ଉଇକିପିଡ଼ିଆ ଦ୍ୱାରା ଭାରତୀୟ ଭାଷାମାନଙ୍କରେ ଖୋଲାରେ ଜ୍ଞାନ ପ୍ରସାର ପାଇଁ ଭୁବନେଶ୍ୱରରେ ଗତ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଜାତୀୟସ୍ତରୀୟ କର୍ମଶାଳା ଟ୍ରେନ୍ ଦି ଟ୍ରେନର୍ (TTT) ଅନୁଷ୍ଠିତ ହୋଇଥିଲା।
ବାଙ୍ଗାଲୋରସ୍ଥିତ ଆକ୍ସେସ୍ ଟୁ ନଲେଜ୍ (ସିଆଇସ୍-ଏଟୁକେ) ଓ ଓଡ଼ିଆ ଉଇକିମିଡ଼ିଆନ୍ସ ୟୁଜର୍ ଗ୍ରୁପ୍ ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି କର୍ମଶାଳାରେ ୩୫ରୁ ଅଧିକ ଜଣ ବଛାହୋଇ ଆମନ୍ତ୍ରିତ ହୋଇଥିଲେ। ୨୦୧୩ ମସିହାରେ ଆରମ୍ଭ ହୋଇଥିବା ଏହି ବାର୍ଷିକ କର୍ମଶାଳାର ଏହି ନବମ ସଂସ୍କରଣରେ ଓଡ଼ିଆ ସମେତ ସାନ୍ତାଳୀ, ଅହମିୟା, ପଞ୍ଜାବୀ, ତାମିଲ, ତେଲୁଗୁ, ହିନ୍ଦୀ, ବଙ୍ଗଳା, ତୁଳୁ, କନ୍ନଡ଼, ମରାଠୀ, ମାଲାୟାଲମ ଉଇକିପିଡ଼ିଆ ଏବଂ ଉଇକିମିଡ଼ିଆ କମନ୍ସ, ବୈଷୟିକ ତଥା ଫ୍ରି ଓ ଓପନ ସୋର୍ସ ଆଦି ସମୁଦାୟରୁ ଯୋଗଦାନକାରୀ ଆସି ପ୍ରଶିକ୍ଷଣ ନେଇଥିଲେ।
ଏଥିରେ ଅକ୍ଟୋବର ୧୮ ତାରିଖରେ ବାହାରୁ ଆମନ୍ତ୍ରିତ ଅଂଶଗ୍ରହଣକାରୀ କଳାଭୂମି ସଂଗ୍ରହାଳୟକୁ ଯାଇଥିଲେ। ପରେ ୧୯ ଓ ୨୦ ତାରିଖରେ ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲ୍ ହୋଟେଲରେ କର୍ମଶାଳାର ଅଧିବେଶନସବୁ ହୋଇଥିଲା। ଏଥିରେ ବିଭିନ୍ନ ଭାଷାରେ ସ୍ଥାନୀୟ ତଥା ଦେଶବିଦେଶର ବ୍ୟକ୍ତି, ସ୍ଥାନ ଓ ଗୁରୁତ୍ତ୍ୱପୂର୍ଣ୍ଣ ଘଟଣା ଓ ବିଜ୍ଞାନ, ସାହିତ୍ୟ, କଳା ଆଦି ଜାଗତିକ ବିଷୟରେ ତଥ୍ୟ କିପରି ଉଇକିପିଡ଼ିଆ ଜରିଆରେ ଭାରତୀୟ ଭାଷାରେ ଉପଲବ୍ଧ କରିହେବ ତାହା ତାଲିମ ଦିଆଯାଇଥିଲା।

ତାଲିମଦାତାମାନେ ପୁରାତନ ରଚନା ବା ଅଭିଧାନସବୁକୁ କେମିତି ପାଠକମାନଙ୍କ ପାଖରେ ସହଜରେ ପହଞ୍ଚାଇପାରିବେ ତାହା ମଧ୍ୟ ଶିଖାଇଥିଲେ ।
ମୋବାଇଲ୍ ଓ କମ୍ପ୍ୟୁଟରରେ ଇଣ୍ଟରନେଟ ମାଧ୍ୟମରେ ପାଠକମାନେ ନିଜ ଭାଷାରେ ସଠିକ ତଥ୍ୟ ପାଇବା ଅତି ଗୁରୁତ୍ତ୍ୱପୂର୍ଣ୍ଣ। ସ୍ୱେଚ୍ଛାରେ ପୃଥିବୀସାରା କେଇଶହ ୨୫ରୁ ଅଧିକ ଭାରତୀୟ ଭାଷାରେ ଉଇକିପିଡ଼ିଆରେ ଲେଖିଥାନ୍ତି। ସେହି ଲେଖାସବୁ ସକାଶେ ଲୋକେ ଗୁଗୁଲରେ ତଥ୍ୟ ଖୋଜିଲେ ଅଚିରେ ପାଇପାରନ୍ତି।
ସିଆଇସ୍-ଏଟୁକେ ତରଫରୁ ନିର୍ଦ୍ଦେଶକ ତନବୀର ହାସନଙ୍କ ସହ ପବନ ସନ୍ତୋଷ, ନିତେଶ ଗିଲ୍, ନିବାସ ରମିଶେଟ୍ଟୀ, ସୁବୋଧ କୁଲକର୍ଣ୍ଣୀ, ମେଦିନୀ ସୁବ୍ବୁ ଓ କ୍ରିଷ୍ଟିନା ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଆ ଉଇକିଆଳି ମୃତ୍ୟୁଞ୍ଜୟ କର, ଜ୍ଞାନରଞ୍ଜନ ସାହୁ, ଚିନ୍ମୟୀ ମିଶ୍ର, ସଂଗ୍ରାମ କେଶରୀ ସେନାପତି, ଗାୟତ୍ରୀ ତ୍ରିପାଠୀ, ଶୈଳେଶ ପଟ୍ଟନାୟକ, ଅଭିଜିତ ପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଆୟୋଜନ ତଥା ପରିଚାଳନାରେ ସହଯୋଗ କରିଥିଲେ।

ସେମାନେ ଓଡ଼ିଆ ଉଇକିପିଡ଼ିଆ ତଥା ବିଭିନ୍ନ ପ୍ରକଳ୍ପଗୁଡ଼ିକରେ କରିଥିବା କାମ ବିଷୟରେ ଆଲୋକପାତ କରିବା ସହ ଅନ୍ୟାନ୍ୟ ଅଭିଜ୍ଞ ଉଇକିଆଳି ଡ. ସୁବାସ ଚନ୍ଦ୍ର ରାଉତ, ଶୁଭାଶିଷ ପାଣିଗ୍ରାହୀ, ପ୍ରୀତିରଞ୍ଜନ ତ୍ରିପାଠୀ ଆଦିଙ୍କ ଉଲ୍ଲେଖନୀୟ କାର୍ଯ୍ୟ ବାବଦରେ ଆଲୋଚନା କରିଥିଲେ। ୧୯ ତାରିଖରେ ଭୁବନେଶ୍ୱରରେ ରହୁଥିବା ଓଡ଼ିଆ ତଥା ସାନ୍ତାଳୀ ଭାଷାର ଉଇକିଆଳିମାନେ ମଧ୍ୟ ଯୋଗଦେଇଥିଲେ।
କାର୍ଯ୍ୟକ୍ରମ ଶେଷ ପରେ ସମସ୍ତେ ଓଡ଼ିଆ ଉଇକିପାଠାଗାରର ୧୦ ବର୍ଷ ପୂରଣ ପାଳନ କରାଯାଇ ଏହାର ନବନିର୍ବାଚିତ ପରିଚାଳକ ସଂଗ୍ରାମ କେଶରୀ ସେନାପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ।