/odishatv-khabar/media/post_attachments/uploadimage/library/16_9/16_9_0/_Yoga_1718984081.jpg)
Yoga
ଯୋଗ କଲେ ରୋଗରୁ ମିଳେ ଉପଶମ। ବୃଦ୍ଧାବସ୍ଥାରେ ବି ଯୁବ ସୁଲଭ ଚେହେରା ଦେଖିବାକୁ ମିଳେ।ଯେତେବେଳେ କୌଣସି ଦୁସାଧ୍ୟ ରୋଗ ପାଇଁ ଡାକ୍ତରୀ ବିଜ୍ଞାନ ଫେଲ୍ ମାରେ, ସେତେବେଳେ କାମ କରେ ଯୋଗ ଓ ପ୍ରାଣାୟମ। ଆଜି ବିଶ୍ବ ଯୋଗ ଦିବସରେ ଜାଣନ୍ତୁ ଯୋଗର ଚମତ୍କାରିତାରୁ ନୂଆ ଜୀବନ ପାଇଥିବା ସେମିତି କିଛି ବ୍ୟକ୍ତି ବିଶେଷଙ୍କୁ।
ରୋଗରୁ ମୁକ୍ତି ପାଇଁ ଯୋଗ। ବହୁ ଜଟିଳ ରୋଗର ସରଳ ସମାଧାନ ଯୋଗ। ଯୋଗର ଉପାଦେୟତା, ବୋଧହୁଏ ବ୍ରହ୍ମପୁର ଗାନ୍ଧୀନଗର ଅଞ୍ଚଳର ସତ୍ୟନାରାୟଣ ପଟ୍ଟନାୟକଙ୍କଠାରୁ ଆଉ କେହି ଭଲରେ କହିପାରିବେ ନାହିଁ। ୨୦୦୪ରେ ପୋଲିସ ଚାକିରିରୁ ଅବସର ପରେ ୨୦୦୭ରେ ପକ୍ଷାଘାତ ରୋଗର ଶିକାର ହୋଇଥିଲେ ସତ୍ୟନାରାୟଣ। ଭାବିଥିଲେ ଏଇଠି ଜୀବନ ଅଟକି ଯିବ। ଚିକିତ୍ସା ବିଜ୍ଞାନ ଉପରେ ଭରସା କରି ଉପଶମ ପାଇଲେନି। ଶେଷରେ ୨୦୦୮ରେ ଯୋଗଗୁରୁ ପୂର୍ଣ୍ଣଚନ୍ଦ୍ର ସୁବୁଦ୍ଧିଙ୍କ ସଂସ୍ପର୍ଶରେ ଆସିଥିଲେ। ଆଉ ଏବେ ୭୮ ବର୍ଷ ବୟସରେ ବି ସମ୍ପୂର୍ଣ୍ଣ ସୁସ୍ଥ ସତ୍ୟନାରାୟଣ। ଯୋଗର ଚମତ୍କାରିତା ତାଙ୍କ ଦେହରେ ଜଗାଇଛି ଅସୀମ ଶକ୍ତି ଆଉ ମନରେ ଭରି ଦେଇଛି ଅଟଳ ଆତ୍ମବିଶ୍ବାସ।
ଯୋଗ ଯେ ରୋଗରୁ ସାରା ଜୀବନ ମୁକ୍ତି ଦିଏ, ତାର ଆଉ ଏକ ଜ୍ବଳନ୍ତ ଉଦାହରଣ ଜୟପୁର ସହର କୁମ୍ଭାର ସାହିର ମଞ୍ଜୁଳା ପାତ୍ର। ଏକଦା ଅଲସର ରୋଗରେ ଆକ୍ରାନ୍ତ ଥିଲେ ମଞ୍ଜୁଳା। ରୋଗ ଏତେ ବଢିଗଲା ଯେ, ପରିବାର ତାଙ୍କ ଆଶା ଛାଡିଦେଲେ। ହେଲେ ଦୃଢ ମନୋବଳ ସହିତ ମଞ୍ଜୁଳା ୨୦୦୬ ମସିହାରେ ଯୋଗ କେନ୍ଦ୍ରକୁ ଆସି ଯୋଗାସନର ଅଭ୍ୟାସ କରିଥିଲେ। ଆଉ ଏବେ ପରିଣତ ବୟସରେ ପହଞ୍ଚିଥିବା ମଞ୍ଜୁଳା ଭୁଲି ଯାଇଛନ୍ତି ସେ ପୁରୁଣା ଦିନର ଯନ୍ତ୍ରଣା।
ସେହିପରି ଜୟପୁର ସହରର ବ୍ୟବସାୟୀ ଜି. ନାଗେଶ୍ବର ରାଓ। ଦୀର୍ଘ ଦିନ ଧରି ଆଣ୍ଠୁ ଯନ୍ତ୍ରଣାରେ ଜର୍ଜରିତ ଥିଲେ। ବହୁ ଡାକ୍ତରଙ୍କୁ ଭେଟିବା ପରେ ଅପରେସନ୍ ପାଇଁ ପରାମର୍ଶ ମିଳିଥିଲା। କିନ୍ତୁ ନାଗେଶ୍ବର ଅପରେସନ୍ କଥା ଭୁଲି ଯୋଗ କେନ୍ଦ୍ରରେ ଯୋଗ ଦେଇଥିଲେ। ଏବେ ସେ ପ୍ରାୟ ୯୦ ପ୍ରତିଶତ ଫିଟ୍। ଆଗକୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଆଶା ରଖିଛନ୍ତି । ଯୋଗ ଯେ, ନିରାମୟ ଓ ସୁସ୍ଥ ଜୀବନ ପାଇଁ ରାମବାଣ ଏବଂ ଏହା ଅନେକ ଦୁଃସାଧ୍ୟ ରୋଗରୁ ମୁକ୍ତି ଦେଇପାରେ, ତାର ଉଦାହରଣ ଅନେକଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)