• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦୀର୍ଘ ୨ ମାସ ଧରି ଋଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଦୁଇ ଦେଶର ଆର୍ଥିକ ସ୍ଥିତି ଦିନକୁ ଦିନ ବିଗିଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡିମିର୍‌ ଜେଲେନ୍‌ସ୍କି ନିଜର ପ୍ରିୟ ଜ୍ୟାକେଟ୍‌କୁ ନିଲାମ କରି ଦେଶବାସୀଙ୍କୁ ବିପର୍ଯୟ ସ୍ଥିତିରୁ ବାହାର କରିବା ପାଇଁ ଅର୍ଥାତ ଦେଶ ପାଇଁ କିଛି ପାଣ୍ଠି ସଂଗ୍ରହ କରୁଥିବାର ଦେଖିବାକୁ ମିଳିଛି । ଜେଲେନ୍‌ସ୍କି ନିଜର ପ୍ରିୟ ଜ୍ୟାକେଟ୍‌କୁ ଲଣ୍ତନ୍‌ରେ ପ୍ରାୟ ୧୧୧,୦୦୦ ଡ଼ଲାର ବା ଭାରତୀୟ ମୁଦ୍ରା ଅନୁଯାୟୀ ୮୫ ଲକ୍ଷ ୯୮ ହଜାର ଟଙ୍କାରେ ନିଲାମ କରିଦେଇଛନ୍ତି ।

ଋଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଇଥିବା ବେଳେ ବିଶ୍ୱବାସୀ ବିଶ୍ୱାସ କରିପାରିନଥିଲେ ଯେ ୟୁକ୍ରେନ୍‌ ଋଷ ଭଳି ଶକ୍ତିଶାଳୀ ଦେଶକୁ ୩ ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ସାମ୍ନା କରିପାରିବ । କିନ୍ତୁ ୟୁକ୍ରେନ୍‌ ୨ ମାସ ଧରି ଋଷକୁ ସାମ୍ନା କରିବା ସହ ଜବାବରେ ଆକ୍ରମଣ ମଧ୍ୟ ଜାରି ରଖିଛି ।

ବ୍ରିଟେନ୍‌ରେ ଥିବା ଯୁକ୍ରେନ୍‌ ଦୂତବାସ ନିଜ ଟ୍ୱିଟର୍‌ ପେଜ୍‌ରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି ଯେ, ଦୀର୍ଘ ୨ ମାସ ଧରି ବିଶ୍ୱବାସୀ ଦେଖୁଛନ୍ତି ଯେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ଏକ ସାଧାରଣ ଜ୍ୟାକେଟ୍‌ ପିନ୍ଧି ଯୁଦ୍ଧର ସାମ୍ନା କରୁଛନ୍ତି । ଏବେ ସେହି ଜ୍ୟାକେଟ୍‌ଟି ଯେଉଁଥିରେ ଜେଲେନ୍‌ସ୍କିଙ୍କ ଦସ୍ତଖତ ରହିଛି ତାହା ୮୫ ଲକ୍ଷ ୯୮ ହଜାର ଟଙ୍କାରେ ନିଲାମ ହୋଇଯାଇଛି । ଯୁକ୍ରେନ୍‌ ଦୂତବାସ ଦ୍ୱାରା ଆୟୋଜିତ ଏହି ନିଲାମିରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଯୋଗ ଦେଇଥିଲେ ଏବଂ ଜେଲେନ୍‌ସ୍କି ଜଣେ ଆଧୁନିକ ଯୁଗର ଅବିଶ୍ୱସନୀୟ ନେତା ବୋଲି ସମ୍ବୋଧନ କରିଥିଲେ । ଏନେଇ ଜେଲେନ୍‌ସ୍କି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

ୟୁକ୍ରେନ୍‌ ଦୂତବାସଙ୍କ କହିବାନୁଯାୟୀ ଏହି ଜ୍ୟାକେଟ୍‌ ନିଲାମିର ଉଦ୍ଦେଶ୍ୟ ହେଉଛି ଦେଶବାସୀଙ୍କୁ ଆର୍ଥିକ ବିପର୍ଯୟରୁ ରକ୍ଷା କରିବା । ଏହା ସହିତ ଦେଶ ପାଇଁ କିଛି ପାଣ୍ଠି ସଂଗ୍ରହ କରିବା ।