/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745560734.jpg)
ମହାଭାରତ କଥା
ଅଷ୍ଟାବକ୍ରଙ୍କୁ ଜନକଙ୍କ ଯଜ୍ଞ ସ୍ଥଳକୁ ଦ୍ୱାରପାଳ ଛାଡିଲାନି । ଦୁହିଁଙ୍କ ଯୁକ୍ତି ପରେ ଅଷ୍ଟାବକ୍ର କ୍ରୋଧରେ ଦ୍ୱାରପାଳକୁ କହିଲେ ଆଉ ଅଧିକ ଯୁକ୍ତି ନକରି ରାଜାଙ୍କ ପାଖକୁ ଖବର ପଠାଅ ।
ରାଜା ଜନକଙ୍କ ପାଖକୁ ଖବର ଗଲା ଓ ରାଜା ଆସି ଦ୍ୱାର ପାଖରେ ପହଞ୍ଚିଲେ । ରାଜା ରାଜପଥରେ ସେଦିନ ଅଷ୍ଟାବକ୍ରଙ୍କୁ ଦେଖିଥିଲେ ଓ ତାଙ୍କ ନିର୍ଭିକତାରେ ମୁଗ୍ଧ ହୋଇଥିଲେ । ରାଜାଙ୍କୁ ଦେଖି ଅଷ୍ଟାବକ୍ର ସେଠାକୁ ଆସିବାର ପ୍ରକୃତ କାରଣ କହିଲେ । ଜନକ ତାଙ୍କୁ ବନ୍ଦୀଙ୍କ ସହ ତର୍କର ପରାଭବ ଓ ପୂର୍ବରୁ କେମିତି ଅନେକ ପଣ୍ଡିତଙ୍କର ଜଳସମାଧି ହେଇଛି ସେ କଥା କହି ସତର୍କ କରିବାକୁ ଚେଷ୍ଟା କଲେ । ରାଜା କହିଲେ, ହେ ବାଳକ ତୁମେ ପଣ୍ଡିତ ବନ୍ଦୀଙ୍କର ତର୍କ ଜ୍ଞାନର କଳନା କରିପାରୁନ । ପୂର୍ବରୁ ଅନେକ ପଣ୍ଡିତ ଆସି ସୂର୍ଯ୍ୟଙ୍କ ଆଗରେ ନକ୍ଷତ୍ରଙ୍କ ପରି ନିଷ୍ପ୍ରଭ ହୋଇ ଶେଷରେ ପରାଜିତ ହୋଇ ପାଣିରେ ବୁଡି ଆତ୍ମହତ୍ୟା କରିଛନ୍ତି । ତୁମର ବୟସ ଅଛି । ତେଣୁ ତୁଚ୍ଛାରେ କାହିଁକି ନିଆଁ ସାଙ୍ଗରେ ଖେଳିବାକୁ ବାହାରିଛ?
ରାଜାଙ୍କ କଥା ଶୁଣି ଅଷ୍ଟାବକ୍ର କହିଲେ, ହେ ରାଜନ! ଆପଣଙ୍କ ସଭାରେ ମୋ ପରି ବେଦ ଓ ତର୍କ ଶାସ୍ତ୍ରରେ ପାରଙ୍ଗମ କେହି ପୂର୍ବରୁ ବନ୍ଦୀଙ୍କ ସହ ତର୍କ କରିନାହାଁନ୍ତି । ସେଇଥିପାଇଁ ବନ୍ଦୀଙ୍କର ଗର୍ବ ଓ ଅହଙ୍କାର ବଢିଯାଇଛି । ଫଳରେ ସେ ଅତ୍ୟନ୍ତ କ୍ରୁର ସ୍ୱଭାବର ହୋଇ ନିରୀହ ଅଳ୍ପଜ୍ଞ ଲୋକଙ୍କୁ ପରାଜିତ କରିଛନ୍ତି । ଆଜି ହିଁ ତାଙ୍କ ଜ୍ଞାନର ଅସଲ ପରୀକ୍ଷା ହେବ । ଚକ ଭାଙ୍ଗିଗଲା ପରେ ପୁରା ଶଗଡ଼ ଯେମିତି ରାସ୍ତା କଡ଼ରେ ପରିତ୍ୟକ୍ତ ହୋଇ ପଡ଼ିରହେ ଠିକ ସେମିତି ସେ ପଡି ରହିବେ। ସେ ଯେଉଁ ସାପର ମୁଣ୍ଡରେ ଆଘାତ କରିଛନ୍ତି ସେ ସାପ ତାଙ୍କୁ ଦଂଶନ ନକରି ସହଜରେ ଛାଡିଦେବନି । ନିଜ କଲା କର୍ମର ଫଳ ତାଙ୍କୁ ଅବଶ୍ୟ ଭୋଗ କରିବାକୁ ପଡିବ ।
ଅଷ୍ଟାବକ୍ର ତାଙ୍କ ଲକ୍ଷରେ ଅଟଳ ରହିଲାରୁ ଜନକ ତାଙ୍କୁ କେତୋଟି ପ୍ରଶ୍ନ କଲେ । ରାଜା ଜନକ କହିଲେ, ହେ ବାଳକ ମୋତେ କୁହ ଯେ ଶୋଇଥିବା ଅବସ୍ଥାରେ କାହାର ଆଖିର ପଲକ ପଡେନାହିଁ? ଜନ୍ମ ପରେ କାହାର କିଛି କମ୍ପନ ହୁଏ ନାହିଁ? କାହାର ହୃଦୟ ନାହିଁ ଓ ବେଗ ମାଧ୍ୟମରେ କିଏ ବୃଦ୍ଧି ପ୍ରାପ୍ତ ହୁଏ?
ଜନକଙ୍କ ପ୍ରଶ୍ନ ଶୁଣୁ ଶୁଣୁ ଅଷ୍ଟାବକ୍ର କହିଲେ ଶୋଇଥିବା ମାଛ ଆଖି ବନ୍ଦ କରେ ନାହିଁ । ଅଣ୍ଡା ଜନ୍ମ ପରେ ସେଥିରେ କମ୍ପନ ନଥାଏ । ପାଷାଣର ହୃଦୟ ନାହିଁ ଓ ନଦୀ ତା'ର ବେଗ ମାଧ୍ୟମରେ ବୃଦ୍ଧି ପ୍ରାପ୍ତ ହୁଏ । ଅନ୍ୟ ଅର୍ଥରେ ଚିତ୍ ସ୍ୱରୂପ ଆତ୍ମା ଅବସ୍ଥାତ୍ରୟ ପ୍ରାପ୍ତ ହେଲେ ମଧ୍ୟ ନିର୍ଲୋପ । ଭୂତ ଭୌତିକ ଏହି ବ୍ରହ୍ମାଣ୍ଡର ସ୍ୱଭାବ । ଜଡ ଓ ଅଚଳ ହେଲେ ମଧ୍ୟ ଆତ୍ମା ଚୈତନ୍ୟ ଯୋଗରେ ପ୍ରେରଣା ପ୍ରାପ୍ତ ହୁଏ । ଆତ୍ମାର ଶରୀର ନାହିଁ କି ହୃଦୟ ନାହିଁ । ଚିତ୍ତ ରୂପକ ନଦୀ ବେଗଦ୍ୱାରା ବୃଦ୍ଧି ପ୍ରାପ୍ତ ହୁଏ ।
ରାଜା ଜନକ ବୁଝିଗଲେ ଏ କିଛି ସାମାନ୍ୟ ବାଳକ ନୁହେଁ । ରାଜା ଅଷ୍ଟାବକ୍ର ଓ ତାଙ୍କ ମାମୁଁ ଶ୍ୱେତକେତୁଙ୍କୁ ଦରବାରକୁ ପାଛୋଟି ନେଇଗଲେ । ସଭା ସ୍ଥଳରେ ପହଞ୍ଚି ଅଷ୍ଟାବକ୍ର ପ୍ରଥମେ ବନ୍ଦୀଙ୍କୁ ଖୋଜିଲେ । ପରିଚୟ ପାଇଲା ପରେ ଭରା ସଭାରେ ଦୁହିଁଙ୍କ ଭିତରେ ପ୍ରବଳ ତର୍କ ବିତର୍କ ଆରମ୍ଭ ହେଲା ।
ବନ୍ଦୀ ପ୍ରଥମେ ତର୍କ ଆରମ୍ଭ କରି କହିଲେ ଯେଉଁପରି ଏକ ଅଗ୍ନୀ ବହୁ ରୂପରେ ପ୍ରଜ୍ୱଳିତ ହୁଏ, ଏକ ସୂର୍ଯ୍ୟ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡକୁ ଆଲୋକିତ କରେ, ଏକ ଇନ୍ଦ୍ର ଶତୃମାନଙ୍କୁ ବିନାଶ କରିପାରନ୍ତି ଓ ଏକ ଯମ ପିତୃଗଣଙ୍କର ଅଧିଶ୍ୱର, ସେହିପରି ମୁଁ ଏକା ଏକା ବହୁ ତାର୍କିକଙ୍କର ବିନାଶ ସାଧନ କରିପାରେ ।
ବନ୍ଦୀଙ୍କ କଥା ଶୁଣି ଅଷ୍ଟାବକ୍ର କହିଲେ ଇନ୍ଦ୍ର ଓ ଅଗ୍ନୀ ଦୁହେଁ ସଖା ଓ ଏକତ୍ର ଭ୍ରମଣ କରନ୍ତି । ନାରଦ ଓ ପର୍ବତ ହେଲେ ଦୁଇ ଦେବର୍ଷି, ଅଶ୍ୱିନୀ କୁମାର ଦୁଇ ଭାଇ ସାଙ୍ଗ ହୋଇ ଯାତ୍ରା କରନ୍ତି । ରଥର ଦୁଇ ଚକ ରହିଛି । ବିଧାତାର ସୃଷ୍ଟିରେ ସ୍ୱାମୀ ସ୍ତ୍ରୀ ଅଭିନ୍ନ ଭାବରେ ବାସ କରନ୍ତି ।
ସେଉଠୁ ବନ୍ଦୀ କହିଲେ ସ୍ୱ ସ୍ୱ କର୍ମ ଅନୁସାରେ ଜୀବ ତିନି ଜନ୍ମ ନିଅନ୍ତି । ଯଜ୍ଞରେ ତିନି ବେଦ ପାଠ ହୁଏ । ତିନି ଲୋକରେ ତିନି ପ୍ରକାରର ଜ୍ୟୋତି ଭାବରେ ସୂର୍ଯ୍ୟ, ଚନ୍ଦ୍ର ଓ ତାରା ରହିଛନ୍ତି ।
ଅଷ୍ଟାବକ୍ର କହିଲେ ବ୍ରହ୍ମଚର୍ଯ୍ୟ, ଗ୍ରାହସ୍ତ୍ୟ, ବାନପ୍ରସ୍ଥ ଓ ସନ୍ୟାସ ଭାବରେ ଚାରି ଆଶ୍ରମ ରହିଛି । ଚାରି ଦିଗ ଓ ଚାରି ବର୍ଣ୍ଣ ଏବଂ ଗାଈର ଚାରି ଗୋଡ ରହିଛି । ବନ୍ଦୀ କହିଲେ ଅଗ୍ନୀ ପଞ୍ଚ ପ୍ରକାର। ପଂକ୍ତୀର ଛନ୍ଦ ପାଞ୍ଚ ପାଦ । ପାଞ ଇନ୍ଦ୍ରୀୟ, ପଞ୍ଚ ବିଧ ଯଜ୍ଞ ଓ ପବିତ୍ର ପଞ୍ଚ ନଦୀ ବିଖ୍ୟାତ ଅଟନ୍ତି । ତାପରେ ଅଷ୍ଟାବକ୍ର କହିଲେ ଯଜ୍ଞରେ ଛଅ ଗାଈ ଦକ୍ଷୀଣାରେ ଦିଆଯାଏ । ଋତୁ ଚକ୍ରରେ ଛଅ ଋତୁ ରହିଛି । ଛଅ ଇନ୍ଦ୍ରୀୟ ଓ ଛଅ କୃତ୍ତିକା ରହିଛନ୍ତି ।
ବନ୍ଦୀ କହିଲେ ସାତ ପ୍ରକାରର ଗୃହପାଳିତ ଓ ସାତ ପ୍ରକାରର ବଣ୍ୟ ପ୍ରାଣୀ ଅଛନ୍ତି । ଆକାଶରେ ସପ୍ତଋଷିଙ୍କ ମଣ୍ଡଳ ରହିଛି । ସପ୍ତ ଛନ୍ଦରେ ଯଜ୍ଞ ପୂର୍ଣ୍ଣ ହୁଏ । ବୀଣାରେ ସାତ ତାର ରହିଛି । ଅଷ୍ଟାବକ୍ର କହିଲେ ଶରଭର ଆଠ ପାଦ ରହିଛି, ସ୍ୱର୍ଗରେ ଆଠ ବସୁ ଅଛନ୍ତି, ଯଜ୍ଞରେ ଆଠ କୋଣିଆ ଯୁପ ବ୍ୟବହାର ହୁଏ । ବନ୍ଦୀ କହିଲେ ଏକରୁ ନଅ ପର୍ଯ୍ୟନ୍ତ ଅଙ୍କରେ ଗଣନା ହୁଏ । ପିତୃଯଜ୍ଞରେ ମନ୍ତ୍ର ନବବିଧ । ପ୍ରକୃତି ନଅ ଅବସ୍ଥାରେ ସୃଷ୍ଟି ରଚନା କରେ । ଅଷ୍ଟାବକ୍ର କହିଲେ ଦଶ ଦିଗ ରହିଛି । ନାରୀମାନେ ସନ୍ତାନ ଜନ୍ମ ପାଇଁ ଦଶମାସ ଗର୍ଭ ଧାରଣ କରନ୍ତି । ବନ୍ଦୀ କହିଲେ ଇନ୍ଦ୍ରୀୟର ଏକାଦଶ ପ୍ରକାର ବିକାର ରହିଛି । ସ୍ୱର୍ଗରେ ଏକାଦଶ ରୁଦ୍ର ଅଛନ୍ତି । ଅଷ୍ଟାବକ୍ର କହିଲେ ବାର ମାସରେ ଗୋଟେ ବର୍ଷ ହୁଏ । ଜଗତୀ ଛନ୍ଦରେ ପ୍ରତ୍ୟେକ ପାଦରେ ବାର ଅକ୍ଷର ଅଛି । ସାଧାରଣ ଯଜ୍ଞ ବାର ଦିନରେ ସଂପନ୍ନ ହୁଏ । ବାର ଆଦିତ୍ୟ ପ୍ରସିଦ୍ଧ ଅଟନ୍ତି ।
ମହାଭାରତ କଥାବନ୍ଦୀ ତେର ପାଖରେ ପହଞ୍ଚି କହିଲେ ତ୍ରୟୋଦଶୀ ତିଥିକୁ ଅଶୁଭ ବୋଲି କୁହାଯାଏ ଓ ପୃଥିବୀ ତେରୋଟି ଦ୍ୱୀପକୁ ନେଇ ଗଠିତ ହୋଇଛି । ତାପରେ କିନ୍ତୁ ବନ୍ଦୀ ଚୁପ ରହିଲେ । ଆଗକୁ ଆଉ କିଛି କହିପାରିଲେନି । ବନ୍ଦୀଙ୍କ ଅଧା ଶ୍ଲୋକକୁ ପୁରା କଲେ ଅଷ୍ଟାବକ୍ର । ଶେଷରେ ବନ୍ଦୀ ପରାସ୍ତ ହେଲେ । ଜନକଙ୍କ ଯଜ୍ଞ ସ୍ଥଳରେ ଚାଲିଥିବା ତର୍କ ସଭାରେ ଉପସ୍ଥିତ ଅନ୍ୟ ପଣ୍ଡିତମାନେ ଅଷ୍ଟାବକ୍ରଙ୍କର ଜୟଜୟକାର କରିବାକୁ ଲାଗିଲେ ।
ଅଷ୍ଟାବକ୍ର କହିଲେ, ମୁଁ ଶୁଣିଛି ଜନକଙ୍କ ରାଜସଭାରେ ବନ୍ଦୀ ନୀୟମ କରିଥିଲେ ଯିଏ ତର୍କରେ ହାରିବ ସେ ଜଳରେ ସମାଧି ନେବ । ଏବେ ସେଇ ନୀୟମରେ ବନ୍ଦୀ ଜଳ ସମାଧି ନେବା ଉଚିତ । ବନ୍ଦୀ ନିଜର ପ୍ରକୃତ ପରିଚୟ ଦେଇ କହିଲେ ମୁଁ ବରୁଣଙ୍କ ପୁଅ । ଜଳ ସମାଧି ନେବାରେ ମୋର କୌଣସି ପ୍ରକାରର ଦ୍ୱିଧା ନାହିଁ କି ଭୟ ନାହିଁ । ତାପରେ ସେ ଜନକଙ୍କ ଉଦ୍ଦେଶ୍ୟରେ କହିଲେ, ହେ ରାଜା ଆପଣଙ୍କ ଯଜ୍ଞ ପରି ଗତ ବାର ବର୍ଷ ହେଲାଣି ବରୁଣପୁରରେ ଆଉ ଏକ ଯଜ୍ଞ ଅନୁଷ୍ଠାନ ଚାଲିଛି। ସେଥିପାଇଁ ମୁଁ ଜଳ ସମାଧି ଆଳରେ ଏଠୁ ବେଦଜ୍ଞ ବ୍ରାହ୍ମଣମାନଙ୍କୁ ବରୁଣଙ୍କ ଯଜ୍ଞକୁ ପଠାଉଥିଲି । ଏବେ ବରୁଣଙ୍କ ଯଜ୍ଞ ସମାପ୍ତ ହେବା ଉପରେ । ଅପେକ୍ଷା କରନ୍ତୁ ଜଳ ସମାଧି ନେଇଥିବା ବ୍ରାହ୍ମଣମାନେ ଫେରି ଆସୁଛନ୍ତି । ଅଷ୍ଟାବକ୍ର ଖୁବ ଶୀଘ୍ର ତାଙ୍କ ପିତା କହୋଡଙ୍କ ସହ ସାକ୍ଷାତ କରିବେ ।
ତାପରେ ବନ୍ଦୀଙ୍କ ଦ୍ୱାରା ଜଳ ସମାଧି ନେଇଥିବା ପଣ୍ଡିତମାନେ ଜଳରୁ ବାହାରି ଜନକ ରାଜାଙ୍କ ପାଖରେ ପହଞ୍ଚିଲେ । ଅନେକ ବର୍ଷ ପରେ କହୋଡ ଓ ଅଷ୍ଟାବକ୍ରଙ୍କ ସାକ୍ଷାତ ହେଲା । ତାପରେ କହୋଡ ଜନକଙ୍କୁ କହିଲେ, ଏଇଥି ପାଇଁ ଲୋକେ ପୁତ୍ର କାମନା କରନ୍ତି । କାରଣ ଦୂର୍ବଳ ବାପର ବଳଶାଳୀ ପୁତ୍ର ଓ ଅଜ୍ଞ ବାପର ପଣ୍ଡିତ ଓ ମୂର୍ଖ ବାପର ବିଦ୍ୱାନ ପୁଅ ଜନ୍ମ ହେଇପାରେ । ମୁଁ ଯାହା ପାରିନଥିଲି ମୋ ପୁଅ ତାହା କରି ଦେଖାଇଲା ।
ତାପରେ ରାଜା ଜନକଙ୍କ ପାଖରୁ ଅନୁମତି ନେଇ ଓ ଅନ୍ୟ ପଣ୍ଡିତମାନଙ୍କ ପାଖରୁ ବିଦାୟ ନେଇ ବନ୍ଦୀ ଜଳରେ ପ୍ରବେଶ କଲେ । କହୋଡ ତାଙ୍କ ପୁଅ ଅଷ୍ଟାବକ୍ରଙ୍କୁ କହିଲେ ସମଙ୍ଗା ନଦୀରେ ସ୍ନାନ କରିବାକୁ । ବାପାଙ୍କ କଥା ମାନି ଅଷ୍ଟାବକ୍ର ସମଙ୍ଗାର ପବିତ୍ର ପାଣିରେ ଗାଧେଇଲେ । ପାଣିରୁ ଉଠି ଉପରକୁ ଆସିଲା ବେଳକୁ ଅଷ୍ଟାବକ୍ରଙ୍କ ଶରୀରରେ ପୂର୍ବରୁ ଥିବା ଆଠ ବାଙ୍କ ଠିକ ହୋଇଯାଇଥିଲା । ଅଷ୍ଟାବକ୍ର ଜଣେ ସୁଠାମ ସୁନ୍ଦର ଯୁବକ ଭାବରେ କହୋଡଙ୍କ ଆଗରେ ଠିଆ ହୋଇଥିଲେ ।
ଅଷ୍ଟାବକ୍ରଙ୍କ କାହାଣୀ କହିସାରିଲା ପରେ ଲୋମଶ ଯୁଧିଷ୍ଠିରଙ୍କୁ ସେଇ ପବିତ୍ର ସମଙ୍ଗା ନଦୀରେ ସ୍ନାନ କରିବାକୁ କହିଲେ । ପୂର୍ବରୁ ଏହି ନଦୀ ନାମ ମଧୁବିଳା ଥିଲା । ଅଷ୍ଟବକ୍ରଙ୍କ ଅଙ୍ଗ ଠିକ ହେବା ଦିନରୁ ତା' ନାମ ସମଙ୍ଗା ହେଲା । ସ୍ନାନପରେ ପାଣ୍ଡବ ପରିବାର ଲୋମଶ ଋଷିଙ୍କ ସହ ଅନ୍ୟ ଏକ ତୀର୍ଥ ସ୍ଥଳ ଉଦ୍ଦେଶ୍ୟରେ ବାହାରିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)