Chanakya Niti: ବୁଦ୍ଧିମାନ ସ୍ୱାମୀ ସ୍ତ୍ରୀକୁ କେବେ କୁହନ୍ତିନି ଏହି ୪ କଥା

ବୁଦ୍ଧିମାନ ସ୍ୱାମୀ ନିଜ ସ୍ତ୍ରୀକୁ ଭୁଲରେ ବି ୪ଟି କଥା କହିବା ଅନୁଚିତ୍ । ନହେଲେ ବୈବାହିକ ଜୀବନ ଅଶାନ୍ତି ଓ କଳହରେ କଟିବ।

ଚାଣକ୍ୟ ନୀତି

ମହାନ ଅର୍ଥଶାସ୍ତ୍ରୀ ତଥା ବିଦ୍ୱାନ ଆଚାର୍ଯ୍ୟ ଚାଣକ୍ୟ ମାନବ ଜୀବନ ସହ ଜଡିତ ଅନେକ ନୀତି ବିଷୟରେ ଲେଖିଛନ୍ତି, ଯାହା ଚାଣକ୍ୟ ନୀତି ଭାବରେ ଜଣାଶୁଣା । ଏହି ନୀତିଶାସ୍ତ୍ର କେବଳ ରାଜନୀତି ଏବଂ ପ୍ରଶାସନିକ କ୍ଷେତ୍ରରେ ମାର୍ଗଦର୍ଶନ କରିଥାଏ ତାହା ନୁହେଁ, ବରଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ମଧ୍ୟ ଦେଇଥାଏ । ଏଥିରେ ଦାମ୍ପତ୍ୟ ଜୀବନକୁ ମଧୁର ଓ ମଜଭୁତ କରିବାକୁ ଅନେକ ପରାମର୍ଶ ଦିଆଯାଇଛି । ଯାହାକୁ ଅନୁସରଣ କରି ଜଣେ ବ୍ୟକ୍ତି ନିଜର ବୈବାହିକ ସମ୍ପର୍କକୁ ମଧୁରମୟ କରିପାରିବ । ଆଜିର ଇନଷ୍ଟାଣ୍ଟ ଯୁଗରେ ବିବାହ ଓ ବିଚ୍ଛେଦ ମଧ୍ୟ ଇନଷ୍ଟାଣ୍ଟ ହୋଇଗଲାଣି । କଥା କଥାକେ ବାହାଘର ଭଳି ୭ ଜନ୍ମର ସମ୍ପର୍କ କ୍ଷଣିକରେ ଭାଙ୍ଗିଯାଉଛି । ଚାଣକ୍ୟ ନୀତି ଅନୁସାରେ, ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ପାଇଁ ବୁଦ୍ଧିମାନ ସ୍ୱାମୀ ନିଜ ସ୍ତ୍ରୀକୁ କେବେ ବି ୪ଟି କଥା ଜଣାଇବା ଅନୁଚିତ୍ । ଆସନ୍ତୁ ଜାଣିବା ସେହି ୪ଟି କଥା କ'ଣ

ବିତିଯାଇଥିବା ଅତୀତ ସମ୍ପର୍କରେ

ଚାଣକ୍ୟ ନୀତି ଅନୁସାରେ, ଆପଣ ନିଜ ପତ୍ନୀଙ୍କୁ ଯେତେ ବି ପ୍ରେମ କରୁଥାନ୍ତୁ ନା କାହିଁକି କେବେବି ନିଜ ଅତୀତ ବିଷୟରେ କହିବା ଅନୁଚିତ୍ । ଆପଣ ଅତୀତକୁ ଭୁଲି କେବଳ ବର୍ତ୍ତମାନ ପ୍ରତି ଧ୍ୟାନ ଦିଅନ୍ତୁ । ଯଦି ଆପଣ ପତ୍ନୀଙ୍କ ସହ ଅତୀତର ଜୀବନ ବିଷୟରେ କଥା ହୁଅନ୍ତି, ତେବେ ଏହା ଭବିଷ୍ୟତରେ ଅନେକ ସମସ୍ୟା ଆଣିପାରେ । ଏହି କଥା ଆପଣଙ୍କର ସୁଖମୟ ବୈବାହିକ ଜୀବନକୁ ମଧ୍ୟ ନଷ୍ଟ କରି ଦେଇପାରେ ।

ଦାନ ସମ୍ପର୍କରେ 

ଚାଣକ୍ୟ ନୀତିରେ ଦାନଧର୍ମ ବିଷୟରେ କାହାରିକୁ ଜଣାଇବାକୁ ବାରଣ କରାଯାଏ, ସେ ଆପଣଙ୍କ ପତ୍ନୀ ହୁଅନ୍ତୁ ନା କାହିଁକି । କାରଣ ଧର୍ମଶାସ୍ତ୍ର ଅନୁସାରେ, ଆପଣ କରୁଥିବା ଦାନ ରାଶି ବିଷୟରେ କାହାରିକୁ ଜଣାଇଲେ ଏଥିରୁ ମିଳିବାକୁ ଥିବା ପୂଣ୍ୟ ବା ଲାଭ ଶେଷ ହୋଇଯାଏ । ଏଥିସହ କେବେକେବେ ପତ୍ନୀ ଦାନ କଥା ଶୁଣି କ୍ରୋଧିତ ହୋଇପାରନ୍ତି । ଏଥିପାଇଁ କେବେ ନିଜ ପତ୍ନୀଙ୍କୁ ଦାନ ବିଷୟରେ କୁହନ୍ତୁ ନାହିଁ ।

ନିଜ ଦୁର୍ବଳତା ସମ୍ପର୍କରେ

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, କାହାରି ଆଗରେ ନିଜର ଦୁର୍ବଳତା ପ୍ରକାଶ କରନ୍ତୁ ନାହିଁ । ଏପରିକି ନିଜ ପତ୍ନୀଙ୍କୁ ମଧ୍ୟ ଜଣାଇବାରୁ ନିବୃତ୍ତ ରୁହନ୍ତୁ । କାରଣ ଭବିଷ୍ୟତ ଅନିଶ୍ଚିତ । କାହାକୁ ବା ଜଣା ଆଗକୁ କ'ଣ ଘଟିବ । ଆପଣଙ୍କ ପ୍ରେମ କେତେବେଳେ ଯେ ଆପଣଙ୍କର ଶତ୍ରୁ ହୋଇନଯିବ, କିଏ ବା କହିବ ।

ନିଜର ଆମଦାନୀ ସମ୍ପର୍କରେ

ଚାଣକ୍ୟ ନୀତି ଅନୁସାରେ, କୌଣସି ବ୍ୟକ୍ତି ନିଜ ଆମଦାନୀ ବା ରୋଜଗାର ବିଷୟରେ କାହାରିକୁ ଜଣାଇବା ଅନୁଚିତ୍ । ନିଜ ପତ୍ନୀଙ୍କୁ ମଧ୍ୟ ନୁହେଁ । ଏପରି ହୋଇପାରେ, ପତ୍ନୀ ଆପଣଙ୍କର ରୋଜଗାର ଜାଣି ଅଯଥା ଖର୍ଚ୍ଚ ବଢାଇପାରନ୍ତି । ଯେଉଁଥିପାଇଁ ଆପଣଙ୍କ ବଜେଟ୍ ବିଗିଡି ଯାଇପାରେ ।

 

(Disclaimer- ଏହି ଆର୍ଟିକିଲ ସାଧାରଣ ସୂଚନା ଆଧାରିତ । ଏନେଇ ଓଟିଭି ଖବର କୌଣସି ସ୍ପଷ୍ଟୀକରଣ ଦିଏ ନାହିଁ )