Advertisment

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ଶେଷ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟରେ ଚୁକ୍ତିଭିତ୍ତିକ ପ୍ରଥା ଶେଷ

author-image
Chandan Shishu
ଅଦ୍ୟତନ ହୋଇଛି
big announcement of CM naveen Pattnaik

big announcement of CM naveen Pattnaik

ନିୟମିତ ହେବ ରାଜ୍ୟର ସବୁ ଚୁକ୍ତିଭିତ୍ତିକ ନିଯୁକ୍ତି। ଗତକାଲି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ରାଜ୍ୟର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବ ପାରିତ ହେବା ପରେ ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ୱାରା ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ଉପକୃତ ହେବେ। ଏହାକୁ ଦୀପାବଳି ଭେଟି କହିବା ସହ ଗତକାଲିଠୁ ଚୁକ୍ତିଭିତ୍ତିକ ନିଯୁକ୍ତି ଯୁଗ ଶେଷ ହେଲା ବୋଲି କହିଛନ୍ତି ନବୀନ। ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଉଚ୍ଛେଦ ସହ କର୍ମଚାରୀଙ୍କୁ ନିୟମିତ କରିବା ନେଇ ବିଜ୍ଞପ୍ତି ପ୍ରକାଶ କରାଯିବ।

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାବାତ୍ୟା ପର ସ୍ଥିତି ଓ ଦୁର୍ବଳ ଆର୍ଥିକ ଅବସ୍ଥା ମୋ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା । ରାଜ୍ୟ ଓଭର ଡ୍ରାଫ୍ଟରେ ଚାଲୁଥିଲା। ନିତିଦିନ ଖର୍ଚ୍ଚ ପାଇଁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା। ଓଡିଶା ଅର୍ଥନୀତି ପାଇଁ ଏହା ଏକ କଳା ସମୟ ଥିଲା । ରାଜକୋଷ ଖାଲି ଥିଲା। ଅର୍ଥନୀତି ଉପରେ ବହୁତ ଚାପ ଥିଲା। ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷି, ଜଳସେଚନ ଆଦି ବିଭିନ୍ନ କ୍ଷେତ୍ରରେ ଆମେ ବହୁତ ପଛୁଆ ଥିଲୁ। ସେତେବେଳେ ନିଯୁକ୍ତି ପୁରାପୁରି ବନ୍ଦ ଥିଲା । ପୋଷ୍ଟ ସବୁ ଉଚ୍ଛେଦ କରିବାକୁ ପଡୁଥିଲା । ଏହା ମୋ ପାଇଁ  ବହୁତ  କଷ୍ଟକର ଥିଲା। ମୋ ରାଜ୍ୟର ପିଲାମାନେ ନିଯୁକ୍ତି ନ ପାଇ ହଇରାଣ ହେଉଥିଲେ। ଏହା ମୋତେ ବହୁତ ଦୁଃଖ ଦେଉଥିଲା । 

୨୦୧୩ରୁ ଆମେ ଚୁକ୍ତିଭିତ୍ତିକ ନିଯୁକ୍ତି ଆରମ୍ଭ କଲୁ । ଏହା ମଧ୍ୟ ମୋ ପାଇଁ ଏକ କଷ୍ଟକର ନିଷ୍ପତ୍ତି ଥିଲା।  ଏବେ ଆମ ଅର୍ଥନୀତିରେ ଉନ୍ନତି ଆସିଛି । ବିକାଶ କ୍ଷେତ୍ରରେ ଓଡିଶା ସାରା ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି । ଗତ ବର୍ଷ ଆମେ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି କୁ ପରିବର୍ତ୍ତନ କରି ଇନିସିଆଲ ଆପଏଣ୍ଟି କରିଥିଲୁ ।

Advertisment

ଏହାସହ ନବୀନ ପଟ୍ଟନାୟକ ଆହୁରି କହିଛନ୍ତି ଯେ- ମୁଁ ଖୁସିର ସହ ଘୋଷଣା କରୁଛି ଯେ, ରାଜ୍ୟ କ୍ୟାବିନେଟ ଚୁକ୍ତିଭିତ୍ତିକ ନିଯୁକ୍ତି  ବ୍ୟବ୍ୟସ୍ଥାକୁ ସବୁଦିନ ପାଇଁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ବି ଅନେକ ରାଜ୍ୟରେ ନିୟମିତ ନିଯୁକ୍ତି ବନ୍ଦ ଅଛି । ଚୁକ୍ତିଭିତ୍ତିକ ନିଯୁକ୍ତି ଚାଲିଛି।  ଓଡିଶାରେ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ଶେଷ ହେଲା। ସବୁ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ  ହେବ । ବହୁ ଦିନ ଧରି ଏ ସୁଦିନକୁ ମୁଁ ଅପେକ୍ଷା କରିଥିଲି।  ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ।   ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ। ଏଥିପାଇଁ  ହାରାହାରି ୧୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ।  ସେମାନଙ୍କ ପରିବାର ପାଇଁ ଏହା ଆଗୁଆ ଦୀପାବଳି ଆଣିଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି।    

ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସଂଘର ଅଭିଯୋଗ ଥିଲା ଯେ ରାଜ୍ୟର ଆର୍ଥିକ ଦୁରବସ୍ଥା ବେଳେ ସରକାର ଠିକା ନିୟମ ପ୍ରଚଳନ କରିଥିଲେ । ଚାକିରି ଆଶାରେ ସେମାନେ ବାଧ୍ୟବାଧକତାରେ ଗ୍ରହଣ କରିଥିଲେ । ଏବେ ଆର୍ଥିକ ସ୍ଥିତିରେ ଉନ୍ନତି ସତ୍ତ୍ୱେ ସେମାନଙ୍କ ପ୍ରତି ଅବିଚାର କାହିଁକି ? ଗୋଟିଏ ବିଭାଗରେ ସମାନ କାମ କରି ସ୍ଥାୟୀ କର୍ମଚାରୀ ସପ୍ତମ ବେତନ କମିଶନର ସୁବିଧା ପାଉଥିବା ବେଳେ ଆଜିର ମହଙ୍ଗା ଯୁଗରେ ମାତ୍ର ୮ରୁ ୧୩ ହଜାର ଟଙ୍କାରେ ସେମାନେ ପରିବାର ଚଳାଇବେ କେମିତି ?

୨୦୧୭ରୁ ଏହି ଆନ୍ଦୋଳନ ତେଜିଥିଲା, ୨୦୧୮ ଓ ୨୦୨୧ରେ ନିଜ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ । ସେମାନଙ୍କ ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା କିନ୍ତୁ ସମ୍ପୂର୍ଣ୍ଣ ଦାବି ପୂରଣ ହୋଇନଥିଲା । ତେଣୁ ଏଥର ମାସେ ଭିତରେ ଦାବି ପୂରଣ ନହେଲେ, ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଚେତାବନୀ ଦେଇଥିଲା ସଂଘ ।

Abolish Contractual System
Advertisment
Advertisment