• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଦିବାସୀମାନଙ୍କ କଳା, ସଂସ୍କୃତି, ପରମ୍ପରାଗୁଡିକ ବର୍ତ୍ତମାନ ଲୋପ ପାଇବାକୁ ବସିଲାଣି । ସେଗୁଡ଼ିକ କିପରି ବଞ୍ଚି ରହିବ ସେଥି ପ୍ରତି ଏବେ କାହାରି ମଧ୍ୟ ଦୃଷ୍ଟି ନାହିଁ । ରାଜ୍ୟରେ ବହୁ ପ୍ରକାର ଆଦିବାସୀ ରହିଛନ୍ତି । ସେମାନଙ୍କ ମଧ୍ୟରେ ଗୋଦବା ଜନଜାତି ଅନ୍ୟତମ । ଏହି ଆଦିବାସୀମାନେ ନିଜେ ବସ୍ତ୍ର ତିଆରି କରନ୍ତି ଓ ନିଜେ ପିନ୍ଧନ୍ତି । ଗୋଦବା ଜନଜାତିଙ୍କର ବସ୍ତ୍ର ହେଉଛି କେରେଙ୍ଗ ବସ୍ତ୍ର ।

ତେବେ ଏହି ବସ୍ତ୍ର ଏବେ ଦୁର୍ଲଭପ୍ରାୟ । ଗାଁ ଗହଳିରେ ଦେଖିବାକୁ ମିଳୁନାହିଁ । ହାତଗଣତି କିଛି ଗାଁରେ ଏହି କେରେଙ୍ଗ ବସ୍ତ୍ର ତିଆରି ହେଉଥିବା ଦେଖିବାକୁ ମିଳୁଛି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ରାଇପଡା ଗାଁ । ଏହି ଗାଁରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ସେଥି ମଧ୍ୟରୁ ଗୋଦବା ସମ୍ପ୍ରଦାୟ ହେଉଛି ଅନ୍ୟତମ ।

କୋରାପୁଟ ଜିଲ୍ଲାରେ ଧାନର ଯେପରି ସ୍ୱତନ୍ତ୍ର ପରିଚୟ ରହିଛି ଠିକ ସେହିପରି ଗୋଦବା ଜନଜାତିଙ୍କର ମଧ୍ୟ ସ୍ୱତନ୍ତ୍ର ପରିଚୟ ରହିଛି । ଏହି ଜାତିର ପରିଚୟ ହେଉଛି କେରେଙ୍ଗ ବସ୍ତ୍ର । ଗୋଦବା ମହିଳାମାନେ ଗାଁ ଜଙ୍ଗଲରୁ ବିଭିନ୍ନ ଜୈବିକ ଗଛ ଗୁଡିକରୁ ସୂତା ତିଆରି କରିଥାନ୍ତି ଏବଂ ସେଗୁଡିକୁ ରଙ୍ଗ ଦେଇ କେରେଙ୍ଗ ବସ୍ତ୍ର ତିଆରି କରିଥାନ୍ତି ।

ଗୋଟିଏ କେରେଙ୍ଗ ବସ୍ତ୍ର ତିଆରି ପାଇଁ ପ୍ରାୟ ୧୦ ରୁ ୧୨ଦିନ ସମୟ ଲାଗିଥାଏ । କଞ୍ଚାମାଲ ଅଭାବ ଯୋଗୁଁ ଲୋକେ କେରେଙ୍ଗ ବସ୍ତ୍ର ବୁଣିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ମହିଳାମାନେ କହିଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ଭେଟି ବିଭିନ୍ନ ସମସ୍ୟା ଗୁହାରି କରିବା ସହ କେରେଙ୍ଗ ବସ୍ତ୍ର ବୁଣାକାର ମହିଳାମାନଙ୍କୁ ବାସ ଗୃହ ଓ ପେନସନ ଯୋଗାଇ ଦେବାକୁ ମଧ୍ୟ ସାଧାରଣରେ ଦାବୀ ହୋଇଛି ।

ଗୋଦବା ସମ୍ପ୍ରଦାୟର ଲୋକେ ଖାଦ୍ୟ ଏବଂ ପୋଷାକ ନିଜେ ତିଆରି କରିଥାନ୍ତି । କେରେଙ୍ଗ ଗଛରୁ ସୂତା ଆଣି କେରେଙ୍ଗ ବସ୍ତ୍ର ତିଆରି କରିଥାନ୍ତି । ଦୀର୍ଘ ବର୍ଷ ହେବ ଗୋଦବା ସମ୍ପ୍ରଦାୟର କେରେଙ୍ଗ ବସ୍ତ୍ର ଲୋପ ପାଉଥିବା ଦେଖିବାକୁ ମିଳୁଛି । ଏହାକୁ ପୁନର୍ଜୀବିତ କରିବା ପାଇଁ ୨ବର୍ଷ ହେବ କେରେଙ୍ଗ ବସ୍ତ୍ର ତିଆରି ଆରମ୍ଭ କରାଯାଇଛି । ସଂସ୍କୃତିକୁ ବଞ୍ଚାଇବା ସହ କେରେଙ୍ଗ ବୁଣାକାର ଅର୍ଥନୈତିକ କ୍ଷେତ୍ରରେ କିପରି ଭାବେ ସ୍ୱାବଲମ୍ବୀ ହୋଇ ପାରିବ ସେ ଉପରେ ଗୁରୁତ୍ୱ ଦିଆଯାଇଛି ।

୨୩ ଲକ୍ଷ ୩୭ହଜାର ଟଙ୍କାର ଏକ ଗୃହ ନିର୍ମାଣ କରାଯିବ ବୋଲି କୋରାପୁଟ ବୟନ ଶିଳ୍ପ ଅତିରିକ୍ତ ଶାଖା ନିର୍ଦ୍ଦେଶକ କହିଛନ୍ତି । କେରେଙ୍ଗ ବସ୍ତ୍ର ସାମାଜିକ ଓ ଧାର୍ମିକ ଭାବନା ସହିତ ଜଡ଼ିତ । ଏହା ଗଛରୁ ତିଆରି ହୋଇଥାଏ । ଏହା ଦୀର୍ଘ ସ୍ଥାୟୀ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଗୋଦବା ଆଦିବାସୀଙ୍କ ସଂସ୍କୃତିକୁ ବଞ୍ଚେଇବା ସହ କେରେଙ୍ଗ ବୁଣାକାରମାନଙ୍କ ଅର୍ଥନୈତିକ କ୍ଷେତ୍ରରେ କିପରି ଭାବେ ସ୍ୱାବଲମ୍ବୀ ହୋଇପାରିବ ସେ ଦିଗରେ ଦୃଷ୍ଟି ଦିଆଯାଇଛି ।

ବୁଣାକାର ମାନଙ୍କ ପାଇଁ ସ୍ୱତନ୍ତ୍ର ଗୃହ ତିଆରି ତାଲିମ କେନ୍ଦ୍ର ହେବା ସହ ଆଗାମୀ ଦିନରେ ଯାହା ଆବଶ୍ୟକତା ରହିଛି ତାହା ପୂରଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now