ପତ୍ନୀ ଲୋପାମୁଦ୍ରାଙ୍କ ଅନୁରୋଧ ରକ୍ଷା କରି ଅଗସ୍ତ୍ୟ ଋଷି ଧନ ସଂଗ୍ରହରେ ବାହାରିଲେ । ଅଗସ୍ତ୍ୟଙ୍କ ନଜରରେ ଶ୍ରୁତର୍ବା ନାମକ ଜଣେ ରାଜା ବହୁତ ଧନଶାଳୀ ଥିଲେ । ଋଷି ରାଜାଙ୍କ ପାଖରେ ପହଞ୍ଚିଲେ ଓ କହିଲେ ମୋର କିଛି ଧନର ଆବଶ୍ୟକତା ରହିଛି । ତୁମେ ବିନା ହିଂସାରେ ସଂଗ୍ରହ କରିଥିବା ଧନରୁ ମୋତେ କିଛି ଦାନ କର । ରାଜା କହିଲେ, ହେ ତପସ୍ୱୀ ମୋ ଦେଶରେ ଆୟ ଓ ବ୍ୟୟର ହିସାବ ଥରେ ଦେଖିନିଅନ୍ତୁ । ମୁଁ ଆବଶ୍ୟକତା ଠାରୁ କିଛିବି ଅଧିକ କିଛି ଅର୍ଥ ସଂଗ୍ରହ କରେନି । ମୋ ଦେଶରେ ଯେତିକି ଆୟ ହୁଏ ଠିକ ସେତିକି ହିଁ ବ୍ୟୟ ହୁଏ । ଅଗସ୍ତ୍ୟ ଋଷି ବୁଝୁଥିଲେ ଯେଉଁ ଦେଶରେ ଆୟ ବ୍ୟୟ ସମାନ, ସେ ଦେଶର ରାଜାଙ୍କ ରାଜକୋଷରୁ ଅର୍ଥ ସଂଗ୍ରହ କରିବା ଅର୍ଥ ହେଉଛି ଦେଶର ଲୋକମାନଙ୍କୁ ଅଯଥାରେ କଷ୍ଟ ଦେବା ।
ତେଣୁ ଅଗସ୍ତ୍ୟ ଶ୍ରୁତର୍ବାଙ୍କୁ ସାଙ୍ଗରେ ଧରି ଅନ୍ୟ ଜଣେ ରାଜା ବ୍ରଧ୍ମଶ୍ୱଙ୍କ ପାଖରେ ପହଞ୍ଚିଲେ । ବ୍ରଧ୍ମଶ୍ୱ ରାଜା, ମହର୍ଷି ଅଗସ୍ତ୍ୟ ଓ ରାଜା ଶ୍ରୁତର୍ବାଙ୍କୁ ସ୍ୱାଗତ କରିସାରି ସେମାନଙ୍କ ଆସିବାର କାରଣ ପଚାରିଲେ । ଅଗସ୍ତ୍ୟ ଋଷି ସେଇ ଏକା କଥା କହିଲେ ଯେ, ତାଙ୍କର ବିନା ହିଂସାରେ ଆୟ ହୋଇଥିବା କିଛି ଧନ ଦାନ ରୂପରେ ଦରକାର । ଅଗସ୍ତ୍ୟଙ୍କ କଥା ଶୁଣି ରାଜା ବ୍ରଧ୍ମଶ୍ୱ କହିଲେ, ହେ ମହର୍ଷି ମୋର ଆୟ ଓ ବ୍ୟୟ ସମାନ । ଆପଣ ତାପରେ ଯାହା କହିବେ ମୁଁ କରିବି । ଅଗସ୍ତ୍ୟ ଋଷି ବୁଝିଲେ ବ୍ରଧ୍ମଶ୍ୱଙ୍କ ପାଖରୁ ଅର୍ଥ ଗ୍ରହଣ କରିବା ଠିକ ହେବନି । ତାପରେ ଶ୍ରୁତର୍ବା, ବ୍ରଧ୍ମଶ୍ୱ ଓ ଅଗସ୍ତ୍ୟ ମହର୍ଷି ଧନ ସନ୍ଧାନରେ ଇକ୍ଷାକୁ ବଂଶୀୟ ପୁରୁକୁତ୍ସାଙ୍କ ପୁଅ ତ୍ରସଦସ୍ୟୁ ନାମକ ଜଣେ ଐଶ୍ୱର୍ଯ୍ୟଶାଳୀ ରାଜାଙ୍କ ପାଖରେ ପହଞ୍ଚିଲେ । ସେଠାରେ ବି ରାଜା ତ୍ରସଦସ୍ୟୁ କହିଲେ ତାଙ୍କର ଆୟ ବ୍ୟୟ ସମାନ । ଲୋମଶଙ୍କୁ ଆଉ ଥରେ ନିରାଶ ହେବାକୁ ପଡିଲା ।
Also Read
ତାପରେ ତିନି ରାଜା ବିଚାର କରି ଅଗସ୍ତ୍ୟଙ୍କୁ କହିଲେ ଇଲ୍ୱଳ ନାମକ ଦାନବ ରାଜାଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ପତ୍ତି ରହିଛି । ତାଙ୍କୁ ମାଗିଲେ ସେ ହୁଏତ ସାହାଯ୍ୟ କରିପାରନ୍ତି । ଏମିତି ବିଚାର କରି ଚାରିଜଣ ଯାଇଁ ଦାନବ ରାଜା ଇଲ୍ୱଳଙ୍କ ପାଖରେ ପହଞ୍ଚିଲେ ।
ରାଜା ଇଲ୍ୱଳଙ୍କ ସାନ ଭାଇଙ୍କ ନାମ ହେଲା ବାତାପି । ବ୍ରାହ୍ମଣ ଓ ତପସ୍ୱୀମାନଙ୍କ ପାଇଁ ଦୁଇ ଭାଇଙ୍କ ମନରେ ବିଦ୍ବେଷ ଭାବ ଥାଏ। ଦୁଇ ଦାନବ ଭାଇ ଅଭିନବ ଉପାୟରେ ମଣିଷ ମାରନ୍ତି । ସେମାନଙ୍କ ପାଖକୁ କେହି ଅତିଥି ଆସିଲେ ପ୍ରଥମେ ବଡ ଶ୍ରଦ୍ଧାର ସହ ତା'ର ସତ୍କାର କରନ୍ତି । ତାପରେ ବାତାପି ଗୋଟେ ମେଣ୍ଢାରୂପ ଧାରଣ କରେ । ଇଲ୍ୱଳ ସେ ମେଣ୍ଢାକୁ ମାରି ବଡ ଯତ୍ନର ସହ ରୋଷେଇ କରି ଅତିଥିଙ୍କୁ ଖାଇବାକୁ ଦିଏ । ଖିଆ ପିଆ ସରିଲା ପରେ ଇଲ୍ୱଳ ବଡ ପାଟି କରି ତା' ସାନଭାଇକୁ ଡାକପକାଏ । ଭାଇର ଡାକ ଶୁଣି ବତାପି ଅତିଥିଙ୍କ ପେଟ ଭିତରେ ଜୀବନ ପାଏ ଓ ବିଳମ୍ବ ନକରି ଅଟ୍ଟହାସ କରି ସେ ଅତିଥିଙ୍କର ପେଟ ଚିରି ପଦାକୁ ବାହାରେ । ଏମିତି ଉପାୟରେ ଦୁଇ ଭାଇ ମିଶି ଅନେକ ଲୋକଙ୍କ ଜୀବନ ହରଣ କରିସାରିଥାନ୍ତି ।
ଅଗସ୍ତ୍ୟ ଓ ତାଙ୍କ ସାଙ୍ଗରେ ତିନି ରାଜାଙ୍କୁ ତା ଦେଶରେ ଦେଖି ଇଲ୍ୱଳ ବଡ ଖୁସି ହେଇଗଲା । ଅତିଥିମାନଙ୍କର ଯଥାରିତି ଆଦର ଅଭ୍ୟର୍ଥନା ବି କଲା । ସାନଭାଇ ବାତାପି ମେଣ୍ଢା ହେଲା ଓ ରନ୍ଧାହେଇ ଅତିଥିମାନଙ୍କ ଆଗରେ ପରଶା ଗଲା । ରାଜାମାନେ ସେ ମାଂସ ଖାଇଲେନି । ଅଗସ୍ତ୍ୟ ଋଷି କିନ୍ତୁ ରନ୍ଧା ଯାଇଥିବା ପୁରା ମାଂସ ଭକ୍ଷଣ କରି ନିଜ ପେଟରେ ଥରେ ହାତ ବୁଲେଇ ଆଣିଲେ । କିଛି ସମୟ ପରେ ପୁରୁଣା ଯୋଜନା ଅନୁସାରେ ଇଲ୍ୱଳ ତା' ସାନ ଭାଇ ବାତାପିକୁ ଡାକ ପକାଇଲା । ଆଶ୍ଚର୍ଯ୍ୟ କଥା ହେଲା ବାତାପି ଆଉ ଋଷିଙ୍କ ପେଟ ଚିରି ବାହାରକୁ ବାହାରିଲାନି । ଅଗସ୍ତ୍ୟଙ୍କର ପ୍ରବଳ ଜୀର୍ଣ୍ଣ କରିବାର ଶକ୍ତି ଥିଲା । ଇଲ୍ୱଳ ଡାକିଲା ବେଳକୁ ବାତାପି ଋଷିଙ୍କ ପେଟରେ ବିଚରା ବାତାପି ଜୀର୍ଣ୍ଣ ହୋଇ ସାରିଲାଣି।

ଇଲ୍ୱଳର ବ୍ୟସ୍ତତା ଦେଖି ଅଗସ୍ତ୍ୟ ଋଷି ହସି ହସି କହିଲେ ଦାନବ ରାଜ ତୁମ ଭାଇ ମୋ ପେଟ ଭିତରେ ଜୀର୍ଣ୍ଣ ହୋଇ ସାରିଛି । ତେଣୁ ଆଉ କେବେବି ସେ ଫେରିବନି । ତୁମେ ଦୁହେଁ ମିଶି ଅନେକ ଲୋକଙ୍କୁ ମାରିସାରିଛ । ଏଣିକି ତାହା ଆଉ ସମ୍ଭବ ହେବନି । ଋଷିଙ୍କ କଥା ଶୁଣି ଇଲ୍ୱଳ ଭୟରେ ଆସି ଋଷିଙ୍କ ପାଦ ତଳେ ପଡିଲା ଓ କହିଲା ମୋର ବଡ ଭୁଲ ହୋଇ ଯାଇଛି । ମୋତେ କ୍ଷମା କରନ୍ତୁ ଓ ଏବେ ମୋତେ ଯାହା କହିବା କଥା କୁହନ୍ତୁ । ମୁଁ ସବୁ କରିବି । ଅଗସ୍ତ୍ୟ ଋଷି କହିଲେ ଆମେ ଜାଣୁ ତୁମେ ଅଚଳାଚଳ ସଂପତ୍ତିର ଅଧିକାରୀ । ଏବେ ଆମ ଚାରି ଜଣଙ୍କୁ କିଛି କିଛି ଧନ ଦାନ କର । ତାପରେ ଦାନବ ରାଜ ଇଲ୍ୱଳ ତିନି ରାଜାଙ୍କୁ ଜଣ ପିଛା ଦଶ ହଜାର ଗାଈ ଓ ଦଶ ହଜାର କରି ସ୍ୱର୍ଣ୍ଣମୁଦ୍ରା ପ୍ରଦାନ କଲେ । ଋଷି ପ୍ରବରଙ୍କୁ ଦୁଇ ଗୁଣା ଗାଈ ଓ ସ୍ୱର୍ଣ୍ଣ ମୁଦ୍ରା ସହ ଘୋଡା ଯୋଚା ହେଇଥିବା ଏକ ସୁନା ରଥ ଦାନ କଲେ।
ଆବଶ୍ୟକୀୟ ଦାନ ସଂଗ୍ରହ କରିସାରି ରଥ ଚଢି ଅଗସ୍ତ୍ୟ ଋଷି ଅଳ୍ପ ସମୟ ଭିତରେ ତାଙ୍କ ଆଶ୍ରମରେ ପହଞ୍ଚିଲେ । ଅଗସ୍ତ୍ୟଙ୍କୁ ଦେଖି ଲୋପାମୁଦ୍ରା ଖୁସି ହେଲେ ଓ କହିଲେ ମୋର ସବୁ କଥା ଆପଣ ପୁରଣ କରିଛନ୍ତି । ମୋତେ ଏବେ ଶକ୍ତିଶାଳୀ ପୁଅଟିଏ ଜନ୍ମ କରିବାରେ ସହଯୋଗ କରନ୍ତୁ । ଋଷି ଲୋପାମୁଦ୍ରାଙ୍କୁ ପଚାରିଲେ ତୁମର ଶହେ ପୁଅ ଦରକାର ନା ଶହେପୁଅର ଶକ୍ତିନେଇ ଗୋଟିଏ ପୁଅ ଦରକାର? ଲୋପାମଦ୍ରା କହିଲେ ମୋର ଶହେ ଅପଦାର୍ଥ ପୁଅଙ୍କ ଅପେକ୍ଷା ଗୋଟିଏ ଗୁଣବାନ ଶକ୍ତିଶାଳୀ ପୁଅ ଦରକାର । ଅଗସ୍ତ୍ୟ ଋଷି ଓ ରାଜକୁମାରୀ ଲୋପାମୁଦ୍ରାଙ୍କର ମିଳନ ହେଲା । ଗର୍ଭଧାରଣର ସାତ ବର୍ଷ ପରେ ଲୋପାମୁଦ୍ରା ପୁଅଟିଏ ଜନ୍ମ ଦେଲେ । ନାମ ରଖାଗଲା ଦୃଢସ୍ୟୁ । ଅଗସ୍ତ୍ୟ ଋଷି ପୁତ୍ରବାନ ହେଲା ପରେ ନରକରେ ଥିବା ତାଙ୍କ ପିତୃପୁରୁଷମାନେ ସ୍ୱର୍ଗକୁ ଗଲେ ।
ସେଇ ପୁରା କାଳରେ ବୃତ୍ତାସୁର ନାମକ ଜଣେ ରାକ୍ଷସ ସାଙ୍ଗରେ କାଳକେୟ ନାମରେ ପୁଳେ ଦାନବ ତିନି ଲୋକରେ ବହୁତ ଅତ୍ୟାଚାର କରୁଥିଲେ । ଦେବ ମାନବ କାହାକୁ ଛାଡୁନଥିଲେ । ଦେବତାମାନେ ଅତିଷ୍ଠ ହୋଇ ଶେଷରେ ବ୍ରହ୍ମାଙ୍କ ଶରଣ ପଶିଲେ । ବ୍ରହ୍ମାଙ୍କ ପାଖରୁ ଉପାୟ ଶୁଣି ଦେବତାମାନେ ଦଧିଚି ଋଷିଙ୍କ ପାଖରେ ପହଞ୍ଚିଲେ । ଦଧିଚି ଶରୀର ତ୍ୟାଗ କରି ବିଶ୍ୱର ମଙ୍ଗଳ ପାଇଁ ତାଙ୍କ ଅସ୍ଥି ଦାନ କରିଥିଲେ । ଦଧୀଚିଙ୍କ ଅସ୍ଥିରେ ବିଶ୍ୱକର୍ମା ବଜ୍ର ନାମରେ ଅସ୍ତ୍ର ନିର୍ମାଣ କରିଥିଲେ ଓ ସେଇ ବଜ୍ରରେ ଇନ୍ଦ୍ରଦେବ ବୃତ୍ତାସୁରକୁ ହତ୍ୟା କରିଥିଲେ । ବୃତ୍ତାସୁରର ନିଧନ ପରେ କାଳକେୟ ରାକ୍ଷସମାନେ ଭୟରେ ସମୁ୍ଦ୍ର ଭିତରେ ଲୁଚିଗଲେ । ସମୁଦ୍ର ଭିତରେ ଲୁଚି ରହି ସୁବିଧା ଦେଖି ବାହାରକୁ ବାହାରି ଅନ୍ୟମାନଙ୍କ ଉପରେ ନିୟମିତ ଆକ୍ରମଣ କରି ହତ୍ୟା କଲେ । ରାତି ସମୟରେ ସମସ୍ତେ ନିଦରେ ଶୋଇଥିବା ବେଳେ ସେମାନେ ସମୁଦ୍ରରୁ ବାହାରନ୍ତି ଓ ଜନପଦ ଏବଂ ଆଶ୍ରମମାନଙ୍କୁ ଆକ୍ରମଣ କରି ପଶୁ ଓ ମଣିଷମାନଙ୍କୁ ମାରିପକାନ୍ତି । ଦିନ ସମୟରେ ସେମାନେ ସମୁଦ୍ର ତଳେ ଲୁଚି ରହୁଥିବାରୁ ସେମାନଙ୍କୁ ଧରିବା ସହଜ ନଥିଲା । କାଳକେୟ ରାକ୍ଷସମାନଙ୍କ ଅତ୍ୟାଚରରେ ଆଶ୍ରମ ଓ ନଗରମାନ ଜନ ଶୂନ୍ୟ ହେବାକୁ ଲାଗିଲା । ଋଷି ଓ ବ୍ରାହ୍ମଣମାନଙ୍କୁ ହତ୍ୟା କରିବା ଫଳରେ ଦେବତାମାନଙ୍କ ଉଦ୍ଦେଶ୍ୟରେ ହେଉଥିବା ଯଜ୍ଞ ଆଉ ହେଇପାରିଲାନି ।
ଦେବତାମାନେ ବିଷ୍ଣୁଙ୍କ ଶରଣ ପଶିଲେ । କହିଲେ କାଳକେୟ ରାକ୍ଷସମାନଙ୍କ ପାଖରୁ ପୃଥିବୀକୁ ରକ୍ଷା କରନ୍ତୁ । ବିଷ୍ଣୁ କହିଲେ, କାଳକେୟ ରାକ୍ଷସ ପଲଙ୍କୁ ମାରିବା ଏତେ ସହଜ ନୁହେଁ । ସେମାନେ ସମୁଦ୍ର ଭିତରେ ଅଛନ୍ତି । ତେଣୁ ସମୁଦ୍ରର ଜଳକୁ ପାନ କରି ଶେଷ କରିବାକୁ ହେବ । ତୁମେ ଯାଇ ଅଗସ୍ତ୍ୟ ଋଷିଙ୍କୁ ଅନୁରୋଧ କର । କେବଳ ସେ ହିଁ ଏ ଅସାଧ୍ୟ ସାଧନ କରିପାରିବେ। ଦେବତାମାନେ ଅଗସ୍ତ୍ୟ ଋଷିଙ୍କ ପାଖରେ ପହଞ୍ଚିଲେ । ଦେବତାମାନଙ୍କ ଅନୁରୋଧରେ ଅଗସ୍ତ୍ୟ ସମୁଦ୍ରର ସମଗ୍ର ଜଳରାଶିକୁ ଏକାଥରେ ଶୋଷି ଶେଷ କରିଦେଲେ । ସମୁଦ୍ର ଶୁଖି ଯିବାରୁ କାଳକେୟ ଦାନବମାନଙ୍କୁ ଦେବତାମାନେ ସହଜରେ ମାରି ପାରିଲେ । ତାପରେ ଦେବତାମାନେ ଅଗସ୍ତ୍ୟ ଋଷିଙ୍କୁ ଅନୁରୋଧ କଲେ ପୁର୍ନବାର ସମୁଦ୍ରର ସମସ୍ତ ପାଣିକୁ ଫେରାଇ ଦେବାକୁ । ଋଷି ଅଗସ୍ତ୍ୟ କିନ୍ତୁ ମନା କରି କହିଲେ ମୁଁ ପିଇସାରିଥିବା ସମୁଦ୍ରର ପାଣି ଏବେ ଆଉ ମୋ ପାଖରେ ନାହିଁ । ତାହା ତ ମୋ ପେଟରେ କେତେବେଳୁ ଜୀର୍ଣ୍ଣ ହେଇ ସାରିଲାଣି । ଏବେ ମୁଁ ପାଣି କୋଉଠୁ ଆଣିପାରିବିନି ।
ଦେବତାମାନଙ୍କ ଭିତରେ ଭାଳେଣି ପଡିଲା । ଏବେ ସମୁଦ୍ର ଭିତରେ ଥିବା ପ୍ରାଣୀ ଜଗତର କ'ଣ ହେବ? ଉପାୟ ଖୋଜିବାକୁ ଦେବକୂଳକୁ ପୁଣି ଥରେ ପିତାମହ ବ୍ରହ୍ମାଙ୍କ ପାଖକୁ ଯିବାକୁ ହେଲା। ବ୍ରହ୍ମା କହିଲେ, ଯେବେ ଭଗୀରଥ ଗଙ୍ଗାଙ୍କୁ ସ୍ୱର୍ଗରୁ ମର୍ତ୍ତ୍ୟ ଲୋକକୁ ଆଣି ସମୁଦ୍ରରେ ପକାଇବେ ତେବେ ଯାଇଁ ସମୁଦ୍ର ପୁଣି ପାଣିରେ ପୁରି ଉଠିବ । ସେ ଯାଏଁ ଅପେକ୍ଷା କରିବାକୁ ହେବ ।
ଯୁଧିଷ୍ଠିର ଲୋମଶ ଋଷିଙ୍କ ପାଖରୁ ଭଗୀରଥ ସ୍ୱର୍ଗରୁ ମର୍ତ୍ତ୍ୟ ଲୋକକୁ ଗଙ୍ଗାକୁ ଆଣିବା କଥା ଶୁଣି ପଚାରିଲେ କେମିତି ଓ କାହିଁକି ଭଗିରଥ ଗଙ୍ଗାଙ୍କୁ ସ୍ୱର୍ଗରୁ ମର୍ତ୍ତ୍ୟକୁ ଆଣିଲେ ସେ କାହାଣୀ ମୋତେ କୁହନ୍ତୁ ।
ଯୁଧିଷ୍ଠିରଙ୍କ ଅନୁରୋଧ ଶୁଣି ଲୋମଶ ଋଷି ଆରମ୍ଭ କଲେ ।
ଇକ୍ଷାକୁ ବଂଶରେ ସଗର ନାମରେ ଜଣେ ରାଜା ଥିଲେ ...