• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀରେ ଯୋଗ ଦେବାକୁ ଚାହୁଁଥିବା ଯୁବକଯୁବତୀଙ୍କ ପାଇଁ ଖୁସି ଖବର । ଏଣିକି କେବଳ ହିନ୍ଦୀ କି ଇଂରାଜୀ ନୁହେଁ, ଏହି ଦୁଇଭାଷା ସହିତ ଅଧିକ ୧୩ଟି ଆଞ୍ଚଳିକ ଭାଷାରେ ହେବ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ବା CAPF ପରୀକ୍ଷା । ଯାହା ଭିତରେ ଓଡ଼ିଆ ବି ରହିଛି । CAPFର କନଷ୍ଟେବଲ ଜେନେରାଲ୍ ଡ୍ୟୁଟି ପରୀକ୍ଷା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଥିବା ବେଳେ, ଆସନ୍ତାବର୍ଷ ଜାନୁଆରୀ ପହିଲାରୁ ଲାଗୁ ହେବ ନୂଆ ନିୟମ । ଯାହାକି ଆଶାୟୀ ଯୁବବର୍ଗଙ୍କ ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଛି ।

ଆଉ ଖାଲି ହିନ୍ଦୀ କି ଇଂରାଜୀରେ ନୁହେଁ ଓଡ଼ିଆରେ ବି ଦେଇହେବ CAPF କନଷ୍ଟେବଲ ଭର୍ତ୍ତି । ପରୀକ୍ଷାକେନ୍ଦ୍ରର ବଡ଼ ନିଷ୍ପତ୍ତି ପରେ ଭାରି ଖୁସି ଅଗଣିତ ଆଶାୟୀ । କୋରାପୁଟ ଜୟପୁରର ପିଣ୍ଟୁ ପାଣି ଓ ସଚିନ କତଲେଲଙ୍କ କେନ୍ଦ୍ରୀୟ ଫୋର୍ସରେ ଯୋଗଦେବାକୁ ପ୍ରବଳ ଇଚ୍ଛା । ପରୀକ୍ଷା ବି ଦେଇଥିଲେ, ହେଲେ ରିଟିନରେ କଟିଗଲେ ଅଳ୍ପ କେଇ ମାର୍କ ପାଇଁ । ମାଲକାନଗିରିର ଜ୍ଞାନରଞ୍ଜନ ସ୍ୱାଇଁ ବି ଜୋରଦାର ଅଭ୍ୟାସ ଚଳାଇଛନ୍ତି ସେଣ୍ଟ୍ରାଲ୍ ଫୋର୍ସରେ ସାମିଲ ହେବାକୁ ।

ଶାରୀରିକ ଦକ୍ଷତା ପରୀକ୍ଷା ବା ଫିଜିକାଲ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଯିବେ ବୋଲି ଦୃଢ଼ ନିଶ୍ଚିତ । ହେଲେ ସିଓର୍ ନାହାନ୍ତି ହିନ୍ଦୀ ଓ ଇଂରାଜୀ ଭାଷାରେ ହେଉଥିବା ଲିଖିତ ପରୀକ୍ଷାକୁ ନେଇ । ଓଡ଼ିଆ ମିଡିୟମରେ ପାଠ ପଢ଼ିଥିବା ଏମିତି ଅନେକ ଆଶାୟୀଙ୍କର ଥିଲା ସମାନ ଚିନ୍ତା । ହେଲେ ଆସନ୍ତାବର୍ଷ ଜାନୁଆରୀ ପହିଲାରୁ ବଦଳୁଛି ନିୟମ । କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ବା CAPF କନଷ୍ଟେବଲ ଜେନେରାଲ୍ ଡ୍ୟୁଟି ପାଇଁ ଓଡ଼ିଆରେ ପରୀକ୍ଷା ହେବ ଶୁଣି ଏମାନେ ବେଶ୍ ଖୁସି ।

କେବଳ ଓଡ଼ିଆ ନୁହେଁ, ହିନ୍ଦୀ ଓ ଇଂରାଜୀ ସହିତ ଦେଶର ୧୩ଟି ଆଞ୍ଚଳିକ ଭାଷାରେ CAPF କନଷ୍ଟେବଲ (ଜିଡି) ପରୀକ୍ଷାକୁ ଅନୁମୋଦନ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଅହମିୟା, ବେଙ୍ଗଲି, ଗୁଜରାଟୀ, ମରାଠୀ, ମାଲାୟାଲାମ, କନ୍ନଡ଼, ତାମିଲ, ତେଲୁଗୁ, ଉର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଓ କୋଙ୍କଣୀ ଭାଷାରେ ହେବ ପରୀକ୍ଷା । CAPF ପ୍ରତି ସ୍ଥାନୀୟ ଯୁବକଙ୍କୁ ଆକୃଷ୍ଟ କରିବା ଓ ଆଞ୍ଚଳିକ ଭାଷାର ପ୍ରୋତ୍ସାହନ ପାଇଁ ଏଭଳି ଐତିହାସିକ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୨୦୨୪ ଜାନୁଆରୀ ୧ ତାରିଖରୁ ଏହି ନୂଆ ନିୟମ ଅନୁଯାୟୀ ପରୀକ୍ଷା ପରିଚାଳନା କରିବ ଷ୍ଟାଫ୍ ସିଲେକ୍ସନ କମିଶନ ।

CAPF ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ପ୍ରାର୍ଥୀମାନେ CRPF, BSF, CISF, ITBP ଏବଂ SSB ଆଦି ପାରାମିଲିଟାରୀ ଫୋର୍ସରେ ଭର୍ତ୍ତି ହୋଇଥାନ୍ତି । ଏବେ ଏଥିପାଇଁ ୮୪ହଜାରରୁ ଅଧିକ ପୋଷ୍ଟ ଖାଲିଥିବା ସୂଚନା ମିଳିଛି ।

  • Reported by:
  • T GOURISHANKAR , JITENDRA BEURA , Sashank Sekhar Panda