• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେବଳ UAE ନୁହେଁ, ପୂରା ମଧ୍ୟ ପ୍ରାଚ୍ୟର ଅନ୍ୟତମ ସମୃଦ୍ଧ ସହର ଦୁବାଇ । ବିଶ୍ୱର ସବୁଠୁ ବଡ଼ ଅଟ୍ଟାଳିକା ବୁର୍ଜ ଖଲିଫା ଏଠାରେ ରହିଛି । ହେଲେ ଏବେ ଦୁବାଇର ଏକ ନୂଆ ନିର୍ମାଣକୁ ଚର୍ଚ୍ଚା । କୁହାଯାଉଛି ବିଶ୍ୱର ନୂଆ ଆଶ୍ଚର୍ଯ୍ୟ ଦୁବାଇର ନବନିର୍ମିତ ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଚର୍ ।

ଅଭିନବ...ଆକର୍ଷଣୀୟ... ଅଦ୍ୱିତୀୟ... । ସ୍ଥାପତ୍ୟ ନିର୍ମାଣ କଳା ଓ ଆଧୁନିକ ଇଞ୍ଜିନିୟରିଂର ଅଭୂତପୂର୍ବ ସମ୍ମିଶ୍ରଣ ମଧ୍ୟପ୍ରାଚ୍ୟର ଅନ୍ୟତମ ସମୃଦ୍ଧ ସହର ଦୁବାଇରେ ଖୋଲିଥିବା ଏହି ନିର୍ମାଣକୁ କୁହାଯାଉଛି ବିଶ୍ୱର ସର୍ବାଧିକ ସୌନ୍ଦର୍ଯ୍ୟପୂର୍ଣ୍ଣ କୋଠା । ଆଖି ଲାଖିଯାଉଥିବା ଏହି ବିଲ୍ଡିଂର ନାଁ ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଚର ଅର୍ଥାତ୍ ଭବିଷ୍ୟତର ସଂଗ୍ରହାଳୟ । ବାହାରୁ ଯେମିତି ଆକର୍ଷଣୀୟ ଭିତରର ଦୃଶ୍ୟ ବି ଅବିଶ୍ୱସନୀୟ ।

ସୌର ଜଗତ ଠାରୁ ଆରମ୍ଭ କରି ସ୍ପେଶ୍ ଷ୍ଟେସନ ଏସବୁକିଛି ରହିଛି ଏହି ବିଲ୍ଡିଂ ଭିତରେ । ନାସା ଦ୍ୱାରା ଡିଜାଇନ୍ ହୋଇଥିବା ଏହି ସ୍ପେସ୍ ଷ୍ଟେସନରେ ପର୍ଯ୍ୟଟକମାନେ ମହାକାଶକୁ ନ ଯାଇ ମଧ୍ୟ ମହାକାଶ ଭଳି ଅନୁଭବ ପାଇପାରୁଛନ୍ତି । ବିଲ୍ଡିଂକୁ ପ୍ରବେଶ କରିବା କରେ ଲିଫ୍ଟରେ ଯିବା ବେଳେ ଲାଗୁଛି ସତେଯେପରି ଏକ ସ୍ପେସ୍ ସିପ୍ ବା ମହାକାଶ ଯାନରେ ଯାଉଛନ୍ତି । ଭିତରର ଦୃଶ୍ୟ ହଲିଉଡ୍ ମୁଭିର ଦୃଶ୍ୟ ଠାରୁ କିଛି କମ୍ ନୁହେଁ । ଆକାଶରେ ଉଡୁଛି ଅତ୍ୟାଧୁନିକ ବିମାନ ସମ୍ଭବତଃ ଭବିଷ୍ୟତରେ ଏଭଳି କିଛି ସତସତିକା ବିମାନ ଦେଖିବାକୁ ମିଳିପାରେ, ହେଲେ ଏଠି ଏବେଠୁ ତାର ଆଭାସ ମିଳୁଛି ଦେଖଣାହାରୀଙ୍କୁ ।

ଖାଲି ମହାକାଶ ଅନୁଭୂତି କାହିଁକି, ଜଙ୍ଗଲରେ ବର୍ଷାଭିଜା ରାତି ସାଙ୍ଗକୁ ଶାନ୍ତ ସୁନ୍ଦର ପରିବେଶର ଅନୁଭୂତି ବି ମିଳିପାରିବ । ଏହି ବିଲ୍ଡିଂ ଭିତରେ ଚତୁର୍ଥ ଫ୍ଲୋରରେ ରହିଛି ରେନ୍ ଫରେଷ୍ଟ ବା ବର୍ଷାବନ ଭଳି ପରିବେଶ । ଏଠାରେ ୨୪ଶହ ପ୍ରଜାତିର ଉଦ୍ଭିଦ ଏବଂ ସରିସୃପଙ୍କୁ ଦେଖିବାକୁ ମିଳୁଛି । ଏମାନଙ୍କ ମଧ୍ୟରୁ କିଛି ଜୀବିତ ଥିବା ବେଳେ, କିଛି ଜୀବଙ୍କ ମୃତଦେହକୁ ସଂରକ୍ଷଣ କରାଯାଇଛି । କେବଳ ଏତିକି ନୁହେଁ ଅଦ୍ଭୁତ ଯାନକୁ ଫ୍ଲାଇଙ୍ଗ ଡ୍ରୋନଠାରୁ ଆରମ୍ଭ କରି ରହିଛି ସ୍ୱୟଂଚାଳିତ କାର୍ ଏବଂ ରୋବୋଟିକ୍ ଡଗ୍ ବିଲ୍ଡିଂର ଦ୍ୱିତୀୟ ଫ୍ଲୋରରେ ଏସବୁକୁ ରଖାଯାଇଛି ।

ଅଭିନବ ଚିନ୍ତାଧାରାକୁ ନେଇ ନିର୍ମାଣ କରାଯାଇଛି ଏହି କୌତୁହଳପୂର୍ଣ୍ଣ ଯାନ, ବସ୍ତୁ ଏବଂ ସରଂଜାମ ସବୁ । ଆଶ୍ଚର୍ଯ୍ୟର କଥା, ଜୀବନ୍ତ କୁକୁର ଭଳି ରୋବୋଟିକ୍ ଡଗ୍ ଆପଣଙ୍କ ସହ କଥା ହେବା ସହ ଏହା ବିଶ୍ୱସ୍ତ ମଧ୍ୟ ଅଟେ । ବିଲ୍ଡିଂର ପ୍ରଥମ ଫ୍ଲୋରରେ ରହିଛି ଆଗାମୀ ପିଢ଼ୀ ପାଇଁ ଏକ ସାଇନ୍ସ ପାର୍କ । ବିଜ୍ଞାନ ଏବଂ ଗଣିତର ଅଦ୍ଭୁତ ଫର୍ମୁଲା ଏଠାରେ ଦେଖିବାକୁ ମିଳୁଛି ।

ନୂଆ ଚିନ୍ତାଧାରା, ଭବିଷ୍ୟତକୁ ଆଖିରେ ରଖି ନୂଆ ପ୍ଲାନ୍, ସେବା ଏବଂ ବିଭିନ୍ନ ପ୍ରଡ ପାଇଁ ଏହି ମ୍ୟୁଜିୟମ୍ ଏକ ପ୍ରଦର୍ଶନୀ ସ୍ଥଳ କଲ୍ଚରାଲ୍, ଏଜୁକେସନ ଏବଂ ସାଇଣ୍ଟିଫିକ୍ ହବ୍ ଭାବେ ଦୁବାଇକୁ ଗଢ଼ିତୋଳିବା ଲକ୍ଷ୍ୟରେ ନିର୍ମାଣ କରାଯାଇଛି ଏହି ବିଲ୍ଡିଂ ।

କିଭଳି ତିଆରି ହୋଇଛି ବିଲ୍ଡିଂ ?

୭ ମହଲା... ସଂପୂର୍ଣ୍ଣ ଷ୍ଟେନସେସ୍ ଷ୍ଟିଲ୍... ରୋବୋଟ୍ ସହାୟତାରେ ନିର୍ମାଣ... ୭୭ ମିଟର ଉଚ୍ଚ ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଚର ନିର୍ମାଣ କରିବାକୁ ଲାଗିଛି ୯ ବର୍ଷ ସମୟ । ବାହାରେ ଲାଗିଛି ଆରବିକ୍ ଭାଷାରେ ଲିପିବଦ୍ଧ ୧ ହଜାର ୨୪ଟି ସ୍ୱତନ୍ତ୍ର ପ୍ଲେଟ୍ । ୩୦ ହଜାର ବର୍ଗ ମିଟର ପରିମିତ ଜାଗାରେ ରହିଛି ଏହି ବିଲ୍ଡିଂ । ସବୁଠୁ ଆଶ୍ଚଯର୍ୟର କଥା ବିଲ୍ଡିଂରେ ଗୋଟିଏ ହେଲେ କୋଣ ନାହିଁ । ଦିନବେଳା ସୂର୍ଯ୍ୟାଲୋକରେ ଚମକୁଥିବା ଏହି କୋଠାର ସୌନ୍ଦର୍ଯ୍ୟ ରାତି ହେଲେ ଶତଗୁଣିତ ହୋଇଯାଏ । ବିଶ୍ୱର ଏହା ଏକମାତ୍ର ବିଲ୍ଡିଂ ଯାହାକି ପୂରାପୂରି ଏକ ଲିପିରେ ଢାଙ୍କି ହୋଇ ରହିଛି । ୟୁଏଇର ଦୁବାଇ ସହରରେ ଏହି ବିଲ୍ଡିଂ ନିର୍ମାଣ କରାଯାଇଛି । ଦୁନିଆର ସର୍ବୋଚ୍ଚ ନିର୍ମାଣ ବୁର୍ଜ ଖଲିଫା ଠାରୁ କିଛି ଦୂରରେ ହିଁ ରହିଛି ଏହି ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଚର ।

ଏହା ଭିତରକୁ ବୁଲିବାକୁ ଯିବା ପାଇଁ ୩ ବର୍ଷରୁ କମ୍ ବୟସର ପିଲାଙ୍କୁ ଟିକେଟ୍ ଲାଗୁନଥିବା ବେଳେ, ୩ ବର୍ଷରୁ ଅଧିକ ବୟସର ପିଲା ଏବଂ ପ୍ରାପ୍ତ ବୟସ୍କଙ୍କ ପାଇଁ ଟିକେଟ୍ ରହିଛି । ଜଣକ ପିଛା ଟିକେଟର ମୂଲ୍ୟ ଭାରତୀୟ ମୂଦ୍ରାରେ ପ୍ରାୟ ୩ ହଜାର ଟଙ୍କା । ମ୍ୟୁଜିୟମକୁ ଯିବା ପାଇଁ ଅନଲାଇନରେ ଟିକେଟ୍ କରିହେବ । ସପ୍ତାହ ସାରା ଦିନ ୧୦ଟାରୁ ସଂଧ୍ୟା ୬ ଟା ପଯର୍ୟନ୍ତ ଖୋଲା ରହିଥାଏ ମ୍ୟୁଜିୟମ୍ ।