ଅର୍ଜୁନ ଅମରାବତୀ ଯାତ୍ରା କଲାପରେ ପାଣ୍ଡବ ଅନ୍ୟ ଚାରି ଭାଇ ଓ ଦ୍ରୌପଦୀ ଅର୍ଜୁନଙ୍କୁ ମନେପକାଇ ବଡ ଦୁଃଖରେ ଥାଆନ୍ତି । ଏପଟେ ରାଜା ଧୃତରାଷ୍ଟ୍ର ବ୍ୟାସଦେବଙ୍କ ପାଖରୁ ଖବର ପାଇଲେ ଯେ ଅର୍ଜୁନ ଇନ୍ଦ୍ର ଓ ଅନ୍ୟ ଦେବତାଙ୍କ ପାଖରୁ ଦିବ୍ୟ ଅସ୍ତ୍ର ପ୍ରାପ୍ତ ହୋଇଛନ୍ତି । ଖବର ପାଇ ଧୃତରାଷ୍ଟ୍ର ମନେ ମନେ ଆତଙ୍କିତ ହେଇ ପଡିଲେ । ପାଖକୁ ମନ୍ତ୍ରୀ ସଞ୍ଜୟଙ୍କୁ ଡାକି କହିଲେ, ହେ ସଞ୍ଜୟ! ମୁଁ ଖବର ପାଇଲି ଅର୍ଜୁନ ସମସ୍ତ ପ୍ରକାର ଦିବ୍ୟ ଅସ୍ତ୍ର ପ୍ରାପ୍ତ ହୋଇଛି । ସେ ସମସ୍ତ ଅସ୍ତ୍ର ମୋ ପୁତ୍ରମାନଙ୍କୁ ବିନାଶ କରିବାକୁ ନିଶ୍ଚୟ ପ୍ରୟୋଗ କରିବ ।
ଧୃତରାଷ୍ଟ୍ରଙ୍କ ବ୍ୟସ୍ତତା ଦେଖି ସଞ୍ଜୟ କହିଲେ, ମହାରାଜ! ଆପଣଙ୍କ ପୁଅ ଦୁର୍ଯ୍ୟୋଧନ ସେଥିପାଇଁ ଦାୟୀ । ଶକୁନି ଓ କର୍ଣ୍ଣଙ୍କ କଥାରେ ପଡି ସେ ନିଜ ପାଇଁ ଓ ବଂଶ ପାଇଁ ବିପଦ ଡାକିଆଣିଛନ୍ତି । କୃଷ୍ଣ ପାଣ୍ଡବମାନଙ୍କୁ ସହାୟତା କରୁଛନ୍ତି । ଭରା ସଭାରେ ଆପଣଙ୍କ ପୁଅମାନେ ଦ୍ରୌପଦୀଙ୍କୁ ଯେଉଁପରି ଅପମାନିତ କଲେ ସେକଥା ପାଣ୍ଡବମାନେ କେବେବି ଭୁଲି ପାରିବେନି ।
ଧୃତରାଷ୍ଟ୍ର ଦୀର୍ଘଶ୍ୱାସ ଛାଡି କହିଲେ, ମୁଁ ସେସବୁ ଅଟକାଇବାକୁ ଚେଷ୍ଟା କରିଛି । କିନ୍ତୁ ଦୁର୍ଯ୍ୟୋଧନ କିଛି ଶୁଣିବାକୁ କ'ଣ ପ୍ରସ୍ତୁତ ଥିଲା କି? ବିଦୁର ମୋତେ ବାରମ୍ବାର ଏ ଦ୍ୟୁତକ୍ରୀଡାକୁ ଅନୁମତି ନଦେବା ପାଇଁ ଉପଦେଶ ଦେଇଛନ୍ତି । ସେ ମୋତେ ସତର୍କ କରିବାକୁ କହିଥିଲେ ଏ ପଶା ଖେଳ କୁରୁବଂଶକୁ ବିନାଶ କରି ଛାଡିବ । ତାଙ୍କ କଥା ସତ ହେବାକୁ ଯାଉଛି । ଏବେ ଯୁଦ୍ଧ ତ ନିଶ୍ଚୟ ହେବ । ହଉ ଯାହା ହେବା କଥା ହେବ । ବଂଶ ନାଶ ଗଲେ ଯିବ । ମୁଁ ଅନ୍ଧ ମଣିଷଟେ କ'ଣ ବା କରିପାରିବି? ସଞ୍ଜୟଙ୍କୁ ଲାଗିଲା ଶେଷ ଦୁଇ ଧାଡି ରାଜା ନିଜକୁ ନିଜେ କହିଲେ ଯେମିତି ।
ବନବାସରେ ଅର୍ଜୁନଙ୍କ ଅନୁପସ୍ଥିତି ସମସ୍ତଙ୍କୁ ଦୁଃଖରେ ରଖିଥାଏ । ଭୀମ କିଛି କଥା ପେଟରେ ରଖିପାରନ୍ତିନି । ଦିନେ ଯୁଧିଷ୍ଠିରଙ୍କୁ କହିଲେ, ଅର୍ଜୁନକୁ ଦିବ୍ୟ ଅସ୍ତ୍ର ପାଇଁ ଆପଣ ହିମାଳୟ ପଠାଇଦେଲେ । କିନ୍ତୁ ଅନେକ ଦିନ ହେଲାଣି ତା'ର କିଛି ଖୋଜ ଖବର ନାହିଁ । ଏବେ ସେ କେମିତି ଅଛି କିଏ ଜାଣେ? କେବଳ ଅର୍ଜୁନର ସହାୟତାରେ ମୁଁ କୌରବମାନଙ୍କ ଉପରେ ପ୍ରତିଶୋଧ ନେବି ବୋଲି ଭାବିଥିଲି । ଆପଣ ଜାଣନ୍ତି ଅର୍ଜୁନ ଆମ ସମସ୍ତଙ୍କ ପିଣ୍ଡର ପ୍ରାଣ । ସେ ନଫେରିଲେ ଆମକୁ କେହିବି କ୍ଷମା କରିବେନି। ଆମମାନଙ୍କ ଏ ବନବାସ କେତେ ବର୍ଷ ଚାଲିବ କିଏ ଜାଣେ । ମୁଁ ତ କହିବି ଚାଲନ୍ତୁ କୃଷ୍ଣଙ୍କ ସହାୟତାରେ କୌରବମାନଙ୍କ ଉପରେ ଏବେ ଆକ୍ରମଣ କରିବା । ସେ ଦୁଃଶାସନର ଛାତି ଚିରି ରକ୍ତ ପାନ ନକଲାଯାଏ ମୋତେ ରାତିରେ ନିଦ ଆସିବନି ।
ଯୁଧିଷ୍ଠିର ଭୀମସେନଙ୍କ ହୃଦୟର କ୍ଷୋଭ ବୁଝୁଥିଲେ । ସେ ଭୀମଙ୍କୁ ଆଲିଙ୍ଗନ କରି କହିଲେ, ଆଜି ନୁହେଁ ତେର ବର୍ଷ ପରେ ତୁମର ସମସ୍ତ ଇଚ୍ଛା ନିଶ୍ଚୟ ପୂରଣ ହେବ । ଅର୍ଜୁନ ଖୁବ ଶୀଘ୍ର ଫେରି ଆସିବେ । ସେଇ ଅର୍ଜୁନଙ୍କ ସହାୟତାରେ ତୁମେ କୌରବ ଭାଇମାନଙ୍କୁ ଗୋଟି ଗୋଟି କରି ବିନାଶ କରିବ । ସବୁ ହେବ, କେବଳ ଧୈର୍ଯ୍ୟ ଧର ।
ଅଧିକ ପଢ଼ନ୍ତୁ: ଅପ୍ସରୀର ପ୍ରେମ, ପ୍ରତ୍ୟାଖ୍ୟାନ ଓ ଅଭିଶାପର କାହାଣୀ
ପାଣ୍ଡବ ଭାଇମାନେ ଏମିତି ପରସ୍ପର ଭିତରେ କଥା ହେଉଥିବା ବେଳେ ମହର୍ଷି ବୃହଦଶ୍ୱ ସେମାନଙ୍କ ପାଖରେ ଆସି ପହଞ୍ଚିଲେ । ମହର୍ଷିଙ୍କୁ ଯଥାଯୋଗ୍ୟ ସତ୍କାର କଲାପରେ ଯୁଧିଷ୍ଠିର ସେମାନଙ୍କ ଦୁଃଖ କଥା ଗପିଲେ । କେମିତି କୌରବ ଭାଇମାନେ ସେମାନଙ୍କୁ କପଟ ପଶା ଖେଳରେ ହରାଇ ବାର ବର୍ଷ ପାଇଁ ବନବାସକୁ ପଠେଇଲେ । କେମିତି ଦ୍ରୌପଦୀଙ୍କୁ କୁରୁ ସଭାରେ ଅପମାନିତ କଲେ । ଯୁଧିଷ୍ଠିର ମହର୍ଷିଙ୍କୁ ଆହୁରି କହିଲେ, ଦେଖନ୍ତୁ ମୋ ଭାଇମାନେ ଓ ପତ୍ନୀ ଏ ବଣ ଜଙ୍ଗଲରେ ମୃଗ ଚମଡା ପିନ୍ଧି ବୁଲୁଛୁ। ବଣର ଫଳ ମୂଳ ଖାଇ ଦୁଃଖ କଷ୍ଟରେ ଅଛୁ । ଆମର ଏବେ ସବୁଠୁ ବଡ ଦୁଃଖ ହେଲା ଆମ ଭାଇ ଅର୍ଜୁନ ଦିବ୍ୟ ଅସ୍ତ୍ର ସନ୍ଧାନରେ ଯାଇ ଶୀଘ୍ର ଫେରି ଆସିବ କହି ଏଯାଏଁ ଫେରିଲାନି । ସେଥିପାଇଁ ଆମ ସମସ୍ତଙ୍କ ମନରେ ଉଦବେଗ । ସେ କେମିତି ଅଛନ୍ତି କେଉଁଠି ଅଛନ୍ତି ଆମେ ଜାଣିପାରୁନୁ । ମୋତେ ଲାଗୁଚି ଏ ସଂସାରରେ ଆମମାନଙ୍କ ଠାରୁ ଆଉ ଅଧିକ ଦୁଃଖି କେହି ନଥିବେ।
ଯୁଧିଷ୍ଠିରଙ୍କ ପରି ସ୍ଥିତପ୍ରଜ୍ଞଙ୍କୁ ଏପରି ବିଚଳିତ ହେବା ଦେଖି ମହର୍ଷି ସାନ୍ତ୍ୱନା ଦେଇ କହିଲେ, ଆପଣ ଜଣେ ଧର୍ମାତ୍ମା ବିଜ୍ଞ ମଣିଷ । ଏଇ କଥାରେ ବିଚଳିତ ହେବା ଉଚିତ ନୁହେଁ । ଅର୍ଜୁନ ନିଶ୍ଚୟ ତାଙ୍କ ଉଦ୍ଦେଶ୍ୟରେ ସଫଳ ହୋଇ ଖୁବ ଶୀଘ୍ର ଆପଣମାନଙ୍କ ପାଖକୁ ଫେରିଆସିବେ । ଅର୍ଜୁନ ଲାଭ କରିଥିବା ଦିବ୍ୟ ଅସ୍ତ୍ର ସାହାଯ୍ୟରେ ଆପଣ ଆଗାମୀ ଯୁଦ୍ଧରେ ନିଶ୍ଚୟ ବିଜୟ ଲାଭ କରି ହରାଇଥିବା ଦେଶ ଓ ସିଂହାସନ ଫେରିପାଇବେ । ମୁଁ ଆଶୀର୍ବାଦ ଦେଉଛି ଆପଣ ହରାଇଥିବା ସକଳ ଐଶ୍ୱର୍ଯ୍ୟ ଯଥାଶୀଘ୍ର ଫେରି ପାଆନ୍ତୁ ।
କିଛି ସମୟ ନୀରବ ରହି ମହର୍ଷି ବୃହଦଶ୍ୱ କହିଲେ, ହେ ଯୁଧିଷ୍ଠିର ତୁମ ମନରେ ଯେଉଁ ଧାରଣା ଅଛି ଯେ ତୁମଠାରୁ ଆଉ ଅଧିକ ଦୁଃଖ କେହି ଭୋଗ କରିନାହାଁନ୍ତି ସେକଥା ନୁହେଁ । ଭାଗ୍ୟ ଓ ପରିସ୍ଥିତି ଦାଉରେ ତୁମ ପୂର୍ବରୁ ଆହୁରି ଅନେକ ରାଜା ସେଇ ଦ୍ୟୁତ କ୍ରୀଡା ପାଇଁ ଅକଥନୀୟ ଦୁଃଖ କଷ୍ଟ ଭୋଗ କରିଛନ୍ତି । ସେତବେଳେ ସେ ରାଜାଙ୍କ ସାଙ୍ଗରେ କେହି ନଥିଲେ । ଆପଣଙ୍କ ସାଙ୍ଗରେ ଅନ୍ତତଃ ଆପଣଙ୍କ ଭାଇମାନେ ଅଛନ୍ତି । ଆଜି ସେମିତି ଜଣେ ରାଜାଙ୍କ କାହାଣୀ କହୁଛି ଶୁଣିବା ହୁଅନ୍ତୁ । ତାପରେ ମହର୍ଷି ବୃହଦଶ୍ୱ ଗପିଲେ ।
ନିଷଧ ଦେଶର ରାଜା ବୀରସେନ । ତାଙ୍କ ପୁଅର ନାମ ନଳ । ବୀରସେନଙ୍କ ଅନ୍ତେ ନଳ ନିଷଧ ଦେଶର ରାଜା ହେଲେ । ବିଦର୍ଭ ଦେଶର ରାଜା ଭୀମ । ତାଙ୍କର କୌଣସି ସନ୍ତାନ ସନ୍ତତି ନଥାନ୍ତି । ଦିନେ ରାଜା ରାଣୀ ବ୍ରହ୍ମର୍ଷି ଦମନଙ୍କ ଶରଣ ପଶିଲେ । ଦମନଙ୍କ ଆଶୀର୍ବାଦରେ ରାଜା ଓ ରାଣୀ ଗୋଟେ କନ୍ୟା ଓ ତିନୋଟି ପୁତ୍ର ସନ୍ତାନ ପ୍ରାପ୍ତ ହେଲେ । ଦମନଙ୍କ ନାମ ଅନୁସାରେ ଝିଅର ନାମ ଦମୟନ୍ତୀ ଓ ପୁଅ ତିନିଙ୍କ ନାମ ଯଥାକ୍ରମେ ଦମ, ଦନ୍ତ ଓ ଦମନ ରଖାଗଲା । ରାଜା ଭୀମଙ୍କର ଅପୂର୍ବ ସୁନ୍ଦରୀ ସର୍ବଗୁଣା ସମ୍ପନ୍ନା ଝିଅ ଦମୟନ୍ତୀଙ୍କ ସୌନ୍ଦର୍ଯ୍ୟ ଓ ସୁଗୁଣର ଖ୍ୟାତି ଧିରେ ଧିରେ ଚାରିଦିଗରେ ବ୍ୟାପିବାକୁ ଲାଗିଥାଏ । ସେଥିପାଇଁ ଅନେକ ରାଜା ଓ ରାଜକୁମାର ତାଙ୍କୁ ବିବାହ କରିବାକୁ ମନ ବଳେଇ ବସିଥା'ନ୍ତି । ନଳ ବିଭିନ୍ନ ବାଟରୁ ଦମୟନ୍ତୀଙ୍କ ଖବର ପାଉଥା'ନ୍ତି ଓ ଦମୟନ୍ତୀ ବି ନଳଙ୍କ ବିଷୟରେ ଖବର ରଖୁଥା'ନ୍ତି । ପରସ୍ପରର ଗୁଣ ଶୁଣି ଦୁହେଁ ମନେ ମନେ ପରସ୍ପରଙ୍କ ପ୍ରତି ଆକର୍ଷଣ ଅନୁଭବ କରୁଥା'ନ୍ତି ।
ଦିନେ ନଳ ବଣରେ ବୁଲୁଥାନ୍ତି । ବୁଲୁ ବୁଲୁ ସେ ଗୋଟେ ପଦ୍ମ ପୋଖରୀ ପାଖରେ ପହଞ୍ଚିଲେ । ନଳ ଦେଖିଲେ ସେ ପୋଖରୀରେ ସୁନାପରି ଝଟକୁଥିବା ହଂସ ସବୁ ପହଁରୁଛନ୍ତି । କୌତୁହଳରେ ରାଜା ନଳ ସେଥିରୁ ଗୋଟେ ହଂସକୁ ଖଞ୍ଜ କରି ଧରିପକେଇଲେ। ହଂସଟି ନଳକୁ ଆଶ୍ଚର୍ଯ୍ୟ କରିପକାଇ ମଣିଷ ଜଣେ କଥା କହିଲା ପରି କହିଲା, ହେ ରାଜା! ମୋତେ ଦୟାକରି ହତ୍ୟା କରନି । ମୁଁ ମୋ ପିଲାମାନଙ୍କ ପାଇଁ ଆହାର ସଂଗ୍ରହ କରିବାକୁ ଏଠାକୁ ଆସିଥିଲି । ମୋତେ ମୁକ୍ତ କରିଦେଲେ ମୁଁ ତୁମର କାମରେ ଆସିବି। ଏଠୁ ଯାଇ ମୁଁ ବିଦର୍ଭର ରାଜକନ୍ୟା ସୁନ୍ଦରୀ ଦମୟନ୍ତୀଙ୍କୁ ତୁମ ବିଷୟରେ କହିବି । ହଂସର କଥା ଶୁଣି ନଳ ତାକୁ ମୁକ୍ତ କରିଦେଲେ । ହଂସମାନେ ପୋଖରୀରୁ ବାହାରି ଆକାଶକୁ ଡେଣା ମେଲାଇ ଉଡିଗଲେ ।
ରାଜକୁମାରୀ ଦମୟନ୍ତୀ ତାଙ୍କ ରାଜପ୍ରାସାଦର ପ୍ରମୋଦ ଉଦ୍ୟାନରେ ଆପଣା ସଖୀମାନଙ୍କ ସହ ବୁଲୁଥା'ନ୍ତି । ହଂସ ଯୁଥଟି ଯାଇଁ ସେଇଠି ଓହ୍ଳେଇଲେ । ଦମୟନ୍ତୀ ଓ ତାଙ୍କ ସଖୀ ସହଚରୀମାନେ ସୁନା ରଙ୍ଗର ହଂସମାନଙ୍କୁ ଦେଖି ସେମାନଙ୍କୁ ଧରିବାକୁ ଧାଇଁଲେ । ସେତିକିବେଳେ ଗୋଟେ ହଂସ ଆସି ଦମୟନ୍ତୀଙ୍କୁ କହିଲା, ହେ ରାଜକୁମାରୀ! ନିଷଧ ଦେଶରେ ନଳ ନାମରେ ଜଣେ ରୂପବାନ ଓ ଗୁଣବାନ ରାଜା ଅଛନ୍ତି । ମଣିଷଙ୍କ କଥା ଛାଡ, କୋଉ ଦେବତା କି ଗନ୍ଧର୍ବ ବି ତାଙ୍କ ପାସଙ୍ଗରେ ପଡିବେନି । ମୁଁ ଏବେ ତାଙ୍କରି ପାଖରୁ ଆସିଲି । ତମେ ତାଙ୍କ ରାଣୀ ହେଲେ ଯୋଡି ବେଶ୍ ମାନିବ ।
ହଂସ କଥା ଶୁଣି ରାଜକୁମାରୀ ଦମୟନ୍ତୀ କହିଲେ ତାଙ୍କ ପାଖରୁ ଖବର ଆଣିଲ ତ ମୋ ପାଖରୁ ଖବର ନେଇ ତାଙ୍କ ପାଖକୁ ବି ଯାଅ । କୁହ ରାଜକୁମାରୀ ସେ ସୁପୁରୁଷଙ୍କ ବାଟ ଚାହିଁ ବସିଛନ୍ତି । ହଂସ ଦୂତ ହୋଇ ତୁରନ୍ତ ଦମୟନ୍ତୀଙ୍କ ବାର୍ତ୍ତା ନେଇ ନଳଙ୍କ ପାଖରେ ପହଞ୍ଚିଲା ।
ହଂସର କଥା ଶୁଣିଲା ଦିନରୁ ରାଜକୁମାରୀ ବିରହ ବେଦନାରେ ଅସୁସ୍ଥ ହୋଇ ପଡିଲେ । ସବୁବେଳେ ଅନମନସ୍କ ରହିଲେ । ଆକାଶକୁ ଏକ ଲୟରେ ଅନେଇ ରହିଲେ । ଭାରୀ ଦୀର୍ଘଶ୍ୱାସ ଛାଡିଲେ । ଖାଇବା ପିଇବା ଛାଡିଦେଇ ଦେହକୁ କ୍ଷୀଣ କରିପକାଇଲେ । ସବୁବେଳେ ପଲଙ୍କରେ ପଡିରହିଲେ । ରାଜକୁମାରୀଙ୍କ ଏପରି ଅବସ୍ଥା ବିଷୟରେ ମହାରାଜା ଭୀମଙ୍କୁ ପରିଚାରିକାମାନେ ଜଣାଇଲା ପରେ ରାଜା ଚିନ୍ତିତ ହେଇ ପଡିଲେ। ଶେଷରେ ଭାବିଲେ ଝିଅ ମୋର ଯୌବନରେ ପହଞ୍ଚିଲାଣି । ଉପଯୁକ୍ତ ପାତ୍ର ଦେଖି ତାର ବିବାହ କରିଦେବାକୁ ହେବ । ସେଥିପାଇଁ ରାଜା ବିଭିନ୍ନ ଦେଶକୁ ନିମନ୍ତ୍ରଣ ପଠାଇଲେ ଓ ଝିଅର ସ୍ୱୟଂବରର ଆୟୋଜନରେ ଲାଗିଲେ ।
ଦିନେ ଦେବର୍ଷି ନାରଦ ଇନ୍ଦ୍ରଙ୍କ ସଭାରେ ଯାଇ ଦମୟନ୍ତୀଙ୍କ ରୂପ ଓ ଗୁଣ କୀର୍ତ୍ତନ କରି ତାଙ୍କ ସ୍ୱୟଂବରର ଖବର ଦେଲେ । ସୁନ୍ଦରୀ ଦମୟନ୍ତୀଙ୍କ ରୂପ ଓ ଗୁଣ ଏବଂ ସ୍ୱୟଂବର ଖବର ଶୁଣି ଚାରି ଦେବତା ସେଥିରେ ଭାଗ ନେବାକୁ ବାହାରିଲେ । ସେମାନେ ବିଦର୍ଭ ଆସୁଥିବା ବେଳେ ଦେଖିଲେ ଆଉ ଜଣେ ତେଜଦୀପ୍ତ ସୌମ୍ୟ ଯୁବକ ସେଇ ଦିଗରେ ଯାଉଛନ୍ତି । ଯୁବକ ଜଣକ ହେଇଛନ୍ତି ନିଷଧର ରାଜା ନଳ । ନଳଙ୍କର ରୂପ କାନ୍ତି ଦେଖି ଦେବତାମାନେ ଭାବିଲେ ଏ ଯୁବକ ଜଣକ ସ୍ୱୟଂବରରେ ଉପସ୍ଥିତ ହେଲେ ରାଜକୁମାରୀ ଦମୟନ୍ତୀ କଦାଚନ ଅନ୍ୟ କାହା ବେକରେ ବରଣ ମାଳ ପକେଇବେନି । ତେଣୁ ପ୍ରଥମରୁ ଏ ଯୁବକକୁ ପ୍ରତିଯୋଗିତାରୁ ଅନ୍ତର କରିବାକୁ ହେବ ।
ଦେବତାମାନେ ଆକାଶ ମାର୍ଗରୁ ଅବତରଣ କରି ନଳଙ୍କୁ ଅଟକାଇଲେ ଓ ପରିଚୟ ଦେଇ କହିଲେ ଆମେ ହେଲୁ ଇନ୍ଦ୍ର, ବରୁଣ, ଅଗ୍ନି ଓ ଯମ ଦେବତା । ଆମେ ରାଜକୁମାରୀ ଦମୟନ୍ତୀଙ୍କ ସ୍ୱୟଂବର ସଭାକୁ ଯାଉଛୁ । ତୁମେ ଆମର ଗୋଟେ କାମ କର । ଆମମାନଙ୍କର ଦୂତ ହୋଇ ଦମୟନ୍ତୀଙ୍କ ପାଖକୁ ଯାଅ ଓ କୁହ ସେ ସ୍ୱୟଂବର ସଭାରେ ଆମ ମଧ୍ୟରୁ କାହାକୁ ଜଣକୁ ବରଣ କରିବେ ।
ଦେବତାମାନଙ୍କ କଥାକୁ ନଳ ଏଡାଇ ଯାଇଥାନ୍ତେ ଅବା କେମିତି? ସେ କେବଳ ଏତିକି କହିଲେ ରାଜକୁମାରୀଙ୍କୁ ରାଜାଙ୍କ ସୁରକ୍ଷା ବଳୟ ଟପି ମୁଁ ଏକାନ୍ତରେ ଭେଟିବି କେମିତି? ଦେବତାମାନେ କହିଲେ ସେ ବ୍ୟବସ୍ଥା ଆମେ କରିବୁ । ଆମେ ଏଇଠି ଅପେକ୍ଷା କରିଛୁ । ରାଜକୁମାରୀଙ୍କ ପାଖରେ ପହଞ୍ଚି ସେଠୁ ଆସିବା ପର୍ଯ୍ୟନ୍ତ ତୁମକୁ କେହି କିଛି କହିବେନି । ଯାଅ ।
ସ୍ୱୟଂବରରେ ଭାଗ ନେବାକୁ ଯାଉଥିବା ନଳଙ୍କୁ ଦେବତାମାନେ ମିଳିମିଶି ଦୂତ କରିପକାଇଲେ । ମନ ଭାରି କରି ଛାତି ତଳେ ପଥର ଓଜନର ଦୁଃଖକୁ ବହନ କରି ନଳ ଦମୟନ୍ତୀଙ୍କୁ ଦେଖା କରିବାକୁ ରାଜପ୍ରାସାଦ ବାହାରିଲେ ।