• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ବାଂଲାଦେଶରେ ଏବେ ଜଳୁଛି ଅଶାନ୍ତିର ନିଆଁ । ସଂରକ୍ଷଣ ବିରୋଧୀ ଆନ୍ଦୋଳନର ପ୍ରଭାବ ଏତେ ବ୍ୟାପକ ହୋଇଛି ଯେ ସାରା ବାଂଲାଦେଶ ଏବେ ଆନ୍ଦୋଳନକାରୀଙ୍କ କବଜାରେ । ଛାତ୍ର ଆନ୍ଦୋଳନ ସାଂଘାତିକ ରୂପ ନେବାପରେ ଅଣାୟତ୍ତ ହୋଇଛି ପରିସ୍ଥିତି । ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେବା ସହ ଦେଶ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ଫଳରେ ବାଂଲାଦେଶରେ ଏକ ସ୍ଥିର ଓ ମଜବୁତ ସରକାରର ପତ୍ତନ ସହ ରାଜନୈତିକ ଅସ୍ଥିରତା ଦେଖାଦେଇଛି ।

କେବଳ ସେତିକି ନୁହେଁ ହସିନା ଦେଶ ଛାଡ଼ିବା ପରେ ଆନ୍ଦୋଳନକାରୀ ଶେଖ ହସିନାଙ୍କ ବାସଭବନ ଭିତରେ ପଶି ଉତ୍ସବ ମନାଉଥିବାର ଦୃଶ୍ୟ ମଧ୍ୟ ସାରା ବିଶ୍ୱକୁ ତାଜୁବ କରିଛି । ଅସନ୍ତୋଷରୁ ଜନ୍ମିଥିବା ଏକ ଛାତ୍ର ଆନ୍ଦୋଳନ ଏକ ଦେଶର ରାଜନୈତିକ ସ୍ଥିତିକୁ କିପରି ଦୋହଲାଇ ଦେଇଛି ତାହା ସମସ୍ତଙ୍କ ସାମ୍ନାରେ ।

ଅଧିକ ପଢନ୍ତୁ : ହସିନାଙ୍କୁ ନେଇ ବଡ଼ ବୟାନ ଦେଲେ ତସ୍‌ଲିମା; କହିଲେ ମୋତେ ବାହାର କରିଥିଲ, ଏବେ...

ଦେଶର ସଂରକ୍ଷଣ ନୀତିରେ ସଂସ୍କାର ପାଇଁ ଚିନ୍ତା କରିବା ହସିନା ସରକାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପରିବାରକୁ ସ୍ୱତନ୍ତ୍ର ସଂରକ୍ଷଣ ଦେବାକୁ ଚିନ୍ତା କରିଥିଲେ ଶେଖ ହସିନାଙ୍କ ସରକାର । ତେବେ ଏହାକୁ ବିରୋଧ କରିଥିଲେ କିଛି ଛାତ୍ର ସଂଗଠନ । ଏହିଠାରୁ ଆରମ୍ଭ ହୋଇଥିଲା ବିବାଦର ସୂତ୍ରପାତ । ସରକାରଙ୍କ ସବୁ ପ୍ରୟାସ ସତ୍ତ୍ୱେ ଛାତ୍ର ଆନ୍ଦୋଳନ ଏକ ଭୟଙ୍କର ସରକାର ବିରୋଧୀ ଆନ୍ଦୋଳନରେ ପରିଣତ ହୋଇଥିଲା । ପୂର୍ବରୁ ସଂରକ୍ଷଣ ନିଷ୍ପତି ପ୍ରତ୍ୟାହାର ପାଇଁ ଦାବି ହେଉଥିବା ବେଳେ ଏହା ହସିନାଙ୍କୁ ପଦରୁ ହଟାଇବା ଗଣ ଆନ୍ଦୋଳନରେ ପରିଣତ ହୋଇଥିଲା । ତେବେ କିଏ ସେହି ଛାତ୍ରନେତା ଯିଏ ଆନ୍ଦୋଳନକୁ ଭୀଷଣ ରୂପ ଦେବାରେ ସୂତ୍ରଧର ରହିଥିଲେ ? 

କିଏ ସେହି ଛାତ୍ରନେତା ?
ଏହି ଛାତ୍ରନେତାଙ୍କ ନାମ ନାହିଦ ଇସଲାମ । ଢାକା ୟୁନିଭରସିଟିର ସୋସିଓଲୋଜି ବିଭାଗର ଛାତ୍ର । ମାନବାଧିକାର ରକ୍ଷାକାରୀ କାର୍ଯ୍ୟ ପାଇଁ ସେ ଜଣାଶୁଣା । ବାଂଲାଦେଶରେ ସରକାରୀ ଚାକିରିରେ କୋଟା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଦାବି କରୁଥିବା ଛାତ୍ରଙ୍କ ନେତୃତ୍ୱ ନେବାସହ ସେ 'ଛାତ୍ର ବିରୋଧୀ ଭେଦଭାବ' ଆନ୍ଦୋଳନର ଅନ୍ୟତମ ଜାତୀୟ ସଂଯୋଜକ ଭାବରେ କାର୍ଯ୍ୟ କରିଛନ୍ତି । 

ଅଧିକ ପଢନ୍ତୁ : ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣ ! ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ବି ଛାଡ଼ିଲେନି...

କାହିଁକି ହୋଇଥିଲା ଛାତ୍ର ଆନ୍ଦୋଳନ ?

ବାଂଲାଦେଶର ସୁପ୍ରିମକୋର୍ଟ ଜୁନ୍ ୨୦୨୪ରେ ଯୁଦ୍ଧ ଭେଟେରାନ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ବଂଶଧରଙ୍କ ପାଇଁ ୩୦ ପ୍ରତିଶତ ସଂରକ୍ଷଣ ପୁନଃ ନିଶ୍ଚିତ କରିବା ପରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହି ସଂରକ୍ଷଣ ବ୍ୟବସ୍ଥା ଭେଦଭାବପୂର୍ଣ୍ଣ ଏବଂ ରାଜନୈତିକ ଉଦ୍ଦେଶ୍ୟରେ ସରକାରୀ ଚାକିରି ପାଇବା ପାଇଁ କରାଯାଇଥିବା ଅଭିଯୋଗ କରି ଆନ୍ଦୋଳନ ଆରମ୍ଭ ହୋଇଥିଲା । 

ଛାତ୍ରନେତା ନାହିଦ ଇସଲାମଙ୍କ ବିଷୟରେ...

ସେହିପରି 'ରାସ୍ତାରେ ନିୟୋଜିତ ଆତଙ୍କବାଦୀ' କହି ଶେଖ ହସିନାଙ୍କ ଦଳ ଆୱାମୀ ଲିଗ୍ ବିରୋଧରେ ସ୍ୱର ଉଠାଇଥିଲେ ନାହିଦ । ଆନ୍ଦୋଳନକାରୀଙ୍କୁ ସମ୍ବୋଧିତ କରି ପୂର୍ବରୁ ଘୋଷଣା କରିଥିଲେ ଯେ ଆଜି ଛାତ୍ରମାନେ ବାଡ଼ି ଉଠାଇଛନ୍ତି, ଯଦି ବାଡ଼ି କାମ ନକରେ ତେବେ ଅସ୍ତ୍ର ଉଠାଇବାକୁ ପ୍ରସ୍ତୁତ ଅଛନ୍ତି ।  

୧୯ ଜୁଲାଇ ୨୦୨୪ରେ, ନାହିଦ୍ ଇସଲାମ ସାବୁଜବାଗସ୍ଥିତ ଏକ ଘରୁ ସାଧା ପୋଷାକଧାରୀ ପ୍ରାୟ ୨୫ ଜଣ ବ୍ୟକ୍ତିଙ୍କ ଦ୍ୱାରା ଅପହରଣ ହୋଇଥିଲେ । ଏହି ବିକ୍ଷୋଭରେ ତାଙ୍କର ସମ୍ପୃକ୍ତି ସମ୍ପର୍କରେ ବାରମ୍ବାର ପଚରାଉଚରା ବେଳେ ତାଙ୍କ ଆଖି ବୁଜି ଦିଆଯାଇଥିଲା, ହାତ ବାନ୍ଧି ନିର୍ଯାତନା ଦିଆଯାଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏହାର ଦୁଇ ଦିନ ପରେ ସେ ଚେତାଶୂନ୍ୟ ଅବସ୍ଥାରେ ପୁରବାଚଲର ଏକ ବ୍ରିଜ ତଳୁ ମିଳିଥିଲେ ।

ପରେ ଜୁଲାଇ ୨୬ରେ ୨୦୨୪ରେ ନାହିଦ ଇସଲାମଙ୍କୁ ଧାନମୋଣ୍ଡିର ଗୋନୋଶସ୍ତୟା ନଗର ଡାକ୍ତରଖାନାରୁ ଦ୍ୱିତୀୟ ଥର ଅପହରଣ କରାଯାଇଥିଲା । ଢାକା ମହାନଗର ନିଗମର ପୋଲିସ୍ ଡିଟେକ୍ଟିଭ୍ ଶାଖା ସମେତ ବିଭିନ୍ନ ଗୁପ୍ତଚର ଏଜେନ୍ସିରୁ ଆସିଥିବା ବ୍ୟକ୍ତିମାନେ ତାଙ୍କୁ ନେଇ ଯାଇଥିଲେ ବୋଲି ଅଭିଯୋଗ ହୋଇଥିଲା । ତେବେ ଏଥିରେ ସମ୍ପୃକ୍ତି ଥିବା କଥାକୁ ଅସ୍ୱୀକାର କରିଥିଲା ପୋଲିସ୍ ।

ଅଧିକ ପଢନ୍ତୁ : ପୋଡ଼ାଜଳା, ଅହିଂସା, ଅରାଜକତା; ଭାରତ-ବାଂଲାଦେଶ ସୀମାରେ ହାଇ-ଆଲର୍ଟ

OTV is now on Whatsapp

Join and get latest news update delivered to you via whatsapp

Join Now