• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚୀନର ହର୍ତା କର୍ତ୍ତା ଦଇବ ବିଧାତା ସି ଜିନ୍‌ପିଙ୍ଗ୍‌(Xi Jinping) । ତୃତୀୟ ଥର ପାଇଁ ଚୀନରେ ଜିନ୍‌ପିଙ୍ଗଙ୍କ ଯୁଗ ଆରମ୍ଭ ହୋଇଛି । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ତୃତୀୟ ଥର ପାଇଁ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା (ସିସିପି)ର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି । ଚୀନ୍‌ର ସର୍ବାଧିକ କ୍ଷମତାଶାଳୀ ନେତା ତଥା ସିସିପିର ପ୍ରତିଷ୍ଠାତା ମାଓ-ସେ-ତୁଙ୍ଗଙ୍କ ପରେ ଜିନପିଙ୍ଗ ତୃତୀୟ ଥର ପାଇଁ ନିଯୁକ୍ତ ହୋଇଛନ୍ତି । ବର୍ତ୍ତମାନ ଜିନପିଙ୍ଗ ଏହି ପଦବୀରେ ୫ ବର୍ଷ ରହିବେ ।

ଏହାପୂର୍ବରୁ ଜିନପିଙ୍ଗ ସିସିପିର କେନ୍ଦ୍ରୀୟ କମିଟିର ନେତା ଭାବରେ ନିର୍ବାଚିତ ହୋଇଥିଲେ । ନିୟମ ଅନୁସାରେ ଏହି କମିଟିର କାର୍ଯ୍ୟକାଳ ଦୁଇ ଥରରୁ ଅଧିକ ବୃଦ୍ଧି କରାଯାଇପାରିବ ନାହିଁ । ଏଥିରେ ଅବସର ବୟସ ମଧ୍ୟ ୬୮ ସ୍ଥିର କରାଯାଇଛି । କିନ୍ତୁ ୬୯ ବର୍ଷ ବୟସ ହେବା ସତ୍ୱେ ଜିନପିଙ୍ଗ ଏହି ପଦବୀ ଦଖଲ କରିଛନ୍ତି ।

ଦଳ ଉପରେ ସି’ ଜିନ୍‌ପିଙ୍ଗଙ୍କ ଆଧିପତ୍ୟ ସୁଦୃଢ଼ କରାଇ ଶନିବାର ଦିନ ଚୀନ କମ୍ୟୁନିଷ୍ଟ୍ ପାର୍ଟିର ମହାସଭା ଶେଷ ହୋଇଥିଲା । ରବିବାର ଦିନ କେନ୍ଦ୍ରୀୟ କମିଟିର ସଦସ୍ୟମାନେ ୨୫ ସଦସ୍ୟ ବିଶିଷ୍ଟ ପଲିତବ୍ୟୁରୋ ଚୟନ କରିଥିଲେ । ଆଉ ପଲିତବ୍ୟୁରୋ ପକ୍ଷରୁ ଷ୍ଟାଣ୍ଡିଂ କମିଟିର ୭ ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଥିଲା । ଆଉ ସେହି ୭ ଜଣ ସଦସ୍ୟ ତୃତୀୟ ଥର ପାଇଁ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଭାବେ ଜିନପିଙ୍ଗଙ୍କୁ ମନୋନୀତ କରିଛନ୍ତି ।

ଏହାପୂର୍ବରୁ ଶନିବାର ଦିନ ଜିନପିଙ୍ଗ ବିଂଶତମ କଂଗ୍ରେସ ବୈଠକ ପରେ ଏକ ବିବୃତ୍ତି ଦେଇଥିଲେ । ସଂଘର୍ଷ ସହ ବିଜୟ ହାସଲ କରିବାକୁ ତାଙ୍କ ପାଖରେ ସତସାହସ ଥିବା ଚୀନବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ । ନିଜର ଅସୁବିଧାକୁ ଦୂରେଇ ରଖି କଠିନ ପରିଶ୍ରମ କର ଏବଂ ଆଗକୁ ବଢ଼ିବାକୁ ଲକ୍ଷ୍ୟ ସ୍ଥିର କର । ଯେକୌଣସି ପ୍ରକାର ଝଡ଼ର ସାମ୍ନା କରିବା ପାଇଁ ଲୋକମାନେ ପ୍ରସ୍ତୁତ ହେବା ଉଚିତ୍ ବୋଲି ସେ କହିଥିଲେ ।

ଯେଉଁ ବୈଠକରେ ଜିନପିଙ୍ଗଙ୍କୁ ତୃତୀୟ ଥର ପାଇଁ ସିସିପି କମାଣ ହସ୍ତାନ୍ତର କରାଯାଇଥିଲା, ସେଠାରେ ଚୀନ୍‌ର ପୂର୍ବତନ ରାଷ୍ଟ୍ରପତି ହୁ ଜିନ୍ତାଓ ମଧ୍ୟ ଉପସ୍ଥିତ ଥିଲେ । ୭୯ ବର୍ଷିୟ ହୁ ଜିନ୍ତାଓ ୨୦୧୨ରେ ଶାନ୍ତିପୂର୍ଣ୍ଣ ଭାବରେ ଜିନପିଙ୍ଗଙ୍କୁ କ୍ଷମତା ପ୍ରଦାନ କରିଥିଲେ ।