• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୟଙ୍କର ଶୀତକାଳୀନ ଝଡ଼( Bomb Cyclone)ରେ ନାକେଦମ୍ ଆମେରିକା । ଅଣାୟତ୍ତ ସ୍ଥିତିରେ ବମ୍ ସାଇକ୍ଲୋନ୍ । ପ୍ରାୟ ୬୦ପ୍ରତିଶତ ଅଂଚଳକୁ ଘୋଡ଼ାଇ ପକାଇଛି ବରଫର ସଫେଦ ଚାଦର । ବଡ଼ ବଡ଼ ବିଲଡିଂ ସହ ଗାଡିମୋଟର କିଛି ବି ଦେଖାଯାଉନି । ରାସ୍ତାଘାଟର ଅବସ୍ଥା ନ କହିବା ଭଲ କେଉଁଠି କଣ ଅଛି ତାହା ଜାଣିବା ମୁସ୍କିଲ । ବରଫ ଝଡ଼ର ପ୍ରକୋପ ଏତେ ଅଧିକ ରହିଛି ଯେ, ୬୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଅନେକ ଲୋକ ଏବେବି ହସ୍ପିଟାଲରେ କିମ୍ବା ଘରେ ଅଥପା ଅଧାବାଟରେ ଫସିରହି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏମରଜେନ୍ସି ରେସପନ୍ସ ବ୍ୟବସ୍ଥା ବି ଫେଲ୍ ମାରିଛି । ହଜାର ହଜାର ଲୋକଙ୍କ ଜୀବନଜୀବିକା ବିପନ୍ନ ହୋଇଛି ।

ପଶ୍ଚିମ ନ୍ୟୁୟର୍କର ବୁଫାଲୋ ସହର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବମ୍ ସାଇକ୍ଲୋନ୍ ଯୋଗୁଁ ବିଲଡିଂ ଗୁଡିକ ବରଫରେ ତିଆରି ପ୍ରାସାଦ ଭଳି ଜଣାପଡୁଛି । ସମୁଦ୍ର ପାଣି ମାଡ଼ରେ ସେଗୁଡିକ କାନଭାସରେ ଅଙ୍କାଯାଇଥିବା ପେଣ୍ଟିଂର ଭ୍ରମ ସୃଷ୍ଟି କରୁଛି । ପୋର୍ଟିକୋରେ ଥିବା ଆସବାବପତ୍ର ଗୁଡିକ ବରଫଗଦା ଉପରେ ରଖାଗଲା ଭଳି ଦେଖାଯାଉଛି । ରାସ୍ତାରେ ଥିବା କାରଗୁଡିକୁ ଦେଖିଲେ ଚିହ୍ନି ହେଉନି । କାର ଉପରେ ଦୁଇରୁ ତିନିଫୁଟ ଉଚ୍ଚର ବରଫ ଜମା ହୋଇଛି । ଗାଡ଼ିକୁ ରାସ୍ତାରୁ ବାହାର କରିବା ଲୋକଙ୍କ ପାଇଁ କାଠିକର ପାଠ ହୋଇଛି । ଲୋକମାନେ ଜୀବନ ବିକଳରେ ଗାଡ଼ିକୁ ରାସ୍ତାରେ ଛାଡ଼ି ନିରାପଦ ସ୍ଥାନକୁ ପଳାଉଛନ୍ତି । ଆମେରିକାର ୬୦ ପ୍ରତିଶତ ଅଂଚଳ ପାଇଁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଲୋକମାନଙ୍କୁ ଘରେ ରହିବାକୁ ସତର୍କ କରାଯାଇଛି ।

ଅଧିକ ପଢ଼ନ୍ତୁ: ବରଫ ଝଡ଼ ମାଡ଼ରେ ଘାଇଲା ଆମେରିକା:ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି

ଏଭଳି ଅଚାନକ ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଫିକା ପଡ଼ିଯାଇଛି । ଖ୍ରୀଷ୍ଟମାସ ଉତ୍ସବ ଲୋକମାନେ ବାଧ୍ୟ ହୋଇ ଘରେ ପାଳିଛନ୍ତି। ବରଫ ଝଡ଼ ଯୋଗୁଁ ୧୫ ହଜାର ବିମାନ ସେବା ବାତିଲ ହୋଇଛି । ଖ୍ରୀଷ୍ଟମାସରେ ୧୭ଶହରୁ ଅଧିକ ଘରୋଇ ଓ ଆନ୍ତର୍ଜାତିକ ବିମାନ ସେବା ବାତିଲ ହୋଇଥିଲା । ଏଥିଯୋଗୁଁ ଲକ୍ଷାଧିକ ଯାତ୍ରୀ ବିମାନବନ୍ଦରରେ ଫସି ରହିଛନ୍ତି । ରାସ୍ତା ଖସଡା ଥିବା ଯୋଗୁଁ ଲୋକମାନେ ବାହାରକୁ ଯିବାକୁ ନିରାପଦ ମଣୁନାହାନ୍ତି । ଖ୍ରଷ୍ଟମାସ ଋତୁରେ ଲୋକମାନେ ଘରେ ବନ୍ଦୀ ହୋଇ ରହିଛନ୍ତି ।

ଶୀତକାଳୀନ ଝଡ ଯୋଗୁଁ ଆମେରିକା ସହ କାନାଡ଼ା ଓ ମେକ୍ସିକୋରେ ସ୍ଥିତି ଗମ୍ଭୀର କାନାଡାର ବିଭିନ୍ନ ଅଂଚଳ ମଧ୍ୟରେ ଅସ୍ୱାଭାବିକ ତାପମାତ୍ରା ଚିନ୍ତାର କାରଣ ପାଲଟିଛି । ଚଳିତବର୍ଷ ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ତାପମାତ୍ରା ବୃଦ୍ଧି ଯୋଗୁଁ ମଧ୍ୟ ପ୍ରଭାବିତ ହୋଇଛି ଜନଜୀବନ । ଅନ୍ୟପକ୍ଷରେ ଆଫ୍ରିକା ମହାଦେଶର ଅନେକ ଦେଶରେ ମରୁଡି ସାରା ବିଶ୍ୱ ପାଇଁ ସୃଷ୍ଟି କରିଛି ନୂଆ ଚ୍ୟାଲେଂଜ । ମାନବ ସମାଜର ବିଭିନ୍ନ ପରିବେଶ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଜଳବାୟୁ ପରିବର୍ତ୍ତନ ଉଦବେଗ ଜନକ ସ୍ଥିତିରେ ପହଞ୍ଚିଛି ବୋଲି ଚେତାଇ ଦେଇଛି ବିଶ୍ୱ ପାଣିପାଗ ସଂଗଠନ ।