ପୋଷଣ ବା ନ୍ୟୁଟ୍ରିସନ୍ କହିଲେ ଆପଣ କଅଣ ବୁଝନ୍ତି। ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ଖାଦ୍ୟସାରଯୁକ୍ତ ସ୍ୱାସ୍ଥ୍ୟକର ଖାଦ୍ୟଗ୍ରହଣ କରିବା ଓ ତାହା ଆମ ଶରୀର ଦ୍ୱାରା ଶୋଷିତ ହେବା ପ୍ରକ୍ରିୟାକୁ ପୋଷଣ କୁହାଯାଏ। ଉପଯୁକ୍ତ ପୋଷକଯୁକ୍ତ ଖାଦ୍ୟ ଆମର ପୋଷଣ ଠିକ୍ ରଖିବା ସହ ଆମକୁ ନିରୋଗ ରଖେ। ଯେବେ ଆମର ଶରୀରରେ କୌଣସି ପ୍ରକାର ପୋଷକର ଅଭାବ ଦେଖାଦିଏ, ସେତେବେଳେ ଅନେକ ପ୍ରକାର ରୋଗ ବ୍ୟାଧି ଆମକୁ ଆକ୍ରମଣ କରେ। ଏହି ପୋଷଣର ଉପାଦେୟତାକୁ ସମସ୍ତଙ୍କୁ ଜଣାଇବା ସହ ଏ ନେଇ ସତର୍କ କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ମାସକୁ ଜାତୀୟ ପୋଷଣ ମାସ ବା ନ୍ୟାସନାଲ୍ ନ୍ୟୁଟ୍ରିସନ୍ ମନ୍ଥ ଏବଂ ସେପ୍ଟେମ୍ବର ପ୍ରଥମ ସପ୍ତାହକୁ ପୋଷଣ ସପ୍ତାହ ବୋଲି ପାଳିତ କରାଯାଏ। ଚଳିତ ବର୍ଷ ଏହି ପୋଷଣ ମାସର ଉଦ୍ଦେଶ୍ୟ ହେଉଛି- ପ୍ରତ୍ୟେକଙ୍କପାଇଁ ପୋଷଣଯୁକ୍ତ ଖାଦ୍ୟ (Nutritious diet for everyone)।. ଆସନ୍ତୁ ଆଜି ଏହି ବିଷୟରେ ଜାଣିବା।
ଅଧିକ ପଢ଼ନ୍ତୁ: Health Tips: ଡେଙ୍ଗୁ ରୋଗୀଙ୍କ ପାଇଁ ଏହି ଖାଦ୍ୟ ରାମବାଣ,ଖାଇଲେ ଶୀଘ୍ର ହେବେ ସୁସ୍ଥ
Also Read
ଭାରତରେ ଆଜି ମଧ୍ୟ କୁପୋଷଣ ଜନିତ ଶାରୀରିକ ସମସ୍ୟା ଏକ ମୁଖ୍ୟ ସମସ୍ୟା ହୋଇ ରହିଛି। 39 ପ୍ରତିଶତ ଶିଶୁ ସୁପୋଷଣରୁ ବଞ୍ଚିତ ରହିଛନ୍ତି ଯାହା ଦ୍ୱାରା ସେମାନେ ବିଭିନ୍ନ ଖାଦ୍ୟାଭାବ ଜନିତ ରୋଗରେ ପିଡ଼ିତ ହେଉଛନ୍ତି। ବୈଜ୍ଞାନିକ ଭାଷାରେ ଏହାକୁ ମାଲନରିସ୍ଡ୍ ବା ଅପପୁଷ୍ଟି ରୋଗୀ ବୋଲି କୁହାଯାଏ। ଆଜି ବି ସରକାରୀ ଡାକ୍ତରଖାନାର ଶିଶୁ ୱାର୍ଡ଼କୁ ଗଲେ ଅତି କମ୍ରେ 3-4ଟି ଅପପୁଷ୍ଟି ଶିଶୁ ଦେଖିପାରିବେ। ଜାତୀୟ ସ୍ତରରେ ବଡ଼ ଡାକ୍ତରଖାନାରୁ ନେଇ ରାଜ୍ୟ ଓ ଗ୍ରାମ୍ୟ ସ୍ତରରେ ଅଙ୍ଗନୱାଡ଼ିଗୁଡ଼ିକରେ ଦିଆଯାଉଥିବା ପୋଷଣ ସମ୍ବନ୍ଧୀୟ ଶିକ୍ଷା ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସତ୍ତ୍ୱେ ଏପରି ଅବସ୍ଥା ରହିବା ଆମ ଭବିଷ୍ୟତ ପିଢ଼ୀ ପାଇଁ ନିଶ୍ଚିତ ଚିନ୍ତାଜନକ।
ପୋଷଣ ସପ୍ତାହ ପାଳନ ଆମ ଦେଶରେ ଆରମ୍ଭ ହୋଇଥିଲା ମାର୍ଚ୍ଚ 1973ରେ। ସେତେବଳେ କୁପୋଷଣ ଜନିତ ଅନେକ ସମସ୍ୟା ବିଷୟରେ ସତର୍କ କରି ଉତ୍ତମ ସନ୍ତୁଳିତ ପୁଷ୍ଚିକର ଖାଦ୍ୟ ଖାଇବା ନେଇ ଜନସାଧାରଣଙ୍କ ବିଷୟରେ ସଚେତନତା ସୃଷ୍ଟି ପାଇଁ ଏହା ଆରମ୍ଭ କରାଯାଇଥିଲା। କ୍ରମେ ଏହା ଏକ ମାସ ବ୍ୟାପୀ ପାଳନ ହେବାର ନିଷ୍ପତ୍ତି ନିଆଗଲା 1982ରେ। 2018 ମାର୍ଚ୍ଚ ମାସରେ ଜାତୀୟ ପୋଷଣ ଅଭଇଯାନ ଆରମ୍ଭ ହୋଇ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହୋଇଥିଲା ଯେଉଁଥିରେ ମୁଖ୍ୟତଃ ଛୋଟ ଶିଶୁ, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମାଆ, କିଶୋରୀ ଝିଅମାନେ (13-19 ବର୍ଷ) ବର୍ଗକୁ ଏଥିରେ ସାମିଲ ହୋଇଥିଲେ। ବର୍ତ୍ତମାନ ପୋଷଣ ଅଭିଯାନରେ ଅଙ୍ଗନୱାଡ଼ିକୁ ଏକ ମୁଖ୍ୟ ଭୂମିକା ଦେଇ ମିଲେଟ୍କୁ ପୋଷଣଯୁକ୍ତ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି।
ପୁଷ୍ଟି ବା ପୋଷଣଜନିତ ସମସ୍ୟା ମୁଖ୍ୟତଃ ତିନି ପ୍ରକାର ଦେଖାଯାଏ। ଅପପୁଷ୍ଟି (Under nutrition), ପୋଷଣଧିକ୍ୟ (Over nutrition), ସୁକ୍ଷ୍ମ ପୋଷକ ଅଭାବ (Micronutrient deficiency)। ଅପପୁଷ୍ଟି ଅର୍ଥାତ୍ ଶରୀରକୁ ଆବଶ୍ୟକ ପୋଷଣ ନ ମିଳିବା, ପୋଷଣଧିକ୍ୟରେ କୌଣସି ଏକ ପୋଷକ ଦ୍ରବ୍ୟର ଆଧିକ୍ୟ ଯୋଗୁଁ ମଧ୍ୟ ଶରୀରରେ ସମସ୍ୟା ଦେଖାଯାଏ। ଯେପରି ଶରୀରରେ ପୁଷ୍ଟିସାର ବଢ଼ିଗଲେ ୟୁରିକ୍ ଏସିଡ୍ ବୃଦ୍ଧି ଜନିତ ଗାଉଟ୍ ରୋଗ ଦେଖାଯାଏ କିମ୍ୱା ଅତ୍ୟଧିକ ଶ୍ୱେତସାର ବା ଶର୍କରା ବଢ଼ିଲେ ଡାଇବେଟିସ୍ ହୁଏ। ସୁକ୍ଷ୍ମ ପୋଷକ ବା ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍ କହିଲେ କେତେକ ଅତ୍ୟାବଶ୍ୟକ ପୋଷକ ଯେପରି ଭିଟାମିନ୍, ମିନେରାଲସ୍ ବା ଖଣିଜ ଲବଣ ଇତ୍ୟାଦି ଯାହା ଅଳ୍ପ ପରିମାଣରେ ନିୟମିତ ଶରୀର ପାଇଁ ଆବଶ୍ୟକ କିନ୍ତୁ ନିହାତି ଆବଶ୍ୟକ, ଏହା ଅଭାବରେ ଅନେକ ପ୍ରକାର ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ।
ଏହି ସବୁ ପ୍ରକାର ପୋଷଣ ଅନିୟମିତତା ଜନିତ ରୋଗ ବା ବ୍ୟାଧିକୁ ମୁଖ୍ୟତଃ ଜୀବନଶୈଳୀ ଆଧାରିତ ବ୍ୟାଧି ବୋଲି କୁହାଯାଏ। କାରଣ ସମୟକ୍ରମେ ଖାଦ୍.ପେୟରେ ପୋଷକର ପରିମାଣ ନିୟମିତ କରି ଜୀବନଶୈଳୀ ପରିବର୍ତ୍ତନ କରିପାରିଲେ ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଏହି ପୋଷଣ ମାସ ପାଳନ ମାଧ୍ୟମରେ ସରକାରୀ ସ୍ତରରେ, ବେସରକାରୀ ସ୍ତରରେ, ବ୍ୟକ୍ତିଗତ ଭାବେ ପୋଷଣବିତ୍ମାନଙ୍କ ତରଫରୁ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ତଥା ମାତୃ ଓ ଶିଶୁମଙ୍ଗଳ କେନ୍ଦ୍ରମାନଙ୍କ ତରଫରୁ ଉପଯୁକ୍ତ ପୋଷକ ଦ୍ରବ୍ୟଗୁଡ଼ିକର ଉପକାରୀତା ଓ ଆମ ଶରୀର ପାଇଁ ସେସବୁର ଆବଶ୍ୟକ ପରିମାଣ ବିଷୟରେ ସବିଶେଷ ତଥ୍ୟ ଦେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଏ। ଅଙ୍ଗନୱାଡ଼ିମାନଙ୍କରେ ଗର୍ଭବତୀ ଓ ନୂଆ ମାଆମାନଙ୍କୁ ସେମାନଙ୍କ ଉପଯୁକ୍ତ ଖାଦ୍ୟପେୟ ବିଷୟରେ ସଚେତନ କରାଯାଏ। କିପରି ମାଆର ଖାଦ୍ୟପୋୟ ଉପରେ ଶିଶୁର ସ୍ୱାସ୍ଥ୍ୟ ନିର୍ଭର କରେ, ତାହା ସ୍ୱାସ୍ଥ୍ୟକର୍ମୀମାନେ ଭଲରେ ବୁଝାଇଥାଆନ୍ତି।
ତେବେ ଆପଣ ଜାଣନ୍ତି, ସବୁଠାରୁ ପୁଷ୍ଟିକର ଖାଦ୍ୟ ଓ ଖାଦ୍ୟ ପଦାର୍ଥ ଆମ ଗ୍ରାମାଞ୍ଚଳରେ ମିଳିଥାଏ। ହଁ, ଗାଁ ପୋଖରୀର ସଦ୍ୟ ଧରା ହୋଇଥିବା ଚୁନା ମାଛ, ତୋଟା ଓ ବଗିଚା ଆଦିରୁ ତୋଳାଯାଇଥିବା ସତେଜ ଫଳ, ବାଡ଼ି ଓ ବିଲରେ ଚାଷ ହେଉଥିବା ରାସାୟନିକ ସାର ଦିଆ ହୋଇ ନଥିବା ପନିପରିବା, ଏସବୁଠୁ ବଳି ସ୍ୱାସ୍ଥ୍ୟକର ଖାଦ୍ୟ ଆଉ କିଛି ମିଳିବ କି। ତେବେ ସହରାଞ୍ଚଳରେ ମଧ୍ୟ ଆପଣମାନେ ଚାହିଁଲେ ନିଜ ଛାତ କିମ୍ୱା ଘର ଚାରିପଟେ ଥିବା ସ୍ଥାନରେ ଅଳ୍ପ ପରିମାଣରେ ନିଜର ଆବଶ୍ୟକ ମେଣ୍ଟାଇବା ପରି ପରିବା ଚାଷ କରିପାରିବେ। ଆସନ୍ତୁ ଜାଣିବା କେତୋଟି ସାଧାରଣ ଟିପ୍ସ ଯାହା ଦ୍ୱାରା ଆପଣ ଏକ ପୁଷ୍ଟିକର ଜୀବନ ବିତାଇ ପାରିବେ।
ଅଧିକ ପଢ଼ନ୍ତୁ: Health Tips: ସକାଳ ଜଳଖିଆରେ କେବେ ବି ଖାଆନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ କର୍କଟ-ଡାଇବେଟିସ୍
ଖାଦ୍ୟରେ 60 ପ୍ରତିଶତ ସବୁଜ ପରିବା ବା ତରକାରି କିମ୍ୱା ସାଲାଡ୍ ରହିବା ବେଳେ 20 ପ୍ରତିଶତ ପୁଷ୍ଟିସାର, 15 ପ୍ରତିଶତ ଶ୍ୱେତସାର ଓ ବାକି 5 ପ୍ରତିଶତ ଫ୍ୟାଟ୍ ବା ସ୍ନେହସାର ରହିବା ଜରୁରୀ। ଯେହେତୁ ଆମେ ତରକାରି ଆଦି ବନେଇବା ବେଳେ ତେଲ ବ୍ୟବହାର କରୁ ତେଣୁ ଏହି 5 ପ୍ରତିଶତକୁ ଆପଣ କାକୁଡ଼ି କିମ୍ୱା ଗାଜର ଆଦି କଞ୍ଚା ପରିବାରେ ପରିବର୍ତ୍ତିତ କରିପାରିବେ।
ଖାଦ୍ୟରେ ଅତ୍ୟଧିକ ପରିମାଣରେ ଭାତ ଖାଇବା ବଦଳରେ ମିଲେଟ୍ ରୁଟି କିମ୍ୱା ମୁଗ, ବାଜରା, ମାଣ୍ଡିଆ, ବୁଟ ଆଦି ମିଶି ପ୍ରସ୍ତୁତ ଅଟାରେ ତିାରି ରୁଟି ଖାଇବାକୁ ଆରମ୍ଭ କରନ୍ତୁ।
ନିୟମିତ ପ୍ରୋଟିନ୍ ଓ ଫାଇବର ମାତ୍ରା ଖାଦ୍ୟରେ ଅଧିକ ରଖନ୍ତୁ। ଗଜାମୁଗ, ବୁଟ, ରାଜମା ହେଉଛି ପ୍ରୋଟିନ୍ ବା ପୁଷ୍ଟିସାରର ଉତ୍କୃଷ୍ଟ ତଥା ସହଜ ଲବ୍ଧ ଉତ୍ସ ଏବଂ କଞ୍ଚା ପରିବାରୁ ଆବଶ୍ୟକ ଫାଇବର ମିଳେ।
ଉଚ୍ଚ ଶର୍କରା ଯୁକ୍ତ ଖାଦ୍ୟ, ତେଲଛଣା, ବାହାରର ଫାଷ୍ଟଫୁଡ୍ ସମ୍ପୂର୍ଣ୍ଣଭାବେ ଖାଇବା ବନ୍ଦ କରିପାରିଲେ ଆପଣ ରୋଗରେ ପଡ଼ିବାର ସମ୍ଭାବନା ବହୁତ କମିଯାଏ। ଆଜିକାଲି ଅନେକ ପ୍ରକାର ବିନା ତେଲ ବା କମ୍ ତେଲରେ ରାନ୍ଧିବା ପ୍ରଣାଳୀ ଇଣ୍ଟରନେଟରେ ଉପଲବ୍ଧ। ଆପଣ ସହଜରେ ଏହା ଦେଖି ସ୍ୱାସ୍ଥ୍ୟକର ଖାଦ୍ୟ ବନେଇପାରିବେ।
ଓଟସ୍, କିନୁଆ ଆଦି ଫ୍ୟାନସି ଖାଦ୍ୟ ଅପେକ୍ଷା ଆମର ପାରମ୍ପାରିକ ଖାଦ୍ୟକୁ ନୂଆ କରି ଖାଆନ୍ତୁ। ଯେମିତି କି ଚୁଡ଼ା ସହ କ୍ଷୀର, କଦଳୀ, ବିଭିନ୍ନ ଫଳ ଓ ଖଜୁରୀ ଆଦି ଖାଇଲେ ସ୍ୱାସ୍ଥ୍ୟକର ହେବା ସହ ସିଧାସଳଖ ଚିନି ଖାଇବା ଏଡ଼େଇ ହେବ।
ଛୁଆମାନଙ୍କୁ ବିଭିନ୍ନ ପ୍ୟାକେଟ୍ରେ ଥିବା ସ୍ନାକ୍ସ ଦେବାରୁ ଦୂରେଇ ରୁହନ୍ତୁ। ତା ବଦଳରେ ଘରେ ମଟର ଭଜା, ବୁଟ ଭଜା, ଗାଣ୍ଠିଆ, ମିକ୍ସର ପରି ନମକିନ ପ୍ରସ୍ତୁତ କରି ବେଳେ ବେଳେ ଦେଇପାରିବେ। ସୁଜି ତଥା ବେସନ ବ୍ୟବହାର କରି ବିଭିନ୍ନ ଶୁଖିଲା ସ୍ନାକ୍ସ ପ୍ରସ୍ତୁତ କରି ଦିଅନ୍ତୁ।
ଚେଷ୍ଟା କରନ୍ତୁ ସଦ୍ୟ ପ୍ରସ୍ତୁତ ଖାଦ୍ୟ ଖାଇବାକୁ। ଯେତେ ସମ୍ଭବ ଫ୍ରିଜ୍ରେ ରଖି କିମ୍ୱା ବାରମ୍ବାର ଖାଦ୍ୟ ଗରମ କରି ଖାଇବାରୁ ବିରତ ରୁହନ୍ତୁ। ସବୁଠାରୁ ମୁଖ୍ୟ ହେଉଛି ଯଥେଷ୍ଟ ପରିମାଣର ପାନୀୟଜଳ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଶରୀରର ଜଳୀୟ ଅଂଶ ସନ୍ତୁଳିତ ରହିବ।
ମନେ ରଖନ୍ତୁ, ସମ୍ପୂର୍ଣ୍ଣ ଭୋକ ହେବା ପରେ ଖାିବା ଯାଏଁ ଅପେକ୍ଷା କରନ୍ତୁ ନାହିଁ, ଖାଦ୍ୟ ଖାଇବାର ଏକ ସମୟ ଠିକ୍ କରନ୍ତୁ। ଏବଂ ସେତିକି ଖାଆନ୍ତୁ ଯେପରି ଆଗାମୀ 3 ଘଣ୍ଟାରେ ଆପଣଙ୍କୁ ଭଓକ ଲାଗିବ। ଯେହେତୁ ଆଜିକାଲି ଶାରୀରିକ ପରିଶ୍ରମର ପରିମାଣ କମି ପ୍ରାୟ ସମସ୍ତେ ଅଫିସ୍ରେ ବସି କାମ କରିବାର ଦେଖାଯାଉଛି ତେଣୁ ଆମର ଖାଦ୍ୟଗ୍ରହଣର ପରିମାଣ ମଧ୍ୟ ସେପରି ହେବା ଆବଶ୍ୟକ।
ଖାଦ୍ୟ ହେଉଛି ଆମ ଶରୀରର ପୋଷଣର ଏକ ମୁଖ୍ୟ ଅଂଶ। ଠିକ୍ ସମୟରେ ଠିକ୍ ପୋଷଣ ନେଲେ ଶରୀର ଭଲ ରହିବ। ଅଯଥା ଔଷଧ ଖାିବା ଅପେକ୍ଷା ଶହେଗୁଣ ଭଲ ଯେ, ଆମେ ଖାଦ୍ୟକୁ ଔଷଧ ପରି ନେଇ ଶାରୀରିକ ସମସ୍ୟାଗୁଡ଼ିକରୁ ମୁକ୍ତି ପାଇବା। ଆସନ୍ତୁ ଏହି ପୋଷଣ ମାସର ଉଦ୍ଦେଶ୍ୟ ସମାଜର ଅପହଞ୍ଚ ଗୋଷ୍ଠୀ ପାଖରେ ପହଁଚାଇବା ଏବଂ ବିଭିନ୍ନ ପୁଷ୍ଟିକର ଖାଦ୍ୟ ବିଷୟରେ ସଚେତନ କରିବା।
ଇମେଲ୍ - jmohapatra13@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)