• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଖୁବ୍‌ଶୀଘ୍ର ଏକ ବଡ଼ ଘୋଷଣା କରାଯାଇପାରେ । ଦେଶର ସମସ୍ତ AIIMSରେ ଖାଲି ଥିବା ପଦବୀ ଗୁଡ଼ିକୁ ପୂରଣ କରାଯିବ । ଏନେଇ ବିଚାର କରାଯାଉଥିବା ବେଳେ ଏହି ନିଯୁକ୍ତି ଏକାଡେମିକ୍‌ ଓ ଅଣ-ଏକାଡେମିକ୍‌ କ୍ଷେତ୍ରରେ ସୃଷ୍ଟି କରାଯିବ ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଦେଶରେ ନୂଆକରି ଖୋଲାଯାଇଥିବା AIIMS ରେ କର୍ମଚାରୀଙ୍କ ଆବଶ୍ୟକତା ରହିଛି । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁବ୍‌ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି ଜଣାପଡ଼ିଛି । ଏନେଇ ବିଚାରବିମର୍ଶ ମଧ୍ୟ ଜାରି ରହିଛି । ବର୍ତ୍ତମାନ AIIMS ସଂସ୍ଥାନ ନିଜେ କର୍ମଚାରୀମାନଙ୍କୁ ନିଯୁକ୍ତି ଦେବ ବୋଲି କୁହାଯାଇଛି ।

AIIMSରେ ସୃଷ୍ଟି ହୋଇଥିବା ପଦବୀ ପୂରଣ ପାଇଁ ଏକ କମିଟି ଗଠନ କରାଯାଇଛି । ଯେଉଁଥିରେ ନୀତି ଆୟୋଗ କମିଟିର ସଦସ୍ୟ ଡଃ. ବି.କେ ପାଲ୍‌, ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାର ଅତିରିକ୍ତ ସଚିବ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ଏବଂ ଦିଲ୍ଲୀ AIIMSର ନିର୍ଦ୍ଦେଶକ ସାମିଲ ହେବେ ।

ଗତ ଜାନୁଆରୀ ୮ ତାରିଖରେ AIIMS ଭୁବନେଶ୍ୱରରେ CIBର ଏକ ବୈଠକ ହୋଇଥିଲା । ଯେଉଁଥିରେ ବିଭିନ୍ନ ବିଭାଗରେ କର୍ମଚାରୀଙ୍କୁ ନିଯୁକ୍ତି କରିବାକୁ ଆଲୋଚନା କରାଯାଇଥିଲା । ପରେ ୨୮ ଫେବ୍ରୁଆରୀରେ ଏନେଇ ଏକ କମିଟି ଗଠନ କରାଯାଇଥିବା ଜଣାପଡ଼ିଛି ।

ଦେଶରେ ନୂତନ ଭାବେ ତିଆରି ହୋଇଥିବା ୧୮ଟି AIIMSରେ ପ୍ରାୟ ୪୪% ଅଧ୍ୟାପକ ପଦବୀ ଖାଲିରହିଛି । AIIMS ରାଜକୋଟ ପାଇଁ ୧୮୩ଟି ପଦ ମଞ୍ଜୁର ହୋଇଥିବାବେଳେ ସେଥିମଧ୍ୟରୁ ମାତ୍ର ୪୦ଟି ପଦବୀ ପୂରଣ ହେବା ନେଇ କୁହାଯାଇଛି । ସେହିପରି ଅନ୍ୟାନ୍ୟ ସ୍ଥାନରେ ଥିବା AIIMSରେ ମଧ୍ୟ ଅନେକ ଅଧ୍ୟାପକ ପଦବୀ ଖାଲିରହିଛି । ଯାହାକୁ ସରକାର ଖୁବ୍‌ଶୀଘ୍ର ପୂରଣ କରିପାରନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଦେଶର ୧୮ଟି ନୂଆ AIIMSରେ ୪୦୨୬ଟି ପଦବୀ ଖାଲିଥିବା କୁହାଯାଇଛି । ଯେଉଁଥିରେ ୨୨୫୯ପଦ ପୂରଣ ହୋଇପାରେ । AIIMSରେ ପ୍ରଫେସର ପଦ ନିଯୁକ୍ତି ପାଇଁ ସରକାର ବୟସ ସୀମା ୫୦ ବର୍ଷକୁ ବଢ଼ାଇ ୫୮ ବର୍ଷ କରିଛନ୍ତି । ସେହିପରି ଅଧ୍ୟାପକଙ୍କ ପାଇଁ ମଧ୍ୟ ନିୟମ କରାଯାଇଥିଲା । ଅବସର ବୟସ ସୀମା ୭୦ ବର୍ଷ କରିଛନ୍ତି ସରକାର ।