Advertisment

Mahabharat: ଲାଉରୁ ଜନ୍ମ ହୋଇଥିବା ଷାଠିଏ ହଜାର ପୁଅଙ୍କ କାହାଣୀ

Ganga's Descent to Earth:କ'ଣ ପାଇଁ କପିଳ ମୁନି ଅଭିଶାପ ଦେଲେ ସଗରଙ୍କ ପୁଅମାନଙ୍କୁ? କୋଉଠି ଲୁଚିଥିଲା ରାଜାଙ୍କ ଅଶ୍ୱମେଧ ଘୋଡ଼ା? ସ୍ୱର୍ଗରୁ କେମିତି ଆସିଲେ ଗଙ୍ଗା ପୃଥିବୀକୁ? ସଗର ରାଜାଙ୍କ ପୁଅମାନେ କେମିତି ପୁଣି ପାଇଲେ ମୁକ୍ତି? ଗଙ୍ଗାଙ୍କ ଧରାବତରଣ ପାଇଁ କାହିଁକି ଖୋଜା ପଡିଲେ ମହାଦେବ? ଏମିତି ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

author-image
Ramakanta Samantaray
ଅଦ୍ୟତନ ହୋଇଛି
Mahabharat

Mahabharat

ଯୁଧିଷ୍ଠିର ଜାଣିବାକୁ ଚାହିଁଲେ କାହିଁକି ମାଆ ଗଙ୍ଗା ସ୍ୱର୍ଗରୁ ଧରାବତରଣ କଲେ । କେମିତି ରାଜା ଭଗୀରଥ ତାଙ୍କୁ ପୃଥିବୀ ପୃଷ୍ଠକୁ ଆଣିଲେ । ଯୁଧିଷ୍ଠିରଙ୍କ ଅନୁରୋଧ ଶୁଣି ଲୋମଶ ଋଷି କହିବା ଆରମ୍ଭ କଲେ ।

Advertisment

ଅନେକ ବର୍ଷ ତଳର କଥା । ଇକ୍ଷାକୁ ବଂଶରେ ସଗର ନାମରେ ଜଣେ ରାଜା ଥିଲେ । ରାଜାଙ୍କର ବୈଦର୍ଭୀ ଓ ଶୈବ୍ୟା ନାମରେ ଦୁଇ ରାଣୀ ଥାଆନ୍ତି । ମହା ବଳଶାଳୀ ରାଜା ସଗର ବଡ ଦୁଃଖରେ କିନ୍ତୁ ରହୁଥିଲେ । କାରଣ ରାଜାଙ୍କର ଦୁଇ ରାଣୀଙ୍କ ଗର୍ଭରୁ କୌଣସି ସନ୍ତାନ ସନ୍ତତି ସମ୍ଭବ ହେଉନଥିଲା । ତେଣୁ ରାଜା ଦିନେ ସାଙ୍ଗରେ ଦୁଇ ରାଣୀଙ୍କୁ ଧରି କୈଳାଶ ପର୍ବତରେ ପହଞ୍ଚିଲେ ଓ ଦେବ ଦେବ ମହାଦେବଙ୍କ ପାଖରୁ ବର ପ୍ରାପ୍ତି ପାଇଁ ଏକନିଷ୍ଠ ଘୋର ତପସ୍ୟା କଲେ । ରାଜାଙ୍କ ତପସ୍ୟାରେ ମହାଦେବ ପ୍ରୀତ ହୋଇ ଦିନେ ଦର୍ଶନ ଦେଲେ ଓ କହିଲେ ହେ ରାଜା ତୁମ ପ୍ରାର୍ଥନାରେ ମୁଁ ଖୁସି । ଏବେ କ'ଣ ମାଗୁଛ ମାଗ । ରାଜା ବିଳମ୍ବ ନକରି ପୁତ୍ର ସନ୍ତାନ କଥା କହିଲେ । ମହାଦେବ କହିଲେ, ହେ ରାଜା ତୁମେ ଯେଉଁ ଲଗ୍ନରେ ପୁତ୍ର ସନ୍ତାନ ପାଇଁ ମୋ ପାଖରେ କାମନା କଲ, ସେଥିରେ ତୁମର ଜଣେ ପତ୍ନୀଙ୍କ ଗର୍ଭରୁ ଷାଠିଏ ହଜାର ପୁଅ ଜନ୍ମ ନେବେ ଓ ଅନ୍ୟ ପତ୍ନୀଙ୍କ କୋଳରୁ ଗୋଟିଏ ମାତ୍ର ପୁତ୍ର ଜନ୍ମ ନେବ । କିନ୍ତୁ ତୁମର ପୁଅମାନେ ବେଶି ଦିନ ବଞ୍ଚି ରହିବେନି । ଏତିକି କହି ମହାଦେବ ଅର୍ନ୍ତଦ୍ଧାନ ହେଇଗଲେ ।

ରାଜା ତାଙ୍କ ଦୁଇ ରାଣୀଙ୍କୁ ଧରି ଦେଶକୁ ଫେରି ଆସିଲେ । କିଛି ମାସ ପରେ ରାଣୀ ବୈଦର୍ଭୀ ଗର୍ଭବତୀ ହେଲେ ଓ ଗୋଟେ ବଡ ଲାଉ ଜନ୍ମ କଲେ । ସେପଟେ ଅନ୍ୟ ଜଣେ ରାଣୀ ଶୈବ୍ୟା ଗୋଟେ ସୁନ୍ଦର ପୁଅ ଜନ୍ମ ଦେଲେ । ରାଜା ଭାବିଲେ ଏବେ ଏଇ ଲାଉରେ କି କାମ? ତେଣୁ ରାଜା ସେ ଲାଉକୁ ପାଣିରେ ଫିଙ୍ଗିଦେବାକୁ ବାହାରିଲେ । ଫିଙ୍ଗିଲା ବେଳକୁ ହଠାତ୍ ଆକାଶବାଣୀ ହେଲା – ହେ ରାଜା ଏପରି ଭୁଲ୍ କରନି । ସେ ଲାଉକୁ ଘରକୁ ନେଇ ତା'ର ମଞ୍ଜି ସବୁକୁ ବାହାର କର । ଲାଉରେ ଷାଠିଏ ହଜାର ମଞ୍ଜି ଅଛି । ସବୁ ମଞ୍ଜିକୁ ଗୋଟେ ଗୋଟେ କରି ଷାଠିଏ ହଜାର ଘିଅ ମାଠିଆରେ ରଖ । କଥାମାନି ରାଜା ସେଇଆ କଲେ। କିଛି ଦିନ ପରେ ମାଠିଆମାନଙ୍କ ଭିତରୁ ଷାଠିଏ ହଜାର ପୁଅ ବାହାରି ବାହାରକୁ ଆସିଲେ । ରାଣୀ ଶୈବ୍ୟାଙ୍କ କୋଳରୁ ଆଉ ଏକ ପୁଅ ଜନ୍ମ ନେଲା । ନାମ ଦିଆଗଲା ଅସମଞ୍ଜା।

Advertisment

ଅଧିକ ପଢ଼ନ୍ତୁ: ନିଜ ସାନ ଭାଇକୁ ମେଣ୍ଢା କରି ମାରୁଥିବା ଜଣେ ଦାନବ ରାଜାର କାହାଣୀ  

ଶିବଙ୍କ କୃପାରେ ଜନ୍ମିତ ଷାଠିଏ ହଜାର ପୁଅ ବଡ ହେଲା ପରେ କାହାକୁ ମାନିଲେନି । ଦେବ, ମାନବ, ଗନ୍ଧର୍ବ, ରାକ୍ଷସ ଓ ଯକ୍ଷ ଆଦି ସମସ୍ତଙ୍କୁ ସେମାନେ ହଇରାଣ କରିବାକୁ ଲାଗିଲେ । ଦିନେ ସଗର ପୁଅମାନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଦେବତାମାନେ ପିତାମହ ବ୍ରହ୍ମାଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁଃଖ ଜଣେଇଲେ । ବ୍ରହ୍ମା କହିଲେ ବ୍ୟସ୍ତ ହୁଅନି ଖୁବ ଶୀଘ୍ର ସଗର ପୁଅମାନେ ନିଜ କର୍ମ ପାଇଁ ଏକାଥରକରେ ବିନାଶ ଯିବେ ।

ସଗର ରାଜା ଅଶ୍ୱମେଧ ଯଜ୍ଞର ଆୟୋଜନ କଲେ । ଯଜ୍ଞ ଅଶ୍ୱକୁ ସୁରକ୍ଷା ଦେବାକୁ ରାଜାଙ୍କ ପୁଅମାନେ ତା' ପଛେ ପଛେ ଗଲେ । ଅଗସ୍ତ୍ୟ ଋଷି ସମୁଦ୍ରର ସବୁତକ ପାଣି ପିଇଦେଇଥିବାରୁ ସମୁଦ୍ର ଅନେକ ଦିନରୁ ଶୁଖିଲା ପଡିଥାଏ । ଦିନେ ସଗରଙ୍କ ଯଜ୍ଞ ଅଶ୍ୱ ସେଇ ଶୁଖିଲା ସମୁଦ୍ର ଭିତରେ କୁଆଡେ ହଜିଗଲା । ରାଜାଙ୍କ ପୁଅମାନେ ଘୋଡାକୁ ଯେତେ ଖୋଜିଲେ ଆଉ ପାଇଲେନି । ଘୋଡାକୁ କିଏ ଜଣେ ହରଣ କରିନେଲା ଭାବି ନିରାଶ ହୋଇ ସେମାନେ ରାଜାଙ୍କ ପାଖକୁ ଲେଉଟି ଆସିଲେ । ଯଜ୍ଞ ଅଶ୍ୱ ନିଖୋଜ ଶୁଣି ରାଜା ପ୍ରଥମେ ରାଗିଗଲେ । ପୁଅମାନଙ୍କୁ କହିଲେ ଷାଠିଏ ହଜାର ପୁଅ ଥାଇ କି ଲାଭ? ଯାଅ ଯେମିତି ହେଲେ ଯଜ୍ଞ ଘୋଡାକୁ ଖୋଜି ଆଣ । ମନେରଖ ଘୋଡା ନମିଳିଲେ ତୁମେମାନେ ମୋ ଦେଶକୁ ଆଉ ଫେରିବନି ।

ପିଲାମାନେ ପୁଣି ଥରେ ଶୁଖିଲା ସମୁଦ୍ର ପାଖକୁ ଘୋଡା ଖୋଜିବାକୁ ବାହାରିଲେ । ଖୋଜୁ ଖୋଜୁ ଠାଏ ଦେଖିଲେ ଶୁଖିଲା ସମୁଦ୍ର ଭିତରେ ବଡ ଗାତଟେ ରହିଛି । ସେମାନେ ସମସ୍ତେ ଲାଗିପଡି ସେଇ ଗାତକୁ ଭଲରେ ଖୋଳିବାକୁ ଲାଗିଲେ ।ଫଳରେ ପାଣି ବିନା ମାଟି ତଳେ ଆଶ୍ରୟ ନେଇଥିବା ହଜାର ହଜାର ସମୁଦ୍ର ଜୀବମାନେ ମରିବାକୁ ଲାଗିଲେ । ସମସ୍ତେ ତ୍ରାହି ତ୍ରାହି ଡାକିଲେ । ବହୁତ ବାଟ ତଳକୁ ଖୋଳି ସାରିଲା ପରେ ସଗର ପିଲାମାନେ ଶେଷରେ ପାତାଳ ଲୋକରେ ପହଞ୍ଚିଗଲେ ଓ ଦେଖିଲେ ସେମାନଙ୍କ ଯଜ୍ଞ ଅଶ୍ୱ ସେଇଠି ଅଛି । ସେମାନେ ସେମାନଙ୍କ ହଜିଲା ଘୋଡାକୁ ପାଇ ଅତି ଆନନ୍ଦରେ ଚିଲେଇବାକୁ ଲାଗିଲେ । ସେଇ ପାଖରେ କପିଳ ମୁନି ତପସ୍ୟା କରୁଥାନ୍ତି । ସଗର ପିଲାଙ୍କ କୋଳାହଳରେ ତାଙ୍କ ଏକାଗ୍ରତା ଭାଙ୍ଗିଗଲା । ସେ ଅତ୍ୟନ୍ତ କ୍ରୋଧରେ ଆଖି ଖୋଲି ସଗର ରାଜାଙ୍କ ପୁଅମାନଙ୍କୁ ଅନେଇ ଦେବାରୁ ଋଷିଙ୍କୁ ଆଖିର ତେଜରେ ପୂରା ଷାଠିଏ ହଜାର ପୁଅ ନିମିଷେକ ଭିତରେ ପୋଡି ପାଉଁଶ ହୋଇ ଝଡି ପଡିଲେ ।

ତାଙ୍କ ଷାଠିଏ ହଜାର ପୁଅଙ୍କ ମରଣ ଖବର ସଗର ରାଜା ନାରଦଙ୍କ ପାଖରୁ ପାଇଲେ । ରାଜାଙ୍କର ମହାଦେବ କହିଥିବା କଥା ମନେ ଥିଲା। ତେଣୁ ସେ ପୁତ୍ର ଶୋକରେ ବେଶି ସମୟ ନଷ୍ଟ ନକରି ତାଙ୍କ ଯଜ୍ଞ କାମ ଶେଷ କରିବାକୁ ଚାହିଁଲେ । ରାଣୀ ଶୈବ୍ୟା ଓ ରାଜା ସଗରଙ୍କ ପୁଅ ହେଲେ ଅସମଞ୍ଜା । ମହାଦେବଙ୍କ ଆଶୀର୍ବାଦରେ ଜନ୍ମିତ ପୁତ୍ର ଅସମଞ୍ଜା ବହୁତ କ୍ରୁର ପ୍ରକୃତିର ଥିଲେ ଓ ନଗରବାସୀଙ୍କୁ ବହୁତ ପ୍ରକାରର ହଇରାଣ କରୁଥିଲେ । ସେଥିପାଇଁ ପ୍ରଜାମାନଙ୍କ ଅଭିଯୋଗ ଶୁଣି ରାଜା ସଗର ବହୁତ ପୂର୍ବରୁ ତାଙ୍କୁ ଦେଶରୁ ବହିଷ୍କାର କରିସାରିଥିଲେ । ଅସମଞ୍ଜାଙ୍କ ପୁଅ ହେଉଛନ୍ତି ଅଂଶୁମାନ । ତେଣୁ ରାଜା ସଗର, ତାଙ୍କ ନାତି ଅଂଶୁମାନଙ୍କ ପାଖରେ ପହଞ୍ଚି କହିଲେ ଏବେ ତୋତେ ହିଁ ଯଜ୍ଞ ଅଶ୍ୱକୁ ଫେରେଇ ଆଣିବାକୁ ହେବ । ପିତୃପୁରୁଷଙ୍କ ମୁକ୍ତି ପାଇଁ ଆମକୁ ଯଜ୍ଞ ଶେଷ କରିବାକୁ ହେବ ।

ଯଜ୍ଞ ଅଶ୍ୱ ଖୋଜି ଖୋଜି ଅଂଶୁମାନ ପାତାଳରେ ପହଞ୍ଚିଲେ ଓ କପିଳ ମୁନିଙ୍କୁ ପ୍ରାର୍ଥନା କଲେ । ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ କପିଳ ମୁନି ଅଂଶୁମାନଙ୍କୁ ଦୁଇଟି ବର ମାଗିବାକୁ କହିଲେ । ପ୍ରଥମ ବର ଭାବରେ ଅଂଶୁମାନ କହିଲେ ସୁରୁଖୁରୁରୁରେ ଅଶ୍ୱମେଧ ଯଜ୍ଞ ସମ୍ପନ୍ନ ହେଉ ଓ ଦ୍ୱିତୀୟ ବର ଭାବରେ ମାଗିଲେ ତାଙ୍କ ପିତୃପୁରୁଷ କେମିତି ମୁକ୍ତି ପାଇବେ ମୁନି ତା'ର ବାଟ ବତାନ୍ତୁ । କପିଳ ମୁନି ଯଜ୍ଞ ଅଶ୍ୱ ନେଇଯିବାକୁ ଅଂଶୁମାନଙ୍କୁ ଅନୁମତି ଦେଲେ ଓ କହିଲେ ଗଙ୍ଗା ଧରଣୀ ବକ୍ଷରେ ପ୍ରବାହିତ ହେଲେ ଯାଇଁ ତାଙ୍କରି ସ୍ପର୍ଶରେ ସଗର ପୁତ୍ରମାନେ ମୁକ୍ତି ପାଇ ସ୍ୱର୍ଗକୁ ଯିବେ ।

Lord Mahadevଓଟିଭି

ଅଂଶୁମାନ ଘୋଡା ଧରି ଦେଶକୁ ଫେରି ଆସିଲେ । ସଗର ରାଜା ଅଶ୍ୱମେଧ ଯଜ୍ଞ ସମ୍ପନ୍ନ କରି ଅନେକ ଦିନ ଦେଶ ଶାସନ କଲା ପରେ ନାତି ଅଂଶୁମାନଙ୍କ ହାତରେ ଦେଶ ଶାସନର ଭାର ଦେଇ ସନ୍ୟାସ ନେଇ ଜଙ୍ଗଲକୁ ଚାଲିଗଲେ । ଅଂଶୁମାନ ମଧ୍ୟ ଅନେକ ବର୍ଷ ସୁଚାରୁରୂପେ ଦେଶ ଚଳାଇଲେ । ଅଂଶୁମାନଙ୍କ ପରେ ତାଙ୍କ ପୁଅ ଦିଲ୍ଲୀପ ଦେଶର ରାଜା ହେଲେ । ସେ ଦିନେ ଜାଣିଲେ ତାଙ୍କ ପିତୃପୁରୁଷମାନଙ୍କ ଆତ୍ମା ଏବେବି ମୁକ୍ତି ପାଇନି ଓ ସେଥିପାଇଁ ଗଙ୍ଗାଙ୍କୁ ପୃଥିବୀକୁ ଆସିବାକୁ ପଡିବ । ସେ ସେଥିପାଇଁ ଅନେକ ଚେଷ୍ଟା କଲେ କିନ୍ତୁ ଫଳ କିଛି ହେଲାନି । ଦିଲ୍ଲୀପଙ୍କ ପରେ ତାଙ୍କ ପୁଅ ଭଗୀରଥ ରାଜା ହେଲେ ।

ଭଗୀରଥ ଜଣେ ଅତି ଧର୍ମପରାୟଣ ଓ ଉତ୍ତମ ପ୍ରକୃତିର ରାଜା ଥିଲେ । ସେ ତାଙ୍କ ପିତୃପୁରୁଷମାନଙ୍କୁ ମୁକ୍ତି ଦେବାକୁ ଦିନେ ବାହାରି ହିମାଳୟରେ ବସି ଗଙ୍ଗାଙ୍କ ଉଦ୍ଦେଶ୍ୟରେ ଘୋର ତପସ୍ୟା କରିବାକୁ ଲାଗିଲେ । ଭଗୀରଥଙ୍କ ତପସ୍ୟାରେ ପ୍ରୀତ ହୋଇ ଗଙ୍ଗା ତାଙ୍କ ସାମ୍ନାରେ ଆସି ଉଭା ହେଲେ । ପଚାରିଲେ, ହେ ରାଜା କ'ଣ ମାଗୁଛ ମାଗ । ଭଗୀରଥ କହିଲେ, ମାଆ ଗଙ୍ଗା ତୁମେ ଧରାବତରଣ କରି ଆସିଲେ ହିଁ ମୋର ପିତୃପୁରୁଷମାନେ କପିଳ ମୁନିଙ୍କ ଅଭିଶାପରୁ ମୁକ୍ତ ହୋଇ ସ୍ୱର୍ଗକୁ ଯାଇ ପାରିବେ । ଗଙ୍ଗା କହିଲେ ତାଙ୍କର ଧରାବତରଣ କରିବାରେ ଅସୁବିଧା ନାହିଁ, କିନ୍ତୁ ସେ ଯେତେବେଳେ ତାଙ୍କ ପ୍ରବଳ ସ୍ରୋତ ସହ ପୃଥିବୀ ପୃଷ୍ଠରେ ପଡିବେ ତାଙ୍କୁ ଧାରଣ କରିବାର ଶକ୍ତି ଧରଣୀର ନାହିଁ । ସେଥିରେ ପୃଥିବୀ ବିଦୀର୍ଣ୍ଣ ହେବାର ସମ୍ଭାବନା ରହିଛି । କେବଳ ମହାଦେବ ଶିବ ହିଁ ତାଙ୍କ ଧରାବତରଣର ଧାରକୁ ସମ୍ଭାଳି ପରିବେ । ତେଣୁ ପ୍ରଥମେ ତୁମେ ଶିବଙ୍କୁ ପ୍ରାର୍ଥନା କରି ରାଜି କରାଅ ।

ଗଙ୍ଗାଙ୍କ ଉପଦେଶ ଶୁଣି ଭଗୀରଥ କୈଳାଶ ପର୍ବତରେ ପହଞ୍ଚି ମହାଦେବଙ୍କୁ ପ୍ରାର୍ଥନା କରି ସନ୍ତୁଷ୍ଟ କରି ରାଜି କରାଇଲେ । ମହାଦେବ ଭଗୀରଥଙ୍କ କଥାରେ ରାଜି ହୋଇ ହିମାଳୟକୁ ଗଲେ ଓ ଭଗୀରଥଙ୍କୁ ଗଙ୍ଗାଙ୍କୁ ଆବାହନ କରିବାକୁ କହିଲେ ।

ଧରଣୀକୁ ଗଙ୍ଗାଙ୍କ ଆଗମନକୁ ଦେବତା, ଗନ୍ଧର୍ବ ଅପସରୀ, ଯକ୍ଷ ଓ ବ୍ରହ୍ମର୍ଷିମାନେ ଦେଖୁଥାନ୍ତି । ପ୍ରଚଣ୍ଡ ବେଗରେ ଗଙ୍ଗା ତାଙ୍କର ଜଳ ଧାର ସହ ମହାଦେବଙ୍କ ମୁଣ୍ଡ ଉପରେ ସ୍ୱର୍ଗରୁ ଆସି ପଡିଲେ ଓ ଭୂମି ସ୍ପର୍ଶ କରି ତିନି ଧାରରେ ବିଭକ୍ତ ହୋଇ ବହିବାକୁ ଲାଗିଲେ। ଗଙ୍ଗା ଭଗୀରଥଙ୍କୁ ପଚାରିଲେ, ହେ ରାଜା ତୁମ କଥାରେ ମୁଁ ପୃଥିବୀକୁ ଆସିଲି । ଏବେ ମୋତେ କୁହ ମୁଁ କେଉଁଆଡକୁ ଗତି କରିବି?

Maa Gangaମାଆ ଗଙ୍ଗା

ଭଗୀରଥ ଆଗେ ଆଗେ ସମୁଦ୍ର ଆଡକୁ ଚାଲିଲେ ଓ ଗଙ୍ଗା ତାଙ୍କୁ ଅନୁସରଣ କଲେ । ଗଙ୍ଗାଙ୍କ ଆଗମନରେ ଏକଦା ଅଗସ୍ତ୍ୟ ଋଷିଙ୍କ ଦ୍ୱାରା ଶୁଖିଲା ପଡିଥିବା ସମୁଦ୍ର ଭରିଗଲା । ଅସଂଖ୍ୟ ଜଳଚର ଜୀବ ଅତି ଆନନ୍ଦରେ ମାଟି ତଳୁ ପାଣିକୁ ବାହାରି ଆସି ଖେଳିବାକୁ ଲାଗିଲେ । ଗଙ୍ଗାଙ୍କ ସ୍ପର୍ଶରେ କପିଳ ମୁନିଙ୍କ ଅଭିଶାପରେ ସଗର ରାଜାଙ୍କ ଯେଉଁ ଷାଠିଏ ହଜାର ପୁଅ ଭସ୍ମ ହୋଇଥିଲେ, ସେମାନେ ଏଥର ମୁକ୍ତି ପାଇ ସ୍ୱର୍ଗ ପ୍ରାପ୍ତି କଲେ । ଭଗୀରଥଙ୍କ ପାଇଁ ଗଙ୍ଗା ପୃଥିବୀକୁ ଆସିଲେ ବୋଲି ଗଙ୍ଗାଙ୍କର ଅନ୍ୟନାମ ହେଲା ଭାଗିରଥୀ ।

ଅଧିକ ପଢ଼ନ୍ତୁ: ଅଗସ୍ତ୍ୟ ଋଷି ଓ ରାଜକୁମାରୀ ଲୋପାମୁଦ୍ରାଙ୍କ କାହାଣୀ 

Mahabharat Mahabharat Story
Advertisment
Advertisment