Peon Cracks Civil Services Exams: ପିଅନ ପାଇଲେ ସିଭିଲ ସର୍ଭିସ୍, ସିଧା ହେଲେ ଅଫିସର୍

ପିଅନ ଚାକିରି କରିଥିବା ଜଣେ ଯୁବକ ସିଭିଲ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେ ଏବେ ପିଅନରୁ ସିଧା ହେବେ ଜଣେ ଅଫିସର । ଏ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଘଟଣା ପୂରା ସତ । ଛତିଶଗଡରେ ଘଟିଛି ଏହି ଘଟଣା ।

କଷ୍ଟ କଲେ କୃଷ୍ଣ ମିଳେ

ଶୈଳେନ୍ଦ୍ର କୁମାର ବାନ୍ଧେ ନାମକ ଜଣେ ୨୯ ବର୍ଷୀୟ ଯୁବକଙ୍କର ଏହା ହେଉଛି ସଫଳତାର କାହାଣୀ । କେବଳ କଠିନ ପରିଶ୍ରମ ଓ ନିଷ୍ଠା ବଳରେ ସେ ପଞ୍ଚମ ପ୍ରୟାସରେ ହାସଲ କରିଛନ୍ତି ଏହି ସଫଳତା । ଶୈଳେନ୍ଦ୍ର ଛତିଶଗଡ ପବ୍ଲିକ ସର୍ଭିସ କମିଶନ ଅଫିସରେ ମାତ୍ର ୭ ମାସ ତଳେ ପିଅନ ଭାବେ ଯୋଗ ଦେଇଥିଲେ । ରାୟପୁର ଏନଆଇଟି (NIT) ରୁ ମେକାନିକାଲ ଇଞ୍ଜିନିୟରିଂରେ ବି.ଟେକ୍ କରିଛନ୍ତି ଶୈଳେନ୍ଦ୍ର । ଛତିଶଗଡ ସିଭିଲ୍ ସର୍ଭିସେସ ପରୀକ୍ଷା ୨୦୨୩ର ଫଳାଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଶୈଳେନ୍ଦ୍ର ସାଧାରଣ ବର୍ଗରେ ୭୩ ଓ ଅନୁସୂଚୀତ ଜାତି ବର୍ଗରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ।

ସେ କହିଛନ୍ତି ଯେ, ମୋ ବାପାମାଆ ମୋତେ ପ୍ରତି ମୁହୂର୍ତ୍ତରେ ସାହାଯ୍ୟ କରିଆସିଛନ୍ତି । ମୋ ନିଷ୍ପତ୍ତିକୁ ସବୁବେଳେ ସମର୍ଥନ କରିଛନ୍ତି । ଏ ବର୍ଷ ମେ’ ମାସରେ ମୁଁ ଛତିଶଗଡ ପବ୍ଲିକ ସିଭିଲ୍ କମିଶନରେ ପିଅନ ଭାବେ ଚାକିରି କରିଥିଲି । କିନ୍ତୁ ତା ପୂର୍ବରୁ ଫେବୃଆରୀ ମାସରେ ସିଭିଲ ସର୍ଭିସର ପ୍ରିଲିମିନାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲି । ଆମ ପରିବାର ଆର୍ଥିକ ସମସ୍ୟା ଦେଇ ଗତି କରୁଥିବାରୁ ପିଅନ ହେଲେ ମଧ୍ୟ ସରକାରୀ ଚାକିରି ପାଇବାରୁ ଯୋଗ ଦେଇଥିଲି । ପିଅନ ଚାକିରି କରି ମଧ୍ୟ ମୁଖ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି । ମୋ ଇଛା ଥିଲା ମୁଁ ଜଣେ ଅଫିସର ହେବି ବୋଲି । ମୋର ଲକ୍ଷ୍ୟ ପୂରଣ ହୋଇଛି ।

ଅଧିକ ପଢନ୍ତୁ:ସାର୍ବଜନୀନ ପରୀକ୍ଷା ବିଲ୍ ୨୦୨୪ ବିଧାନସଭାରେ ଆଗତ, ପୂର୍ବ ସରକାର ଚାକିରି ବିକୁଥିଲେ କହିଲେ ମୁଖ୍ୟମନ୍ତ୍ରୀ 

ଶୈଳେନ୍ଦ୍ରଙ୍କ ବାପା ଜଣେ ସାଧାରଣ ଚାଷୀ । ସେ ଚାଷ କଲେ ପରିବାର ଚଳେ । ପୁଅ ଶୈଳେନ୍ଦ୍ର କିନ୍ତୁ ପିଲା ବେଳୁ ଭଲ ପାଠ ପଢୁଥିଲେ । ସ୍କୁଲ ଶିକ୍ଷା ପରେ ଶୈଳେନ୍ଦ୍ର ରାୟପୁରର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରେ ବି ଟେକ୍ କରିଥିଲେ । ଏକ ସମ୍ମାନଜନକ ଇନଷ୍ଟିଚ୍ୟୁଟରୁ ବି.ଟେକ୍ କରିବା ପରେ ସେ ପ୍ରାଇଭେଟ୍ ସେକ୍ଟରରେ ଭଲ ଦରମାରେ ବି ଚାକିରି କରିପାରିଥାଆନ୍ତେ, କିନ୍ତୁ ସେ ସରକାରୀ ଚାକିରି ପ୍ରତି ଆକର୍ଷିତ ହୋଇଥିଲେ । ୨୦୧୫ରେ ଏନଆଇଟି ରାୟପୁରର ଜଣେ ଛାତ୍ର ହିମାଚଳ ସାହୁ ଛତିଶଗଡ ପବ୍ଲିକ ସର୍ଭିସ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ସେବେଠାରୁ ଶୈଳେନ୍ଦ୍ର ତାଙ୍କୁ ଆଦର୍ଶ ବୋଲି ମାନି ନେଇଥିଲେ । ସେହି ଅନୁସାରେ ପରୀକ୍ଷା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଥିଲେ । ସେ ଲଗାତର ୪ ଥର ପରୀକ୍ଷା ଦେଇ ଅକୃତକାର୍ଯ୍ୟ ହୋଇଥିଲେ ମଧ୍ୟ ଭାଙ୍ଗିପଡିନଥିଲେ । ସେ ପ୍ରଥମ ଓ ଦ୍ୱିତୀୟ ପ୍ରୟାସରେ ପ୍ରିଲିମିନାରୀ ପରୀକ୍ଷାରେ ମଧ୍ୟ ମଧ୍ୟ ଅସଫଳ ହୋଇଥିଲେ । ତୃତୀୟ ଓ ଚତୁର୍ଥ ପ୍ରୟାସରେ ଭାଇଭା ଭୋସ୍ ପର୍ଯ୍ୟନ୍ତ ଯାଇଥିଲେ ବି ପାସ୍ କରିପାରିନଥିଲେ । ପଞ୍ଚମ ପ୍ରୟାସରେ ମିଳିଲା ସଫଳତା । ସେ ଏବେ ଆସିଷ୍ଟାଣ୍ଟ କମିଶନର ଭାବେ କାର୍ଯ୍ୟରେ ଯୋଗଦେବେ ।

ସେ ବାରମ୍ୱାର ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇ ଅସଫଳ ହେଉଥିଲେ । ତେଣୁ ଘରର ଆର୍ଥିକ ସୁଧାର ଆଣିବା ପାଇଁ ସେ ପିଅନ ପୋଷ୍ଟ ପାଇଁ ମଧ୍ୟ ଆବେଦନ କରିଥିଲେ । ତାଙ୍କୁ ସେ ଚାକିର ସହଜରେ ମିଳିଯାଇଥିଲା । କିନ୍ତୁ ତାଙ୍କ ଲକ୍ଷ୍ୟ ଥିଲା ଅଫିସର୍ ହେବା। ପିଅନ ଚାକିରି କଲାବେଳେ ଅନେକ ଲୋକ ମଧ୍ୟ ତାଙ୍କୁ ଥଟ୍ଟା ପରିହାସ କରିଛନ୍ତି । କିନ୍ତୁ ସେ କଥାକୁ କେବେ ଖାତିର୍ କରିନାହାନ୍ତି ଶୈଳେନ୍ଦ୍ର । ତାଙ୍କ ମତରେ ଚାକିରି ଛୋଟ ହେଉ ଅବା ବଡ, ସବୁ ଚାକିରିର ମର୍ଯ୍ୟାଦା ରହିଛି ।

ଅଧିକ ପଢନ୍ତୁ:ବିନା UPSC ପରୀକ୍ଷାରେ ବି ହୋଇପାରିବେ IAS ଅଫିସର୍‌, ଜାଣନ୍ତୁ କିପରି...