Advertisment

Inner Child: ଇନର୍ ଚାଇଲ୍ଡ ଅତୀତର ବର୍ତ୍ତମାନକୁ ପ୍ରଭାବିତ କରେ କାହିଁକି?

ଇନର୍ ଚାଇଲ୍ଡ କିଏ? ସେ କ'ଣ ସମସ୍ତଙ୍କ ଭିତରେ ଅଛି? ସେ କେମିତି ଆପଣଙ୍କର ବର୍ତ୍ତମାନକୁ ପ୍ରଭାବିତ କରେ? କାହିଁକି ଏପରି ଘଟେ ? ଏଥିରୁ ପୁଣି ମୁକୁଳିବେ କିପରି? ଆସନ୍ତୁ ଆଜି ଏସବୁ ବିଷୟରେ ବିଷଦ ଆଲୋଚନା କରିବା।

author-image
Sumitra Padhi
Inner Child

Inner Child

ଆମେ ପ୍ରାୟତଃ ଭାବୁ ଯେ, କିଛି ପ୍ରତିକ୍ରିୟା ପରିସ୍ଥିତି ଠାରୁ ଅଧିକ ବଡ଼ ମନେହୁଏ କାହିଁକି। ଆମେ ପ୍ରତ୍ୟାଖ୍ୟାନକୁ ଏତେ ଭୟ କରନ୍ତି କାହିଁକି? ଆମେ ନିଜକୁ ଯୋଗ୍ୟ ମନେ କରିବା ପାଇଁ କାହିଁକି ଅଧିକ ପରିଶ୍ରମ କରନ୍ତି? ଆମେ କାହିଁକି ଲୋକଙ୍କୁ ଖୁସି କରିବା, ପରଫେକ୍ଟ ହେବା କିମ୍ବା ଅବ୍ୟକ୍ତ ଚିନ୍ତାରେ ଘାଣ୍ଟି ହୁଅନ୍ତି? ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରିବା ଭିତରେ ମୁଁ ଦେଖିଛି ଯେ, ଏସବୁର ଉତ୍ତର ପ୍ରାୟତଃ ଆମେ ବର୍ତ୍ତମାନ କିଏ ତା' ଉପରେ ନୁହେଁ, ବରଂ ଆମେ ପୂର୍ବରୁ କିଏ ଥିଲେ ତାଆରି ପାଖରେ ରହିଛି।

Advertisment

ଏହି କ୍ଷେତ୍ରରେ "ଇନର୍ ଚାଇଲ୍ଡ ହିଲିଙ୍ଗ" କେବଳ ପ୍ରାସଙ୍ଗିକ ନୁହେଁ, ବରଂ ଅତ୍ୟାବଶ୍ୟକ। ଏହା ବର୍ତ୍ତମାନର ସବୁଠୁ ଅଧିକ ଚର୍ଚ୍ଚିତ ବିଷୟ।

"ଇନର୍ ଚାଇଲ୍ଡ" କିଏ?

"ଇନର୍ ଚାଇଲ୍ଡ" ହେଉଛି ଆପଣଙ୍କ ପିଲାଦିନେ ତିଆରି ହୋଇଥିବା ଇମୋସନ ବା ଆବେଗ ସବୁର ଅଂଶ। ଏହା ଆପଣଙ୍କର ପ୍ରାରମ୍ଭିକ ଦିନମାନଙ୍କର ସ୍ମୃତି, ଅପୂରଣୀୟ ଆବଶ୍ୟକତା, ଭୟ ଏବଂ ବିଶ୍ୱାସକୁ ବହନ କରେ। ଯଦି ଆପଣଙ୍କର ଭାବପ୍ରବଣ ଆବଶ୍ୟକତାକୁ ପିଲାବେଳେ ସମ୍ପୂର୍ଣ୍ଣ ପୂରଣ କରାଯାଇନଥାଏ, ଯଦି ଆପଣଙ୍କୁ ସମାଲୋଚନା କରାଯାଇଥାଏ, ଅବହେଳିତ କରାଯାଇଥାଏ, କିମ୍ବା ଅସୁରକ୍ଷିତ ଅନୁଭବ କରାଯାଇଥାଏ - ତେବେ ସେହି କ୍ଷତଗୁଡ଼ିକ ଅଦୃଶ୍ଯ ହୋଇଯାଇନଥାଏ ବା ଲିଭିଯାଇନଥାଏ। ସେମାନେ ଆଜି ଆପଣ ଯେପରି ଚିନ୍ତା କରୁଛନ୍ତି, ଆଚରଣ କରୁଛନ୍ତି ଏବଂ ଅନୁଭବ କରୁଛନ୍ତି ତାହାକୁ ଆକାର ଦେଇଥାଆନ୍ତି।

Advertisment

ବୟସ୍କମାନଙ୍କ ପାଖରେ ସୁସ୍ଥ ହୋଇନଥିବା ଇନର୍ ଚାଇଲ୍ଡ କିପରି ପ୍ରକାଶ ପାଏ?

ଆପଣ ହୁଏତ ଏହା ଜାଣିନଥିବେ, କିନ୍ତୁ ବୟସ୍କମାନଙ୍କର ଅନେକ ସଂଘର୍ଷ ପିଲାଦିନର ଆଭ୍ୟନ୍ତରୀଣ କ୍ଷତ ସହିତ ଜଡ଼ିତ ହୋଇ ରହିଥାଏ। ତାହାର ସାଧାରଣ ଲକ୍ଷଣଗୁଡ଼ିକ ହେଲା:

- ଛୋଟ ଛୋଟ ସମାଲୋଚନା ପ୍ରତି ଅତ୍ୟଧିକ ପ୍ରତିକ୍ରିୟା ପ୍ରକାଶ କରିବା: କାରଣ ଆପଣଙ୍କର ଇନର୍ ଚାଇଲ୍ଡ ଏବେ ବି ଗାଳି କିମ୍ବା ଲଜ୍ଜିତ ହେବାର ଘଟଣା ସବୁ ମନେ ରଖିଛି।

- ପରିତ୍ୟକ୍ତ ହୋଇଯିବାର ଭୟ : ବିଶେଷକରି ଯଦି ଆପଣ ପିଲାବେଳେ ଇମୋସନାଲି ଅବହେଳିତ ହୋଇଥାନ୍ତି କିମ୍ବା ବାଦ୍ ଦିଆଯାଇଥାନ୍ତି ତାହେଲେ ଏହି ଭୟଟି ଥାଏ। ସାହାଯ୍ୟ ଟିକେ ମାଗିବା ସମୟରେ ମଧ୍ୟ ଆପଣ କାଳେ କାହା ଉପରେ ବୋଝ ହୋଇଯିବେ ବୋଲି ଏବେବି ଭୟ କରନ୍ତି।

-ନିରନ୍ତର ଅନୁମୋଦନ ବା ମାନ୍ୟତା ପାଇବାର ଆବଶ୍ୟକତା ଅନୁଭବ କରିବା: ଆପଣ ପ୍ରକୃତରେ ଏହା ଚାହାଁନ୍ତି ନାହିଁ କି ଆବଶ୍ୟକ ମଧ୍ୟ କରନ୍ତି ନାହିଁ, ତଥାପି ଅନ୍ୟମାନେ ଆପଣଙ୍କୁ ଅନୁମୋଦନ ବା ମାନ୍ୟତା ଦିଅନ୍ତୁ ବୋଲି ଇଚ୍ଛା କରୁଥା'ନ୍ତି।

-ସୀମା ନିର୍ଦ୍ଧାରଣ କରିନପାରିବା : ବିଶେଷକରି ଯଦି ଆପଣଙ୍କୁ ସବୁବେଳେ ଅନ୍ୟମାନଙ୍କୁ ମାନିବାକୁ କିମ୍ବା ଖୁସି କରିବାକୁ ଶିଖାଯାଇଥାଏ, ତେବେ ଆପଣ ସୀମା ନିର୍ଦ୍ଧାରଣ କରିପାରନ୍ତି ନାହିଁ।

ଅଧିକ ପଢ଼ନ୍ତୁ: ଟ୍ରମା ଡମ୍ପିଂ କାହିଁକି ଘଟେ ଏବଂ ଅନ୍ୟମାନଙ୍କୁ ଆଘାତ ନ ଦେଇ ଏଥିରୁ ସୁସ୍ଥ ହେବେ କିପରି?

-ପରଫେକ୍ଟ ହେବା ନହେଲେ ବିଫଳତାର ଭୟ ପ୍ରାୟତଃ କେବଳ ଭଲ ପ୍ରଦର୍ଶନ କଲେ ହିଁ ଭଲ ପାଇବା ମିଳିବ,ଏହି କଥା ପଛରେ ଲୁଚିଥାଏ ।

-"ଅତ୍ୟଧିକ ସମ୍ବେଦନଶୀଳ" ଅନୁଭବ କରିବା କିମ୍ବା ନିଜ ଭାବନା ପାଇଁ ଲଜ୍ଜିତ ହେବା । କାରଣ ପିଲାଦିନେ ଆପଣଙ୍କ ଭାବପ୍ରବଣ ପ୍ରକାଶକୁ ଗ୍ରହଣ କରାଯାଇ ନଥିଲା।

- ଅତ୍ୟଧିକ ଆତ୍ମସମୀକ୍ଷା କରିବା ଏବଂ ପ୍ରଶଂସା ମିଳିଲେ ଅସହଜ ହେବା : ଆପଣ ପ୍ରଶଂସାକୁ ଅବିଶ୍ୱାସ କରନ୍ତି କିମ୍ବା ଆପଣ ଏହାର ଯୋଗ୍ୟ ନୁହଁନ୍ତି ବୋଲି ଅନୁଭବ କରନ୍ତି।

- ନିରନ୍ତର ସଫଳତା ପାଇଲେ ମଧ୍ୟ ପରିପୂର୍ଣ୍ଣ ଅନୁଭବ ନକରିବା: ଆପଣ ଯେତେ ହାସଲ କଲେ ମଧ୍ୟ, ଏହା କେବେବି ଯଥେଷ୍ଟ ନୁହେଁ ବୋଲି ମନେ ହୁଏ।

ଏହି ଆଚରଣଗୁଡ଼ିକ ତ୍ରୁଟି ନୁହେଁ। ଏଗୁଡ଼ିକ ହେଉଛି ବଞ୍ଚିବା ଲାଗି ଆପଣଙ୍କର ଶିଶୁ ବା ଯୁବ ମନ ଡିଜାଇନ୍ କରିଥିବା କିଛି ଉପାୟ। ଅତୀତରେ ସେ ନିଜକୁ ସୁରକ୍ଷିତ, ଗ୍ରହଣୀୟ ଏବଂ ପ୍ରିୟ ଅନୁଭବ କରାଇବା ପାଇଁ ଏସବୁ କରିଥାଏ।

ଆଜିର ଦ୍ରୁତ, ପ୍ରଦର୍ଶନଧର୍ମୀ ଦୁନିଆରେ ଅଧିକରୁ ଅଧିକ ଲୋକ ଏନଜାଇଟି, ଷ୍ଟ୍ରେସ୍ ଓ ଆଇଡେଣ୍ଟିଟି କନଫ୍ୟୁଜନ୍ ଅନୁଭବ କରୁଛନ୍ତି। କିନ୍ତୁ ଏହି ସଂଘର୍ଷଗୁଡ଼ିକ ଭିତରୁ ଅନେକଟି ପଛରେ ଲୁଚି ରହିଛି ଏକ ନୀରବ ଅନ୍ତରର ସ୍ୱର; ଆପଣଙ୍କ ଇନର୍ ଚାଇଲ୍ଡର ସ୍ୱର, ଯିଏ ଏବେ ବି ଅପେକ୍ଷା କରିଛି ତାକୁ କେହି ଶୁଣୁ।

ଇନର୍ ଚାଇଲ୍ଡକୁ ସୁସ୍ଥ କରିବେ କିପରି?

ଆପଣ ଅତୀତକୁ ପୁନର୍ଜୀବିତ କରିବା କିମ୍ବା ପୁନଃଲେଖନ କରିବାର କୌଣସି ଆବଶ୍ୟକତା ନାହିଁ। ଆପଣଙ୍କୁ ବର୍ତ୍ତମାନ ସମୟରେ ଇମୋସନାଲ୍ ସୁରକ୍ଷା ସୃଷ୍ଟି କରିବାକୁ ପଡିବ। ଏଥିପାଇଁ କିଛି ସହଜ ପଦକ୍ଷେପ ନିମ୍ନରେ ଦିଆଯାଇଛି:

କ) ଟ୍ରିଗରଗୁଡ଼ିକୁ ଚିହ୍ନନ୍ତୁ:

ଆଜି ପରଠୁ ଆପଣ ଯେତେବେଳେ କଷ୍ଟ ପାଇବେ କିମ୍ବା ଆପଣଙ୍କ ଭିତରେ ଅଧିକ ପ୍ରତିକ୍ରିୟା ହେବ, ସେତେବେଳେ ଟିକେ ଅଟକି ଯାଆନ୍ତୁ ଏବଂ ପଚାରନ୍ତୁ: "ଏହି ଭାବନା କେଉଁ ସମୟର ବା ବୟସର?" ପ୍ରାୟତଃ ଆପଣ ଦେଖିବେ ଏହା ବର୍ତ୍ତମାନର ଭାବନା ଠାରୁ କମ୍ ବୟସ୍କ ମଣିଷର ହୋଇଥାଏ।

ଖ) ଜର୍ଣ୍ଣାଲିଂ ମାଧ୍ୟମରେ ସମ୍ପର୍କ ତିଆରି କରନ୍ତୁ:

ପିଲାଦିନର ଆପଣଙ୍କୁ ଚିଠି ଲେଖନ୍ତୁ। ସେଥିରେ ପଚାରନ୍ତୁ: ପିଲାବେଳେ ଆପଣଙ୍କୁ କେଉଁଥିରୁ ସବୁ ଖୁସି ମିଳୁଥିଲା? ଆପଣ କ’ଣ ଶୁଣିବାକୁ ଚାହୁଁଥିଲେ କିନ୍ତୁ ଶୁଣିପାରିନଥିଲେ? ଆପଣ ଏବେ ବି ସେ ସମୟର କେଉଁ କଥା ସବୁ ବୋହି ଚାଲିଛନ୍ତି?

ଗ) ନିଜକୁ ପୁଣି ପଚାରନ୍ତୁ:

ନିଜ ସହ ସେମିତି କଥା ହୁଅନ୍ତୁ ଯେମିତି ଜଣେ ସମ୍ବେଦନଶୀଳ ବଡ଼ ଲୋକ ପିଲାଟିଏ ସହ କଥା ହୋଇଥାଆନ୍ତା। ଆତ୍ମ-ସମାଲୋଚନା ନକରି ଇନର୍ ଚାଇଲ୍ଡକୁ କୁହନ୍ତୁ: "ମୁଁ ତୁମ ସହିତ ଅଛି। ଆରାମ କରିବା ଭଲ କଥା। ତୁମେ ତୁମର ସର୍ବୋତ୍ତମ ପ୍ରଦର୍ଶନ କରୁଛ।"

ଘ) ପିଲାଦିନକୁ ଫେରି ଯାଆନ୍ତୁ:

କୌଣସି ଉଦ୍ଦେଶ୍ୟ କିମ୍ବା ପରଫେକସନ୍ର ଚେଷ୍ଟା ବିନା ଆପଣଙ୍କ ଇନର୍ ଚାଇଲ୍ଡ ଯାହା କରିବାକୁ ଭଲ ପାଉଥିଲା ତାହା କରନ୍ତୁ। ଏହା ଚିତ୍ରାଙ୍କନ, ଗୀତ ଗାଇବା, କିମ୍ବା ଖାଲି ପାଦରେ ଖେଳିବା କି ନାଚିବା ହୋଇପାରେ। ନିଜେ ଯେମିତି ସେମିତି ରହିବାକୁ ଦିଅନ୍ତୁ।

ସୁସ୍ଥତାର ଅନୁଭବ ପ୍ରକୃତରେ କିପରି?

ଇନର୍ ଚାଇଲ୍ଡକୁ ସୁସ୍ଥ କରିବା ଅର୍ଥ ନରମ କିମ୍ବା ଅତ୍ୟଧିକ ଭାବପ୍ରବଣ ହେବା ନୁହେଁ। ଏହାର ଅର୍ଥ ଭାବପ୍ରବଣ ଭାବରେ ସମ୍ପୂର୍ଣ୍ଣ ହେବା। ସୁସ୍ଥ ହେଲେ ଆପଣଙ୍କ ଭିତରେ ନିମ୍ନ ପରିବର୍ତ୍ତନ ସବୁ ଦେଖାଯାଏ।

- ପ୍ରତିକ୍ରିୟା ଦେବା ପରିବର୍ତ୍ତେ ଆପଣ ଉତ୍ତର ଦେବା ଆରମ୍ଭ କରନ୍ତି।

- ଅପରାଧବୋଧ ବିନା ସୀମା ନିର୍ଦ୍ଧାରଣ କରିପାରନ୍ତି।

- ଅସୁବିଧା ଅନୁଭବ ନକରି ପ୍ରଶଂସା ସ୍ୱୀକାର କରନ୍ତି।

- ପରିତ୍ୟକ୍ତ ହେବାର ଭୟ ବିନା ପ୍ରେମ କରିପାରନ୍ତି।

- ଅପେକ୍ଷା ନରଖି ଆରାମ କରନ୍ତି।

- ଆପଣ ଅନ୍ୟମାନଙ୍କ ଆଗରେ ନିଜକୁ ଓଭରଏକ୍ସପ୍ଲେନ୍ କରିବା ବନ୍ଦ କରନ୍ତି।

-ଯେଉଁମାନେ ଆପଣଙ୍କୁ ଅଯୋଗ୍ୟ ମନେ କରନ୍ତି, ଆପଣ ଆଉ ସେମାନଙ୍କ ପଛରେ ଗୋଡ଼ାନ୍ତି ନାହିଁ।

- ଆପଣ ପରଫେକ୍ଟ ନୁହେଁ ବୋଲି ନିଜକୁ ଆଉ ଦୋଷ ନଦେଇ କ୍ଷମା କରନ୍ତି।

- ଆପଣ ନୀରବତାରେ ମଧ୍ୟ ନିରାପଦ ଅନୁଭବ କରନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆପଣ ନିଜକୁ ନିଜଠୁ ଦୂରେଇ ଦେବା ବନ୍ଦ କରନ୍ତି। ଆପଣଙ୍କ ମନ ଭିତରେ ଅହରହ ଚାଲିଥିବା ସ୍ୱର ଧୀର ହୋଇଯାଏ। କାରଣ, ଯାହାର ଦିନେ ଆପଣ ସବୁଠାରୁ ଅଧିକ ଦରକାର ଥିଲେ, ଆପଣ ଆଉ ସେହି ପିଲାଟିକୁ ଅଣଦେଖା କରୁନାହାଁନ୍ତି ।

ଯଦି ଆପଣ ଆଜି ବି ଆତ୍ମସମ୍ମାନ, ସମ୍ପର୍କ କିମ୍ବା ଅବ୍ୟକ୍ତ ଇମୋସନାଲ୍ ଯନ୍ତ୍ରଣା ସହିତ ସଂଘର୍ଷ କରୁଛନ୍ତି - ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। "ମୋର କ'ଣ ଅସୁବିଧା ହୋଇଛି?" ପଚାରିବା ପରିବର୍ତ୍ତେ ପଚାରନ୍ତୁ: "ମୋର କ'ଣ ହେଲା?" ଏବଂ ତା’ପରେ, ଧୀରେ ଧୀରେ, ଭଲପାଇବାର ସହିତ... ଇନର୍ ଚାଇଲ୍ଡକୁ ଭେଟିବାର ଯାତ୍ରା ଆରମ୍ଭ କରନ୍ତୁ। ଦେଖିବେ, ସେ କେମିତି ଆପଣଙ୍କୁ ଅନେଇ ବସିଚି। ଆପଣଙ୍କୁ ଦୋଷ ଦେବା ପାଇଁ ନୁହେଁ, କେବଳ ଥରେ ଭେଟିବା ପାଇଁ, ନିଜ କଥା କହିବା ପାଇଁ ସେ ଏବେ ବି ଅପେକ୍ଷା କରିଛି ଦେଖି ଆପଣ ସତରେ ଆଶ୍ଚର୍ଯ୍ୟ ହେବେ।

ଅଧିକ ପଢ଼ନ୍ତୁ: ପିଲା ଅଧିକ ସମୟ ମୋବାଇଲ୍ ଦେଖିଲେ, ହୁଏ ଏହି ସବୁ ସମସ୍ୟା

Psychological Autopsy Lifestyle
Advertisment
Advertisment