• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୋସିଆଲ ମିଡିଆରେ ଲୋକ ଦେଖାଣିଆ ଲୋକପ୍ରିୟତା ସାଉଣ୍ଟିବାକୁ ଜୀବନ ସହ ଖେଳ । ସାମାନ୍ୟ କେଇଟା ଲାଇକ୍‌, ସେୟାର ଓ ଭିୟୁ ପାଇଁ ଜୀବନକୁ ବିପଦରେ ପକାଉଛନ୍ତି ଯୁବପିଢ଼ି । ୟୁଟ୍ୟୁବ୍, ଫେସବୁକ୍, ଇନଷ୍ଟାଗ୍ରାମ, ଟିକଟକ୍ ସମେତ ସମସ୍ତ ପ୍ଲାଟଫର୍ମରେ ପାଗଳାମୀର ଯେପରି ଏକ ପ୍ରତିଯୋଗିତା ଚାଲିଛି । ସେମାନେ ଏମିତି ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି ଯେ କୌଣସି ବି ସ୍ତରକୁ ଯିବାକୁ ପ୍ରସ୍ତୁତ । ଫଳରେ ଅସାବଧାନତା ବଶତଃ ଅନେକ ସମୟରେ ଦୁର୍ଘଟଣାର ହେବା ସହ ଜୀବନ ବି ଚାଲିଯାଇଛି । ହେଲେ ଏଥିରୁ ଆଉ ପାଦେ ଆଗକୁ ଯାଇ ଜଣେ ୟୁଟ୍ୟୁବର ଭିୟୁ ପାଇବା ପାଇଁ ଯାହା କରିଛନ୍ତି, କେହି ବିଶ୍ୱାସ କରିପାରୁ ନାହାଁନ୍ତି । ଆମେରିକାରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି ।

ୟୁଟ୍ୟୁବର ଜଣକ ଭିୟୁ ପାଇବା ପାଇଁ ନିଜ ବିମାନକୁ ଦୁର୍ଘଟଣାଗ୍ରସ୍ତ କରିଛନ୍ତି । ତଦନ୍ତ ପରେ ଆମେରିକୀୟ ବ୍ୟକ୍ତିଙ୍କୁ ଏହା ବହୁତ ମହଙ୍ଗା ପଡ଼ିବ ବୋଲି କୁହାଯାଉଛି । ବିମାନ ଦୁର୍ଘଟଣା ପରେ ୟୁଟ୍ୟୁବ ଜଣଙ୍କର ମୁସ୍କିଲ ଏବେ ବଢ଼ି ବଢ଼ି ଚାଲିଛି । ୟୁଟ୍ୟୁବର୍ ଜଣକ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ବିମାନକୁ ଦୁର୍ଘଟଣାଗ୍ରସ୍ତ କରିଥିବାରୁ ତାଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ ।

ତେବେ ଆମେରିକୀୟ ୟୁଟ୍ୟୁବର୍ ଜଣକ ସ୍ୱୀକାର କରିଛନ୍ତି, ଭିୟୁ ପାଇବା ପାଇଁ ସେ ଏଭଳି ପାଗଳାମୀ କରିଛନ୍ତି । ନିଜ ବିମାନକୁ କ୍ରାସ୍‌ କରିଥିବା ଆମେରିକୀୟ ବ୍ୟକ୍ତିଙ୍କ ନାମ ହେଉଛି ଟ୍ରେବର୍ ଯାକୋବ । ସେ ନିଜ ବିମାନକୁ ଜାଣିଶୁଣି କ୍ରାସ କରାଇବା ପରେ ଦୁର୍ଘଟଣା ସ୍ଥଳକୁ ସଫା କରିଦେଇଛନ୍ତି । ଏପରି କରିବା ଦ୍ୱାରା ତଦନ୍ତରେ ବାଧା ସୃଷ୍ଟି ହେଉଥିବାରୁ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଆମେରିକାର ଫେଡେରାଲ୍ ଆଭିଏସନ ଆଡମିନିଷ୍ଟ୍ରେସନ (ଏଫଏଏ) ୨୯ ବର୍ଷୀୟ ଟ୍ରେଭରଙ୍କ ଲାଇସେନ୍ସ ରଦ୍ଦ କରିନେଇଛି । ତେବେ ଏହି ଭିଡିଓ ଏବେର ନୁହେଁ, ୨୦୨୧ର ବୋଲି ଜଣାପଡ଼ିଛି । ହେଲେ ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଡିସେମ୍ବର ୨୦୨୧ରେ ଜଣେ ସେ କାଲିଫର୍ନିଆର ଲସ୍ ପ୍ୟାଡ୍ରେସ୍ ନ୍ୟାସନାଲ ଜଙ୍ଗଲରେ ଏକ ବିମାନକୁ ଦୁର୍ଘଟଣାଗ୍ରସ୍ତ କରିଥିଲେ । ଆଉ ତା’ପରେ ‘I Crashed My Airplane’ ଟାଇଟଲ୍ ସହିତ ସେ ତାଙ୍କ ଭିଡିଓ ପୋଷ୍ଟ କରିଥିଲେ । ବିମାନ ଦୁର୍ଘଟଣା ପରେ ଯାକୁବ ପାରାଚ୍ୟୁଟ୍ ସାହାଯ୍ୟରେ ବିମାନରୁ ଡେଇଁପଡ଼ିଲେ । ଏହା ପରେ ଯାକୁବ ଦାବି କରିଥିଲେ ଯେ ବିମାନରେ କିଛି ଦୋଷ ଅଛି ।

ସୂଚନାଯୋଗ୍ୟ ଟ୍ରେବରଙ୍କ ବିମାନ ଦୁର୍ଘଟଣା ଭିଡିଓକୁ ୟୁଟ୍ୟୁବରେ ୩୧ ଲକ୍ଷରୁ ଅଧିକ ଥର ଦେଖାଯାଇଛି ।