Advertisment

ନିଜ ଚରାଭୂଇଁରେ ଆଉ ସୁରକ୍ଷିତ ନୁହନ୍ତି ଆତଙ୍କୀ!! ହାଫିଜ୍ ସୟିଦର ପୁଅ ଜୀବିତ ନା ମୃତ ?

ପାକିସ୍ତାନରେ ଏକାଧିକ ଆତଙ୍କୀଙ୍କୁ ହତ୍ୟା..କାନାଡ଼ା ଓ ବ୍ରିଟେନରେ ବି ଆତଙ୍କୀଙ୍କୁ ହତ୍ୟା

author-image
Prangyan Parimita
ଅଦ୍ୟତନ ହୋଇଛି
terrorist

terrorist

ନିଜ ଚରାଭୂଇଁରେ ଆଉ ସୁରକ୍ଷିତ ନୁହନ୍ତି ଆତଙ୍କୀ। ଗଡୁଛି ଗୋଟିକ ପରେ ଗୋଟିଏ ମୁଣ୍ଡ। ପାକିସ୍ତାନ ହେଉକି କାନାଡ଼ା ଅବା ବ୍ରିଟେନ୍, ଆଉ କୌଣସି ସ୍ଥାନ ବି ସେମାନଙ୍କ ପାଇଁ ଆଉ ନିରାପଦ ନୁହେଁ। ଭାରତ ବିରୋଧୀଙ୍କ ଚରମ ପରିଣତି ଆତଙ୍କୀ ଶିବିରରେ ଖେଳାଦେଇଛି ଭୟର ବାତାବରଣ। କେତେବେଳେ କାହା ପାଳି ପଢିବ କହି ହେବନାହିଁ। ତେବେ ଏହା ଗ୍ୟାଙ୍ଗୱାରର ପରିଣତି ନାଁ କଲା କର୍ମର ଫଳ ତାକୁ ନେଇ ଚାଲିଛି ଚର୍ଚ୍ଚା ।...

Advertisment

26/11 ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ତଥା ଭାରତର ଶତ୍ରୁ ନମ୍ବରୱାନ, ହାଫିଜ୍ ସୟିଦର ପୁଅକୁ ଅପହରଣ। ୬ ଦିନ ହେଲା ହାଫିଜ ପୁଅ କମାଲୁଦ୍ଦିନର ପତ୍ତା ମିଳୁନି। ସେ ଜୀବତ ନା ମୃତ ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା। ତେଣେ ଏହି ଘଟଣା ପରେ ପାକିସ୍ତାନ ଆତଙ୍କୀ ଶିବିରରେ ଶିହରଣ। ଆଉ ଏହାରି ଭିତରେ ଆସିଛି ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ର ନିଦ ହଜେଇଲା ଭଳି ଭିଡିଓ। ହାଫିଜ ସଇଦର ସହଯୋଗୀ ତଥା ଲସ୍କର ଏ ତୋଇବାର ସହ ପ୍ରତିଷ୍ଠାତା ମୁଫତି କାଇଜର ଫାରୁକୀକୁ କରାଚିରେ ଗୁଳି କରାଯିବାର ସିସିଟିଭି ଫୁଟେଜ ଭାଇରାଲ ହେଉଛି।

ଏସବୁ ଘଟଣାକୁ ଦେଖି ହାଫିଜର ଆଉ ଜଣେ ପୁଅ ତାଲହା ଓ ଡଜନରୁ ଅଧିକ ଆତଙ୍କୀବାଦୀକୁ ଆଇଏସଆଇ ସୁରକ୍ଷିତ ସ୍ଥାନକୁ ନେଇଛି। ଲକ୍ସର ସଂଗଠନର ନମ୍ବର ଟୁ ତଥା ଭାରତ ବିରୋଧୀ ଷଡ଼ଯନ୍ତ୍ରର ନକ୍ସା ପ୍ରସ୍ତୁତ କରୁଥିବା ତାଲହା ଉପରେ ୨୦୧୯ରେ କରାଚିରେ ଆକ୍ରମଣ ହୋଇଥିଲା। ମାତ୍ର ସେ ଅଳ୍ପକେ ବଞ୍ଚି ଯାଇଥିଲା।...

Advertisment

ଆସନ୍ତୁ ଜାଣିବା କେମିତି ସଫା ହେଉଛନ୍ତି ଆତଙ୍କୀ---

୧୨ ସେପ୍ଟେମ୍ବର ୨୦୨୩

ଭାରତର ମୋଷ୍ଟୱାଣ୍ଡେଡ ଲକ୍ସର ଆତଙ୍କୀ ମୌଲାନା ଜିଆଉର ରେହମାନଙ୍କୁ କରାଚିର ଗୁଲିସ୍ତାନ ଜୌହାର ଅଞ୍ଚଳରେ କରାଯାଇଥିଲା ଗୁଳି। ଦୁଇ ଅଜ୍ଞାତ ବନ୍ଧୁକଧାରୀ ମୋଟର ସାଇକେଲରେ ଆସି ତାକୁ ଫାୟାରିଂ କରିଥିଲେ। ଯୁବକମାନଙ୍କୁ ଉସକାଇ ସେମାନଙ୍କୁ ଭାରତ ବିରୁଦ୍ଧରେ ଲଢାଇବାକୁ ପ୍ରଶିକ୍ଷଣ ଦେଉଥିଲା ଜିଆଉର।....

୧୦ ସେପଟେମ୍ବର ୨୦୨୩

ପାକିସ୍ତାନ ନିୟନ୍ତ୍ରିତ କାଶ୍ମୀରର ମୁଜାଫରାବାଦରେ ପଡିଥିଲା ଭାରତ ବିରୁଦ୍ଧରେ ଗରିଲା ଯୁଦ୍ଧ ଚଳାଇଥିବା ମହମ୍ମଦ ରିଆଜ ଓରଫ ଆବୁ କାସିମ କାଶ୍ମିରୀର ପାଳି। ଶୁକ୍ରବାର ନମାଜ ପାଠ ଲାଗି ଯାଇଥିବା ବେଳେ ମସଜିଦ ଭିତରେ ତାକୁ ଗୁଳି କରାଯାଇଥିଲା। ଧାଂଗ୍ରୀ ଆକ୍ରମଣର ସେ ଥିଲା ମାଷ୍ଟରମାଇଣ୍ଡ।

୫ ସେପଟେମ୍ବର ୨୦୨୩

କାଶ୍ମିରୀ ହତ୍ୟାର ୫ ଦିନ ଅର୍ଥାତ୍ ସେପଟେମ୍ବର ୫ରେ ଆଉ ଜଣେ ଏଲଇଟି ଆତଙ୍କୀ ହାଫିଜ୍ ସେହଜାଦକୁ ଭୋଗିବାକୁ ପଡିଥିଲା ସମାନ ଦଶା। କରାଚିରେ ଅଜଣା ଆତତାୟୀଙ୍କ ଗୁଳିରେ ଯାଇଥିଲା ତା ଜୀବନ।

ପାକିସ୍ତାନରେ ରହି ଭାରତରେ ଏକାଧିକ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିବା ଅଲବଦର ମୁଜାହିଦ୍ଦିନ ସଂଗଠନର କମାଣ୍ଡର ସୟଦ ଖଲିଦ୍ ରାଜାକୁ ଗତ ଫେବ୍ରୁଆରୀ ୨୬ରେ ଓ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ବସିର ଅହମ୍ମଦ ପୀରକୁ ଗତ ଫେବ୍ରୁଆରୀ ୨୦ ତାରିଖରେ ରାୱଲପିଣ୍ଡିରେ ହତ୍ୟା କରାଯାଇଥିଲା। ସେହିପରି ଗତ ମେ ୬ ତାରିଖରେ ଖଲିସ୍ତାନ କମାଣ୍ଡୋ ଫୋର୍ସ ମୁଖ୍ୟ ପରମଜିତ ସିଂହ ପଞ୍ଜାରକୁ ଲାହୋରରେ ଗୁଳି କରାଯାଇଥିଲା।

ପୂର୍ବରୁ ୨୦୨୨ ମାର୍ଚ୍ଚ ୧ରେ 1999 ଭାରତୀୟ IC-814 ବିମାନ ଅପହରଣ ମାମଲା ଅଭିଯୁକ୍ତ ଜୈସ ଆତଙ୍କୀ ମିସ୍ତ୍ରି ଜହୁର ଇବ୍ରାହିମକୁ ୨୦୨୨ ମାର୍ଚ୍ଚ ୧ରେ ପଏଣ୍ଟ ବ୍ଲାଙ୍କରୁ ଗୁଳି କରାଯାଇଥିଲା। ମିସ୍ତ୍ରି ହେଉଛି ସେଇ ଆତଙ୍କୀ ଯିଏ ଜଣେ ବିମାନ ଯାତ୍ରୀଙ୍କ ବେକ କାଟିଥିଲା।...

୨୦୨୨ ନଭେମ୍ବର ୨୦ରେ ଲାହୋର ହସପିଟାଲରେ ଖଲିସ୍ତାନୀ ଆତଙ୍କୀ ହରବିନ୍ଦର ସିଂହ ସାନ୍ଧୁ ଓରଫ ରିଣ୍ଡାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ମୋହାଲି ସ୍ଥିତ ପଞ୍ଜାବ ପୋଲିସ ଗୁଇନ୍ଦା ବିଭାଗ କାର୍ଯ୍ୟାଳୟ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲା ଏହି ବାବର ଖାଲସା ଆତଙ୍କୀ। ତାକୁ ଧରାଇ ଦେବା ଲାଗି ଏନଆଇଏ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।...

ପୂର୍ବରୁ ୨୦୨୦ ଜାନୁଆରୀ ୨୭ରେ ଲାହୋର ଗୁରୁଦ୍ୱାରରେ ଖଲିସ୍ତାନୀ ଆତଙ୍କୀ ହରମିତ୍ ସିଂହ ଓରଫ ହାପି ପିଏଚଡିକୁ ଗୁଳି କରାଯାଇଥିଲା। କାନାଡାରେ ହରପ୍ରିତ ସିଂହ ନିଜ୍ଜାର ହେଉ କି ବ୍ରଟେନରେ ଅବତାର ସିଂହ ଖାଣ୍ଡା। ନିପାତ ହେବାରେ ଲାଗିଛନ୍ତି ଭାରତର ଜଣଙ୍କ ପରେ ଜଣେ ଶତ୍ରୁ। ତେବେ ଏହା ଗ୍ୟାଙ୍ଗୱାର ନା ସେମାନଙ୍କ କଲା କର୍ମର ପରିଣତି, ଆତଙ୍କୀ ସଂଗଠନ ଓ ସେମାନଙ୍କୁ ସାହାଯ୍ୟ ସହଯୋଗ କରୁଥିବା ଦେଶ ଏହା ଉପରେ ବିଚାର କରିବାର ବେଳ ଆସିଛି।...

Hafiz Saeed
Advertisment
Advertisment