଗୁଣବାନ ପାତ୍ର ଆଉ ଦ୍ୱିତୀୟ କେହି ନାହାଁନ୍ତି । ତୁମେ ଝିଅର ନିଷ୍ପତ୍ତିରେ ବାଧା ଦିଅନି । ଭାବିନିଅ ତାହା ହିଁ ବିଧିର ବିଧାନ ।”
ନାରଦଙ୍କ କଥା ପରେ ରାଜା ଅଶ୍ୱପତି ବିବାହ ଆୟୋଜନର ନିର୍ଦେଶ ଦେଲେ ଓ ନାରଦ ସାବିତ୍ରୀଙ୍କୁ ଆଶୀର୍ବାଦ ଦେଇ ସେଠାରୁ ବିଦାୟ ନେଇ ଦେବଲୋକକୁ ଚାଲିଗଲେ ।
ତାପରେ ଦିନେ ରାଜା ଅଶ୍ୱପତି ଶୁଭ ଦିନ ଦେଖି ସାଙ୍ଗରେ ପ୍ରିୟଜନ, ଋତ୍ୱିକ, ପୁରୋହିତ, ମନ୍ତ୍ରୀ ଓ ଅନ୍ୟ ବ୍ରାହ୍ମଣମାନଙ୍କୁ ସାଙ୍ଗରେ ଧରି ଜଙ୍ଗଲରେ ଥିବା ଦ୍ୟୁମତସେନଙ୍କ ଆଶ୍ରମରେ ପହଞ୍ଚିଲେ । ଆଶ୍ରମରେ ପହଞ୍ଚି ଦେଖିଲେ ଅନ୍ଧ ରାଜା ଗୋଟେ ବିରାଟ ଶାଳ ଗଛ ତଳେ ବସିଛନ୍ତି । ଦ୍ୟୁମତସେନଙ୍କ ପାଖକୁ ଯାଇ ଅଶ୍ୱପତି ବିନୟ ପୂର୍ବକ ପ୍ରଣାମ କରି ନିଜର ପରିଚୟ ଦେଲେ । ଅନ୍ଧରାଜା ଅଶ୍ୱପତିଙ୍କୁ ପାଖରେ ପାଇ ଖୁସି ହୋଇ ଆସିବାର କାରଣ ପଚାରିବାରୁ ଅଶ୍ୱପତି କହିଲେ, “ହେ ରାଜନ ମୋର ସୁନ୍ଦରୀ ଗୁଣବତୀ କନ୍ୟା ସାବିତ୍ରୀକୁ ଆପଣ ବୋହୂ ଭାବରେ ଗ୍ରହଣ କରନ୍ତୁ ।” ଦ୍ୟୁମତସେନ କହିଲେ, ମୁଁ ଏବେ ଅନ୍ଧ ଓ ମୋ ରାଜ୍ୟ ଶତ୍ରୁମାନେ ଅଧିକାର କରି ନେଇଛନ୍ତି । ଆପଣଙ୍କ କନ୍ୟା ରାଜନଅରରେ ଆଦର ଯତ୍ନରେ ବଢିଛି । ସେ କ'ଣ ଏ ବଣ ଜଙ୍ଗଲର ଦୁଃଖ କଷ୍ଟର ଜୀବନ ବଞ୍ଚିପାରିବ?”
ଅଶ୍ୱପତି କହିଲେ, “ମୋ ଝିଅ ସୁଖ ଓ ଦୁଃଖର ପ୍ରଭେଦ ଭଲରେ ଜାଣିଛି । ସେ ସବୁ ପରିସ୍ଥିତି ବୁଝି ନିଜେ ଆପଣଙ୍କ ପୁଅ ସତ୍ୟବାନଙ୍କୁ ତା'ର ଇହଲୋକ ଓ ପରଲୋକର ପତି ଭାବରେ ବରଣ କରିବାକୁ ମନସ୍ଥ କରିଛି । ତେଣୁ ଆପଣ ଦୟାକରି ମନା କରନ୍ତୁ ନାହିଁ ।” ଦ୍ୟୁମତସେନ କହିଲେ, “ପୂର୍ବରୁ ମୋର ସେଇ ଇଚ୍ଛା ଥିଲା । ଇଚ୍ଛା ଥିଲା ଆପଣଙ୍କ ସହ ବନ୍ଧୁ ବାନ୍ଧିଥା'ନ୍ତି, କିନ୍ତୁ ଦେଶ ଶତ୍ରୁ ହାତକୁ ଗଲାପରେ ମୁଁ ଚୁପ ରହିଥିଲି । ଦେଖ ବିଧିର ବିଧାନ ବିଚିତ୍ର । ଶେଷରେ ଦେଖ କେଡେ ଖୁସିର କଥା ଯାହା ଇଚ୍ଛା କରିଥିଲି ତାହାହିଁ ହେବାକୁ ଯାଉଛି ।”
ଆଶ୍ରମର ଅନ୍ତେବାସୀ ଓ ଅଶ୍ୱପତିଙ୍କ ସହ ଆସିଥିବା ବ୍ରାହ୍ମଣମାନଙ୍କ ସହଯୋଗରେ ସାବିତ୍ରୀ ଓ ସତ୍ୟବାନଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହେଲା । ଅଶ୍ୱପତି ସାଙ୍ଗରେ ଆଣିଥିବା ଦୁର୍ମୂଲ୍ୟ ଅଳଙ୍କାର ଏବଂ ଉପହାର ସବୁ ଝିଅ ଓ ଜ୍ୱାଇଁକୁ ଦେଇ ଆପଣା ରାଜଧାନୀକୁ ଲେଉଟି ଗଲେ । ଅଶ୍ୱପତି ବିଦାୟ ନେଲାପରେ ସାବିତ୍ରୀ ପରିଧାନ କରିଥିବା ସମସ୍ତ ଅଳଙ୍କର ଓ ପାଟ ଶାଢୀକୁ ପରିତ୍ୟାଗ କରି ଆଶ୍ରମର ଅନ୍ୟମାନଙ୍କ ପାରି ସାଧାରଣ ଗେରୁଆ ଲୁଗା ପିନ୍ଧିଲେ। ସାବିତ୍ରୀ ତାଙ୍କ ସ୍ୱାମୀ ଓ ଶାଶୁ ଶ୍ୱଶୁରଙ୍କ ସେବାରେ ଯେପରି ସାମାନ୍ୟ ତ୍ରୁଟି ନରହେ ସେ ନେଇ ସଜାଗ ରହି ସମୟ କାଟିବାକୁ ଲାଗିଲେ । ସାବିତ୍ରୀଙ୍କ ନିଷ୍ଠାପର ନିସ୍ୱାର୍ଥ ସେବା ଓ ମଧୁର ଭାଷା ସମସ୍ତଙ୍କ ମନକୁ ମୋହିବାକୁ ଲାଗିଲା । ଖୁବ ଶୀଘ୍ର ସାବିତ୍ରୀ ଆଶ୍ରମ ଜୀବନକୁ ଆପଣାଇ ନେବା ଦେଖି ସଭିଏ ଆଶ୍ଚର୍ଯ୍ୟ ହୋଇ ଆନନ୍ଦ ପ୍ରକଟ କରୁଥା'ନ୍ତି । କିନ୍ତୁ ସାବିତ୍ରୀଙ୍କ ମନ ଭିତରେ ଭିତରେ ନାରଦ ମୁନି କହିଥିବା ଧାଡିଟି ଆଦୌ ଲିଭୁନଥାଏ । “ସତ୍ୟବାନ ଅଳ୍ପାୟୁ । ମାତ୍ର ଗୋଟେ ବର୍ଷପରେ ତାଙ୍କର ନିଧନ ହେବ ।”
କିଛି ଗୋଟେ କାମ କଲା ବେଳେ, ଚୁପ ଚାପ ନୀରବରେ ବସିଥିବା ବେଳେ, ଖାଦ୍ୟ ଖାଉଥିବା ବେଳେ ଅବା ରାତିରେ ଗଭୀର ନିଦରେ ଶୋଇଥିବା ବେଳେ ସେ ଧାଡିଟି କିନ୍ତୁ ତାଙ୍କ ପିଛା କେତବେଳେ ବି ଛାଡୁନଥାଏ । ସବୁବେଳେ ସାବିତ୍ରୀଙ୍କ କାନ ପାଖରେ ଶୁଭିଯାଉଥାଏ, “ସତ୍ୟବାନ ଅଳ୍ପାୟୁ... ମାତ୍ର ଗୋଟେ ବର୍ଷପରେ ତାଙ୍କର ନିଧନ ହେବ.. ..”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)