Advertisment

ASO Service Issue: ଚାକିରି ବିକ୍ରିର ତଥ୍ୟ ଓ ସତ୍ୟ ସାର୍ବଜନୀନ ହେବ କି ?

ଗତ ସରକାରରେ ମୁଖ୍ୟମନ୍ତ୍ରୀ ଦେଶ ବିଦେଶ ବୁଲି ଓଡିଶା ପ୍ରତି ନିବେଶକଙ୍କୁ ଆକୃଷ୍ଟ କରିବାର ସବୁଠାରୁ ବଡ ଲକ୍ଷ୍ୟ ଥିଲା ରାଜ୍ୟକୁ ବେକାରୀ ଓ ବେରୋଜଗାରୀ ଦୂର କରି ଯୁବକ ଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବା । ଏହା ପୂର୍ବରୁ ଓ ପରେ ମଧ୍ୟ ଦେଶ ବିଦେଶରୁ ଅନେକ ଶିଳ୍ପ କମ୍ପାନୀ ଓଡିଶାକୁ ଆସିଛନ୍ତି ।

author-image
Dilip Sabat
ଅଦ୍ୟତନ ହୋଇଛି
ନିଯୁକ୍ତି ବିବାଦ

ନିଯୁକ୍ତି ବିବାଦ

ବିଜେଡି ସରକାର ସମୟରେ ‘ଚାକିରି ବିକ୍ରି’ ହେଉଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ଗୁରୁଗମ୍ଭୀର ମନ୍ତବ୍ୟ ଓଡିଶା ବିଧାନସଭାରେ ଦେଇଛନ୍ତି ତାକୁ ନେଇ ବିପକ୍ଷ ଦଳର ସଦସ୍ୟମାନେ ଯେତେ ହୋହାଲ୍ଲା କଲେ ମଧ୍ୟ ରାଜ୍ୟର ଲକ୍ଷ ଲକ୍ଷ ନିଯୁକ୍ତି ଆଶାୟୀଙ୍କ ଦୃଷ୍ଟିଆକର୍ଷଣ କରିବା ସହିତ ନୂଆ ସରକାରଙ୍କୁ ନେଇ ସେମାନଙ୍କ ମଧ୍ୟରେ ଅନେକ ଆଶା ଓ ବିଶ୍ୱାସ ସଂଚାର ହୋଇଛି l ବର୍ଷ ବର୍ଷ ଧରି ବିଭିନ୍ନ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ଆଣି ଯେଉଁଭଳି କ୍ଷୋଭ ପ୍ରକାଶ କରୁଥିଲେ ତାହାକୁ ମୁଖ୍ୟମନ୍ତ୍ରୀ ବୁଝିଛନ୍ତି ଏବଂ ସାମ୍ନାକୁ ଆଣିଛନ୍ତି ବୋଲି ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଧାରଣା ସୃଷ୍ଟି ହୋଇଛି l ଏ ସରକାର ନିଯୁକ୍ତିରେ ସ୍ୱଚ୍ଛତା ଆଣିବେ ବୋଲି ଏକ ବିଶ୍ୱାସ ସେମାନଙ୍କ ମଧ୍ୟରେ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ । ଯଦିଓ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଧାନସଭାରେ ନିର୍ଦ୍ଧିଷ୍ଟ ଭାବେ ଏଏସ୍ଓ ଚାକିରି ୨୦ରୁ ୩୦ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥିବା ଦର୍ଶାଇଛନ୍ତି । 

Advertisment

ଚାକିରି ସ୍ବପ୍ନରେ ବାସ୍ତବିକ ବିଡ଼ମ୍ବନା:

ନିଯୁକ୍ତି ମେଳାରେ କୋଟି କୋଟି ଟଙ୍କା ଖର୍ଚ୍ଚ କଲେ । ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଦେଶ ବିଦେଶ ବୁଲି କୋଟି କୋଟି ଟଙ୍କା ଉଡେଇଦେଲେ । ଅନେକ ଶିଳ୍ପ କାରଖାନା ଓଡିଶାକୁ ଆସି ପାଣି ପବନ ବିଷାକ୍ତ କରି ମାଟିତଳୁ ପ୍ରାକୃତିକ ସମ୍ପଦ ସବୁ ବୋହି ନେଲା । ହେଲେ ନା ଦାଦନର ନିଦାନ ହେଲା ନା ବେକାରୀ ସମସ୍ୟା ଦୂର ହେଲା । ଓଲଟି ନିଯୁକ୍ତି ଦେବା ପାଇଁ ସରକାର ଆଶାୟୀଙ୍କ ଠାରୁ ଟଙ୍କା ଆଦାୟ କଲେ । ଥିଲାବାଲା ୨୦/୩୦ ଲକ୍ଷ ଦେଇ ଚାକିରି ପାଇଲେ, ନଥିଲାବାଲା, ଗରିବ, ଶିକ୍ଷିତ, ମେଧାବୀ ପିଲା ବେକାର ହୋଇ ଦାଦନ ରାସ୍ତାକୁ ଆପଣାଇବାକୁ ବାଧ୍ୟ ହେଉଛନ୍ତି । ୨୪ ବର୍ଷ ଶାସନ କାଳରେ ପୂର୍ବ ସରକାରଙ୍କୁ ନେଇ ଏଭଳି ଧାରଣା ସେତେବେଳେ ସୃଷ୍ଟି ହୋଇଛି ଯେତେବେଳେ ବିଧାନସଭାରେ ଓଡିଶାର ମୁଖ୍ୟମନ୍ତ୍ରୀ ଚାକିରି ବିକ୍ରି କଥା ଉଠାଇଛନ୍ତି । 

ଦାଦନ ଦୌଡର ଦଣ୍ଡ:

‘ଚାକିରି ବିକ୍ରି’ ପ୍ରସଙ୍ଗରେ ତଥ୍ୟ ପ୍ରଦାନ କରିବାକୁ ନେଇ ଶାସକ-ବିରୋଧୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ଥିଲେ ମଧ୍ୟ ପୂର୍ବ ସରକାରରେ ଦାଦନ ଓ ବେକାରୀ ସମସ୍ୟାର ବିଡ଼ମ୍ବିତ ତଥ୍ୟ ନିଶ୍ଚୟ ଆଶ୍ଚର୍ଯ୍ୟଜନକ । ଠିକ ଏହାର ଦୁଇ ଦିନ ପୂର୍ବରୁ ବିଧାନସଭରେ ଦାଦନର ତଥ୍ୟ ସାମ୍ନାକୁ ଆସିଲା l ରାଜ୍ୟରୁ ଲକ୍ଷ ଲକ୍ଷ ଲୋକ ବାହାରକୁ ଦାଦନ ଖଟିବାକୁ ଯାଇଥିବାବେଳେ ଗତ ୨୦୧୫-୨୦୨୪ ମଧ୍ୟରେ ୪୦୩ ଜଣଙ୍କ ସେଠାରେ ମୃତ୍ୟୁ ଘଟିଥିବା ତଥ୍ୟ ଚିନ୍ତାଜନକ । ଆଉ ଏଥିରେ ସର୍ବାଧିକ ୫୯ଜଣ ଦାଦନ ଗଂଜାମର ବୋଲି ଜଣାପଡ଼ିଛି । 

Advertisment

ଦକ୍ଷତାର ଦୁଃଖ: 

ବେରୋଜଗାରୀ ବ୍ୟାଧିରେ ଓଡିଶାର ଲକ୍ଷ ଲକ୍ଷ ଯୁବବର୍ଗ ଆଉଟୁ ପାଉଟୁ ହେଉଥିବା ବେଳେ ଆଉ ଏକ ଆଶ୍ଚର୍ଯ୍ୟ ଜନକ ତଥ୍ୟ ସାମ୍ନାକୁ ଆଣିଛି ଚଳିତ ବିଧାନସଭା । ଦକ୍ଷତା ବିକାଶ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ସ୍ୱାଇଁ ବିଧାନସଭାରେ ରଖିଥିବା ଉତ୍ତର ଅନୁସାରେ, ଗତ ୧୦ ବର୍ଷ ମଧ୍ୟରେ ୧୮ଲକ୍ଷ ୪୨ ହଜାର ୬୭ଜଣଙ୍କୁ ଦକ୍ଷତା ତାଲିମ ଦିଆଯାଇଥିବାବେଳେ ସେଥିମଧ୍ୟରୁ ମାତ୍ର ୧ଲକ୍ଷ ୫ ହଜାର ୪୪୪ ଜଣ ଚାକିରି ପାଇଛନ୍ତି । ସେହିଭଳି ଗତ ୫ ବର୍ଷ ମଧ୍ୟରେ ସରକାର କେତେ ଚାକିରି ଦେଇଛନ୍ତି ଯଦି ପ୍ରଶ୍ନ ଆସେ ତେବେ ଏହାର ଉତ୍ତର ଆଶାୟୀଙ୍କୁ ନିଶ୍ଚୟ ନିରାଶ କରିବ । ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅନୁସାରେ ଗତ ସରକାରରେ ରାଜ୍ୟର ୧୨ଲକ୍ଷ ୧୩ ହଜାର ୯୨୪ ଯୁବକ ଯୁବତୀ ନିଜ ନାମ ପଂଜିକୃତ କରି ଚାକିରିକୁ ଚାହିଁ ବସିଥିବାବେଳେ ସେଥିମଧ୍ୟରୁ ମାତ୍ର ୨୨୭୪ଙ୍କୁ ଚାକିରି ମିଳିଛି । ଅର୍ଥାତ ଗତ ୫ ବର୍ଷ ମଧ୍ୟରେ ବିଜେଡି ସରକାର କ୍ଷମତାରେ ଥିବା ବେଳେ ୨୨୭୪ ବେକାରୀଙ୍କୁ ନିଯୁକ୍ତି ଦିଆଯାଇଛି । 

ଅଧିକ ପଢନ୍ତୁ: ବିଜେଡି, ବଦ୍ରି ପାତ୍ର ଓ ଆମଦାନୀ ନେତାଙ୍କ କାହାଣୀ

ଯେତେ ଖଣି ଖୋଳା ସେତେ ଚାକିରି କାଇଁ ?

ଗତ ସରକାରରେ ମୁଖ୍ୟମନ୍ତ୍ରୀ ଦେଶ ବିଦେଶ ବୁଲି ଓଡିଶା ପ୍ରତି ନିବେଶକଙ୍କୁ ଆକୃଷ୍ଟ କରିବାର ସବୁଠାରୁ ବଡ ଲକ୍ଷ୍ୟ ଥିଲା ରାଜ୍ୟକୁ ବେକାରୀ ଓ ବେରୋଜଗାରୀ ଦୂର କରି ଯୁବକ ଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବା । ଏହା ପୂର୍ବରୁ ଓ ପରେ ମଧ୍ୟ ଦେଶ ବିଦେଶରୁ ଅନେକ ଶିଳ୍ପ କମ୍ପାନୀ ଓଡିଶାକୁ ଆସିଛନ୍ତି । ଖଣି ଖାଦାନ କୋଳି ରାଜ୍ୟର ମାଟିତଳୁ ପ୍ରାକୃତିକ ସମ୍ପଦ ସବୁ ବାହାରକୁ ରପ୍ତାନି ହୋଇଛି । ପାଣି, ପବନ, ବନ ପରିବେଶ ଆଦି ସବୁ ପ୍ରକାରର କ୍ଷତି ଓଡିଶା ସହିଛି । ହେଲେ ସେହି ଅନୁପାତରେ ରାଜ୍ୟର ବେକାରୀ ସମସ୍ୟାର ସମାଧାନ ହୋଇନି କି ଦାଦନ ଦୁଃଖ ଦୂର ହୋଇନି । 

ସବୁ ନିଯୁକ୍ତି ଅଭିଯୋଗର ତଦନ୍ତ ହେବ କି ?

ଖୋଦ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଧାନସଭାରେ ଠିଆ ହୋଇ ଓଡିଶାର ମେଧାବୀ ଗରିବ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ହୋଇଥିବା ଅନିୟମିତତାକୁ ସାମ୍ନାକୁ ଆଣିବାକୁ ଯାଇ ‘ଚାକିରି ବିକ୍ରି’ର ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାକୁ ଅନେକ ଯୁବକ ଯୁବତୀ ସମର୍ଥନ ଜଣାଇଛନ୍ତି । କେବଳ ଏଏସ୍ଓ ନୁହେଁ, ଗତ ସରକାରରେ ଶିକ୍ଷକ ନିଯୁକ୍ତି ଠାରୁ ଆରମ୍ଭ କରି ଆର୍‌‌ଆଇ, ଅମିନ, ଫରେଷ୍ଟଗାର୍ଡ ଏଭଳି କି ଓଏସ୍ଏସସି ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଭଳି ଶହ ଶହ ଘଟଣା ସାମ୍ନାକୁ ଆସିଛି । ଏଭଳି କି ରାଜ୍ୟରେ ଜାଲ ସାର୍ଟିପିକେଟର ସିଂଡିକେଟ କାମ କରୁଥିବା ପ୍ରମାଣ ମଧ୍ୟ ମିଳିଛି । ଗତ ସରକାରରେ ଯେତେ ସବୁ ନିଯୁକ୍ତି ଦିଆଯାଇଛି ସେଥିରେ ଆସିଥିବା ଦୁର୍ନୀତି, ଅବ୍ୟବସ୍ଥା, ଅନିୟମିତତାର ଅଭିଯୋଗ ହୋଇଛି। ତାର ନିରପେକ୍ଷ ତଦନ୍ତ ହେଲେ ଅନେକ ସତ୍ୟାସତ୍ୟ ସାମ୍ନାକୁ ଆସିବ, ଦଲାଲମାନଙ୍କ ମୂଖା ଖୋଲିବ ଆଉ ପିଲାମାନଙ୍କୁ ନ୍ୟାୟ ମିଳିବ ବୋଲି ନିଯୁକ୍ତି ଆଶାୟୀମାନେ ନିଜ ନିଜ ଫୋରମରେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସେମାନଙ୍କୁ କିଭଳି ନ୍ୟାୟ ପ୍ରଦାନ କରୁଛନ୍ତି, ସତ୍ୟାସତ୍ୟ କେବେ ସାମ୍ନାକୁ ଆସୁଛି ନା ଏହା କେବଳ ଧୂଆଁବାଣ ତାହା ଦେଖିବାକୁ ବାକି ରହିଲା।

Odisha Unemployment In Odisha Mohan Majhi
Advertisment
Advertisment