• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଟଙ୍କାପଇସା, କୋଠାବାଡ଼ି, ଧନସମ୍ପତ୍ତି, ଚାକରବାକର କେଉଁଥିରେ ତାଙ୍କର ଅଭାବ ନାହିଁ । ହେଲେ ତାଙ୍କୁ ସରଳ ଜୀବନଯାପନରେ ସନ୍ତୋଷ ମିଳେ । ତାଙ୍କ ହାବଭାବ, ଚାଲିଚଳନ ଅତି ସାଧାରଣ ଲୋକଙ୍କ ପରି .. ଦୈନିକ କୋଟି କୋଟି ଟଙ୍କା ଆୟ କରୁଥିଲେ ସୁଦ୍ଧା ତାଙ୍କ ବ୍ୟବହାରରେ ଟଙ୍କା ପଇସାର ଗର୍ବ ନାହିଁ । ପାଖରେ ବଡ଼ଲୋକି ପଣ ନାହିଁ କି ଦେଖେଇହେବା ମନୋଭାବ ନାହିଁ । ଏ ଦୁନିଆରେ ଧନସମ୍ପତ୍ତି, ଭୋଗବିଳାସ, ବଳ ବୟସ, ଐଶ୍ୱର୍ଯ୍ୟ, ପ୍ରାଚୁର୍ଯ୍ୟ ସବୁକିଛି କ୍ଷଣସ୍ଥାୟୀ । ମିଛମାୟାର ସଂସାରରେ କେହି କାହାର ନୁହଁନ୍ତି । ସରଳତା ଓ ସଂଯମତା ହିଁ ପ୍ରକୃତରେ ଜୀବନକୁ ଅର୍ଥପୂର୍ଣ୍ଣ କରିତୋଳିଥାଏ । ଆଉ ଏହି ସତ୍ୟକୁ ଖୁବ କମ୍ ଲୋକ ହିଁ ହୃଦୟଙ୍ଗମ କରିପାରନ୍ତି ।

ତାଙ୍କର ନିରାଡ଼ମ୍ବର ଜୀବନଶୈଳୀ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି କହିଲେ ଜମାରୁ ଅତ୍ୟୁକ୍ତି ହେବନି। ସେହି ସଫଳ ଓ ବିରଳ ବ୍ୟକ୍ତିତ୍ୱ ଜଣକ ହେଲେ ଆଲେକ୍ସ କର୍ପ । ସେ ବର୍ତ୍ତମାନ ଆମେରିକାରେ ରହୁଥବା ବେଳେ ଏକ ଟେକ୍‌ କମ୍ପାନୀ ପେଲେଣ୍ଟିରରେ ସିଇଓ ରୂପେ କାର୍ଯ୍ୟରତ ଅଛନ୍ତି । ବିଶ୍ୱର ସବୁଠାରୁ ଅଧିକ ଦରମା ପାଉଥିବା ସିଇଓ ହେଲେ ଆଲେକ୍ସ କର୍ପ । ଦିନକୁ ୧୫୬ କୋଟି ଟଙ୍କା ଆୟ କରୁଥିଲେ ସୁଦ୍ଧା ଖୁବ ସାଦାସିଧା ଜୀବନଯାପନ କରନ୍ତି । ସେ ଭଲଭାବରେ ଜାଣିଛନ୍ତି ଦୁନିଆର ଯେତେ ସୁଖ ସବୁ କିଛି ପଇସା ଦେଇ କିଣିହୁଏନି ।

କିନ୍ତୁ ସମସ୍ତେ ଏଇ ସୁଖ ଟିକିଏ ପାଇବା ଆଶାରେ ଟଙ୍କା ପଛରେ ଗୋଡେଇ ଚାଲିଛନ୍ତି । ଖୁସି ଯେ ବହୁତ ସହଜରେ, ମାଗଣାରେ ମିଳିଯାଏ, ଏକଥା କିନ୍ତୁ କେହି ବୁଝି ପାରନ୍ତିନି, ଏଇ ସରଳ କଥାଟି ସମସ୍ତଙ୍କୁ ବହୁତ ଜଟିଳ ଲାଗେ ।

Also Read


ଆଲେକ୍ସ କର୍ପଙ୍କ ପୂରା ନାମ ଆଲେକଜାଣ୍ଡାର କର୍ପ। ସେ ଟେକ୍ ଜଗତରେ ନିଜର ଅନନ୍ୟ ଛାପ ଛାଡ଼ିଛନ୍ତି। ତାଙ୍କ କମ୍ପାନୀ ଏକ ଡାଟା ଆନାଲିଟିକ୍ସ କମ୍ପାନୀ, ଯାହା ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଡାଟା ସମ୍ବନ୍ଧୀୟ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଛି । ତାଙ୍କର ନେତୃତ୍ୱ, ଦାର୍ଶନିକ ପୃଷ୍ଠଭୂମି, ଜୀବନଶୈଳୀ ଏବଂ ବୈଷୟିକ ଉଦ୍ଭାବନ ତାଙ୍କୁ ପ୍ରଯୁକ୍ତିବିଦ୍ୟା ଶିଳ୍ପରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ କରିଛି।

୧୯୬୭ , ଅକ୍ଟୋବର୨ ରେ ନ୍ୟୁୟର୍କରେ ଜନ୍ମଗ୍ରହଣ କରିଥିଲେ ଆଲେକ୍ସ । ତାଙ୍କ ବାପା ଜଣେ ଡାକ୍ତର ଏବଂ ମା’ ଜଣେ କଳାକାର ଥିଲେ । ପିଲାବେଳୁ ପରିବାର ଭିତରେ ତାଙ୍କୁ ଏକ ସନ୍ତୁଳିତ ବୈଚାରିକ ଏବଂ ସୃଜନଶୀଳ ପରିବେଶ ମିଳିଥଲା । ହାଭରଫୋର୍ଡ କଲେଜରୁ ଦର୍ଶନଶାସ୍ତ୍ରରେ ସ୍ନାତକ ହାସଲ କରିଥିଲେ ଆଲେକ୍ସ । ଦର୍ଶନଶାସ୍ତ୍ର ପ୍ରତି ଦୃଢ଼ ଆଗ୍ରହ ତାଙ୍କ କ୍ୟାରିୟରରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଥିଲା।

ହାଭରଫୋର୍ଡରେ ପାଠପଢ଼ା ଶେଷ କରିବା ପରେ ସେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ଆଇନ ପାଠ ପଢିଥିଲେ। ପରେ ସେ ଫ୍ରାଙ୍କଫର୍ଟ ବିଶ୍ୱବିଦ୍ୟାଳୟରେ ଦର୍ଶନଶାସ୍ତ୍ରରେ ପିଏଚଡି କରିଥିଲେ। ୨୦୦୩ ମସିହାରେ ଆଲେକ୍ସ କର୍ପ ପିଟର ଥିଏଲ୍ ଏବଂ ଅନ୍ୟ ତିନି ଜଣଙ୍କ ସହିତ ପେଲେଣ୍ଟିର୍ ଟେକ୍ନୋଲୋଜିଜ୍ ପ୍ରତିଷ୍ଠା କରିଥିଲେ। ପେଲେଣ୍ଟିରର ନାମ ଲର୍ଡ ଅଫ୍ ଦି ରିଙ୍ଗସ୍ ଉପନ୍ୟାସରେ ଥିବା ଏକ ପେଲେଣ୍ଟିରୀ (ଦୃଷ୍ଟିସମ୍ପନ୍ନ ପଥର) ଦ୍ୱାରା ଅନୁପ୍ରାଣିତ ।

କେଉଁ କାମ କରେ ତାଙ୍କ କମ୍ପାନୀ ?

ପେଲେଣ୍ଟିର କମ୍ପାନୀ ବିରାଟ ପରିମାଣର ଡାଟାକୁ ବିଶ୍ଳେଷଣ କରିବା ସହ ସେଥିରୁ ମୂଲ୍ୟବାନ ସୂଚନା ବାହାର କରେ । ଏହି କମ୍ପାନୀ ଆମେରିକାର ପ୍ରତିରକ୍ଷା ବିଭାଗ, ସିଆଇଇଏ, ଏଫବିଆଇ ସହିତ ଅନେକ ଦିନ ଧରି କାମ କରିଛି । ଆତଙ୍କବାଦୀ ଭିଆଉଥିବା କାଣ୍ଡକୁ ଟ୍ରାକ୍ କରିବା ଏବଂ ଅପରାଧିକ କାର୍ଯ୍ୟକଳାପ ଚିହ୍ନଟ କରିବାରେ ସାହାଯ୍ୟ କରେ ପେଲେଣ୍ଟିର କମ୍ପାନୀ । ତଥାପି ଅନେକ ସମୟରେ ବିବାଦରେ ଛନ୍ଦି ହୋଇଛି ଆଲେକ୍ସଙ୍କ ଟେକ କମ୍ପାନୀ ପେଲେଣ୍ଟିର ।

ନିୟମିତ ଯୋଗ କରନ୍ତି

ଆଲେକ୍ସ କର୍ପ ଏପରି ଜଣେ ବ୍ୟକ୍ତି, ଯିଏ ବୈଷୟିକ ବିଶେଷଜ୍ଞତାକୁ ଦାର୍ଶନିକ ଏବଂ ବୌଦ୍ଧିକ ଦୃଷ୍ଟିକୋଣ ସହ ଯୋଡ଼ନ୍ତି । ନିଜ କମ୍ପାନୀର କର୍ମଚାରୀମାନଙ୍କ ସହିତ ସିଧାସଳଖ ଯୋଗାଯୋଗ କରନ୍ତି । ଦିନକୁ ଏତେ ରୋଜଗାର କରୁଥିଲେ ମଧ୍ୟ ତାଙ୍କ ଜୀବପଯାପନ ଶୈଳୀ ଖୁବ ସାଧାରଣ । ସେ ଅବିବାହିତ.. ନିୟମିତ ଧ୍ୟାନ ଏବଂ ଯୋଗ ଅଭ୍ୟାସରୁ ତାଙ୍କର ଦିନଚର୍ଯ୍ୟା ଆରମ୍ଭ ହୁଏ । ତାଇ-ଚି ପରି ସାମରିକ କଳାରେ ପାରଙ୍ଗମ ଆଲେକ୍ସ । ତାଙ୍କର ଆଗ୍ରହ ଦର୍ଶନ, ଧ୍ୟାନ ଏବଂ ଶାରୀରିକ ସୁସ୍ଥତା ପ୍ରତି ବିସ୍ତୃତ। ସେ ନିୟମିତ ଭାବରେ ତାଇ-ଚି ଏବଂ ଯୋଗ ଅଭ୍ୟାସ କରନ୍ତି, ଯାହା ତାଙ୍କର ମାନସିକ ଏବଂ ଶାରୀରିକ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ। ନିହାତି ଜଣେ ସାଧାରଣ ଲୋକଙ୍କ ପରି ବ୍ୟବହାର କରୁଥିବା ଏହି ମଣିଷ ଜଣକ ଖୁବ ଅମାୟିକ ଓ ଦୟାଳୁ ମଧ୍ୟ ।

ବହିପଢ଼ା ଖୁବ ପସନ୍ଦ

ସଫଳ ବ୍ୟକ୍ତିତ୍ୱମାନେ ସବୁବେଳେ ବହିରୁ ହିଁ ଅନେକ କିଛି ଶିଖି ଥାଆନ୍ତି । ଆଲେକ୍ସ ମଧ୍ୟ ବିଭିନ୍ନ ପ୍ରକାର ବହି ପଢ଼ିବା ପାଇଁ ଭଲ ପାଆନ୍ତି । ବହି ପଢିବା ଏବଂ ବୌଦ୍ଧିକ ଆଲୋଚନାରେ ଅଂଶଗ୍ରହଣ କରିବା ତାଙ୍କୁ ଭାରି ପସନ୍ଦ । ଆଲେକ୍ସ କର୍ପ ଏବଂ ପେଲେଣ୍ଟିରର ଭବିଷ୍ୟତକୁ ଡାଟା ଆନାଲିଟିକ୍ସ ଏବଂ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଆହୁରି ବିସ୍ତାର କରିବା ପାଇଁ ଅନବରତ ଚେଷ୍ଟା କରୁଛନ୍ତି । ଡାଟାର ସଠିକ୍ ବ୍ୟବହାର ଦ୍ୱାରା ବିଶ୍ୱର ଜଟିଳ ସମସ୍ୟା ଯେପରିକି ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ ସଙ୍କଟ ଏବଂ ସାଇବର ସୁରକ୍ଷା ସମାଧାନରେ ସାହାଯ୍ୟ ହୋଇପାରିବ ବୋଲି ସେ ମତପ୍ରକାଶ କରନ୍ତି । ତାଙ୍କ କମ୍ପାନୀ ଏବେ ଏଆଇ ସଂଚାଳିତ ସମାଧାନ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛି, ଯାହା ଭବିଷ୍ୟତରେ ସେମାନଙ୍କର ପ୍ରଭାବକୁ ଆହୁରି ବୃଦ୍ଧି କରିପାରିବ।

ସରଳ ଏବଂ ପାରମ୍ପରିକ ଜୀବନଶୈଳୀ

ଆଲେକ୍ସ କର୍ପ ତାଙ୍କର ସରଳ ଏବଂ ପାରମ୍ପରିକ ଜୀବନଶୈଳୀ ପାଇଁ ଜଣାଶୁଣା । ସାଧାରଣତଃ କୋଟିପତିଙ୍କ କ୍ଷେତ୍ରରେ ଏହା ଖୁବ କମ ଦେଖିବାକୁ ମିଳେ । ୨୦୨୪ ନ୍ୟୁୟର୍କ ଟାଇମ୍ସ ସାକ୍ଷାତକାରରେ, ଆଲେକ୍ସ କହିଥିଲେ ଆଲାସ୍କା, ଭର୍ମଣ୍ଟ, ନରୱେ ଏବଂ ନ୍ୟୁ ହାମ୍ପଶାୟାର ଭଳି ପାର୍ବତ୍ୟାଞ୍ଚଳରେ ତାଙ୍କର ୧୦ଟି ଘର ଅଛି। ସେ ଏହି ଘରଗୁଡ଼ିକୁ ପ୍ରକୃତି ସହିତ ସମୟ ବିତାଇବା ପାଇଁ ତିଆରି କରିଛନ୍ତି ।
 
ଅଫିସରେ ତାଇ-ଚି ଖଣ୍ଡା

ସେ ନିୟମିତ ଭାବରେ ତାଇ-ଚି, କିଗଙ୍ଗ ଧ୍ୟାନ ଏବଂ କ୍ରସ୍-କଣ୍ଟ୍ରି ସ୍କିଇଂ ଅଭ୍ୟାସ କରନ୍ତି । ତାଙ୍କ କାର୍ଯ୍ୟାଳୟରେ ରହିଛି ତାଇ-ଚି ଖଣ୍ଡା । କର୍ମଚାରୀଙ୍କୁ ଜୀବନର ପ୍ରକୃତ ଅର୍ଥ ଶିଖେଇବା ପାଇଁ ସେ ନିଜେ ପେଲେଣ୍ଟିରରେ ଯୋଗଧ୍ୟାନର ସେସନ ନିଅନ୍ତି ।

ରାଜନୈତିକ ଦାନ

୨୦୨୪ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ ଏବଂ କମଳା ହାରିସଙ୍କୁ ୩୬୦,୦୦୦ ଡଲାର ଦାନ କରିଥିଲେ ଆଲେକ୍ସ। ବ୍ୟକ୍ତିଗତ ଜେଟରେ ସାରା ବିଶ୍ୱ ଭ୍ରମଣ କରିବା ତାଙ୍କର ପସନ୍ଦ । କିନ୍ତୁ ବିଳାସପୂର୍ଣ୍ଣ କାର, ୟାଚ କିମ୍ବା ଅନ୍ୟାନ୍ୟ ଚାକଚକ୍ୟ ପାଇଁ ସେ ଟଙ୍କା ଖର୍ଚ୍ଚ କରନ୍ତି ନାହିଁ । ଖୁବ ସିଧାସାଧା ହୋଇଥିଲେ ସୁଦ୍ଧା ସେ ଖୁବ ସ୍ପଷ୍ଟବାଦୀ । ସେ ତାଙ୍କ ଅଦ୍ଭୁତ ଏବଂ ସ୍ପଷ୍ଟବାଦୀ ମନ୍ତବ୍ୟ ପାଇଁ ଜଣାଶୁଣା।

ଚଳିତ ବର୍ଷ ଲେଖିଛନ୍ତି ବେଷ୍ଟସେଲର ବହି

୨୦୨୫ ମସିହାରେ ଆଲେକ୍ସ କର୍ପ ନିକୋଲାସ ଜମିସ୍କାଙ୍କ ସହିତ ‘The Technological Republic: Hard Power, Soft Belief, and the Future of the West ‘ ନାମକ ଏକ ପୁସ୍ତକ ପ୍ରକାଶ କରିଥିଲେ, ଯାହା ନ୍ୟୁୟର୍କ ଟାଇମ୍ସରେ ଏକ ବେଷ୍ଟସେଲର ପୁସ୍ତକ ହୋଇଥିଲା। ତଥାପି ସେ ତାଙ୍କ ଜୀବନକୁ ବ୍ୟକ୍ତିଗତ ରଖିବାକୁ ପସନ୍ଦ କରନ୍ତି।

ଓଟିଭି ବିଜ୍ଞାପନ