• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆମେରିକାରେ ବରଫ ଝଡ଼ରେ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି । ଖରାପ ପାଗ ଯୋଗୁଁ ଦୁର୍ଘଟଣା ଓ ଗଛ ପଡ଼ିବା ସହ ଅନ୍ୟ କାରଣରୁ ୨୬ ଜଣଙ୍କର ମୃତ୍ୟୁ ଘଟିଲାଣି । ଏବେ ବି ସେଠାରେ ଜାରି ରହିଛି ବରଫ ଝଡ଼ । ସମୁଦ୍ର ଅଶାନ୍ତ ରହିବା ସାଙ୍ଗକୁ ତାପମାତ୍ରା ମାଇନସ୍ ୪୫ରୁ ମାଇନସ୍ ୪୮ ଡିଗ୍ରୀ ସେଲସିୟସକୁ ଖସି ଆସିଛି । ସ୍ଥିତି ଏପରି ହୋଇଛି ଯେ ଫୁଟୁଥିବା ପାଣି ନିମିଷକେ ବରଫ ପାଲଟିଯାଉଛି । ଆମେରିକା, କାନାଡ଼ା, ମେକ୍ସିକୋ ଓ ଫ୍ଲୋରିଡ଼ାର କୋଟି କୋଟି ଲୋକ ଏହି ବମ୍ ସାଇକ୍ଲୋନରେ ପ୍ରଭାବିତ ହୋଇଛନ୍ତି ।

ଖ୍ରୀଷ୍ଟମାସ ଋତୁରେ ଲୋକଙ୍କୁ କବାଟ ଝରକା ବନ୍ଦ କରି ଘର ଭିତରେ ବନ୍ଦୀ ଜୀବନ କାଟିବାକୁ ପଡ଼ୁଛି । ପ୍ରାୟ ୧୮ ଲକ୍ଷ ଲୋକ ଘରେ ଫସି ରହିଥିବା ବେଳେ, ରାସ୍ତାକଡ଼ରେ ଶୋଉଥିବା ବାସହରାଙ୍କ ଦୁର୍ଦ୍ଦଶା ଅସହ୍ୟ ହୋଇଛି । ସେମାନଙ୍କ ପାଇଁ ବିଭିନ୍ନ ସହରରେ ଖୋଲିଛି ଅସ୍ଥାୟୀ ଆଶ୍ରୟସ୍ଥଳୀ । ଝଡ଼ରେ ବିଦ୍ୟୁତ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବା ଫଳରେ ୨୦ ଲକ୍ଷରୁ ଅଧିକ ପରିବାର ଅନ୍ଧାରରେ ଅଛନ୍ତି ।

ଏଭଳି ପାଗରେ ୨୮ଶହରୁ ଅଧିକ ବିମାନ ବାତିଲ ହୋଇଥିବା ବେଳେ ପ୍ରାୟ ୭ ହଜାର ଉଡ଼ାଣ ବିଳମ୍ବିତ ହୋଇଛି । ଖ୍ରୀଷ୍ଟମାସ ଛୁଟି କାଟିବାକୁ ବାହାରିଥିବା ହଜାର ହଜାର ଲୋକ ବିମାନବନ୍ଦରରେ ଫସି ରହିଛନ୍ତି ବିଭିନ୍ନ ସ୍ଥାନରେ ଟ୍ରେନ୍ ବି ବାତିଲ ହୋଇଥିବା ସୂଚନା ମିଳିଛି । ଏହି ଝଡ଼କୁ ଅତି ଗୁରୁତର ସହ ନେବାକୁ ଆମେରିକାବାସୀଙ୍କୁ ଚେତାଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ ।

ଆମେରିକା ପାଇଁ ତୁଷାରପାତ, ବରଫ ଝଡ଼ କିଛି ନୂଆ କଥା ନୁହେଁ । ତେବେ ଖ୍ରୀଷ୍ଟମାସ ବେଳେ ସ୍ଥିତି ଏତେ ସଂଗୀନ ଓ ଏତେ ବିପଜ୍ଜନକ ହୋଇଯିବ ବୋଲି ହୁଏତ କେହିବି କଳନା କରିନଥିଲେ । ଆମେରିକାରେ ଏହି ବିରଳ ବମ୍ ସାଇକ୍ଲୋନକୁ ଓ୍ୱାନ୍ସ ଇନ୍ ଏ ଜେନେରେସନ୍, ଓ୍ୱାନ୍ସ ଇନ୍ ଏ ଏଜ୍ ବୋଲି କୁହାଯାଉଛି ।

ପୂର୍ବରୁ ୨୦୧୯ ମାର୍ଚ୍ଚ ୧୩ରେ ଆମେରିକାର କଲୋରାଡ଼ୋରେ ବମ୍ ସାଇକ୍ଲୋନ୍ ହୋଇଥିଲା । ୧୯୮୭ରେ ବ୍ରିଟେନ୍ ଏହି ଦୁର୍ବିପାକର ସାମ୍ନା କରିଥିଲା ।