ଆଜିକାଲି ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ବେକ ଯନ୍ତ୍ରଣାରେ ପିଡୀତ ହେବାର ଦେଖାଯାଏ। ବେକ ଯନ୍ତ୍ରଣାର ଅନେକ କାରଣ ଥାଇପାରେ, ଯେପରିକି ଭୁଲ ସ୍ଥିତିରେ ବସିବା କିମ୍ବା ଠିଆ ହେବା। କମ୍ପ୍ୟୁଟର କିମ୍ବା ମୋବାଇଲ୍ ବ୍ୟବହାର କରିବା ସମୟରେ ବେକକୁ ଦୀର୍ଘ ସମୟ ଧରି ବଙ୍କା କରି ରଖିବା।
ଏହା ବ୍ୟତୀତ ଚାପ ଏବଂ ଚିନ୍ତା ମଧ୍ୟ ବେକ ଯନ୍ତ୍ରଣାର କାରଣ ହୋଇଥାଏ। ମାଂସପେଶୀ ଯନ୍ତ୍ରଣା, ଆଘାତ, କିମ୍ବା ହର୍ନିଏଟେଡ୍ ଡିସ୍କ ଏବଂ ଆଭ୍ୟନ୍ତରୀଣ ରୋଗ ମଧ୍ୟ ବେକରେ ଯନ୍ତ୍ରଣା ଦେଇପାରେ।
Also Read
ଅଧିକ ପଢନ୍ତୁ : Yogasana: ବଢ଼ିଚାଲିଛି ଥଣ୍ଡା-ଜର; ଏଥିରୁ ମୁକ୍ତି ପାଇବା ପାଇଁ ଦୈନିକ କରନ୍ତୁ ଏହିସବୁ ଯୋଗ
ଯଦି ଠିକ୍ ସମୟରେ ଏହାର ଚିକିତ୍ସା କରା ନ ଯାଏ, ତେବେ ଏହା ମାଇଗ୍ରେନ୍ ଆଡକୁ ଯାଇପାରେ। ଏହା ବ୍ୟତୀତ କାନ୍ଧ ଏବଂ ବାହୁରେ ଯନ୍ତ୍ରଣାରେ ମଧ୍ୟ ପରିଣତ ହୋଇପାରେ। ମାଂସପେଶୀ ମଧ୍ୟ ଦୁର୍ବଳ ହୋଇପାରେ। ଏହି କାରଣରୁ ଶୋଇବାରେ ସମସ୍ୟା, ମୁଣ୍ଡ ବୁଲାଇବା ଏବଂ ଦୈନନ୍ଦିନ କାର୍ଯ୍ୟକଳାପରେ ବାଧା ଭଳି ସମସ୍ୟା ମଧ୍ୟ ଆସିପାରେ।
ବେକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କିଛି ଯୋଗାସନ ଅଭ୍ୟାସ ବହୁତ ଲାଭଦାୟକ ହୋଇଥାଏ। ଏହା ମୂଳରୁ ବେକ ଯନ୍ତ୍ରଣାକୁ ଦୂର କରିଦିଏ। ତେବେ କେଉଁସବୁ ଯୋଗାସନ ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିବ ଆସନ୍ତୁ ଜାଣିବା।
ବେକ ବ୍ୟାୟାମ:
କାନ୍ଧ ଏବଂ ବେକ ଯନ୍ତ୍ରଣା ଦୂର କରିବାରେ ନେକ୍ ରିଲିଜ୍ ବ୍ୟାୟାମ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହି ବ୍ୟାୟାମ କରିବା ଦ୍ୱାରା, ବେକ ଯନ୍ତ୍ରଣାରୁ ଶୀଘ୍ର ଆରାମ ମିଳେ। ଏହା କରିବା ଅତି ସହଜ। ଏସବୁକୁ ଯେକୌଣସି ସମୟରେ କରାଯାଇପାରିବ।

ଏଥିପାଇଁ ଏକ ସମତଳ ଜାଗାରେ ଏକ କାର୍ପେଟ୍ କିମ୍ବା ମ୍ୟାଟ୍ ପକାଇ ଧ୍ୟାନରେ ବସନ୍ତୁ। ବର୍ତ୍ତମାନ ବାମ ହାତକୁ ମୁଣ୍ଡ ଉପରେ ରଖନ୍ତୁ ଏବଂ ବେକକୁ ଡାହାଣ ପାର୍ଶ୍ୱକୁ କରନ୍ତୁ। କିଛି ସମୟ ପାଇଁ ଏହି ଅବସ୍ଥାରେ ରୁହନ୍ତୁ। ଏହା ପରେ, ଡାହାଣ ହାତକୁ ମୁଣ୍ଡରେ ରଖନ୍ତୁ ଏବଂ ବେକକୁ ବାମ ପାର୍ଶ୍ୱକୁ କରନ୍ତୁ। ଏହାକୁ ପୁନରାବୃତ୍ତି କରନ୍ତୁ। ଏହା ପରେ ବେକକୁ ଛାତି ଆଡକୁ ବଙ୍କା କରନ୍ତୁ। ଏହି ଅବସ୍ଥାରେ ମଧ୍ୟ କିଛି ମୁହୂର୍ତ୍ତ ପାଇଁ ରୁହନ୍ତୁ। ତା’ପରେ ବେକକୁ ଉପରକୁ ଉଠାନ୍ତୁ। ଏହା କରିବା ଦ୍ୱାରା କାନ୍ଧ ଏବଂ ବେକ ଯନ୍ତ୍ରଣାରୁ ଶୀଘ୍ର ମୁକ୍ତି ମିଳିଥାଏ।
ବୀରଭଦ୍ରାସନ:
ବୀରଭଦ୍ରାସନ କରିବା ଦ୍ୱାରା କାନ୍ଧ ଏବଂ ବେକ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ତିନୋଟି ପ୍ରକାରର ବୀରଭଦ୍ରାସନ ଅଛି। ଏହି ଆସନ ମଧ୍ୟରୁ ପ୍ରଥମଟି କରିବା ଦ୍ୱାରା କାନ୍ଧ ଏବଂ ବେକ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

ଏଥିପାଇଁ ସର୍ବପ୍ରଥମେ ତାଡାସନ ସ୍ଥିତିକୁ ଆସନ୍ତୁ। ବର୍ତ୍ତମାନ ଦୁଇ ହାତକୁ ଉପରକୁ ଉଠାନ୍ତୁ। ଧ୍ୟାନ ହାତରେ ରଖନ୍ତୁ। ଏହା ପରେ, ଡାହାଣ ପାଦକୁ ଆଗକୁ ବଢାନ୍ତୁ। ଡାହାଣ ଆଣ୍ଠୁ ଭାଙ୍ଗି ଏହି ଅବସ୍ଥାରେ କିଛି ସମୟ ରୁହନ୍ତୁ। ଏହା ପରେ ପ୍ରଥମ ସ୍ଥିତିକୁ ଫେରି ଆସନ୍ତୁ।
ଧନୁରାସନ:
ଏହି ଆସନରେ ଶରୀରର ଆକୃତି ଧନୁ ପରି ହୋଇଯାଏ। ଏଥିପାଇଁ ଏହାକୁ ଧନୁରାସନ କୁହାଯାଏ। ଧନୁରାସନ କରିବା ଦ୍ୱାରା କାନ୍ଧ ଏବଂ ବେକ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

ଏଥିପାଇଁ ମ୍ୟାଟ୍ ଉପରେ ପେଟ ଉପରେ ଶୋଇଯାଆନ୍ତୁ। ତା’ପରେ ଆଣ୍ଠୁକୁ ବଙ୍କା କରନ୍ତୁ ଏବଂ ବଳାଗଣ୍ଠି ପାଖରୁ ନିଜ ହାତରେ ଧରି ରଖନ୍ତୁ। ଏହି ଅବସ୍ଥାରେ ଅଣ୍ଟା, ଜଙ୍ଘ ଏବଂ ଛାତି ଉପରକୁ ଉଠାନ୍ତୁ। ଏହି ସ୍ଥିତିକୁ ଆସି ଧୀରେ ଧୀରେ ଶ୍ୱାସ ନିଅନ୍ତୁ ଏବଂ ଛାଡନ୍ତୁ।
ମାର୍ଜାରୀ ଆସନ:

ଏହି ଆସନ ବେକ ଏବଂ ମେରୁଦଣ୍ଡର ନମନୀୟତାକୁ ବଢାଇଥାଏ ଏବଂ ମାଂସପେଶୀ ଚାପକୁ ହ୍ରାସ କରିଥାଏ। ମାର୍ଜାରୀ ଆସନ କରିବାକୁ ହେଲେ ପ୍ରଥମେ ଆଣ୍ଠେଇକୁ ରୁହନ୍ତୁ। ଏହାପରେ ପାପୁଲି ଭୂମିରେ ରଖି ଶ୍ୱାସ ଛାଡି ପିଠିକୁ ବଙ୍କା କରନ୍ତୁ। ପିଠି ଉପରକୁ ଉପରକୁ ଉଠାଯିବା ଉଚିତ ଏବଂ ମୁଣ୍ଡ ତଳକୁ କରନ୍ତୁ। କିଛି ସମୟ ଏହିପରି ଅବସ୍ଥାରେ ରହିବା ପରେ ଶ୍ୱାସ ନେଇ ମୁଣ୍ଡକୁ ଉପରକୁ ଉଠାଇ ଅଣ୍ଟାକୁ ତଳକୁ ଭିଡନ୍ତୁ। କିଛି ସମୟ ରଖନ୍ତୁ ଓ ମୂଳ ଅବସ୍ଥାକୁ ଆସନ୍ତୁ।
ବାଳାସନ:

ଏଭଳି କ୍ଷେତ୍ରରେ ନିୟମିତ ଭାବରେ ବାଳାସନ ଅଭ୍ୟାସ କରନ୍ତୁ। ଏହି ଆସନର ପ୍ରଭାବ ମେରୁହାଡ ଉପରେ ପଡେ। କରିବାକୁ ହେଲେ ମ୍ୟାଟ୍ ଉପରେ ଆଣ୍ଠୁରେ ବସନ୍ତୁ। ବର୍ତ୍ତମାନ ଉଭୟ ଆଣ୍ଠୁ ଏବଂ ଗୋଇଠି ଏକାଠି ସ୍ପର୍ଶ କରନ୍ତୁ। ଏକ ଗଭୀର ଶ୍ୱାସ ନେଇ, ହାତକୁ ଉପରକୁ ନେଇ ପରେ ଶ୍ୱାସ ଛାଡି ଆଗକୁ ନଇଁଯାଆନ୍ତୁ। ଜଙ୍ଘରେ ପେଟକୁ ଲଗାନ୍ତୁ। ଆଗକୁ ଚାହିଁ ଏହି ଅବସ୍ଥାରେ କିଛି ସମୟ ରୁହନ୍ତୁ। ପରେ, ଆଣ୍ଠୁକୁ ସିଧା କରି ସାଧାରଣ ସ୍ଥିତିକୁ ଫେରନ୍ତୁ। ଏହାକୁ ୩-୫ ଥର କରନ୍ତୁ।
ଭୁଜଙ୍ଗାସନ:
ଭୁଜଙ୍ଗାସନ ଅଭ୍ୟାସ ବେକ ଏବଂ ମେରୁଦଣ୍ଡର ଉପର ହାଡ ଉପରେ ଚାପ ପକାଇଥାଏ। ପିଠି ଏବଂ ଅଣ୍ଟାର ଯନ୍ତ୍ରଣା ସହ ଫ୍ରୋଜେନ୍ ସୋଲ୍ଡର୍ ଏବଂ ଛାତି ମାଂସପେଶୀକୁ ସୁସ୍ଥ ରଖିବା ପାଇଁ ଏହି ଆସନ ଅତ୍ୟନ୍ତ ଲାଭଦାୟକ। ଏହି ଆସନରେ ଶରୀରର ଆକୃତିକୁ ସାପ ସଦୃଶ କରାଯାଏ।

ଏହି ଯୋଗାସନ କରିବା ପାଇଁ, ପେଟ ଉପରେ ଶୋଇ ପାପୁଲିକୁ କାନ୍ଧ ତଳେ ରଖନ୍ତୁ। ତା’ପରେ ଶରୀରର ଆଗ ଭାଗକୁ ଉପରକୁ ଉଠାନ୍ତୁ ଏବଂ ଏହି ଅବସ୍ଥାରେ ୧୦-୨୦ ସେକେଣ୍ଡ ପର୍ଯ୍ୟନ୍ତ ରୁହନ୍ତୁ। ପରେ ସାଧାରଣ ଅବସ୍ଥାକୁ ଆସନ୍ତୁ।
ସେତୁବନ୍ଧାସନ:

ଏହି ଆସନ ମେରୁଦଣ୍ଡଜନିତ ସମସ୍ୟାକୁ ଦୂର କରିବାରେ ଖୁବ ଭଲ କାମ କରିଥାଏ। ଏହାକୁ କରିବା ପାଇଁ, ତୁମର ପିଠି ଉପରେ ମ୍ୟାଟ୍ ଉପରେ ଶୋଇଯାଆନ୍ତୁ। ଏହାପାରେ ଆଣ୍ଠୁକୁ ବଙ୍କା କରି ପାଦକୁ ତଳେ ରଖନ୍ତୁ। ଦୁଇ ହାତରେ ବଳାଗଣ୍ଠିକୁ ଧରି ରଖନ୍ତୁ। ଶ୍ୱାସ ନେଇ ଧୀରେ ଧୀରେ ଅଣ୍ଟା ପାଖରୁ ଉପରକୁ ଉଠାନ୍ତୁ। ଏହି ଅବସ୍ଥାରେ ୧-୨ ମିନିଟ୍ ରୁହନ୍ତୁ। ଏହାପରେ ଶ୍ୱାସ ଛାଛି ଆରମ୍ଭ ସ୍ଥିତିକୁ ଆସନ୍ତୁ।