• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶା ସିଭିଲ୍ ସର୍ଭିସ୍‌ରେ ଟପ୍ ଟେନ୍‌ରେ ବାଜି ମାରିଲେ ମହିଳା । ପ୍ରକାଶ ପାଇଛି ଓଡ଼ିଶା ଲୋକସେବା ଆୟୋଗ ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ବା ଓସିଏସ୍ ପରୀକ୍ଷାର ରେଜଲ୍ଟ । ଏଥର ମୋଟ୍ ୩୯୨ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ଭିତରୁ ୧୪୮ ଜଣ ହେଉଛନ୍ତି ମହିଳା । ତେବେ ସବୁଠୁ ବଡ଼ କଥା ହେଉଛି ଟପ୍ ଟେନ୍ ଲିଷ୍ଟରେ ପୁରୁଷଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି ମହିଳା । ତେଜସ୍ୱିନୀ ବେହେରା ଓଏଏସ୍ ଟପ୍ପର ହେବାର ସୌଭାଗ୍ୟ ଲାଭ କରିଥିଲା ବେଳେ ପ୍ରଥମ ୧୦ଟିରୁ ୭ଟି ସ୍ଥାନ ଅକ୍ତିଆର କରି ନେଇଛନ୍ତି ମହିଳା ।

ଓଡିଶା ପବ୍ଲିକ୍ ସର୍ଭିସ୍ କମିଶନ୍ ପକ୍ଷରୁ ୨୦୨୦-୨୧ ବର୍ଷ ପାଇଁ ଅନୁଷ୍ଠିତ ଓସିଏସ୍ ପରୀକ୍ଷାର ଏହି ରେଜଲ୍ଟ ଲିଷ୍ଟରେ ଟପ୍ପର ରାଙ୍କରେ ଅଛନ୍ତି ତେଜସ୍ୱିନୀ ବେହେରା । କେବଳ ସେତିକି ନୁହେଁ ପ୍ରଥମ ତିନିଟି ସ୍ଥାନରେ ବି ମହିଳା ଶୁଭଙ୍କରୀ ସୁଦେଷ୍ଣା ଦାଶ ଦ୍ୱିତୀୟ ସ୍ଥାନରେ ଥିଲା ବେଳେ ଅନନ୍ୟା ସୃଷ୍ଟି ଶତପଥୀ ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି ।

ତାଙ୍କ ତଳକୁ ଚତୁର୍ଥ ସ୍ଥାନରେ ଦେବବ୍ରତ କର, ୫ମରେ ଦେବବ୍ରତ ମହାରାଣା, ଷଷ୍ଠରେ ଅଭିସ୍ମିତା ତିଓ୍ୱାରୀ, ସପ୍ତମରେ ଶୁଭଶ୍ରୀ ରଥ, ଅଷ୍ଟମରେ ଶ୍ରୀତପା ମିଶ୍ର , ନବମରେ ବିବେକାନନ୍ଦ ଷଡ଼ଙ୍ଗୀ ଓ ତପତି ରାଜଙ୍କୁ ମିଳିଛି ଦଶମ ସ୍ଥାନ । ତେବେ ପ୍ରଥମ ଆଟେମ୍ପଟରେ ନିଜର ତେଜ ଦେଖାଇ ଏକ ନମ୍ବର ରାଙ୍କ ହାସଲ କରିଥିବା ୨୪ ବର୍ଷିୟ ତେଜସ୍ୱିନୀ ଓଟିଭିକୁ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ଲିଷ୍ଟରେ ନାଁ ରହିବା ନେଇ ନିଶ୍ଚିତ ଥିଲି, କିନ୍ତୁ ଟପ୍ପର ହେବି ବୋଲି ଭାବି ନଥିଲି ।

ସେହିପରି ଭେଟେନାରୀ ଡାକ୍ତର ଶୁଭଙ୍କରୀ ସୁଦେଶ୍ନା ମଧ୍ୟ ତାଙ୍କ ଦ୍ୱିତୀୟ ପ୍ରୟାସରେ ଓସିଏସ୍ ପରୀକ୍ଷାର ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଗତ ପ୍ରୟାସରେ ପ୍ରିଲିମ୍ କ୍ଲିଅର କରିପାରିନଥିଲେ ବି କଠୋର ପରିଶ୍ରମ ଏଥର ତାଙ୍କୁ ସଫଳତା ଆଣିଦେଇଛି । ସେହିଭଳି ତୃତୀୟ ସ୍ଥାନ ହାସଲ କରିଥିବା ଅନନ୍ୟା ସୃଷ୍ଟି ଶତପଥୀ ସଫଳତା ପାଇଁ କୋଚିଂ ଅପେକ୍ଷା ସେଲ୍ଫ ଷ୍ଟଡିଜ୍ ଉପରେ ଗୁରୁତ୍ୱ ଦେଇଛନ୍ତି ।

୨୦୨୦-୨୧ ବର୍ଷ ପାଇଁ ଅନୁଷ୍ଠିତ ଓସିଏସ୍ ପରୀକ୍ଷାରେ ପ୍ରିଲିମ୍ ପାଇଁ ପ୍ରାୟ ୬୦ ହଜାର ପିଲା ପରୀକ୍ଷା ଦେଇଥିଲେ । ସେ ଭିତରୁ ମେନ୍ ପାଇଁ ୪ ହଜାର ୭ ଶହ ୪ ଜଣ ସିଲେକ୍ଟ ହୋଇଥିଲେ । ତେବେ ଶେଷ ପର୍ଯ୍ୟାୟ ସାକ୍ଷାତକାର ପରୀକ୍ଷା ପାଇଁ ମୋଟ୍ ୭୮୪ ପରୀକ୍ଷାର୍ଥୀ ମନୋନୀତ ହୋଇଥିଲା ବେଳେ କୃତକାର୍ଯ୍ୟ ହୋଇଛନ୍ତି ମୋଟ୍ ୩୯୨ ଜଣ । ସେମାନଙ୍କ ଭିତରୁ ପୁରୁଷଙ୍କ ସଂଖ୍ୟା ୨୪୪ ଥିଲା ବେଳେ ମହିଳାଙ୍କ ସଂଖ୍ୟା ହେଉଛି ୧୪୮ । ୨୦୧୯ରେ ୧୯୮ଟି ପଦବୀ ପାଇଁ ପରୀକ୍ଷା ହୋଇଥିଲା ବେଳେ ଏଥର ସର୍ବାଧିକ ୩୯୨ ପଦବୀ ପାଇଁ ପରୀକ୍ଷା ହୋଇଛି ।