/odishatv-khabar/media/post_attachments/uploadimage/library/16_9/16_9_0/OAS_Result_1665664164.jpg)
OAS Result
ବାପାଙ୍କ ଇଚ୍ଛା ଥିଲା ଝିଅ ମୋର ଓଏଏସ୍ ହେଉ । ସମାଜର ସେବା କରୁ । ଏମିତି କେତେ କଣ ଝିଅ ପାଇଁ ସ୍ୱପ୍ନ ଦେଖିଥିଲେ ବାପା । ଆଉ ବାପାର ସ୍ୱପ୍ନ ପୂରଣ କରିବାକୁ ଯାଇ ଝିଅ ବି କିଛି କମ୍ ପରିଶ୍ରମ କରିନଥିଲେ । ରାତିଦିନ ଏକ କରି ପାଠ ପଢିଥିଲେ । ଆଉ ଦ୍ୱିତୀୟ ଥର ଉଦ୍ୟମରେ ଓଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । କିନ୍ତୁ ଝିଅର ସଫଳତା ଦେଖି ଖୁସି ହେବାକୁ ଏ ଦୁନିଆରେ ନାହାନ୍ତି ବାପା । ନିଜର ସଫଳତାରେ ଝିଅ ଯେତିକି ଖୁସି ବାପାଙ୍କ ଅନୁପସ୍ଥିତି ତାଙ୍କୁ ସେତିକି ଦୁଃଖୀ କରିଛି ।
ଜଗତସିଂହପୁର ର ସ୍ୱର୍ଗତ ମନୋଜ ମହାନ୍ତିଙ୍କ ଝିଅ ସ୍ୱହା ମହାନ୍ତି । ସାରା ଓଡିଶାରେ ୩୪ ନମ୍ବର ରାଙ୍କ ରଖି ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ପଲାଟି ଦିନରୁ ବେଶ୍ ମେଧାବୀ ଥିଲେ ସ୍ୱହା । ହେଲେ ପ୍ରଥମ ଚାନ୍ସରେ ସେ ଅସଫଳ ହୋଇଥିଲେ ବି ଦ୍ୱିତୀୟ ଚାନ୍ସରେ ପାଇଛନ୍ତି ଓଏଏସ୍ । ନିଜର ଅଦ୍ୟମ ଇଚ୍ଛାଶକ୍ତି ଓ ଦୃଢ ସଂକଳ୍ପ ତାଙ୍କୁ ଚଖାଇଛି ସଫଳତାର ସ୍ୱାଦ ।
ଅଧିକ ପଢ଼ନ୍ତୁ: ସ୍ୱପ୍ନ ସାକାରରେ ବାଧକ ସାଜି ପାରିଲାନି ଅନଟନ; ଜାଣନ୍ତୁ ନୂଆ OAS ଙ୍କ କାହାଣୀ..
ପିଲାଟି ଦିନରୁ ସ୍ୱହାଙ୍କୁ ନେଇ ବାପାଙ୍କର ଥିଲା ଅନେକ ସ୍ୱପ୍ନ । ଆଉ ସେହି ସ୍ୱପ୍ନକୁ ବାସ୍ତବରୂପ ଦେବା ପାଇଁ ଜି ଜାନ୍ ଲଗାଇଦେଇଥିଲେ ସ୍ୱହା । ଶେଷରେ ସଫଳ ବି ହେଲେ । କିନ୍ତୁ ଭାଗ୍ୟର ବିଡ଼ମ୍ବନା.. ଝିଅର ଖୁସି ଦେଖିବାକୁ ବାପା ଏ ଦୁନିଆରେ ଆଉ ନାହାନ୍ତି । ୨୦୧୬ ମସିହାରେ ପିତାଙ୍କ ହଠାତ୍ ଦେହାନ୍ତ ହୋଇଯିବା ପରେ ପୂରା ପରିବାର ଭାଙ୍ଗି ପଡିଥିଲେ । ହେଲେ ସ୍ୱହାଙ୍କୁ ମାଆ ଓ ବଡ ଭାଇ ଭଉଣୀ ନିଜର ଲକ୍ଷ୍ୟ ପୂରଣ ପାଇଁ ଦେଇଥିଲେ ପ୍ରେରଣା । ଶେଷରେ ସ୍ୱହା ପାଇଛନ୍ତି ସଫଳତା ।
ତେବେ ଝିଅ ଓଏଏସ୍ ପାଇବା ପରେ ଏବେ ପୂରା ପରିବାରରେ ଖୁସିର ମାହୋଲ । ବିଭିନ୍ନ ସ୍ଥାନରୁ ଛୁଟୁଛି ଶୁଭେଚ୍ଛାର ସୁଅ । କେମିତି ଆଗାମୀ ଦିନରେ ଜଣେ ଭଲ ଅଫିସର ହୋଇପାରିବେ ସେନେଇ କାମ କରିବେ ବୋଲି କହିଛନ୍ତି ସ୍ୱହା । ସତରେ ଆଜି ଯଦି ସ୍ୱହାଙ୍କ ବାପା ଥାଆନ୍ତେ ତେବେ ନିଶ୍ଚୟ ବହୁତ ଖୁସି ହୋଇଥାଆନ୍ତେ ।
(ରିପୋର୍ଟ- ଶଶାଙ୍କ ଶେଖର ପଣ୍ଡା, ଜଗତସିଂହପୁର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)